**-ବସନ୍ତର ପହିଲି ଆଭାସ-**
ମଳୟର ମୃଦୁ ମୃଦୁ ମଧୁଭରା ହସ
କୁଆଁରୀ ମନରେ ଭରେ ପ୍ରୀତିର ପରସ
ଇଏକି ବସନ୍ତର ପହିଲି ଆଭାସ !
ଆମ୍ର ବନେ ଚହଟୁଛି ବଉଳର ବାସ
କୋଇଲିର କୁହୁ ତାନ ଭରୁଛି ଉଲ୍ଲାସ
ଇଏକି ବସନ୍ତର ପହିଲି ଆଭାସ !
ଫଗୁଣର ସାତରଙ୍ଗେ ହସୁଛି ଆକାଶ
ସୋରିଷ କ୍ଷେତରେ ଶୋଭେ ହଳଦିଆ ବେଶ
ଇଏକି ବସନ୍ତର ପହିଲି ଆଭାସ !
ମତୁଆଲା ଭ୍ରମରର ମନଭୁଲା ଗୀତ
ସୁକୁମାରୀ ଫୁଲ ଦେହେ କାନ୍ତିର ବିକାଶ
ଇଏକି ବସନ୍ତର ପହିଲି ଆଭାସ !
ବଧୂବେଶ ସାଜିଲାଣି ରକ୍ତିମ ପଳାଶ
ଧରଣୀ ଏ ବର୍ଣାଳୀରେ ହେଉଛି ସୁବେଶ
ଇଏକି ବସନ୍ତର ପହିଲି ଆଭାସ !!
-
** #ସମୟ #**
ଆସିଛନ୍ତି ଯେତେ ଦୈତ୍ୟ,ସୂର,ନର ହୋଇ ସମୟର ଦାସ
ସବୁରି ଉପରେ ବଳିୟାନ ସେତ ନୁହଁଇ କାହାର ବସ ll
ସମୟ ଆସିଲେ ସୃଷ୍ଟିର ସକଳ କାର୍ଯ୍ୟ ହୁଅଇ ନିଃଶେଷ
ସୂର୍ଯ୍ୟବି ଉଠନ୍ତି ନିତ୍ୟ ଦିବସରେ ପାଇ ତାହାରି ନିର୍ଦ୍ଧେଶ ll
ନଦୀ ପରି ଏକା ଶ୍ରୋତେ ବୋହିଚାଲେ
ଚାହେଁନା ପଛକୁଫେରି,
ଧରି ହୁଏନାହିଁ ପ୍ରବାହକୁ ତାର ବେଗ ଯେ ଦ୍ରୁତପ୍ରସାରି ll
ମିଳିଯାଏ ସିନା ମାଗଣାରେ ହେଲେ ଅମାପ ମୂଲ୍ୟ ତାହାର,
କିଣିହୁଏ ନାହିଁ ଅର୍ଥର ବ୍ୟୟରେ ମାତ୍ର କରିହୁଏ ବ୍ୟବହାର ll
ସୁଖେ ଥିଲେ ଏହା କ୍ଷଣସ୍ଥାୟୀ ଲାଗେ,
ଦୁଃଖେ ଲାଗେ ଅସରନ୍ତି,
ଅପେକ୍ଷାରେ ଥିଲେ ଲାଗେ ଏହା ଏକ ଅଭିଶପ୍ତ ଦୀର୍ଘ ରାତି ll
ସବୁଠୁ ସୁନ୍ଦର ଲାଗେ ଏ ପ୍ରେମରେ ଶୁଣାଏ ମଧୁର ଉକ୍ତି
ଚୋରାଇ ନିଏ ତ ବିଗତ ଅତୀତ ହଜିଲା ଦିନର ସ୍ମୃତି ll
ଋତୁ ପରି ନୀତି ବଦଳେ ଏଠାରେ ଜୀବନର ପରିସ୍ଥିତି
ଆଜି ଯାହା ଲାଗେ ବ୍ୟଥିତ ଯନ୍ତ୍ରଣା କାଲି ହୁଏ ଅନୁଭୂତି ll
କେତେ ଝଡ ଝଞ୍ଜା ଜୀବନ ପଥରେ ଆସିଛି ସମୟ କୋଳେ
କେତେ ଆଶା କେତେ ଅଭିଳାଶ ପୁଣି
ଲୁଚିଯାଏ ତା ବୁକୁରେ ll
ଅନେକ ପ୍ରେରଣା ମିଠା ଆଶ୍ୱାସନା କହେ କାନେ ଡାକି ଡାକି,
କଷଣ,ଦୂଷଣ କଠିନ ଦିନରେ ହୋଇ ରହେ ଚିର ସାଥୀ l
ଆହ୍ୱାନ କରେ ମଣିଷ ଜାତିକୁ ବୁଝାଏ ଜୀବନ ମୂଲ୍ୟ,
ଏକଇ କର୍ତ୍ତବ୍ୟ ପାଳିବା କେବଳ ନୁହଁଇ ତୁମର କାମ୍ୟ l
ତିକ୍ତ ଓ ମଧୁର ସମ୍ପର୍କରେ ଆଣି ନୂତନ ପରିବର୍ତ୍ତନ,
ବଞ୍ଚିବାକୁ ହେବ ତୁମକୁ ଏ ଧାମେ କେତେଯେ କରି ସଂଗ୍ରାମ ll
Subhashree..✍️-
ସମ୍ପର୍କର ସେଇ ସରୁ ସୁତାଖିଅ,
ଗଣ୍ଠି ସେତ ରେଶମୀ ଡୋରିର l
ଯାହାର ମୂଲ୍ୟ ସାମାନ୍ୟ କେଇଟା
ଟଙ୍କାରେ ତୁଳିହୁଏନି l
ହୃଦୟର ସ୍ନେହ ପ୍ରେମ ଆଉ ଭଲପାଇବାର
ଇଏ ଏକ ନିରବ ପ୍ରତୀକ l
ହୃଦୟରେ ନିତ୍ୟ ପ୍ରସ୍ଫୁଟିତ ସେଇ ଅମଳିନ
ପ୍ରେମପୁଷ୍ପକୁ କେବେ ଅର୍ପଣ କରିନି ଯାହା ପାଖରେ l
ସେଇ ପ୍ରୀତିର ପୁଷ୍ପ କେବେ କେବେ
ଲୁଚି ଲୁଚି ବୋହିଯାଏ ଆଖିର ଲୁହ ହୋଇ
ଭାଇର ଟିକେ ଦୁଃଖ ଦୁର୍ଦଶାରେ ତ କେବେ
ଭଗବାନଙ୍କ ନିକଟରେ ତାର ଶୁଭ ମନାସିବାରେ l
ମିଛ ଅହମିକାର ଦୁନିଆରେ ଏ ସମ୍ପର୍କତ ନିଆରା
ଯେଉଁଠି ନିଃସ୍ଵାର୍ଥପର ପ୍ରେମର ଜୁଆର
ସର୍ବଦା ଲହରୀ ଭାଙ୍ଗୁଥାଏ ହୃଦୟରେ l
ସମ୍ପର୍କ ର ଏଇ ଅଲିଭା ଦୀପ ଯାହା ସବୁଦିନପାଇଁ
ପ୍ରଜ୍ବଳିତ ହେଉଥାଏ ଜୀବନରେ l
-
ଜାତୀୟ ଏକତା ଦେଶର ବଳ,
ଏକତା ନଥିଲେ ସବୁ ଅସାର l
ଧର୍ମ ଭେଦ ଭାବ କରିବା ଦୂର,
ଏକତାହିଁ ଆମ ମୂଳ ଆଧାର l
ମିଳିମିଶି ଆମେ କାମ କରିବା
ପ୍ରଗତି ପଥରେ ଆଗେଇଯିବl l
ଜାତୀୟ କର୍ତ୍ତବ୍ୟ ମୂଳମନ୍ତ୍ର ଆମ
ଆବଶ୍ୟକ ସ୍ଥଳେ ଜୀବନ ଦେବା l
ଦେଶ ଓ ଜାତିର ଟେକ ରଖି ଆମେ,
ବିକଶିତ ଦେଶ ବୋଲାଉଥିବା l
ଜାତିର ସମ୍ମାନ ରଖିବା ନିମନ୍ତେ,
ନିଜ ସ୍ୱାର୍ଥକୁ ବି ପାସୋରି ଯିବା l
ଦୁଃଖ ଦୁର୍ଦ୍ଧଶା ତ ହୋଇବ ଦୂର,
ଅଭାବ ନଥିବ ଆଉ କାହାର l
ଏକତ୍ରିତ ହେଲେ ସଭିଙ୍କ ହାତ,
ହସିବ ପୁଣି ଏ ସୁନା ଭାରତ l
-
ମୁଁ ଏମିତି ଜଣକୁ ମୋ ସାଥୀ ରୂପେ ପାଇଛି..
ଯିଏ ମୋର ସବୁ ସ୍ୱପ୍ନକୁ ନିଜ ଆଖିରେ ଜାଗାଦେଇଛି,
ମୋର ସବୁ ଦୁଃଖରେ ନିଜ ହୃଦୟକୁ କନ୍ଦେଇଛି ଆଉ ମୋର ସବୁ ଖୁସିକୁ ନିଜ ଓଠରେ ହସ କରି ଝରେଇଛି... I ଜୀବନର ଅନ୍ଧକାର ପଥରେ ମୁଁ ଯେବେ ଯେବେ ବାଟବଣା ହେଇଛି ସେ ମୋ ପାଇଁ ସାଜିଛି ଆଲୋକ ବର୍ତିକା ଆଉ ମୋ ହାତ ଧରି ଉହାଡ଼ିଛି ବାଟ... l ଖାଲି ସାଥୀ ନୁହେଁ ସେ ମୋପାଇଁ ଭଗବାଙ୍କର ଅମୂଲ୍ୟ ଉପହାରଟିଏ.... ଯାହାକୁ ମୁଁ ସାଇତି ରଖିଥିବି ହୃଦୟରେ ଜୀବନର ଶେଷ ନିଶ୍ୱାସ ଥିବାଯାଏ.. ବଞ୍ଚିଥିବାଯାଏ ଭଗବାନଙ୍କ ନିକଟରେ କରୁଥିବି ତାର ସୁଖ ଶାନ୍ତିର କାମନା l
-
ସ୍ୱାଧୀନ ଜୀବନଯାପନ କାହାକୁବା ଭଲ ନଲାଗେ I ସ୍ୱାଧୀନତା ଏମିତିଏକ ଶବ୍ଦ ଯାହାକୁ ଶୁଣିବା ମାତ୍ରେ ମନରେ ଏକ ଉଲ୍ଲାସର ଧାରା ତରଙ୍ଗାୟିତ ହୋଇଯାଏ, ଯିଏ ଏହାର ମହତ୍ଵକୁ ବୁଝିଛି ସେ ଜାଣିଛି l ହେଲେ କେବେ ଭାବିଛନ୍ତିକି ସାମ୍ପ୍ରତିକ ସମାଜରେ ନିଜକୁ ସ୍ୱାଧୀନ ବୋଲାଉଥିବା ମଣିଷ ଜାତି ଦିନେ ସ୍ୱାଧୀନ ଭାବରେ ନିଶ୍ୱାସ ଶୁଦ୍ଧl ନେବାକୁ କେତେ କଠୋରତାର ସାମ୍ନା କରିଥିବ lପରାଧିନତାର ଯନ୍ତ୍ରଣାକୁ ଅଙ୍ଗେନିଭାଇଥିବା ସେଇ ତ୍ୟାଗୀମାନେ ଦିନେ ସ୍ୱାଧୀନତାର ସ୍ୱାଦ ଚାଖିବାକୁ କେତେ ବ୍ୟାକୁଳ ଥିବେ l ହଁ, ମୁଁ ସେଇ ଦେଶପ୍ରେମୀ ବୀରମାନଙ୍କ କଥା କହୁଛି, ଯେ ଦିନେ ବନ୍ଧୁକର ସହଶ୍ର ଗୁଳିରେ ଆହତ ହୋଇ ରକ୍ତରେ ଭିଯାଇଥିଲେ ନିଜ ସହ ଭାରତମାତାର ଛାତିକୁ, ଆଉ ଜୀବନର ଶେଷଶ୍ୱାସ ଯାଏ କରିଚାଲିଥିଲେ ସଂଗ୍ରାମ l ଉତ୍ପୀଡ଼ନର ଅଗ୍ନିକୁଣ୍ଡରେ ଜୀବନକୁ ସ୍ୱଚ୍ଛନ୍ଦରେ ଆହୂତି ଦେଇ ଆଗାମୀ ପିଢ଼ି ପାଇଁ ପ୍ରସ୍ତୁତ କରିଥିଲେ ମୁକ୍ତିର ମାର୍ଗ ଓ ଭଗିରଥି ସାଜି ସ୍ୱାଧୀନତା ରୁପି ଗଙ୍ଗାକୁ ଧରିଆଣିଥିଲେ ଭାରତ ଭୂମିକୁ l ଶେଷରେ ପରାଧୀନତାର କଳୁଷିତ ରାତ୍ରିର ଅନ୍ତ ଘଟି ଏକ ନୂତନ ସୂର୍ଯ୍ୟଦୟର ଆଭାରେ ସ୍ଫୁରିତ ହେଲା ସହସ୍ର ନିଷ୍ପେସିତ ଓ ଶୋଷିତ ଭାରତ ବାସୀଙ୍କ ଆତ୍ମା l ସେଇ ଅମର ଦେଶପ୍ରେମୀ ଓ ବୀରପୁରୁଷଙ୍କ ବଳିଦାନ ତଥା ତ୍ୟାଗକୁ ହୃଦୟରେ ସଦା ଉଦ୍ଜୀବିତ ରଖି ଆଜିର ଦିନରେ ସେମାନଙ୍କୁ ଗଭୀର ସମ୍ମାନ ତଥା ଶ୍ରଦ୍ଧା ଅର୍ପଣ କରୁଛି l
ବହୁ ବର୍ଷର କଠିନ ପରିଶ୍ରମ,ଦୃଢ ଆତ୍ମବିଶ୍ୱାସ ଏବଂ ଅଦମ୍ୟ ସାହସର ଫଳ ସ୍ୱରୂପ ଭାରତ ଇତିହାସର ଏଇ ସ୍ମରଣୀୟ ଦିବସକୁ ସଦା ସର୍ବଦା ଉଲ୍ଲାସ ଓ ଉତ୍କଣ୍ଠାରେ ପାଳନ କରନ୍ତୁ l ସମସ୍ତ ଭାରତୀୟଙ୍କୁ ସ୍ୱତନ୍ତ୍ରତା ଦିବସର ଶୁଭେଚ୍ଛା l
ଜୟ ହିନ୍ଦ..,ଜୟ ଭାରତ..
-
ତୁମ ପାଇଁ ମୋ ଭାବନା ସବୁ ସତରେ କେତେ ମୁକ୍ତ,
ଯିଏ ତୁମକୁ ନେଇ ନିଇତି ଦେଖନ୍ତି
ଦୂର ଆମରାବତୀର ସ୍ବପ୍ନ l
ହେଲେ ସେଇ ଭାବନାକୁ ବ୍ୟକ୍ତ କରିବାରେ
ମୋ ଶବ୍ଦସବୁ ଖୁବ ଅସମର୍ଥ l
କାହିଁକି ଜାଣିଛ ?
ତୁମେ ଦେଇଥିବା ସମ୍ପର୍କର ଏକ
ନୂତନ ନାମର ପରିଧି ଭିତରେ
ସେମାନେ ଆଜି ଅସହାୟ ଆଉ ବନ୍ଦୀ l
ଏବେ ତୁମେ କୁହ ହୃଦୟର ସେଇ ଅବ୍ୟକ୍ତ ଭାବନାକୁ
ମୁଁ ଶବ୍ଦର ରୂପ ଦେଇ ପ୍ରକାଶ କରିବି କେମିତି I
ଯଦି କେବେ ଅନ୍ତରଙ୍ଗତା ସବୁ ସରିଯିବ ,
ମନର ଭରସା ଯଦି ଦିନେ ମରିଯିବ, ତେବେ
ଆଉଥରେ ଦେଇଦେବ ନାମଟିଏ ନିଜ ମନ ମୁତାବକ
ନଚେତ, ସମ୍ପର୍କତ ଚିରକାଳ ବେନାମୀ ହିଁ ନିବିଡ l
-subhashree....✍
-
*ଅଭିମାନୀ ମନ ମୋର *
ପାହାନ୍ତି ବେଳାର ତିମିରତୀରେ ସ୍ବପ୍ନ ଏକ ଭାଙ୍ଗିଲାପରେ,
ଉଦାସୀ ଏ ମନକୁ ମୋ ପଚାରିଲି ଯାଇ,
କାହିଁକି ତୁ ସ୍ଥିର ଆଜି ?
ବିଷାଦରେ ବସିଅଛୁ କାହା ଅଭିସାରେ ?
କାହାକୁତୁ ବାନ୍ଧିରଖିବାକୁ ଯାଇ ନିଜେ ପୁଣି ବନ୍ଦୀହେଲୁ
କେଉଁ ଇଲାକାରେ ?
ଜାଣିନଥିଲୁକି ନିରାଶlର ବାଲୁକାରେ
ଅଶାର ସୌଧ ଗଢିଲେ,
ବସନ୍ତ ହଜିଲା ପରେ ବଉଳର ବାସ୍ନା ଖୋଜିଲେ,
ବୈଶାଖର ଝାଂଜି ଖରାରେ
ଶୀତଳ ବା' ର ସ୍ପର୍ଶ ଲୋଡିଲେ,
ଯନ୍ତ୍ରଣା ବ୍ୟତିରେକ ଆଉ କିଛି ମିଳେନି ବୋଲି l
କଳ୍ପନାର ମାୟାପୁରେ କେତେବା ହଜିବୁ ?
କଳ୍ପନା କି ଦେଇପାରେ ଜ୍ବଳନରୁ ମୁକ୍ତି ?
ଆଖି ଖୋଲି ଦେଖ ଥରେ ଏଇ ବାସ୍ତବ ଦୁନିଆ
ଏଠି ବି ସ୍ବପ୍ନ ଅଛି, ଖୁସି ଅଛି, ଜୀବନ ଅଛି
ଆଉ ବଞ୍ଚିବାପାଇଁ ଅନେକ ପ୍ରେରଣା ଅଛି l
ରାତି କି ସରିଯାଏ ସ୍ବପ୍ନ ଗୋଟେ ଭାଙ୍ଗିଗଲେ.. !
ଆକାଂକ୍ଷା କି ମରିଯାଏ ଆଶା ଏକ ନ ପୁରିଲେ.. !
ନୂଆ ଫୁଲ ଫୁଟେନିକି ଋତୁ ପୁଣି ବଦଳିଲେ.. !
ତୋ ପାଇଁ ବି ଆସିବ ଏକ ସୁନ୍ଦର ସକାଳ
ସାଉଁଳି ମଥା ତୋର, କରିବାକୁ ସବୁ ଦୁଃଖ ଦୂର l
ନୂଆ ଦୁନିଆରେ ନୂତନ ଆଶାରେ,
ତୋ ଜୀବନର ଆଲୋକ ଅଭିସାରେ,
ନୂତନ ସୂର୍ଯ୍ୟ ବି ଉଠିବ ଦିନେ I
ଫଗୁଣ ଫେରିଲେ ମନ ଉପବନେ,
ନୂତନ ଫୁଲ ବି ଫୁଟିବ ଦିନେ l
Subhashree... ✍️
-
ଚାଲ ଥରେ ହଜିଯିବା କାଳ ଟିଏ ପାଇଁ l
ଏକ ଅଜଣା ରାଇଜର ନାୟିକା ସାଜି
ମୁଁ ବଢ଼ାଇଦେବି ହାତ ମୋର l
ଜୀବନର କିଛି ବାଟ ଚାଲିଯିବା ସାଥୀ ହୋଇ l
ପବନର ମତୁଆଲା ଛୁଆଁରେ ହଜିଯିବା
କଳ୍ପନାର କେଉଁ ଏକ ସ୍ବପ୍ନ ଦୁନିଆରେ l
ଆକାଶର ନୀଳ ଅଙ୍ଗେ ,
ଉତ୍ତରୀମୋ ଉଡୁଥିବ ଭଷାମେଘ ହୋଇ l
ତୁମେ ଯେବେ ଦୂରେ ଥିବ
ଅସରାଏ ବର୍ଷୀଯିବି ତୁମ ଦେହେ ଯାଇ l
ଆକାଶକୁ ନିଜର କରି କିଣିନେବା ପୃଥିବୀର ମନ l
ତୁମେ ହୋଇଯିବ କିଛି ଭାଗ ଆକାଶ
ମୁଁ ହେବି ଧରଣୀ ରାଣୀ,
ଦୁହେଁ ମିଶି ହୋଇଯିବା ଏକାକାର l
ତୁମ ଛାତିରେ ଜହ୍ନ ଉଁଇଲେ,
ଚମକିବ ମୋ ତନୁ l
ମୌସୁମୀର ପ୍ରଥମ ଛିଟା ମୋତେ ଛୁଇଁଲେ,
ଶିହରି ଯିବ ତୁମ ମନ l
ତୁମ ଦେହରେ ବିଜୁଳି ଖେଳିଲେ,
କମ୍ପି ଯିବ ମୋ କାୟା I
ଭରା ଫଗୁଣ ମୋ ଦେହେ ରଙ୍ଗ ବୁଣିଲେ,
ସାଉଁଟିରଖିବ ତୁମେ ସାତରଙ୍ଗୀ ଇଂଦ୍ରଧନୁ ସାଜି
ଆଉ ନିଜକୁ ରଙ୍ଗେଇଦେବ କେବେ
ଅଫେରା ଏଇ ଅତୀତକୁ ଭାବି l
ଚାଲ ଥରେ ମଜିଯିବା ଗ୍ରହ ତାରକା ମେଳେ l
ହୃଦୟରୁ ଝରୁଥିବା ପ୍ରଣୟ ରାଗିଣୀରେ
ବାନ୍ଧିହୋଇଯିବା ରାତିଟିଏ ପାଇଁ l
ବେଦରଦୀ ସମୟର ରାଣ ଦେଇ ରୋକି ପାରିବାନି ବାଟ l
ଶ୍ରୋତରେ ତା ବୋହିଯିବା ଆଗରୁ,
ଏଇଠି ଛାଡିଦେଇଯିବା ପ୍ରୀତିର ଅନ୍ତିମ ସନ୍ତକ l-
* ବାବା *
କେତେ ନିକଟରେ ରହିଯାନ୍ତି ସେଇ ଲୋକ ମାନେ ଯିଏ ସବୁଦିନପାଇଁ ଅମଡ଼ା ପଥର ପଥିକ ହୋଇ ମଧ୍ୟ ହୃଦୟରେ ରହିଯାନ୍ତି ଚିର ଅମର ହୋଇ l
ଅଭୁଲା ସେଇ କଠିନ ଦିନର ମୁହୂର୍ତ୍ତ ସବୁ ଯାହା ତୁମକୁ ସବୁଦିନ ପାଇଁ ଛଡେଇନେଲା ଆମ ଗହଣରୁ l
ନୀଳ ନଭର କୋଳରେ ହସିଉଠିଥିବା କଳାକର ଟିକୁ ସତେ ଯେମିତି କେଉଁ ଅକାଳ ବାଦଲ ଘୋଡାଇ ଦେଲା ସବୁଦିନ ପାଇଁ ଆଉ ହଜାଇଦେଲା ଅନ୍ଧକାରର ଶୂନ୍ୟତାରେ l
ଇଛାହୁଏ ପୁଣି ଫେରିଯାନ୍ତିକି ସେଇ ସୁଦୂର ଅପାସୋରା ପିଲାଦିନକୁ ଆଉ ହୃଦୟରେ ସାଉଁଟି ଧରନ୍ତି କେତେ ପୁରୁଣା ଖୁସିକୁ ଯାହା ବିତିଯାଇଛି ତୁମ ସହ l ଆଉଥରେ ଉପଭୋଗ କରନ୍ତି ତୁମ କୋଳର କଅଁଳ ଉସ୍ମତାକୁ l ହେଲେ ସେଇ କଳ୍ପନା ଦୁନିଆକୁ ଛାଡି ଆଜି ଆମେ ବଞ୍ଚିଛୁ ଏକ ନିରୋଳା ବାସ୍ତବତାରେ ଯେଉଁଠି ତୁମ ଅମୃତମୟ ବାଣୀ ସାଜିଛି ଆମ ଜୀବନର ମାର୍ଗଦର୍ଶିକା l ତୁମଠାରୁ ପାଇଥିବା ସଂସ୍କାର, ଆଦର୍ଶ, ନୀତି, ଉପଦେଶର ବାର୍ତ୍ତା ସବୁଦିନ ପାଇଁ ଆମକୁ ମଣିଷ ପରି ବଞ୍ଚିବାର ପ୍ରେରଣା ହେଉଥିବ l ସ୍ମୃତିର ସିଲଟରେ ଲେଖା ହୋଇଥିବା ଏଇ ସମ୍ପର୍କ ର ନାଁ ଏମିତି ନା ଲିଭିହେବ ନା ଲିଭାଇହେବ l
କୁହନ୍ତିନି :-|
"ଯେତେଦୂରେ ପତ୍ର ପଡ଼ିଥିଲେରେ ନବୀନା
ଚିହ୍ନl କି ହୁଅଇ ସେହୁ ବୃକ୍ଷ ନାମ ବିନା I "
ଆମ ପରିବାରର ସେଇ ବିଶାଳ ବୃକ୍ଷ ଆଜି ନାହିଁ ସତ ହେଲେ ତାର ପ୍ରତିଟି ପତ୍ର ଯେତେଦୂରେ ଗଲେ ମଧ୍ୟ ଚିର ପରିଚିତ ହେଉଥିବେ କେବଳ ତୁମରି ନାଁରେ l
🙏ତୁମ ଝିଅ ଆଜି ତୁମର ଶ୍ରାଦ୍ଧ ବାର୍ଷିକୀରେ ଭଗବାନଙ୍କ ନିକଟରେ ତୁମର ଅମର ଆତ୍ମାର ସଦ୍ଗତି ପାଇଁ କାମନା କରୁଛି..🙏
-