ଋତୁ ଆସି ଋତୁ ଯାଏ
ହେଲେ ଚିହ୍ନ ଛାଡ଼ି ଯାଏ
ଭଅଁରକୁ ଝୁରି ଫୁଲ
ମଉଳି ମଉଳି ଯାଏ
ଶ୍ରାବଣ ତା'ର ସାଥିରେ
ମେଘ ନେଇ ଆସିଥାଏ
ଵରଷା ତ ଵରଷିଥାଏ
ମନ ଏଠି ଶୁଷ୍କ ଥାଏ
ଶିତ ସକାଳର କୁହୁଡ଼ି
ମୋତି ଭଳି ଝଲସୁଥାଏ
ରବି କିରଣର ସ୍ପର୍ଶରେ
ନିଜ ସତ୍ତା ପୁଣି ହରାଉଥାଏ
-
ତୁମେ କେମିତିକା ଋତୁ !
ତୁମ ପାଖେ ଅଛି ଖାଲି ଆବେଗ ର ପ୍ରେମ ବାସ୍ନା
ଯେଉଁ ଆଡେ ଚାହୁଁଛି ମୁଁ
ଦିଶିଯାଏ ମତେ ଖାଲି ତୁମ ଯୌବନର ଜ୍ୟୋତ୍ସ୍ନା ।
ସୁକୁମାରୀ ପୁଷ୍ପ ରାଜି
ପାହାନ୍ତି କାକରେ ନିତି ସାନନ୍ଦେ ଭିଜାନ୍ତି କାନ୍ତି
ନିର୍ମଳ ଆକାଶ ରାତି
ମିଞ୍ଜି ମିଞ୍ଜି ତାରା ବତୀ ଜହ୍ନାଲୋକ ଦିଏ ଶାନ୍ତି ।
ଋତୁରାଣୀ ନ ହେଲେ ବି
ତୁମେ ଅନିନ୍ଦ୍ୟ ରୂପବତୀ ଲାଗ ଚିର ହରିତ
ତୁମ ନାମଟି ପୁରୁଷ ସିନା
ବାସ୍ତବରେ ନାରୀ ତୁମେ ସୁନ୍ଦରୀ "ଶରତ" ।
-
ଋତୁପର୍ଣ୍ଣାକୁ କହିଦିଅ ନେଇ ଆସିବ
ଗୋଟେ ପ୍ରେମର ଋତୁ,
ଯେଉଁ ଋତୁରେ ସକାଳ ହେବ
ସ୍ବପ୍ନ ସତ ହୋଇ ।
ଅପରାହ୍ନରେ ଜଳିବ ଆତତାୟୀଙ୍କ
ବାରୁଦ ଭରା ମନରେ ଥିବା ପ୍ରତିଶୋଧ ।
ଆଉ ରାତି ହେଲେ ତାରା ସହିତ
ଭାସୁଥିବ ଅନେକ କାହାଣୀ,
କିଛି ସତ କିଛି କଳ୍ପନା
ଆଉ କିଛି ତୁମର ଆଉ ମୋର କାହାଣୀ ।-
ଋତୁ
ଅତୁଳ ଉପମା ଅନନ୍ତ ମହିମା
ଗୋଟିଏ ଘରେ ନିବାସ
ଛଅ ଭଉଣୀଏ ଆସନ୍ତି ସରାଗେ
ମୁଖେ ଧରି ସ୍ମିତ ହାସ ।
ଜ୍ୟେଷ୍ଠ ଭଉଣୀ ସେ ଗ୍ରୀଷ୍ମ ତାର ନାମ
ରୌଦ୍ର ତାପେ ଜାଳିଦିଏ ।
କେଉଁ ପୂର୍ବ ଋଣ ଶୁଝିବା ପାଇଁକି
ତପନଙ୍କୁ ଜଳ ଦିଏ ।
ବରଷା ରାଣୀ ସେ ଦ୍ୱିତୀୟେ ଆସଇ
ଧରି ମେଘର ମହ୍ଲାର
ତପତ ଧରଣୀ ଶାନ୍ତ କରିବାକୁ
ଢାଳି ଦେଇ ଜଳ ଧାର ।
ନିର୍ମଳ ଆକାଶ ରୂପେଲି ଯୋଛନା
କାଶତଣ୍ଡି ଫୁଲ ନେଇ
ପାର୍ବଣ ସମ୍ଭାରେ ପୂଜାର ଆସରେ
ଶରତ ଆସେ ଫୁଲେଇ ।
ଆଧ୍ୟାତ୍ମ୍ୟ ମାର୍ଗରେ ସର୍ବ ଜନ ମତ୍ତ
ବିଭୁ ପାଦେ ମନ ରସେ
ପୁଣ୍ୟ ଯେ କାର୍ତ୍ତିକ ମାର୍ଗଶୀର ମାସ
ନେଇକି ହେମନ୍ତ ଆସେ ।
କି ବିଚାର ଘେନି ଆସଇ କେଜାଣି
ସାଥେ ଧରି ପୌଷ ମାଘ
ଡରି ମରି ଥା'ନ୍ତି ଅଗ୍ନିକୁ ପାଳନ୍ତି
ଶୀତ ଋତୁ ଯେହ୍ନେ ବାଘ ।
ମଳୟ ପବନ ସୁଗନ୍ଧିତ ଫୁଲ
ଚଉଦିଗେ ଚହଟାଇ
ଅନ୍ତିମେ ଆସେ ଯେ ବସନ୍ତ ତା ନାମ
ଋତୁରାଜ ତାକୁ କହି ।
ଗୋଟିଏ ଘରର ଛଅଟି ସନ୍ତାନ
ସମସ୍ତଙ୍କ ଗୁଣ ଭିନ୍ନ
ସମସ୍ତଙ୍କ ନିଜ ରହଣି କାଳରେ
ଦିଅନ୍ତି ସ୍ଵତନ୍ତ୍ର ଚିହ୍ନ ।-
ସେ ଅନୁଭୂତି କେଉଁ ଋତୁ ର,
ନା ଥିଲା ଗ୍ରୀଷ୍ମ ର ପ୍ରକୋପ,
ନା ଥିଲା ବର୍ଷା ଭିଜା ମାଟିର ବାସ୍ନା,
ନା ଥିଲା ଶୀତ ର କୁହୁଡ଼ି,
ନା ଥିଲା ବସନ୍ତ ର କୋଇଲି ଗାନ,
ନା ଥିଲା ହେମନ୍ତ ର ଛବି,
ନା ଥିଲା ଶରତ ର କାଶତଣ୍ଡି ଫୁଲ,
ବୋଧ ହୁଏ ସେ ଅନୁଭୂତି ଥିଲା "ସପ୍ତମ ଋତୁ" ।-
ତୁମେ ବସନ୍ତର କଥା କହୁଛ;
ହେଲେ ମୁଁ ତ ପତ୍ରଝଡ଼ା ଋତୁଟିଏ....
ତୁମେ ସଙ୍ଗୀତର ଭାଷା ବୁଝୁଛ,
ମୁଁ କିନ୍ତୁ ଶବ୍ଦରହିତ ଗଜଲଟିଏ....!!!!!-
କେବେ କେବେ ସମସ୍ତେ ଆମ ପାଖରେ ଥିଲେ ବି
ଏ ଆଖି ଆଉ କାହାକୁ ଖୋଜୁ ଥାଏ ,
ହୁଏ ତ ଏ ମନ ତା'ର ମନର ମଣିଷକୁ ହୃଦୟରୁ ଡାକିଥାଏ ।।।
-
ଆଖିରେ ମୋ ଅଗ୍ନିରେଖା ଆଙ୍କି ଦେଇ
କହୁଛ ଗ୍ରୀଷମ ଆସିଲାଣି,
ସାଇତା ନିଦ ମୋ ଚୋରି କରିନେଲ
କହୁଛ ଚଇତ ସରିଲାଣି।
ମୁଁ ବି ବତୁରେ ମୋ ଜ୍ବାଳାରେ ନିଜେ
ଫଇସଲା କାହିଁ ମୋର ହାତେ,
ରଙ୍ଗ ମୋର ସବୁ ନୀଳ ପଡ଼ିଯାଏ
ବିଷମ ବିଷର ହୃଦଘାତେ।
ତୁମ ଅନ୍ବେଷଣେ ଭୁଲିଲି ସପନ
ପଶାପାଲି ହାରିଗଲା ପରେ,
ପ୍ରତୀକ୍ଷା ତୁମର ମୋ ଭିତରେ ଜଳେ
ଫଗୁଣଟା ମରିଗଲା ପରେ।-
ଋତୁ ବଦଳୁଛି
ନିଜର ଧ୍ୟାନ ରଖିବ ।
ବଦଳୁ ଥିବା ଋତୁ ଓ ବଦଳୁ ଥିବା
ଲୋକ ବହୁତ୍ କଷ୍ଟ ଦେଇ ଥାନ୍ତି ।-
ଗ୍ରୀଷ୍ମ...
ଗ୍ରୀଷମ ବଡ଼ ବିଷମ, ନାହିଁ କ୍ରୁର ତାହା ସମ
ଅଂଶୁମାଳି କର କରେ କରେ ଧାରଣ,
ହା ହୁତାଶ ଜନପଦୀ,ଶୁଷ୍କ ତରୁ ନଦନଦୀ
ଭୀମତାତ ତାତି ବାଜି ସ୍ଵେଦ କାରଣ,
ନିଦାଘ ସେ ମହାଦାରୁଣ,
ଅନଳ ଅନିଳ ସଙ୍ଗେ ବିନାଶେ ବଣ।
ପରଚଣ୍ଡ ଗ୍ରୀଷ୍ମ ପୁଣି, ସେ ଅଟେ ରସିକମଣୀ
କିସଳୟ ଆଳୟ ବଳୟେ ବନଜ,
ଧରି ତା'ର ପ୍ରାଣସଖୀ, ନାମ ଯା' କାଳବୈଶାଖୀ
ବିହରେ ବିହାରି ଜୀବ କଷ୍ଟ ସହଜ,
ଧରି ଫଳପୁଷ୍ପ ସମ୍ଭାର
ନ ଆସିଲେ ଗ୍ରୀଷ୍ମ ସବୁ ହେବ ଅସାର।-