ଜାବୁଡ଼ି ଧରେ ଇନ୍ଦ୍ରିୟ ସବୁକୁ
ମୁହଁକୁ ଟାଣି ଦେଇ କୁହେ
'ଶୁଣୁଛ ନା, ଆମେ ଏକା ନୁହେଁ'
ମୁଁ ତା'ର ଏଇ ମନ୍ଦ୍ର ଡ଼ାକରେ
ଭାବ ବିହ୍ଵଳିତ ହୋଇ ହଜିଯାଏ
ମୋତେ ଏଇ ନିଃସଙ୍ଗତା ଆଉ
ତା'ର ଭଲ ପାଇବାର ଶୈଳୀ
ବହୁତ ବହୁତ ଭଲ ଲାଗେ
ଏକା ଅଛି ବୋଲି କବିବାକୁ
ଭଲ ଲାଗେନି ଆଉ ଡ଼ରବି ଲାଗେ
କାଳେ ଛାଡ଼ି ଚାଲିଯିବ
ଆଉ ମୁଁ ଅନାଥ ହୋଇଯିବି
ତୁମେ ତାକୁ ଜାଣିଛ ନା
ଭାରି ଜିଦ୍ ଖୋର୍, ତା କଥା ନ ଶୁଣିଲେ
ମୋର ଅସ୍ତିତ୍ବରେ ପ୍ରଶ୍ନବାଚୀ ପଡ଼ିଯିବ
ଏ ନିଃସଙ୍ଗତା ଭାରି ଭଲ ଲାଗେ ।
-
ଓଡ଼ିଶା ମୋ ବସା
ସହର ବଡ଼ ବଡ଼ କୋଠା ଭିତରେ ଆରାମରେ ରହୁଥିବା ମଣିଷ ନିଜ ଘରକୁ ଫେରିଯିବାକୁ ଆଶା ବାନ୍ଧେ ହେଲେ ସକାଳ ହେଲେ ଘରକୁ ଫେରିବା ରାସ୍ତା କାର୍ଯ୍ୟାଳୟକୁ ନେଇଯାଏ । ଏ ଦୁନିଆରେ ସବୁବେଳେ ରାସ୍ତା ବଦଳୁଥାଏ ଆଉ ମଣିଷ ସବୁବେଳେ ହଜିଯାଏ ।
-
ସକାଳ ହେବାକୁ ଯାଉଛି
ତୁମେ କେବେ ଯାଉଛ ?
ଯଦି ପାରୁଛ ଆଉ ଆସିବନି
ସକାଳର ଖରାରେ ରହିଯିବ
କାରଣ ରାତି ବହୁତ ଅନ୍ଧାର
ତୁମକୁ ଡ଼ର ଲାଗିବ
ମୋତେ ଖୋଜିବା ପାଇଁ !-
ନୀରବ ନୁହେଁ ମୁଁ ବନ୍ଧୁ,
କହିବାକୁ ପ୍ରୟାସ କରୁଛି ।
ହାତରେ ହାତ ଛନ୍ଦି ବସିନି,
ହାତ ଖୋଲିବାକୁ ଚେଷ୍ଟା କରୁଛି ।
ନଜର ରଖୁଛ ଯଦି ଭାବନାର ସାନ୍ଧ୍ରତାରେ ରଖ
ଶବ୍ଦ ତ ସବୁବେଳେ ମିଛ କୁହେ,
ଶବ୍ଦ ପଛରେ ଥିବା ଲୁହ ମିଶ୍ରିତ ଭାବନାକୁ ଦେଖ ।-
ଭୋକ ବେକରେ ରହିଯାଏ
ଶୋଷ ଜିଭରେ ଲାଗିଥାଏ
ହଜିଯାଇଥିବା ମଣିଷ ଫେରି ଆସିଲେ
ଅନ୍ଧାର ଭିତରେ ଦୀପ ହୋଇଯାଏ ।-
କଲିଜାକୁ ଚିପୁଡି ଦିଏ
ଆଉ ଆଖିରେ ଶ୍ରାବଣ ଦେଇଯାଏ
ତୁମର ଏ ମଉନ ଆସନ ଆଉ କେତେଦିନ
ବୋଧ ହୁଏ ସବୁଦିନ !
ଫଟୋରୁ ବାହାରି ଆଉ ପଦେ କଥା
କି ପ୍ରେମ ଭରା ଅଭିମାନ ଆଶା ଆଉ ନାହିଁ ।
ଖାଲି ଆଖିର ପଲକ ଟିକେ ପକେଇ ଦିଅ
ଏ ଆଖିର ଶ୍ରାବଣକୁ ବିଦାୟ ଦିଅ
ଏ ଶୁଷ୍କ ଭାବନାକୁ ସ୍ଵାଧୀନତା ଦିଅ
ତରଳ ଭାବନାକୁ ବାଷ୍ପ କରିଦିଅ ।
ଆଉ ସହି ହଉନି ଏ ନୀରବତା
ଆଉ ଦେଖି ହଉନି ଏ ନିଶ୍ଚଳତା
ମୌନତାର ବିଷରେ ହୁଏତ ଆଉ କିଛି ଦିନ ।
-
ଭାବନାର ବନ୍ଧୁକ ଯେତେବେଳେ ଚାଲେ ଆଖିରୁ ଲୁହ ଆଉ ମନର ଲହୁକୁ ରୋକିବାରେ ଅସମର୍ଥ ମଣିଷ ହସିଦିଏ ।
-
ମୋ ମନ ଭିତରେ ଥିବା ଶୂନ୍ୟତାକୁ
ଟିକିଏ ସମୟ ଦେଇ ପୂରଣ କରିଦିଅ
ଟିକିଏ ପାଣି ଛିଂଚି ଅତୀତର ସୁପ୍ତ କଣିକା ସବୁକୁ
ଆଉ ଥରେ ଜାଗ୍ରତ କରିଦିଅ
ମୁଁ ବଞ୍ଚିଯିବି ସେଇ ଦରମରା ଛବି ସାଥୀରେ
ମୁଁ ହଜିଯିବି ସେଇ ଝପ୍ସା ପ୍ରତିଛବିରେ
ମୋତେ ଟିକିଏ ସମୟ ଦିଅ
ସମାଜ ଆଉ ସମୟ ସହିତ
ପାଦ ମିଶେଇବା ପାଇଁ ।
-
ଏ ସମୟ ଏମିତି ଲାଗୁଛି ଯେମିତିକି ମସ୍ତିଷ୍କ ଭିତରେ ବହୁତ କିଛି ବହୁତ ତୀବ୍ର ବେଗରେ ବଦଳିବାରେ ଲାଗିଛି । ବନ୍ଦୀ ଜୀବନକୁ ଡର ନହିଁ କିମ୍ବା କରୋନା ହେବାର ଭୟ ଆଉ ନାହିଁ । ଭୟ ଲାଗୁଛି ନିଜକୁ । ଏ ସମୟ ବିତି ଗଲା ପରେ ମୁଁ ସେଇ ମଣିଷ ହୋଇ ବାହାରିବି ତ ଯେଉଁ ମଣିଷ ମୁଁ ଆଗରୁ ଥିଲି ? ମୋତେ ଏଇ ସମୟ ଏଥିପାଇଁ ଡର ଲାଗୁଛି କାରଣ ଏଇ ସମୟର ଦୀର୍ଘତା ଭିତରେ ମୁଁ ମଣିଷଙ୍କୁ ଭୟ କରିବା ଆରମ୍ଭ କରି ଦେଇଛି । କିଛି ଚେହେରା ଦେଖି ହଉ ନାହିଁ କି ନିଜ ଭିତରେ ଥିବା ଭୟକୁ ଦେଖେଇ ହଉ ନାହିଁ । ଏଇ ଭାବନା ଯଦି ମସ୍ତିଷ୍କ ଭିତରେ ଗୁନ୍ଥି ହୋଇ ରହିଯିବ ତାହେଲେ ମୁଁ ହୁଏତ ମଣିଷଙ୍କୁ ଛୁଇଁବାକୁ ଡରିବି ଆଉ ଚାଲିଲା ବେଳେ ହଠାତ୍ ହଜିଯିବି । ମୁଁ ଏଇ ପରିବର୍ତ୍ତନକୁ ବହୁତ ଡ଼ରୁଛି ।
-