ଝରକା ସେପାଖର ପୃଥିବୀ
ଅଝଟିଆ ଛୁଆ ଭଳି,
ସବୁ କିଛି ଜିନିଷ ପାଇଁ ଝଗଡ଼ା କରେ
ନହେଲେ ଅଭିମାନ ।
-
ଏଇ ରାସ୍ତା ବଦଳି ଯିବା ଆଗରୁ ଏଇ ରାସ୍ତା ଦେଇ ଆଉ ବହୁତ ଥର ଯିବାକୁ ଚାହେଁ । ଗଛର ପତ୍ର ସବୁର ସଁ ସଁ ଶବ୍ଦ ବାରମ୍ବାର ଶୁଣିବାକୁ ଇଚ୍ଛା ହୁଏ । ଠିକଣାରେ ନପହଞ୍ଚେ ପଛକେ, ଏଇ ରାସ୍ତା କେବେ ନ ସରୁ । ଲମ୍ବିଥାଉ ଦୂରକୁ ଦୂରକୁ ଆଉ ବହୁତ ଦୂରକୁ ।
-
ଅସ୍ବୀକାର କର ମୋତେ
ଯେଉଁଥିରେ 'ମୁଁ' ନାହିଁ ।
ଅସ୍ବୀକାର କର ଏ ରାତିକୁ
ଯେଉଁଥିରେ ଭାବନାର ଶୀତ ସହିତ
ସ୍ମୃତିର ଉଷୁମ ପରଶ ନାହିଁ ।
ତକିଆରେ ଲାଗିଥିବା ଲୁହକୁ
ଅସ୍ବୀକାର କର ନାହିଁ କି
ରାତି ସାରା ଶୋଇଦେଉ ନଥିବା
କର୍ତ୍ତବ୍ୟକୁ ଅସ୍ବୀକାର କର ନାହିଁ ।
ତୁମ ମନରେ ସୁନାମୀ ଭଳି ଉଠୁଥିବା ଘୃଣା,
ତୁମ ପ୍ରେମର ପ୍ରତିବଦଳରେ ମିଳିନଥିବା
ସ୍ନେହର ଗୋଟେ ପରିଚୟ ।
ଘୃଣାକୁ ଅସ୍ବୀକାର କଲେ ତୁମ ଭିତରର 'ତୁମେ' ନଥିବ
ଆଉ ମୋ ଭିତରେ 'ମୁଁ' ନଥିବି ।
-
କଜ୍ଜ୍ୱଳ :
ନୟନର ଧାରେ ଗୋଟିଏ ରାତି,
ଲୁଚାଇ ଦେଉଛି କେତେ ଯେ ପ୍ରୀତି,
ଲୁହର ଶ୍ରାବଣେ ଯେମିତି ଅସଜଡ଼ା ଅତୀତ,
ହସର ଫାଲ୍ଗୁନରେ ପୁଣି ରଙ୍ଗେଇ ଯିବ ହୁଏତ !
-
ବିଦାୟ ଦିଅ ଏବେ ମୋତେ,
ଠିକଣା ଏବେ ବହୁ ଦୂର
ପାଦ ଥକିଯିବ ରାତି ପାହିଯିବ,
ଅନ୍ଧାରକୁ ଲାଗେ ଡ଼ର ।
ହୁଏତ କାଲି ବଦଳିଯିବ ଠିକଣା,
ଅପେକ୍ଷା କର ତୁମେ ଯେବେ ହେବି ବାଟବଣା ।
ଫେରିବି ଏ ସହରକୁ ଲାଗୁଥିବ ଜଣାଶୁଣା,
କହିବ ସେବେ ଏ ନୁହେଁ ତୁମ ଅଗଣା
ତୁମେ ମୋତେ ଜାଣନା ,
ମୁଁ ତୁମ ପାଇଁ ଅଜଣା ।
ବଢିଯିବ ପାଦ ପୁଣି କେଉଁ ଅଜଣା ରାସ୍ତାରେ
ବିକିଦେବି ସବୁ ସ୍ମୃତି ବହୁତ ଶସ୍ତାରେ
କେଉଁ ଗୋଟେ ଅଚିହ୍ନା ହାଟରେ ।
-
ଫୋଟୋଗ୍ରାଫ୍ :
ମୁହୂର୍ତ୍ତ ସବୁଦିନ ପାଇଁ ବଞ୍ଚି ରୁହେ ନାହିଁ
ସ୍ମୃତି ହୋଇ ଚାରି କୋଣିଆ କାଗଜରେ ଲାଖିଯାଏ
କେବେ କେବେ ଦେଖି ଲୁହ ଗଡ଼େ
କେବେ କେବେ ଇର୍ଷା ହୁଏ
ପୁଣି କେତେବେଳେ ଓଠର ଆକାର ବଦଳିଯାଏ
ସତରେ ମୁହୂର୍ତ୍ତ ଜୀବନ୍ତ ହୋଇଉଠେ
ସେଇ କାଗଜରେ ।-
ତୁମେ ତ ରଶ୍ମୀ !
ସୂର୍ଯ୍ୟଙ୍କ ଦେହରୁ ଛୁଟି ଆସୁଥିବା ରଶ୍ମୀ ନୁହଁ
ଜ୍ୟାମିତି ବହିର ପ୍ରଥମ ପୃଷ୍ଠାରେ ବର୍ଣ୍ଣନା ହୋଇଥିବା ରଶ୍ମୀ
ଯାହାର ଆରମ୍ଭ ତ ଅଛି କିନ୍ତୁ ନାହିଁ ଅନ୍ତ
ସତରେ ତୁମେ କ'ଣ ଅନନ୍ତ ?
ନା ଆଖି ପାଉନଥିବା ଜାଗାରେ ଲୁଚିଅଛ
କିଏ ଦେଖିଦେଲେ ଆଉ ଟିକିଏ ଆଗକୁ ଚାଲିଯାଉଛ
କହିବା ମୁସ୍କିଲ୍ ହେଲେ ଭାରି ସୁନ୍ଦର
ଆରମ୍ଭ ତ ମୋ ଠାରୁ ଯାଅ ଯେତେ ଯିବ ଦୂର
ପଚାରିବ ଯଦି କହିଦେବ ମୁଁ ଆରମ୍ଭ ଆଉ ତୁମେ ମୋ କଲମର ।
-