ସେଇ ଅସ୍ତମିତ ସୂର୍ଯ୍ୟ,
ଗୋଧୂଳିର ରଂଗ
ଆଉ ସାଗର ବେଳା,
ବୋଳିଦେଲା ତୁମ-ମୋ ଦେହେ
ପ୍ରେମର ପ୍ରଲେପ ।
ସାକ୍ଷୀ ରଖି
ସେଇ ସାଗରର ଅମାନିଆ ଲହରୀକୁ,
ସେଇ ବେଳାଭୂମିର ଓଦା ବାଲି କୁ,
ତୁମେ ମୁଁ ମିଶି ତୋଳିଥିଲେ,
ଆମ ସମ୍ପର୍କର ମଧୁର ଆଳାପ ।-
ଏମିତି ହିଁ ଥିଲା ସେ,
ଅବିର ବୋଳା ହୋଲିର ଏକ ମିଠା ଝଲକ ।
ମୁଠାଏ ଆଲୋକର ଏକ ସୁନ୍ଦର ପ୍ରତୀକ ।
ଆଉ ବିଶ୍ଵାସ ର ଏକ ନୀରବ ଆଳାପ ।-
ବୃକ୍ଷଶାଖାରେ ଗୁମୁରେ ପକ୍ଷୀ ‐ଏଇ ତା' ଭାଗ୍ଯେ ଲେଖା
ସବୁଜ ପତ୍ର ଶୀତଳ ଛାଇର ପୃଥିବୀରେ ସିଏ ଏକା
ସାଥୀହେବାପାଇଁ କେତେ ଯେ ପକ୍ଷୀ ଉଡିଆସି ପାଖେ ବସି
ନିଜ ବଡପଣ ବଖାଣି ଶେଷକୁ ଗୋଟିଗୋଟି ଗଲେ ଖସି
ମନକଥା ମନେ ମଉଳି ମଉଳି ଆଖିରୁ ଝରିଲା ଲୁହ
ମୂକଜୀବନର ଦୁଃଖେ ତାହାର ଝାଉଁଳି ପଡିଲା ମୁହଁ ।
ପୂନେଇଁରାତିର ଚନ୍ଦ୍ରଉଦିଆ ଜୋଛନାଡେଣାରେ ଭାସି
ପକ୍ଷୀଟି ଦିନେ ଆସିଲା ତା'ପାଖେ ସପନରାଇଜୁ ଖସି
କହିଲା,"କାହିଁକି ଦୁଃଖ ଗୋ ପ୍ରିୟ!ମନର ଗୋପନ କଥା
ଖୋଲି କହ ମୋତେ ସଞ୍ଚିତ ଯାହା,କୋଳେ ରଖି ମୋର ମଥା
ଦୁଇଓଠଛୁଆଁ ପ୍ରୀତି ଆଳାପରେ ଉଛୁଳୁ ପୂନେଇଁ ରାତି
ସାରା ଜୀବନର ଚଲାପଥେ ଆମ ଭରିଦେଉ ନୂଆ ତାତି"॥
-
ସମୟ ଯେ କହି ଲାଣି
ହେଇ ତ ଗଲାଣି ବେଳ |
ଆରମ୍ଭ ହଉ ଆଜି ଗୋଟେ
ଛୋଟ ଆଳାପ ର ଖେଳ |
କିଛି କଥା କିଛି ଅକଥା
କିଛି ସ୍ବପ୍ନ ଆଉ ତା ବ୍ୟଥା |
କିଛି ମୁହୂର୍ତ ର କାହାଣୀ
ଶୁଣା ଭି ଯାଉ କିଛି ମହତ ବାଣୀ |
ହସୁ ହସୁ ଗଡି ଯାଉ ଏ ବେଳ.
ମନଟା ହେଇ ଯାଉ ଟିକେ କୋହଳ |
-