ଜୀବନର କୁରୁକ୍ଷେତ୍ରରେ ମହାଭାରତ ଯୁଦ୍ଧ ସବୁବେଳେ ଚାଲିଥାଏ। ଯେଉଁଥିରେ ଆମେ ନିଜେ ହିଁ ଜଣେ ଜଣେ ଅର୍ଜୁନ, ନିଜେ ହିଁ ଜଣେ ଜଣେ ଭଗବାନ ଶ୍ରୀକୃଷ୍ଣ। କେବେ କେବେ ପ୍ରଶ୍ନ ର ଆଢୁଆଳରେ ଜ୍ଞାନର ସନ୍ଧାନ କରିବା ପାଇଁ ସାହାରା ଖୋଜିବା ତ ପୁଣି କେବେ ସ୍ଵୟଂ ଜ୍ଞାନ ହୋଇ ଉଦିତ ହେବା ଏବଂ ସାରା ବିଶ୍ବ ର ମାର୍ଗଦର୍ଶନ କରିବା। ନିଜ ଆଉ ପରର ଭିଡରେ ନିଜକୁ ଖୋଜି ପାଇବା ହିଁ ତ ଜୀବନର ଶ୍ରୀମଦଭଗବତଗୀତା।
ସର୍ବେ ଗୀତାମୟ ଭବନ୍ତୁ।🙏
-
ରାତିରୁ "କିଛି" ଯଦି ମୁଠେଇ ପାରନ୍ତି ତେବେ ମୁଁ ବି ଲୁଚେଇ ରଖିଥିବା ଜହ୍ନର ଆଲୁଅରେ "କିଛି" ହଜି ଯାଇଥିବା ପୁରୁଣା ମୁହୂର୍ତ୍ତକୁ ଖୋଜି ପାଆନ୍ତି।
-
ରାତି ଯଦି ବେଦରଦୀ ସ୍ଵପ୍ନ ନ ଆଣନ୍ତା ତେବେ ମୁଁ ବି ଘଡ଼ିଏ ବିଶ୍ରାମ କରିପାରନ୍ତି ।
-
ଦୀର୍ଘ ପଥ ଅତିକ୍ରାନ୍ତ।
ଆଉ ମୁଁ ଭାରାକ୍ରାନ୍ତ।
ଭାବନାର ସ୍ରୋତ ଅବିଶ୍ରାନ୍ତ, ମୋ ସନ୍ଧ୍ୟା କୁ ବି କରେ କ୍ଲାନ୍ତ।
ନମ୍ର ଶୀତଳ ସମୀର ଓ ଶୀତ ଅମା ନୀଶିଥ, ମୋ ନିଦ୍ରା କୁ ବି କରେ ରୋମାଞ୍ଚିତ।
ହେଲେ ମୁଁ
ତଥାପି ଭାରାକ୍ରାନ୍ତ।
ଆବେଗର ଢେଉ ରେ ପ୍ରଶ୍ନଟିଏ ଆଜି ଭ୍ରାନ୍ତ
ଯେ ତୁମେ ଅଭିଶପ୍ତ ନା ମୁଁ ପରିତ୍ୟକ୍ତ!
ତୁମେ ଅଭିଶପ୍ତ ନା ମୁଁ ପରିତ୍ୟକ୍ତ।
ହେଲେ ସକାଳର ସୂର୍ଯ୍ୟ ନିତି ଠାରି କହିଯାଏ
ସାଥୀ ନା ତୁମେ ଅଭିଶପ୍ତ ନା ହିଁ ମୁଁ ପରିତ୍ୟକ୍ତ
ବାସ୍ ଏ ସମାଜଟା ଯାହା ମତିଭ୍ରାନ୍ତ
ବାସ୍ ଏ ସମାଜଟା ଯାହା ଖାଲି ମତିଭ୍ରାନ୍ତ...-
ମୋ "ଅଧା" ଲେଖା ଚିଠି କୁ ଯଦି
ତମେ "ଥରେ" "ପୂରା" ପଢିଥା'ନ୍ତ
ତେବେ ସେଥିରେ ଥିବା
"ଅଧଲେଖା" ଫର୍ଦ୍ଦରେ ତୁମ "ଅଧା" ନାଁ କୁ
ତୁମେ ନିଶ୍ଚୟ ବୁଝି ପାରିଥା'ନ୍ତ...-
ସଖି ଗୋ
ସରସୀ ରେ ସ୍ନିଗ୍ଧ ସୂର୍ଯ୍ୟ ରଶ୍ମି ତୁମେ
ମୁଁ ସଜଳ କଜ୍ଜଳ ଧାର
ସମସ୍ଥାନ ସ୍ଵର୍ଣ୍ଣ ମଥାମଣି ତୁମେ
ମୁଁ ସଭ୍ଯ ସଭା ସଦାଚାର।୧
ସଖୀ ଗୋ
ସମୁଜ୍ଜିତ ସାଥୀ ସମଦୁଃଖ ତୁମେ
ମୁଁ ସୁନ୍ଦର ସିନ୍ଦୁର ବିନ୍ଦୁ
ସୁଶୀତଳ, ସମ ସାତ୍ତ୍ଵିକ ତୁମେ
ମୁଁ ସରଗର ସାରା ଇନ୍ଦୁ। ୨
ସଖୀ ଗୋ
ସବୁଜିମା ପୂର୍ଣ୍ଣ ସରିତ୍ତଟ ତୁମେ
ମୁଁ ସମୁନ୍ନଦ୍ଧ ସରତ୍ବାନ
ସୁକେଶା, ସୁଭାଷୀ ସୁଲଳନା ତୁମେ
ମୁଁ ସରଳ, ସାତୁ ସମ୍ପନ୍ନ। ୩
ସଖୀ ଗୋ
ସରସିତ ସସ୍ଯ, ସହଚରୀ ତୁମେ
ମୁଁ ସହପକ୍ଷ, ସହସାନ
ସରଗୁଣା ସୂକ୍ଷ୍ମ ସରଗମ ତୁମେ
ମୁଁ ସହବ୍ରତ, ସଙ୍ଗ ଜାଣ। ୪
ତୁମ ବିନା
ସଖୀ ଗୋ
ସଦ୍ମ ମୋର ଆଜି ଭଷ୍ମିତ ଏଠି
ହୃଦୟେ ସାଗର ଢେଉ
ସମ୍ପାଲୋକ ସତେ ଅଟ୍ଟହାସ୍ୟ ଲାଗେ
ସମ୍ପାତ ଲାଗଇ ଆୟୁ। ୫-
"ହଁ" ର ଅପେକ୍ଷା ରେ "ଗୋଟେ" ରାତି ନ ଶୋଇ ବିତି ଯାଇଥିଲା।
ଏବେ ଡର ଖାଲି ଏତିକି ଯେ ଗୋଟେ "ନା" ର "ଆଶା" ରେ ପୁରା ଜୀବନ "ନିସ୍ପନ୍ଦ" ବିତି ନ ଯାଉ।-
ସୁବର୍ଣ୍ଣ ବଦନା ଶିବାଙ୍ଗୀ' ନଗେ' ବିରାଜମାନ'
ସାଜି ଅନ୍ନପୂର୍ଣ୍ଣା ତୋଷନ୍ତି' ଭୂତ' ପ୍ରେତଙ୍କ ମନ' ।।୧
ଏମନ୍ତ ଅପୂର୍ବ ଦର୍ଶନେ' ହୃଦ' ଅମୃତମୟ'
ଏକତ୍ର ବସିଣ ବୃଷଭ' ସିଂହ' କରନ୍ତି ଲୟ।। ୨
ଇନ୍ଦ୍ରାଣୀପତିଙ୍କ ଆଦେଶେ' ଶିଖୀ' ମଗନ ହୋଇ'
ଇନ୍ଦ୍ରାରି ସମାନ ବଇରୀ' ସଙ୍ଗେ' କରଇ ଛଇ।। ୩
ଗଣ୍ଡକ ନାଶନ୍ତି ଗଣେଶ' ଗଣେ' ଆନନ୍ଦ ଚିତ୍ତେ'
ଗୁଞ୍ଜର ମସ୍ତକ ଧାରଣ' କଲେ' ପିତାଙ୍କ ରୋଷେ।। ୪
ଷଡ଼ାନନ ଏଠି ଫେରନ୍ତି' ସୁଖେ' କୃତ୍ତିକାପୁରୁ'
ଷଡଜ ସଂଗୀତେ ବିଭୋର' ଏଠି' ସସର୍ପଶମ୍ଭୂ।। ୫
ଗଙ୍ଗାଧର ନାମେ ଜଗତେ' ହର' ପାଆନ୍ତି ପୂଜା'
ଗଉରୀ ପୂଜନ୍ତି କୈଳାସେ' ନିଜେ' ହୋଇଣ ଶିବା।। ୬
ଅଟ୍ଟାଳିକା ଅଟ୍ଟହାସ୍ୟରେ' ଆଜି' ମହୀ କମ୍ପିତ'
ଅଟକନ୍ତି ପ୍ରତି ଶ୍ମଶାନେ' ଶିବ' ହୋଇଣ ମତ୍ତ।। ୭
ଭସ୍ମକୁ କରିଣ ଚନ୍ଦନ' ଦେହେ' ବୋଳନ୍ତି ଭୋଳା'
ଭସ୍ମୀଭୂତ ଆଜି ସୌନ୍ଦର୍ଯ୍ୟ' ମର୍ତ୍ତ୍ୟେ' କୃତ୍ରିମ ବାଳା।। ୮
ନମଇଁ ଆରାଧ୍ୟ ଶଙ୍କର' ଉମା' ଦାମ୍ପତ୍ୟ ଗାଥା'
ନୁଆଁଇ ହରଷେ ମଥାକୁ' ମୁଁ ଯେ' କହୁଛି କଥା।। ୯
ପ୍ରାସାଦେ ଭୁବନେ ନମିଳେ' ସୁଖ' ଜୀବନଗୀତି'
ପରସ୍ପର ସ୍ନେହ ସମ୍ବଳେ' ବଢେ' ସଂସାରେ ପ୍ରୀତି।। ୧୦
ଦୋଷାଦୋଷ କ୍ଷମା କରିଣ' ମତେ' କରହେ ଧନ୍ଯ'
ଦନୁଜ ନାଶିନୀ ମଙ୍ଗଳା' କର' ପାତକ ଶୂନ୍ଯ।। ୧୧
କୈଳାସପତିଙ୍କୁ ନମଇଁ' ମୁହିଁ' କର ଯୋଡିଣ'
କୈଳାସୀ କରିବି ନିଜକୁ' ପ୍ରେମ' ଭକ୍ତି କରିଣ।। ୧୨
-
ତୁମ ଅପେକ୍ଷା ରେ ମୁଁ ଆଜି ଉପେକ୍ଷିତ।
ମୋତେ ଉପେକ୍ଷା କରି ତୁମେ ଆଉ କାହାର ଅପେକ୍ଷିତ ହୋଇନାହଁ ତ??? କୁହନା ।-
କେବେ ଆସ ତୁମେ ଇନ୍ଦ୍ରଧନୁ ଧରି,
ମୁଁ ସାଙ୍ଗରେ କିଛି ରଙ୍ଗଣୀ ଆଣିବି।
ତୁମେ ଇନ୍ଦ୍ରଧନୁରେ ଦୋଳି ବାନ୍ଧିଦେବ,
ମୁଁ ରଙ୍ଗଣୀ ଫୁଲରେ ତୁମ ଗଭା ବାନ୍ଧିବି।
କେବେ ଆସ ତୁମେ ଶିଶିର ବୁନ୍ଦା ସହ,
ମୁଁ ଶୀତ ସକାଳର ଖରା ଆଣିବି।
ତୁମେ ଶିଶିର ବୁନ୍ଦା ରେ ମତେ ଆର୍ଦ୍ର କରିବ,
ମୁଁ ଉଷ୍ଣତାରେ ତୁମଠି ପ୍ରାଣ ଭରିବି।
କେବେ ଆସ ତୁମେ ମୁଠାଏ ସ୍ଵପ୍ନ ଧରି,
ମୁଁ ସାଙ୍ଗରେ କିଛି ରାତି ଆଣିବି।
ମୁଠାଏ ସ୍ଵପ୍ନକୁ ତୁମେ ରାତିରେ ବିଞ୍ଚି ଦେବ,
ମୁଁ ଜହ୍ନରେ ପୁଣି କିଛି କବିତା ଲେଖିବି।-