-
ଏମିତି କେଇ ଧାଡ଼ିରେ ଯେଉଁ କବିତା କାହାଣୀ କୁହେ
ତା'ର କଥାକାର ବି ତୁମେ କଥାବସ୍ତୁ ବି ତୁମେ
ମୁଁ ଦୁଇଟି କଥାକୁ ଯୋଡ଼ୁଥିବା ଶୃଙ୍ଖଳା ଟିଏ
ତୁମକୁ ପୂର୍ଣ୍ଣତା ଦିଏ ସତ
ହେଲେ ତୁମ ବିନା ଭାବଶୂନ୍ୟ, ନିରୁଦ୍ଦିଷ୍ଟ,
ଝୁଲୁଥାଏ ଏକାନ୍ତବାସରେ...-
ଗୋଟିଏ ପୃଷ୍ଠାରେ ବି ଲେଖିହେବ
ଖୁବ୍ ପୃଥକ୍ ଦିଶୁ ନଥିବା
ସୁଖ ଆଉ ଦୁଃଖର ସାରାଂଶ।
କି ଦରକାର ସେଠି
ଭିନ୍ନତାର ପତଳା ଆବରଣ
ଧାପେ ଆଲୁଅ ଟିକେ ଅନ୍ଧାରର ଭ୍ରମ...
-
" ମାଆ ଗୋ ଦେଖିକି ଯିବୁ "
ଏତିକି କହି ତୁମେ ଛଳ ଛଳ ଆଖିରେ
ଚାହିଁ ରୁହ ଶୂନ୍ୟକୁ।
ଆଜି କାଲି ମୁଁ ବି ଠିକ୍ ତୁମ ଭଳି
ଶୂନ୍ୟକୁ ଚାହିଁ ରହୁଛି
ମୋ ଆଖି ବି ଛଳ ଛଳ।
ଫରକ କେବଳ ଏତିକି ଯେ,
ମୁଁ ସବୁଥର ଫେରି ଆସିବାର କଥା ଦେଇ ଯାଏ
ଆଉ ତୁମେ କିଛି ନ କହି ଚାଲିଗଲ।
-
ମୁଁ ଲେଖେ ବୈଶାଖ
ଆଉ ଆଙ୍କି ହୋଇ ଯାଏ
କୋଇଲିର ସାତ ସିଆଁ ଡେଣା।
ଏଇ ଏବେ ଏବେ ବହିଗଲା ଝାଞ୍ଜି
ଝଡ଼ିଗଲା ମେଞ୍ଚାଏ ନିମ ଫୁଲ
ଶୁଖିଗଲା ଦୁଇ ବୁନ୍ଦା ଅନୁରାଗ
ଅରାଏ ଅନ୍ଧାରର ପ୍ରତୀକ୍ଷାରେ ମୁଁ
ଏବେବି ଦ୍ବନ୍ଦରେ
ଏ ଖରା, ଏକଦମ୍ ସ୍ଥାଣୁ
ନା ଧାଉଁଛି ଖୁବ୍ ବେଗରେ।-
ଫଗୁଣର ପ୍ରୀତି ରଙ୍ଗ ବୋଳେ ନାହିଁ
କାହା ଅନୁମତି ରଙ୍ଗ ବୋଳିଦେଲା
ନିରୀମାଖି ସେଇ ପ୍ରଣୟ ସଙ୍ଗୀତ
ସ୍ବପ୍ନ ଦେହରେ ବୁଣି ହେଲା ପରେ,
ହାଏ ସେ ଓଠ..
ହାଏ ସେ ଓଠର ଅବୁଝା ଗପ
କାହା ହୃଦୟରେ ରଙ୍ଗ ବୋଳିଦେଲା।-
ଏଇ ରାତି ସବୁ ଗୋଟିଏ ଗୋଟିଏ ସାଦା ଫର୍ଦ୍ଦ
ଆଉ ସ୍ବପ୍ନ, ସେଥିରେ ସ୍ଵତଃ
ଛାପି ହେଉଥିବା କବିତା
କିଛିଟା ପୂର୍ଣ୍ଣ କିଛିଟା ଅଧଲେଖା।
ମାୟାମଗ୍ନ ପୂର୍ଣ୍ଣମୀର ତରଳପଣରେ
ବହି ଯାଉଥିବା ଝରଣା ଟିଏ ପରି ସ୍ୱଚ୍ଛ
ଘନ ଅମା ରାତିର ଅନ୍ଧାରକୁ
ଆଉଜି ବସିଥିବା ଛାଇ ଟିଏ ପରି ପ୍ରଗାଢ଼।
— % &-
ତୁମେ ଥରେ ଏଇ ଚଇତରେ ଆସ
ସେ ଭରି ଦେବ ଉଷ୍ମତା
ଗଲା ଶୀତର ବଳକା କାଲୁଆପଣରେ
ତା' ପାଖେ ଏତେ ତାତି କାହିଁ ଯେ
ସେ ପୋଡ଼ିଦେବ, ଜାଳିଦେବ !
— % &-
ଆଉ ଟିକେ ଦେଖିବାକୁ ଦିଅ
ତୁମ ଅସ୍ଥିର ଆଖିରେ
ଏଇ ଗୋଲ୍ ପୃଥିବୀର ସୀମାନା।
ମୁଦିବାକୁ ପଲକ, କାଇଁ ଏତେ ବ୍ୟସ୍ତ !
ସେଠି ଅବିକଳ କେହି ତୁମରି ଭଳି
ପାହାନ୍ତି ଆକାଶେ ଜହ୍ନ ତାରାଙ୍କ ମେଳି
ବିଶ୍ୱାସର ମରୁସମ୍ଭବ, ବିସ୍ମୟର ମୃଗତୃଷ୍ଣା...
— % &-