Suraj Kumar Mishra   (© Suraj Kumar Mishra)
1.1k Followers · 182 Following

Joined 21 April 2017


Joined 21 April 2017
10 APR 2022 AT 22:31

ଜାଣିଛ ! ନିଦୁଆ ଆଖିରେ ଏ ସହର ମୋତେ ଭାରି ସୁନ୍ଦର ଲାଗେ; ସମସ୍ତେ ନିଜର ଲାଗନ୍ତି । ରାସ୍ତା ପାରି ହେଉଥିବା ସ୍ମୃତି ସବୁ କେଉଁ ଅଜଣା ଟ୍ରକ୍ ତଳେ ଚାପି ପ୍ରାଣ ତ୍ୟାଗ କରନ୍ତି ଆଉ ମନର ମୋହଭଙ୍ଗ ହୁଏ; ଶାନ୍ତି ଲାଗେ, ଖୁସି ଲାଗେ । ପୁରୁଣା ଓଡ଼ିଆ ଗୀତର ତାଳେ ତାଳେ ଓଠ ନାଚେ ଆଉ ଆଖି ହସେ । ଦୂରରୁ ଦିଶେ ସ୍ମୃତି ସବୁର ଶବକୁ କିଏ ଜଣେ ଅତି ନିଜର ଭାବି ଗୋଟାଉଛି । ଏ ସହରର କେଉଁ ଗୋଟେ ମଶାଣୀରେ ପୋତି ଦେବ ବୋଧେ । ମୋତେ ନା ସେଇ ସ୍ମୃତି ସବୁକୁ ଶେଷ ଥର ଜଳୁଥିବା ଦେଖିବାର ଅଛି, କୁହ ନା କେଉଁଠି ଅଛି ସେଇ ମଶାଣୀ । ବହୁତ ଜାଳିଛି ସେଇ ସ୍ମୃତି ସବୁ ମୋତେ, ଥରୁଟିଏ ମୁଁ ତାକୁ ଜଳୁଥିବା ଦେଖିବାକୁ ଚାହେଁ । ନେଇଯାଅ ନା ମୋତେ ସେ ମଶାଣୀକୁ । ଜାଣିଛ ଠିକଣା ଯଦି କହିଦିଅ ନା....

-


26 MAR 2022 AT 2:05

ଏ ତର୍କ-ବିତର୍କର ଦୁନିଆରେ ମଣିଷ ଖୋଜୁଥାଏ ନିରବ କିଛି ଶବ୍ଦ; ଯାହାର ପ୍ରହାରରେ ମଣିଷ ହରାଇଥାଏ ନିଜର ବାକ୍ ଶକ୍ତି ଆଉ ବ୍ୟାକଗ୍ରାଉଣ୍ଡରେ ବାଜୁଥାଏ ଗୋଟିଏ କେ.ଜିର ଦୁଃଖରେ ଦୁଇଶହ ଗ୍ରାମ୍ ଆଶ୍ୱାସନା ମିଶା ସିମ୍ଫୋନିର ଶବ୍ଦ । ଏଇ ସମୟ ଭିତରେ ଚାରି ମହଲା କୋଠାରେ ଥିବା ଛୋଟ ଝରକା ଡେଇଁ ସାରିଥାଏ ତା ଭାବନା । 'ମାଂସର ବିଳାପ' ଗଳ୍ପର ଡ଼ୋରାକୁ କେତେବେଳେ ଜଙ୍ଗଲରେ ଖୋଜୁଥାଏ ତ 'ବୁଢ଼ୀ' ଗଳ୍ପରେ, ବୁଢ଼ୀ ବାବୁଙ୍କ ହାତକୁ ବଢ଼ାଇଦେଉଥିବା ସିଗାରେଟ୍ ପ୍ୟାକେଟରେ କ'ଣ ଲେଖା ହୋଇଥିଲା ତାହା ଦେଖିବାକୁ ଚେଷ୍ଟା କରୁଥାଏ । କିଛି ସେକେଣ୍ଡ ଭିତରେ ଦଶଟି ଗଳ୍ପର ପଚାଶ ଚରିତ୍ରକୁ ଆଖି ଆଗରୁ ଯିବାର ଦେଖିଦିଏ; ନିଜକୁ ପ୍ରଶ୍ନ କରେ, କାହିଁକି? କେମିତି? ଏଇ ପ୍ରଶ୍ନ ଭିତରେ ପୁଣି କବିତା ଗଢ଼େ, କବିତାରେ ବଞ୍ଚେ, ସେ 'ଗ୍ରାମପଥ' ହେଉ ବା 'କିସସା ଗୌତମୀ'; ବୁଝେ କମ୍ ବଞ୍ଚେ ଅଧିକ । ରାତିର ଆକାଶରେ ଥିବା ତାରା ସବୁକୁ ଭିନ୍ନ ଭିନ୍ନ ରୂପରେ ଯୋଡ଼ି ଆକାର ଦିଏ, ଆଖି ବନ୍ଦ କରି ତାରା ସବୁକୁ ଆଖି ଭିତରେ ରଖେ, କଳ୍ପନାରେ ନିମିଷକ ପାଇଁ ହେଉ ବି । ହାଠାତ୍ ଝରକା ବାହାରେ ପବନର ଗତି ଧୀର ହେବାକୁ ଲାଗେ ଆଉ ତା ସହିତ ହୃଦୟରେ ଚାଲିଥିବା ଭାବନାର ପ୍ରବାହ ବି । ଏଭଳି କ୍ଷଣସ୍ଥାୟୀ ଭାବନାର ନାଟକରେ ପଡ଼େ ଯବନିକା ଆଉ ଆରମ୍ଭ ହୁଏ ପୁଣି ତର୍କ-ବିତର୍କ; ସରକାର ଏଭଳି କରିବାର ନଥିଲା, ଆସନରେ ବସିଲା ପରେ ଆଉ ନେତାମାନେ ମଣିଷ ମାନୁ ନାହାଁନ୍ତି....

-


8 FEB 2022 AT 21:20

ମୁଁ ଜାଣେ,
କେବେ ଭରିବନି ଏ ଶୂନ୍ୟତା ।
ବସନ୍ତର ଯୌବନରେ ବି
ଅନୁଭୂତ ଝାଞ୍ଜି ପବନର ଉଷ୍ମତା ।
ଦିନେ ରାତିରେ,
ଆତ୍ମାକୁ ଶରୀରରୁ ଟାଣି ନେଉଥିଲା
ଏ ଶୂନ୍ୟତା;
ଠିକ୍ ହ୍ୟାରି ପୋର୍ଟର ଫିଲ୍ମର ପିଶାଚ ଭଳି,
ଆଖି ଆଗରେ ଜଳୁଥିଲା,
ସ୍ମୃତି, ହସ ଆଉ ସ୍ୱପ୍ନ ।
ଖୁସିର ଦେହ ଉପରେ
ଜୁଆର ଭାଙ୍ଗୁଥିଲା ଲୁହ
ଆଉ ଅନୁଭବ କରିହେଉଥିଲା
ଏ ଶୂନ୍ୟତା । (୧/୨)
— % &ଏବେ ସବୁ ଠିକ୍ ଅଛି
ସ୍ୱପ୍ନ ସବୁ ସାଜିଛନ୍ତି ସନ୍ୟାସୀ,
କୋଇଲି ସାଥୀରେ ହଜିଯାଇଛି ବାଟହୁଡ଼ା ବସନ୍ତ,
ଜୀବନର ମରୁଭୂମିରେ ମୁଁ ମୁଖସ୍ତ କରୁଛି 'ମୋତେ'
ନାହିଁ ଆଉ ଅବସୋସ
ଦେଖିବାକୁ ଇଚ୍ଛା ନାହିଁ ଆଉ ସ୍ବପ୍ନର ଭଗ୍ନାବଶେଷ ।
ହାୟ ରେ ଜୀବନ !
ଚାଲ ଦୌଡୁଥିବା ମେଣ୍ଟାଇବାକୁ ଶୂନ୍ୟତାର ଶୋଷ । (୨/୨)— % &

-


3 FEB 2022 AT 22:50

ଦେହରୁ ଝଡ଼ି ଯାଇଛି ସବୁ ପତ୍ର
ବାଟୋଇ ପାରୁନି ଚିହ୍ନି,
ପବନ କଥା ହେବାକୁ ଆଉ ଆସୁନି,
କିନ୍ତୁ ଏବେ ବି ଗଛ ବଞ୍ଚିଛି ।
କାହିଁକି ନା ବସନ୍ତ କଥା ଦେଇଛି,
ଆସିବ ଫେରି ନୂଆ ଉନ୍ମାଦ ନେଇ ।
ଦେହରେ ଭରିଦେବ ସବୁଜିମା,
ପୁଣି ଲେଉଟି ଆସିବ ପବନ,
କଥା ହେବାକୁ,
ଅନେକ କାହାଣୀ ବାଣ୍ଟିବାକୁ । (୧/୨)
— % &ପୁଣି ସନ୍ଧ୍ୟା ଆସିବ ଆଉ
କିଏ ଜଣେ ନୀଳ ରକ୍ତରେ,
ଭିଜା ମନରେ ତାକୁ ଦେଖି
ଅନେକ କଥା ଲେଖିବ ।
ଏଇ ଅପେକ୍ଷା ବହୁତ ସୁନ୍ଦର,
ଯନ୍ତ୍ରଣାରେ ଥିବା ଗଛ ଜାଣିଛି,
ଆସିବ ବସନ୍ତ, ହଁ! ସେ ଆସିବ ।
ଏଇ ଅପେକ୍ଷା ତୁମେ ବି କରିଛ
ମୁଁ ବି କରିଛି,
ଏଇ ଅପେକ୍ଷା ତ ଆଶା ଦିଏ
ବିଶ୍ବାସ ଗଢ଼େ, ସ୍ୱପ୍ନ ସାଉଁଟେ ।
ସେ ଆସିବ, ହଁ! ସେ ଆସିବ ବୋଲି... (୨/୨)
— % &

-


3 FEB 2022 AT 20:51

୧୯୯୩:

ବିନା ଠିକଣାର ଚିଠି ଧରି ଡାକବାଲା ସହର ମଝିରେ ଛିଡ଼ା ହୋଇଛି, କିଏ ପଠେଇଛି ଜଣା ନାହିଁ ଆଉ ଯାହା ପାଖକୁ ଯାଉଛି ତା ନାଁ ଲେଖାଥିବା ଜାଗା ଫାଡ଼ି ହୋଇଯାଇଛି । ହେଲେ ଡାକବାଲା ଘରକୁ ଯାଉନି, ଚିଠି ଧରି ଭାବୁଛି କେତେ କଥା । ସେ ଚିଠି ତ ତା'ର ନୁହେଁ ତାହେଲେ ଏତେ ଭାବୁଛି କାହିଁକି ସେ ? ସେ ଚିଠିରୁ କାଇଁ କେଜାଣି ତା' ଗାଁର ବସ୍ନା ଆସୁଛି ଆଉ ସେ ଚାହୁଁନି ଯେ ତା' ଭଳି ଆଉ କିଏ ନିଜ ସ୍ତ୍ରୀକୁ ଶେଷ ସମୟରେ ଦେଖି ନପାରୁ ।

ଠିକଣା ଅଜଣା, କିନ୍ତୁ ଚିଠି ନିଜର ଲାଗୁଛି । — % &

-


2 FEB 2022 AT 22:38

ରାତି ଆସୁଥାଏ, ସନ୍ଧ୍ୟା ଯାଉଥାଏ ଆଉ ମଣିଷ କେଉଁ ଗୋଟେ ଅଜଣା ଗ୍ରହର କାହାଣୀରେ ହଜିଯାଉଥାଏ । ହଜିବାକୁ ଦିଅ ତାକୁ ସେ କାହାଣୀର ଗଭୀରତାରେ, ଶବ୍ଦ ସବୁର ଫାଶରେ ତାକୁ ଛନ୍ଦିହେବାକୁ ଦିଅ । ଚିନ୍ତା କରନି ଫେରିଆସିବ ସେ, କଳ୍ପନା ଭଳି ଆଉ କିଛି ସତ ନେଇ ଯେଉଁଠି ବଞ୍ଚିବାକୁ ତା ଲୋକମାନଙ୍କୁ ଭଲ ଲାଗିବ । — % &

-


2 FEB 2022 AT 17:20

କହିବାକୁ ଚାହେଁ,
ଗୋଟିଏ ଅକୁହା ଗଳ୍ପ,
ନାୟକ ଯେଉଁଠି ଅଭିଶପ୍ତ
ଆଉ ଗଳ୍ପଭୂମି ରକ୍ତାକ୍ତ
ମରିବାକୁ ପଡ଼େ ନାୟକକୁ,
ସକାଳୁ ପୁଣି ହୁଏ ଜୀବନ୍ତ ।
ନାୟକ ଆଗରେ ଭାବନା
ଗୋଟିଏ ଗୋଟିଏ ଚରିତ୍ର ।
ରାତି ତମାମ୍ ଯୁଦ୍ଧ କରନ୍ତି
ଯେଉଁଠି ପରିଧି ସୀମିତ ।
ଦିନେ ଶାନ୍ତିର ବିଷପାନ କରେ ନାୟକ,
ବାହୁରେ ଭରିଯାଏ ବଳ ଅସୀମିତ
ଆଉ ହୃଦୟକୁ ମିଳେ ସାହସ,
କିନ୍ତୁ ରକ୍ତର ସ୍ରୋତ ରୋକିବାକୁ
ତ୍ୟାଗେ ସେ ଅସ୍ତ୍ର, ତ୍ୟାଗେ ଯୁଦ୍ଧ । (୧/୨)
— % &ଉଡ଼ିଯାଏ ଯୁଦ୍ଧ ପରିଧି ବାହାରକୁ,
ଦେହରେ ଯେଉଁଠି ଶାନ୍ତି ପ୍ରବାହିତ ।
ଚରିତ୍ରମାନଙ୍କୁକୁ ଯେବେ ମିଳେନି ଶାନ୍ତିର ବିଷ,
ନାୟକକୁ ଅଭିଶାପ ଦିଅନ୍ତି ଅନେକ,
ହୃଦୟରେ ଶାନ୍ତି ଧରି ନାୟକ ସାଜେ ଅଭିଶପ୍ତ ।
'କର୍ତ୍ତବ୍ୟହୀନ'ର ପରିଚୟରେ ଜାଣେ ତାକୁ ସମାଜ,
ସମାଜର ସମ୍ବୋଧନରେ ଫିକାପଡ଼ିବାକୁ ଲାଗେ ବିଷ ।
ଶାନ୍ତିର ବିଷ ଛାଡ଼ିଗଲେ,
କଳଙ୍କିତ ଏବେ ସେ ଅଭିଶପ୍ତ ନାୟକ । (୨/୨)




— % &

-


23 JAN 2022 AT 2:50

ସମୁଦ୍ରରେ ବୁଡ଼ି ମଲେ ଏତେ କଷ୍ଟ ହେବନି ବୋଧେ
ରାତିରେ ବୁଡ଼ି ମଲେ ପ୍ରତି କ୍ଷଣ କଷ୍ଟ ହେବ
ଆଉ ତୁମେ ସହିବ ।
ସହିବ ନା?
ସକାଳ ତ ଅଛି,
କାଲି ଆସିବ...

-


23 JAN 2022 AT 2:37

ଘରକୁ ଯିବାକୁ ଚାହୁଁଛି...

-


2 OCT 2021 AT 23:47

ରାତି ଭଳି ନିରବ
ଆଉ ସ୍ୱପ୍ନ ଭଳି ସୁନ୍ଦର;
ମଲାଟ ପଛରେ ଥିବା ମଣିଷ ।

ପ୍ରତାରଣାଠୁ ବିଷାକ୍ତ
ଆଉ ମଶାଣିଠୁ ଆହୁରି ସତ;
ମଲାଟ ପଛରେ ଥିବା ମଣିଷ ।

ଅତୀତ ଭଳି ନିଜର
ଆଉ ବିରୋଧାଭାସଠୁ ଜଟିଳ;
ମଲାଟ ପଛରେ ଥିବା ମଣିଷ ।

ମୃତବି ସେ, ଜୀବନ୍ତ ତା ଭାବନା
ନଈ ମଝିରେ ତା ଜିଭ ଖୋଜେ ଶୋଷ;
ସେ ମଲାଟ ପଛରେ ଥିବା ମଣିଷ ।

-


Fetching Suraj Kumar Mishra Quotes