॥ ବସନ୍ତର ବାସ୍ନା ॥
ଥୁରୁ ଥୁରୁ ଶୀତ ଧରା ଛାଡିଲାଣି
ଫୁଟିଲାଣି ଖରା ତେଜ
ଅଳସ ପବନ ହାଇ ମାରିଲାଣି
ଫଗୁଣ ହେଲାଣି ସଜ
କୁଆଁରୀ ବଉଳ ଲାଜେ ଖୋଜିଲାଣି
ଚୋରା ମଳୟର ଛୁଆଁ
ରହି ରହି ଶୁଭେ କୋଇଲି କଣ୍ଠରୁ
କୁହୁକୁହୁ ସୁର ନୂଆ
ତରୁରେ ତରୁରେ ମଧୁମାଳତୀ ଯେ
ପକାଏ ଫୁଲର ଝୋଟି
ସେ ଝୋଟି ସଜାଏ ହଳଦୀବସନ୍ତ
ହଳଦୀ ମୁରୂଜ ଛାଟି
ପଳାଶବନରେ କାମନାର ନିଆଁ
ଲଗାଇ ଦେଲାଣି କିଏ
ସେ ମିଠା ନିଆଁରେ ଜଳିବାକୁ କିଆଁ
ମନ ଆନମନା ହୁଏ
ଚଉଦିଗେ ଖେଳେ ବସନ୍ତର ମଧୁ
ବାସ୍ନାର ଲୁଚକାଳି
ଫୁଲରେ ଫୁଲରେ ଦେଖୁନ କେମିତି
ଭଅଁର କରୁଛି କେଳି
-
ମୁଁ ତୁମ ଭାବନାର ଧାରରେ ଭିଯିବାକୁ ରାଜି,
ହେଲେ ତୁମେ କେବେ ଶ୍ରାବଣ ତ' ନେଇକି ଆସ
କଥା ଦଉଛି ମୁଁ ପତ୍ର ହୋଇ ଝରିଯିବି,
ହେଲେ ତୁମେ କେବେ ବସନ୍ତର ମୃଦୁ ମଳୟ ତ' ହୋଇ ଆସ...
-
ମୋ ଭାବନାରେ ଯଦି ଭିଜିବାକୁ ଚାହଁ
ତୁମ ପାଇଁ ଆଣିଦେଵି ଏକ ରଙ୍ଗୀନ ଆକାଶ
ମୋ ପୂର୍ଣ୍ଣିମା ଚାନ୍ଦ ହୋଇ ହସିବ
ତୁମ ପାଇଁ ଆଣିଦେଵି ସହସ୍ର ବସନ୍ତ ବନାନୀର ସମ୍ଭାର
ତୁମ ପାଇଁ ତୋଳି ଦେବି ମୋ ହୃଦୟ ଭୂମିରେ ଏକ
ଭବ୍ୟ ଉଆସ...ରାଜୁତି କରିବ
ହୃଦୟ ସାମ୍ରାଜ୍ଞାନୀ ହୋଇ l
Nihar✍️
-
ଶ୍ରାବଣ ମୁଁ ହେବିନି, କାଳେ କିଏ କହିବ
ତୁମେ ବର୍ଷାରେ ଭିଜୁଛ
ମଳୟ ବି ହେବିନି, କାଳେ କିଏ କହିବ
ତୁମେ ପବନେ ଝଡୁଛ
ମୁଁ ହେବାକୁ ଚାହେଁ ଲମ୍ବା ରାସ୍ତାଟିଏ
ତୁମ ଜୀବନର
ମୋ ଦେହରେ ପାଦ ପରେ ପାଦ ଥାପି
ତୁମେ ଚାଲୁଥିବ ବହୁଦୂର,
ଆଉ ଦେଖିବା ଲୋକେ କହୁଥିବେ
ତୁମେ ରାସ୍ତାରେ ଚାଲୁଛ।-
ଭିଜାଇବି ତୁମକୁ ହୋଇ ଶ୍ରାବଣ ର ଜଳଧାର,
ରୁତୁ ରାଜ ବସନ୍ତ ହୋଇ ହରିବି ମନ ତୁମର।ଗଢିବା ଗୋଟିଏ ଆମେ ଛୋଟିଆ ଘର,
ତୁମେ ହେବ ରାଣୀ ଆଉ ମୁଁ ରାଜା ତୁମର।-
ଆସିନି ଶ୍ରାବଣ ଗରଜେ ବରଷା
କୂଳ ଲଂଘେ ଲୁହ ପଲକ ଡେଇଁ,
ଶୁଭୁନାହିଁ କାହିଁ ମୋହନ ବଇଁଶୀ
ଶୁଖିଲା ପଡିଛି ଯମୁନା ନଈ ...,
ଉଦାସୀ ଉଦାସୀ ଋତୁ ଋତୁମତୀ
ମିଳନ ସହରେ ବିରହ ଛାଇ ,
ଚକୋର ବାହୁନେ ତୁହାଇ ତୁହାଇ
ମଲାଜହ୍ନ ଲାଗି କାନ୍ଦୁଚି କଇଁ,
କେବେ ତମେ ଅଛ କେବେ ମୁଁ ନାହଁ
ଏଇତ ଆମର କାହାଣୀ ବହି ।।ବେଳାଭୂମି
-
**-ବସନ୍ତର ପହିଲି ଆଭାସ-**
ମଳୟର ମୃଦୁ ମୃଦୁ ମଧୁଭରା ହସ
କୁଆଁରୀ ମନରେ ଭରେ ପ୍ରୀତିର ପରସ
ଇଏକି ବସନ୍ତର ପହିଲି ଆଭାସ !
ଆମ୍ର ବନେ ଚହଟୁଛି ବଉଳର ବାସ
କୋଇଲିର କୁହୁ ତାନ ଭରୁଛି ଉଲ୍ଲାସ
ଇଏକି ବସନ୍ତର ପହିଲି ଆଭାସ !
ଫଗୁଣର ସାତରଙ୍ଗେ ହସୁଛି ଆକାଶ
ସୋରିଷ କ୍ଷେତରେ ଶୋଭେ ହଳଦିଆ ବେଶ
ଇଏକି ବସନ୍ତର ପହିଲି ଆଭାସ !
ମତୁଆଲା ଭ୍ରମରର ମନଭୁଲା ଗୀତ
ସୁକୁମାରୀ ଫୁଲ ଦେହେ କାନ୍ତିର ବିକାଶ
ଇଏକି ବସନ୍ତର ପହିଲି ଆଭାସ !
ବଧୂବେଶ ସାଜିଲାଣି ରକ୍ତିମ ପଳାଶ
ଧରଣୀ ଏ ବର୍ଣାଳୀରେ ହେଉଛି ସୁବେଶ
ଇଏକି ବସନ୍ତର ପହିଲି ଆଭାସ !!
-