॥ ସମୁଦ୍ର ॥
ଚିରଦିନ ଅବୁଝା ସେ,କିଏ କେମିତି ଦେଖେ
ସେସବୁ ନିଜର କଳ୍ପନା
ତୃଷାର୍ତ୍ତ ନୀଳର ବିହ୍ଵଳ ଆଲିଙ୍ଗନରେ
ସେ ଏକ ବିମୁଗ୍ଧ ଅଗଣା ।
ଖୁବ୍ ଆସ୍ତେ ଆମେ ଛୁଉଁ ତା'ର ଫୁଲି ଉଠିଥିବା
ନରମ ପେଟକୁ
ସେଠି ସଞ୍ଚିତ ଅଛି ଆମର ଇଚ୍ଛା, ଆଶା,ସ୍ୱପ୍ନ
କିଛି ସିଦ୍ଧ, କିଛି ନିଷିଦ୍ଧ
ଢେଉର ପିଠିରେ ବସି ଆମେ ଚାଲିଯାଉ
ଦୂରକୁ ଦୂରକୁ
ପଛରେ ଛାଡି ଯାଉ ଓଦା ଓଦା ବାଲି
ଆଉ ବାଲିକଙ୍କଡାମାନଙ୍କୁ ।
ଅଥୟ କରୁଥାଏ ଆମକୁ ଲବଣାକ୍ତ ଶୋଷ
ଯାହା ତଥାପି ଅତୃପ୍ତ ରହେ, ଆଉ ଦେଉଥାଏ
ନୂଆ ଆଗ୍ରହ, ନୂଆ ଅବସୋସ ।
ଏକ ଭିଜା ମାନଚିତ୍ର ପରି ତା ଛାତି ଦୋହଲୁ ଥାଏ
କେଉଁଠି ଜୀବାସ୍ମ ଭାସେ,ଆଉ କେଉଁଠି
କାଚ ଫ୍ରେମରେ ବନ୍ଧା ଫଟୋ ଭାସୁଥାଏ ।
-