ତୁମେ ଗଲା ପରେ
ଅଟକି ଯାଇଛି ସମୟ
ରହି ଯାଇଛି ମୂହୁର୍ତ୍ତ ସବୁ
ସତେ ଯେମିତି
କିଏ ରାଣ ଦେଇଛି
ଅପେକ୍ଷା କରିବା ପାଇଁ-
ସମୟର ସୂକ୍ଷ୍ମ କାରୁକାର୍ଯ୍ୟରେ
ସକାଳର ନୀରବ ନାଆରେ
ସଞ୍ଜ ଆସିବାର ଭୟକୁ ଝୁରି
କିଛି ଶବ୍ଦର ସାମାନ୍ୟ ଆକୃତିରେ
ସ୍ୱପ୍ନ ଭିନ୍ନ ନିଶ୍ଚିତତା
କାହାଣୀର ଇତିରେ ମାପିବା
କ'ଣ ବିଚାର ଯୋଗ୍ୟ!-
ସମୟ, ଏକ ସଞ୍ଜିବନୀ
କେଉଁ ଆକାରର
ଯନ୍ତ୍ରଣା ନା ମନ୍ତ୍ରଣା
ନା କେବଳ କଳ୍ପନାରେ ସୀମିତ
ଯେମିତି ହୃଦୟର ଅଗଣା
କିଛି ଶୁଳ୍କ ଦରକାର ବୋଧେ
ବାସ୍ତବର ପରିଚୟକୁ ସ୍ୱୀକାର କରିବାକୁ
ଯେମିତି ନିରୁତ୍ତର ରହିବାକୁ ପଦେ
ବର୍ତ୍ତମାନର ଅନୁଭୂତି ବାଢ଼ିବାକୁ
ଅପରାହ୍ନ ତ ଏକ ଶବ୍ଦ ମାତ୍ର
ରାତି ତ ଅନେକ ଅଛି!
ଯେମିତି କାଗଜ ତ ସୀମିତ
ଆଉ ଲେଖିବାରେ କ'ଣ ଅଛି
ଏମିତି ହିଁ ଶବ୍ଦର ସନ୍ଧାନରେ
କେବେ କେବେ ଭୁଲିଯାଏ ପୂର୍ଣ୍ଣଚ୍ଛେଦକୁ
ବୁଝିବାରେ ତ ଭାବନା ବି ହଜିଯାଏ
ଯେମିତି ଅପେକ୍ଷା ଗୋଟିଏ ମୁହୂର୍ତ୍ତକୁ ...-
ସମୟର ସ୍ମିତହାସ୍ୟରେ
ଲିଭିଯାଉଥିବା ଦୀପର ସଳିତାକୁ ତେଜିଦେଇ
ସାମାନ୍ୟ ପ୍ରକାଶକୁ ସ୍ପର୍ଶ କରୁଥିଲେ ସତ
ହେଲେ ମନରେ ମନରେ ହିଁ
ଆଚରଣର ଅନ୍ଧାରୁଆ ଭାବନାକୁ ଏଡ଼ାଇ ପାରୁନଥିଲେ
ସମୟର ସ୍ମିତହାସ୍ୟରେ
ଚୁଲି ମୁହାଣରେ କାଠଗଣ୍ଡିକୁ ସଜାଡ଼ୁ ସଜାଡ଼ୁ
ସାମାନ୍ୟ ସହଜତାକୁ ଅନୁଭବ କରୁଥିଲେ ସତ
ହେଲେ ମନରେ ମନରେ ହିଁ
ଆଚରଣର ଧୂଆଁଳିଆ ପ୍ରବୃତ୍ତିକୁ ଏଡ଼ାଇ ପାରୁନଥିଲେ
ସମୟର ସ୍ମିତହାସ୍ୟରେ
ଝଡ଼ ବତାସର ଉଜୁଡ଼ା କାହାଣୀରେ
ଚାଳ ତଳେ ବିନ୍ଦୁ ବିନ୍ଦୁ ବର୍ଷାର ନିଃଶ୍ୱାସରେ
ମାଟିର କୋମଳ ବାସ୍ନାକୁ ଆଲିଙ୍ଗନ କରୁଥିଲେ ସତ
ହେଲେ ମନରେ ମନରେ ହିଁ
ଆଚରଣର ପ୍ରଚଣ୍ଡ ପ୍ରତିକ୍ରିୟାକୁ ଏଡ଼ାଇ ପାରୁନଥିଲେ
ସମୟର ସ୍ମିତହାସ୍ୟରେ
ପଦ୍ମଗନ୍ଧର ଅନନ୍ୟତାକୁ ପଢ଼ିଦେଇ
ସକାଳର ସାନ୍ତ୍ୱନାକୁ ସଙ୍ଗ କରିଥିଲେ ସତ
ହେଲେ ମନରେ ମନରେ ହିଁ
ଆଚରଣର ପ୍ରତିଫଳନକୁ ଏଡ଼ାଇ ପାରୁନଥିଲେ ;-
ସମୟର ସୁଅ ନା କାହାକୁ ସୁଖ ଦିଏ,
ନା କାହାକୁ ଦୁଃଖ ଦିଏ।
ଭାଗ୍ୟ ଉହାଡ଼ରେ
ଖାଲି ଜୁଆ ଖେଳି ଯାଏ।
-
#ସମୟ
ସେ ଯେ କୁହନ୍ତି ସମୟ ହି ବଳବାନ,
ଆଉ ସମୟ ହି ଦେବ ସବୁ ଉତ୍ତର,
ମୁଁ ବାସ ଜାଣିବାକୁ ଏତିକି ଇଛୁକ,
କିଏ ସେ ମହାଶୟ ?
ଘରେ ଘରେ ସେ କୁଆଡେ ବୁଲନ୍ତି,
କାଲି ସେଠି ଆଜି କଉଠି,
ସେଟା ବାସ ସେ ଜି ଜାଣନ୍ତି,
କୁଡ଼ିଆ ଘରଠୁ ମହଲ ପର୍ଯ୍ୟନ୍ତ,
ସେ ବାଛି ବାଛି ପହଞ୍ଚନ୍ତି।
ତାଙ୍କ ଦର୍ଶନ ପାଇଁ ଦୁନିଆ ବ୍ୟାକୁଳ,
ହେଲେ ସେ ତାଙ୍କ ହିସାବରେ ଚାଲନ୍ତି।
ଆଜ୍ଞା ସମୟ ଅପେକ୍ଷାରେ,
ଅନେକ ଲୋକ ଏମିତି ହି ବସି ରୁହନ୍ତି,
ନା କାର୍ଯ୍ୟ କରନ୍ତି,
ନା ହି କର୍ତ୍ତବ୍ୟ ର ମହତ୍ତ୍ୱ ବୁଝନ୍ତି,
ବାସ ସମୟ ଆସିକି ସବୁ ହାତରେ ଧରେଇ ଦେବ,
ସେ ଅପେକ୍ଷାରେ ଜୀବନ ବିତେଇ ଦିଅନ୍ତି।
ନିଜ ଜୀବନର ମହତ୍ତ୍ୱ ବି ନା ସେ ବୁଝି ପାରନ୍ତି,
ନା ହି ଜୀବନ କୁ ସାର୍ଥକ କରି ପାରନ୍ତି।-
ଖୋଜୁଛି ନିଜକୁ ନିଜ ଭିତରେ,
ସତ୍ୟତା ଏଠି ମିଥ୍ୟାକୁ ଡରେ,
ସବୁ ସ୍ମୃତି ମୋତେ କରେ ଚୁରମାର,
ନିଦ ଖେଳେ ଲୁଚକାଳି ଅନ୍ଧାର ଘରେ !-
କେବେ କେବେ ପରିଚିତ ଏକ ବାସ୍ନା
ହେଇପାରେ ସଞ୍ଜର ଧୂପ,କାହା ଛିଞ୍ଚା ଅତରର ଗନ୍ଧ
କି ବିସ୍ଫୋରଣ ମୁହାଁ ମେଞ୍ଚେ ପୋଡ଼ା ବାରୁଦ
କିମ୍ବା ଢ଼ାଙ୍କୁଣୀକୁ ମାତ୍ ଦେଇ ହାଣ୍ଡି ଭିତରର ସୁଗନ୍ଧ
ଆଣିଦେଇପାରେ ବିତା ଦିନଗୁଡ଼ିକୁ ଆଖି ଆଗକୁ
ନିହତ ନୁହେଁ, ଆହତ ଅତୀତ ଦିଏ ଆଘାତ
ଭାଙ୍ଗିଦେଇପାରେ ବର୍ତ୍ତମାନର ସୁଖ ନିଦ
କେବେ କେବେ ସମୟ ଠୁ ଅନୁମତି ନ ନେଇ
ଅଜାଣତରେ ପଶିଆସିଥିବା ଶବ୍ଦ କାନର ଭିତରେ
ଧରା ପଡ଼ିଯାଇ ଯଦି ଲାଗେ ଚିହ୍ନା ଜଣା
ହେଇପାରେ ଫୋନର ରିଂ ଟୋନ,ପଦେ ଅଧେ ଗୀତ
କିମ୍ବା ପୁରୁଣା ଗଳିମୁଣ୍ଡ ଗ୍ୟାରେଜରୁ ଠକ ଠକ ଶବ୍ଦ
ଲାଗେ ସ୍ୱପ୍ନ ପଥରେ ସ୍ମୃତି ଆଜି ବାଟବଣା
ଭାବି ନେଇଥିଲି ଯାହାର ଅନ୍ତ ସେପୁଣି ଆଗତ
କେବେ କେବେ ଭୂତପୂର୍ବ କିଛି ଦୃଶ୍ୟ
ବାଧ୍ୟ କରିଦିଏ ମାପିବାକୁ ତାର ସାଦୃଶ୍ୟ
ଟିଂ ଟିଂ ଘଣ୍ଟି, ଅଣଓସାରିଆ ରାସ୍ତା
ଖେଳୁଥିବା ପିଲାଙ୍କ ଭିତରେ ସତର୍କରେ
ସାଇକେଲ ନେଇ ଆସୁଥିବା ଦୁଧ ଵାଲା
ରାତି ଅନିଦ୍ରା ଜହ୍ନ ତାରା ଅନ୍ଧାର ଶୋଇଯିବା ପରେ
ସନ୍ତର୍ପଣରେ କେତେବେଳେ କିଏ
ତିନି ମହଲା ଉପରେ ଆସି ଖବରକାଗଜ ଦେଲା
ନା ନା କିଛି ନୁହେଁ ମୃତ ସବୁ ଜୀବନ୍ତ....ହଁ ହଁ ସବୁ ଜୀବନ୍ତ
-
"ସମୟ" ତ କେବେ ବି ନଥିଲା ଅସହାୟ !
ତଥାପି "ସମୟ"ର ସମ୍ମାନରେ
ଆଉ ଏକ ସନନ୍ଦ ପତ୍ର ଯୋଡ଼ିଦେବା ପାଇଁ
ତୁମେ ଅହର୍ନିଶ ଟିକ୍ ଟିକ୍ ଶବ୍ଦ କରୁଥିବା "କାନ୍ଥଘଣ୍ଟା"ଟିଏ !
ଆଉ ମୁଁ
ତୁମ ଅସ୍ତିତ୍ଵ ରକ୍ଷା କରିବା ନିମିତ୍ତ
ବିଶାଳ କାନ୍ଥ ସହ ସଂପର୍କ ଛିନ୍ନ କରି
ତା ବିପକ୍ଷରେ
ଘୋର ଗର୍ଜନ କରି ଯୁଦ୍ଧ କରୁଥିବା "ହାତୁଡ଼ି"ଟିଏ !-
ପରିହାସ କରୁଛି ସମୟ ମୋ ସହ
ଇଙ୍ଗିତ କରୁଛି ମୋ ଭାଗ୍ୟ ମୋତେ
ଜାଣେନା ଏ କେମିତିକା ଦୋଛକିରେ ଆଜି
ଛନ୍ଦି ହୋଇ ପଡ଼ିଛି ମୁଁ ନା ଏ
ଭାଗ୍ୟ ମୋ ଆୟତ୍ତରେ ନା ତ ଏ
ସମୟ ମୋ ହାତରେ..!!-