ସୂର୍ଯ୍ୟ ଶୋଇଗଲା ପରେ
ଆକାଶଟା ଖୁବ୍ ସୁନ୍ଦର ଦିଶେ
କେଉଁ ଆଗାମୀ ପିଢ଼ିର
ଆଉ ଏକ ପୃଥିବୀର ଆକାଶ ପରି ।
ତାକୁ ଦେଖି ମୁଁ ଲେଖିଦିଏ
ଦି ଚାରି ଧାଡ଼ି କବିତା
ଅନିଶ୍ଚିତତାକୁ ପଛକୁ ଠେଲି
ଆଗେଇ ଚାଲେ ଏଇ ଭିଡ଼ ଭିତରେ
ଧାଇଁ ଧାଇଁ ପହଞ୍ଚି ଯାଏ
ଲାଲ୍ ଗ୍ରହର ଦ୍ବାର ପାଖରେ
ଚିଠି ଟିଏ ଦେବା ସକାଶେ ।
ନିରବରେ ଚାହିଁ ଥାଏ ଆକାଶକୁ
କାଳେ ତାରା ଭାଙ୍ଗି ଖସିବ
ଭଙ୍ଗା ତାରାକୁ ଚାହିଁ ସେ କିଛି ମାଗିବ
ହେଲେ ତୁ ମାଗିବୁନି
ପୃଥିବୀ ଭଳିଆ ରାଇଜ
ଜାଣୁ ' ହାରି ଯାଇଥିବା ' ଠୁ ଖୁସି ଆଣି
ଏଠି ଶୁଭେ ଗଡ ଜିତିବାର ମଉଜ !-
ଲୋହିତ ଆକାଶ
ଥରେ ସ୍ବପ୍ନରେ ଦେଖିଥିଲି
ସେଇ ଆକାଶ ଗଙ୍ଗାର କେଉଁ ଗଳିରେ
ସୌର ଜଗତର ଗାଁ ମଝିରେ
ସେଇ ଆକାଶ ତଳେ
ଖୁନ୍ଦି ହେଇ ରହିଥିଲା ନିରବତା
ଶୁଭୁଥିଲା ନିସ୍ତବ୍ଧତାର ମଧୁର ଗୁଞ୍ଜରଣ
ସୋଜର୍ନର ଝୁମୁଥିଲା ଏଇ ସଙ୍ଗୀତ ମୂର୍ଚ୍ଛନାରେ ।
ଉଷା ଆଲୋକର କୋମଳ ସ୍ପର୍ଶ
ଚୁମୁଥିଲା ଲାଲ୍ ଚଟାଣକୁ
ପରସ୍ତ ପରସ୍ତ କୁହୁଡି ଭେଦି
ବର୍ଷା କି ଶୀତ ନଥିଲା ବାସ୍ ସବୁଦିନେ ଏମିତି ।
ସରି ଆସୁଥିଲା ସ୍ବପ୍ନ
କିଛି ସାରାଂଶ ସ୍ପଷ୍ଟ କିଛି ଅସ୍ପଷ୍ଟ ଥିଲା
ମିଞ୍ଜି ମିଞ୍ଜି ହୋଇ ଜୀବନ ଖୋଜୁଥିବା ଲଣ୍ଠନ ଆଲୁଅ
ଅପରିଚିତ ହେଇ ସାରିଥିଲା , ଫେରୁଥିଲି ଅପହଞ୍ଚରୁ ମାଟିକୁ ।
ସେ ରହିଗଲା କୁହୁଡି ଘେରାରେ ଅଚଞ୍ଚଳ ଛବିଟିଏ ପରି
ଚିକ୍ ମିକ୍ ଲାଲ୍ ତାରାଟିଏ ହୋଇ
ନିଜକୁ ଖୋଜି ଗୁମ୍ ମାରି ବସି ପଡ଼ିଲା
ସଜ ସକାଳର ଲୋହିତ ଆକାଶେ ।-
ଲାଲ୍ ଉତ୍ତରୀରେ ଲେଖିବା ନାଁ
କୁହାକୁହି ହେଉଛନ୍ତି ପାଣି ଅଛି କି ନା
ଆମେ ସେଥିରୁ କଣ ପାଇବା ....
ଚାଲ୍ ଲାଲ୍ ଉତ୍ତରୀରେ ନାଁ ଲେଖିବା
ଲାଲ୍ ଠୁ ଇଷତ୍ ନୀଳ ଆକାଶକୁ ଟିକେ ଚାହିଁବା
ଡିମୋସ୍ ଫୋବସ୍ କୁ ଦେଖି ହସିବା
ଟିକେ ଅଧିକ ନିଦରେ ଶୋଇବା
ସ୍ବପ୍ନକୁ ଆଉ ଟିକେ ଲମ୍ବା ହେବାକୁ ଛାଡିଦେବା
ଚାଲ୍ ଲାଲ୍ ଉତ୍ତରୀରେ ନାଁ ଲେଖିବା ।
-