°°°°{ତୁମରି "ତମେ"}°°°°
ସକଳେ ଡାକନ୍ତି 'ତମେ' 'ତମେ' ବୋଲି ସେ 'ତମେ' ର ମୂଲ ନାହିଁ,
ତୁମେ ଯେବେ ମୋତେ 'ତମେ' ବୋଲି କୁହ ଏତେ ମିଠା କାହିଁ ପାଇଁ!
କାଳ ବୈଶାଖୀର,ମାଦକତା ପରି, ସେ 'ତମେ' ର ଆକର୍ଷଣ;
ଜ୍ୟେଷ୍ଠର ପ୍ରଦୋଷ, ତୁମର ସେ 'ତମେ', ପ୍ରଶାନ୍ତିର ଆବାହନ।
ସେ 'ତମେ' ରୁ ଝରେ, ମୌସୁମୀ ବର୍ଷାର, ଶାଶ୍ଵତ ଶୀତଳ ସ୍ପର୍ଶ;
ଯେତେ ଅସନ୍ତୋଷ, ବୈଶାଖ ରେ ଥାଏ ; ଭରିଦିଏ ସବୁ ଶୋଷ।
ଆଷାଢ଼ ଆକାଶେ, ସେ 'ତମେ' ଝଲସେ, ଇନ୍ଦ୍ରଧନୁ ସାତରଙ୍ଗେ;
ଶ୍ରାବଣର ଧାରା, ପତିତ ବିନ୍ଦୁର, ଗୁରୁ ଗମ୍ଭୀରତା ରାଗେ।
'ତମେ' ପରା ସେହି, ନିର୍ମଳ ଭାଦ୍ରବ, ଖୋଲା ପୁସ୍ତକ ଭାଷ୍ୟ;
ସମ୍ପର୍କ ନଦୀର, ଆଶ୍ୱିନ ପଠାରେ , କାଶତଣ୍ଡୀ ସ୍ମିତହାସ୍ୟ।
ଶ୍ୱେତାଙ୍ଗ ନିହାର, 'ତମେ' ଯେ ଘାସର, କାର୍ତ୍ତିକ ମୁକୁଟ ସାଜି;
ମାର୍ଗଶିର ପକ୍ୱ- ଧାନର ସୁଗନ୍ଧେ, ପାଏ ମୁଁ 'ତମେ' କୁ ଖୋଜି।
ପୌଷ ସକାଳର, କୁହୁଡ଼ିରେ 'ତମେ', ପ୍ରତିକ୍ଷିତ ସୂର୍ଯ୍ୟରଶ୍ମି;
ଫିକା ପଡ଼ିଯାଏ, ମାଘର ଜଡ଼ତା, 'ତମେ' ଉତ୍ତପ୍ତତା ଘେନି।
କୋକିଳ କଣ୍ଠର, ପଞ୍ଚମ ମୂର୍ଚ୍ଛନା, ଫାଲ୍ଗୁନ ମଳୟେ 'ତମେ';
ଦୃଶ୍ୟମାନ 'ତମେ', ପୂର୍ଣ୍ଣତା ଠାଣିରେ, ଚଇତ୍ରର ଆଗମନେ।
'ତମେ' ତ ମୋ ପାଇଁ, ସବୁଯାକ ଋତୁ, ସବୁ ମାସ ସବୁ ବର୍ଷ
ତୁମ ଉଚ୍ଚାରଣେ,ସେ 'ତମେ'ର ମାନ, ବଢିଯାଏ ଶତକୋଷ।-
ଶୁଣିଥିଲି,ପ୍ରେମର ଅର୍ଥ ଆକାଂକ୍ଷାଶୂନ୍ୟ ସମର୍ପଣ।କିନ୍ତୁ ଜଣଙ୍କ ଏକମାତ୍ର ଝଲକ୍ ଦେଖିବାକୁ ଅନ୍ୟଜଣଙ୍କ ଆଖି କାହିଁକି ବ୍ୟାକୁଳ ହୋଇ ଚାହିଁରହେ;ସେ କାନ କାହିଁକି ପଦୁଟିଏ କଣ୍ଠସ୍ୱର ଶୁଣିବାକୁ ଉଦବିଗ୍ନ ହୋଇଉଠେ;ପାଇବାର ଇଚ୍ଛା ଯଦି ନାହିଁ,ଦୂରେଇ ଯିବାର ଭାବନାରେ, ହୃଦୟ କାହିଁକି ବାରମ୍ବାର କ୍ଷତାକ୍ତ ହୁଏ....... ତା'ହେଲେ କ'ଣ ଇଏ ପ୍ରେମ ହିଁ ନୁହେଁ?
ବର୍ତ୍ତମାନ ଶତାବ୍ଦୀରେ ପ୍ରତ୍ୟାଶା ରହିତ ପ୍ରେମ କ'ଣ ପ୍ରକୃତରେ ସମ୍ଭବ ?????
-
ଜାଣିନଥିଲି,
ତୁମ ପାଇଁ
ଲେଖିବାକୁ ଚାହିଁଲେ,
କାଗଜ ଏମିତି
ଅପଲକ ଚାହାଣିରେ
ସ୍ଥିର ପାଲଟିବ!
ପ୍ରଗଳ୍ଭା ହୃଦୟ ମୋର
ଏକାବେଳେ ଶାନ୍ତ ହେଇଯିବ!
ସବୁବେଳେ ଏଣୁତେଣୁ
ଗାରେଉଥିବା ଲେଖନୀ
ବିରତି ମାଗିବ!
ଆଉ ଏ ସଭିଙ୍କ ଦୀର୍ଘଶ୍ୱାସରେ
ମୁଁ ଏତେ ଦୁର୍ବଳ ହୋଇପଡିବି!-
ତୋ ଜୀବନ ରାସ୍ତାରେ ତୋ ସହ ପାଦ ମିଳାଇ ସହସାଥି ଟିଏ ହେବାର ସ୍ବପ୍ନ ଦେଖିବାକୁ,ଆଜିପର୍ଯ୍ୟନ୍ତ ବି ସାହାସ କରିପାରିନାହିଁ;
କିନ୍ତୁ ମୋ ଜୀବନ ପରିଧୀରେ ତୋର ଅନୁପସ୍ଥିତି ଭାରି ଅସହ୍ୟ,
ଏ କଥା ଅଜାଣତରେ ବି ହୃଦୟକୁ ଆସିଗଲେ,ମୁଁ କେଉଁ ଏକ ଅଜଣା ଆତଙ୍କରେ ଶିହରି ଉଠେ
ଆଉ ଅମାନିଆ କେତେଟୋପା ଲୁହ,ସମବେଦନା ଜଣାଇବାକୁ ଝରିଆସେ ।।
-
ଜାଣେ ମୋ ଠୁ କେହି ତୁମକୁ ଚୋରେଇ ପାରିବେନି
ତଥାପି କାହିଁକି କେଜାଣି,
ସାତ ନଈ ସାତ ଦରିଆ ଡେଇଁ
ସାତ ଫରୁଆ ଭିତରେ ସାତ ଫାଶ ବାନ୍ଧି
ସଯତ୍ନେ ସାଇତି ରଖିବାକୁ ଇଚ୍ଛା ହୁଏ,
ମୋ ଜୀବନ ଭ୍ରମର ଯେ ତୁମେ !-
ଘନିଭୂତ ମେଘଖଣ୍ଡ ମୁଁ
ବର୍ଷାବିନ୍ଦୁ ହୋଇ ଢଳିଯିବାକୁ ଦିଅ ତୁମ ପୃଥ୍ୱୀପୃଷ୍ଠରେ
ଚାଲିଯାଉ ପଛେ ମୋ ବାରିତ୍ୱର ସ୍ଥିତି
ତୁମକୁ ଭିଜେଇ ଦେବି ସ୍ପର୍ଶ ମୋର ଦେଇ।
ଉଛୁଳା ତରଙ୍ଗିଣୀ ମୁଁ,
ତୁମ ସାଗର ବକ୍ଷରେ ମିଶିବାକୁ ତରଙ୍ଗାୟିତ ମୋର ପ୍ରତି କଣିକା,
ତୁମେ ସ୍ଥିର ଥାଅନା;
ମୁଁ ପହଞ୍ଚି ଯିବି ସବୁ ବାଧାବିଘ୍ନ ଡେଇଁ।
ମୁଁ ଚନ୍ଦ୍ରମାର ବର୍ଣ୍ଣ,
ତୁମ ରଶ୍ମୀ ପ୍ରତିଫଳିତ ମୋ ପ୍ରଗାଢ଼ ଆତ୍ମାରେ
ସେ ଚେତନାର ପ୍ରତିବିମ୍ବରେ ଉଜ୍ଜ୍ବଳ ମୁଁ
ଆମ ଅବସ୍ଥିତିର ଆବାହନ ଗାଇ।
ହେ ପ୍ରିୟ ମୋର,
ରହିଥାଅ ନିରବଚ୍ଛିନ୍ନେ ତୁମେ
ଏ ହୃଦୟରେ,
ମୋ ଜୀବନର
ପୂର୍ଣ୍ଣତାର ଅୟମାରମ୍ଭ ଆଉ ଶୁଭ ପରିସମାପ୍ତିଟେ ହୋଇ।
-
ତୁମେ ଆସିବା ପୂର୍ବରୁ,
ମୁଁ ଠିକ୍ ସେଇ କାନଭାସ୍ ର ଚିତ୍ର ପରି ନିର୍ଜୀବ ଥିଲି;
ତୁମେ ଅନୁଚ୍ଚ ଆଶ୍ୱାସଭରା କେଇପଦ ବାକ୍ୟରେ
ଜୀଇଁବାର ଉତ୍ସାହ ଆଣିଦେଲ।
ପୁଣି ତୁମ ଯାଦୁକରୀ ରଙ୍ଗତୂଳୀର ସ୍ପର୍ଶ
ସପ୍ତ-ବର୍ଣ୍ଣବିଭା ସମ୍ଭାର ଦେଇ ଜୀବନ୍ୟାସ ଭରିଦେଲା।
-
ଏମିତି ବି ଭଲପାଇବା ଥାଏ,
ଯେଉଁଠି କେଉଁ ପରୀରାଇଜର ରାଜକୁମାର, ରାଜକୁମାରୀ ନଥାନ୍ତି।
ସମାଜର ଲଗାମ ଥାଏ, ହୃଦୟର ଆବେଗ ଥାଏ,
ଆଘାତ ର କଷ୍ଟ ଥାଏ, ଉପଚାର ପାଇଁ ସ୍ୱପ୍ନ ଥାଏ।
ପ୍ରେମ କରୁଥିବାର ସ୍ୱୀକାର ନକରି ବି ଭଲପାଇବା ଅଜାଡ଼ି ଯାଏ।
ପାଖରେ ଥିଲେ ବିରକ୍ତ କରୁଥିବା ଲୋକଟି
ଦୂରକୁ ଚାଲିଗଲେ,ବାରମ୍ବାର ମନ ଝୁରୁ ଥାଏ।
ତା' ହସର ଆଢ଼ୁଆଳରେ ଲୁଚିଥିବା କୋହର କାରଣ ଖୋଜେ।
ତା' ଅଜାଣତରେ କେତେ ମାନସିକ କରିବସେ,ଲକ୍ଷେ ଦୀପାଳି ଜାଳେ।
ଅତୀତର ଦାଗ ପୋଛି ଦେଇ ତାକୁ ନୂଆ ଆକୃତିଟେ ଦେବାର ପ୍ରଯତ୍ନ କରେ।
ଶବ୍ଦରେ ନହେଲେ ବି ସାରା ଜୀବନ ପାଇଁ ସହଯାତ୍ରୀ ହେବାର ନୀରବ ପ୍ରତିଶ୍ରୁତି ଦିଏ।
ଭୁଲ୍ ବୁଝାମଣା ହୋଇ ସମ୍ପର୍କରେ ଫାଟ ସୃଷ୍ଟି ହେଲେ,କ୍ଷମା ମାଗିବାକୁ ଦିନ ଗଣିବସେ।
ଈଶ୍ବରଙ୍କ ଚମତ୍କାର ଆଶାରେ ଅଧିକ ରୁ ଅଧିକ ଆକାଂକ୍ଷା ପୁଞ୍ଜିଭୂତ କରେ,
ଦିନ ପରେ ଦିନ ଗଡ଼ିଯାଏ,ହେଲେ ଆଶା ସବୁ ଫସର ଫାଟେ,
ଶେଷରେ ବୁଝି ପାରେ ସିଏ ଏ ଆଶା ଆକାଂକ୍ଷା କରିବାର ଅଧିକାର ଯେ ତା'ର ନାହିଁ,
ଧୀରେ ଧୀରେ ଅକ୍ଷମତାର ଦ୍ୱାହିରେ ଏସବୁ ଦେହସୁହା ହେଇଯାଏ।-
ହଁ,ଏସବୁ ତ ଗୋଟେ ସ୍ୱପ୍ନ ପରି ଲାଗୁଛି!
ଯେମିତି କେତୋଟି ମୁହୂର୍ତ୍ତ ସବୁ
ଐନ୍ଦ୍ରିଜାଲିକଙ୍କ ମାୟାରେ ଦିବ୍ୟ ପାଲଟିଗଲା;
କେଉଁ ପରଶମଣିର ସଂସ୍ପର୍ଶରେ ଆସି ପବିତ୍ର ହୋଇଗଲା;
ଆଉ ସେହି ଦିବ୍ୟତାର ଅନୁଭୂତିରେ,
ପବିତ୍ରତାର ପ୍ରଲେପରେ,
ମୁଁ ନିଜକୁ ହରେଇ ତୁମ ହୃଦୟରେ ବିଲୀନ ହୋଇଗଲି।-
ଜାଣିଛି,କ'ଣ ଲେଖା ଥିବ ସେଥିରେ!
ଏତେ ଦିନ ଧରି ବୁଝିଛି ତାକୁ,
ଭିଜା ଚିଠିରେ ଓଦା ଅକ୍ଷରର ବାସ୍ନାରୁ
ଉପଲବ୍ଧି କରି ପାରିବିନି,ତା'ହୃଦୟ ର ଅଭିବ୍ୟକ୍ତିକୁ!
ହୁଏତ ସେ ଅଧା ଲେଖିଛି,କିନ୍ତୁ ମୁଁ ତ ବହୁ ପୂର୍ବରୁ ପଢିସାରିଛି ସଂପୂର୍ଣ୍ଣତାକୁ...
କ'ଣ ବା କରିପାରେ ଏ ଅଦିନିଆ ବର୍ଷା ଆମର?
ଯଦି,ଆମ ଦୁହିଁଙ୍କ ହୃଦୟ ସବୁଦିନ ବିନା ଉଚ୍ଚାରଣରେ,
ପରସ୍ପର ର ନୀରବ ଭାବନା ଆଦାନପ୍ରଦାନ କରିପାରୁଛି।
ଚିଠି ତ ମାତ୍ର ଗୋଟେ ଛୋଟ ମାଧ୍ୟମ ଥିଲା ନା!
ଯାହା ଲିପିବଦ୍ଧ କରିଥିଲା,ଚିର ପ୍ରତୀକ୍ଷିତ ଆମ ସମ୍ପର୍କ ସଂଜ୍ଞାର ଶବ୍ଦରୂପ.....-