Tadasha Priyadarsini  
7 Followers · 1 Following

Joined 31 August 2022


Joined 31 August 2022
4 MAR 2023 AT 16:14

ଆହେ ଜଗନ୍ନାଥ ଅନାଥର ନାଥ ଦୀନବନ୍ଧୁ ଦଇତାରୀ
ବଡ଼ ଦେଉଳରେ ବଡ଼ ଦିଅଁ ବୋଲି ଜଗତରେ ପଡେ ହୁରି
କେଉଁ ନାମ ଧରି ଡାକିବି ତତେରେ
ମୁଁ ଅଧମ ଜାଣେ ନାହିଁ
ଲୁହରେ ଲେଖୁଛି ତୋ ପାଖକୁ ଚିଠି
ଠିକଣା ମୁଁ ଦେଇ ନାହିଁ
କୋହ ସାଗର ରେ ଲୁହର କବିତା ଲେଖୁଛି ବସି ମୁଁ ଆଜି
କେହି ନ ବୁଝିଲେ ଏ ସାରା ବିଶ୍ୱରେ ମୋ ଜଗା ପାରିବ ବୁଝି
ଦୁଃଖର ବାଦଲ ଘୋଡେଇ ରଖିଛି
ସୁଖର ସୂରୁଜ କାହିଁ
ଲୁହ ବରଷାରେ ନିତି ମୁଁ ଭିଜୁଛି
ସାହାରା ଦେ ରେ ସାଇଁ
କହୁ କହୁ ଆଜି କହିଦେଲି ସିନା ଅନ୍ତର ବେଦନା ଖୋଲି
ଭାବ ବିହୋଳ ରେ ଭୁଲି ଯାଇଥିଲି କାନ ତୋର ନାହିଁ ବୋଲି
ଦୁନିଆ ଭିଡରେ ଏକା ହେଲି ଯେବେ
ତତେ ବଢ଼ାଇଲି ହାତ
ମନେ ପଡିଗଲା ମୋ କାଳିଆ ପରା
ଅଧା ଗଢା ଜଗନ୍ନାଥ
ଦୁଃଖରେ ପଡି ମୁଁ ଡାକୁଛି ଜଗା ରେ ଆସିବୁ ପାଖକୁ ଥରେ
ପାଦ ନାହିଁ ତୋର ଜାଣିଛି କାଳିଆ ଆସିବୁ ମୋ ସପନରେ
ସପନେ ଦେଖି ବି ସାର୍ଥକ ହେବି ରେ
ଦୁଃଖ ଯିବ ଅପସରି
ତଥାପି ମୋ ଡୋରି ଲଗେଇ ଦେବୁରେ
ଯିବି ଆଉ ଥରେ ପୁରୀ
ନେବିନି ତୁଳସୀ ନେବିନି ଦୟଣା ଲୁହରେ ଚନ୍ଦନ ଘୋରି
ଭକ୍ତି ଫୁଲହାର ଭାବ ସୂତ୍ରେ ବାନ୍ଧି ଦେବିରେ ବିଶ୍ୱ ବିହାରୀ

-


17 FEB 2023 AT 20:02

କାହିଁକି ଏମିତି କରୁଛୁ କାଳିଆ ଦେଉଛୁ କ୍ଷଣିକ ସୁଖ
ଖୁସିରେ ଜୀବନ ହରଣ କଷିଲେ ଭାଗଶେଷ ପୁଣି ଦୁଃଖ
ପତିତପାବନ ବାନା ଉଡାଉଛୁ
ପତିତ ଉଦ୍ଧାର ପାଇଁ
କଣ ନିର୍ଦ୍ଦେଶ ଦେଉଛୁ ଜଗାରେ
ମୁଁ ମୂଢ଼ମତି ବୁଝେ ନାହିଁ
କଷଣ ସହିବି ଆହେ ଚକାଡୋଳା କରିବିନି ପ୍ରତିବାଦ
ମୋ ମନ କୋହରେ ଆଖିର ଲୁହରେ ଧୋଇ ଦେବି ତୋର ପାଦ
ଦୁଃଖର ସାଗରେ ଭସାଇ ଦେଲେ ବି
କରିବିନି ଅଭିମାନ
ବୁଡିବା ଆଗରୁ ହାତ ଧରି ନେବୁ
ଏତିକି ମୋ ନିବେଦନ
ତୋରି ଦୟାରେ ସବୁତ ସମ୍ଭବ ତୁ ମୋ ଭାଗ୍ୟ ବିଧାତା
ନିଜକୁ ସମର୍ପି ହାତ ଟେକି ଦେଲି ତାରିବୁ ବିଶ୍ୱନିୟନ୍ତା
ଏତିକି ଭରଷା ଅଛିରେ କାଳିଆ
ଉଦ୍ଧାରିବୁ ମତେ ବୋଲି
ତୁ ପରା ଧନରେ ଦୁଃଖୀଜନ ସଖା
ତୋ ପାଦେ ଶରଣ ଗଲି

-


5 FEB 2023 AT 8:30

🌹ଶିଳାତୀର୍ଥ କୋଣାର୍କ🌹
ଆମ ଏ ଉତ୍କଳ ଗୌରବ ମଣ୍ଡିତା
ଚାରୁ କଳାମୟୀ ବେଶେ
କୋଣାର୍କ ଅଟେ ତା ଅତୀତ ଯୌବନ
ଆଜିବି ଐତିହ୍ୟ ହସେ
ତ୍ୟାଗ ବଳିଦାନ ଶିଳ୍ପୀର ଖୋଦନ କୋଣାର୍କ ତା ମୁକସାକ୍ଷୀ
ଅଂଶୁମାଳୀ ବିଞ୍ଚେ ପହିଲି କିରଣ ସେ ଦୃଶ୍ୟେ ଝଲସେ ଆଖି
କୋଣାର୍କ ବକ୍ଷରେ ଫୁଟିଅଛି ଦେଖ
ଉଡ୍ର ର ଇତିହାସ
ପାଷାଣ ଦେହରେ ଜୀବିତ ସଂସ୍କୃତି
ମନୋରମ ତାର ଦୃଶ୍ୟ
ନିହାଣ ମୁନରେ କୋଣାରକ ଦେହେ ଅଦ୍ଭୁତ କଳା ଉତ୍କର୍ଷ
ସତେ ବିଶ୍ୱକର୍ମା ଶିଳ୍ପୀ ସାଜିଥିଲେ ଧନ୍ୟ ହୋଲା ଆମ ଦେଶ
ଶିଳା ଦେହେ ପଦ୍ମ ନର୍ତ୍ତକୀର ଦୃଶ୍ୟ
ପର୍ଯ୍ୟଟକ ଙ୍କୁ ଚକିତ କରେ
ଚିନ୍ତାରେ ବିଭୋର କବିର ଚେତନା
କଲମୁ କବିତା ଝରେ
ନଗ୍ନ କୋଣାର୍କ କହିବନି ତାକୁ ଭଗ୍ନ ଐତିହ୍ୟ ଭାବିବନି
କଳିଙ୍ଗ କଳାର ମାପକାଠି ସିଏ ଅର୍କ କ୍ଷେତ୍ରକୁ ଭୁଲିବନି
ଅମ୍ଲାନ କୃତୀ ଅପୂର୍ବ କାନ୍ତି ସେ
ଧର୍ମପଦ ର ବଳିଦାନ
ବକ୍ଷରେ ତାର ଜୀବନ୍ତ ପ୍ରତିମା
କଳା ସ୍ଥାପତ୍ୟର ନିଦର୍ଶନ
କେତେ ଆଶା କେତେ ଭାବନାର ଛବି କେତେ କଳ୍ପନାର ଭୋକ
ବିଶ୍ୱରେ ବିଦିତ ଉତ୍କଳ ଗୌରବ ଶିଳ୍ପୀ ଶିଳ୍ପ କୋଣାରକ

-


28 JAN 2023 AT 11:36

ପରାଧୀନତା ର ଅନ୍ଧକାର ଚିରି ଉଇଁଛି ସ୍ୱାଧୀନ ସୂର୍ଯ୍ୟ
କେତେ ଯେ ଜୀବନ ଝୁଲିଛି ଫାଶୀରେ ଗଢିବାକୁ ଏଇ ରାଜ୍ୟ
କେତେ ଲୁହ ଲହୁ ଏକାଠି କରିଣ
ଏ ମାଟିର ବୀର ସନ୍ତାନ
କେତେ ତ୍ୟାଗ ଆଉ ତପସ୍ୟାର ବଳେ
କରିଲେ ଏ ଦେଶ ସ୍ୱାଧୀନ
କେତେ ଯେ କଷଣ କେତେ ବଳିଦାନ ଚାବୁକ ଲାଠିର ପ୍ରହାର
କେତେ ଯେ ଯାତନା ସହି ସେ ଆମକୁ ଦେଲେ ସ୍ୱାଧୀନତା ଉପହାର
କେତେ ଯେ ବୀର ର ରୁଧିର ଝରିଛି
ଭିଜିଛି ଏଇ ମୋ ମାଟି
ସେଇ ବୀର ଜନେ ଅର୍ଘ୍ୟ ବାଢ଼ିଦେବା
ଜନ୍ମଭୂମି ପାଦେ ଲୋଟି
ଏଇ ମାଟି ସାକ୍ଷୀ ସେଇ ବୀର ଙ୍କର ସାକ୍ଷୀ କେତେ ଆନ୍ଦୋଳନ
ସ୍ୱାଧୀନତା ପାଇଁ କେତେ ଯେ ସଂଗ୍ରାମ ପୁଣି କେତେ ବଳିଦାନ
କେତେ ବୀର ମାତା କୋଳ ଶୁନ୍ୟ ହେଲା
ଏଇ ସ୍ୱାଧୀନତା ପାଇଁ
କେତେ ଯେ ଜାୟାର ସିନ୍ଦୁର ଲିଭିଲା
ହିସାବ କେ ରଖି ନାହିଁ
ବୀର ଜୀବନର ଉତ୍ସର୍ଗ ପାଇଁକି ସ୍ୱାଧୀନତା ଆଜି ଆଶୀର୍ବାଦ
ଗାନ୍ଧୀ ନେତାଜୀ ଙ୍କ ଆପ୍ରାଣ ଚେଷ୍ଟାରେ ଚାଖୁଛୁ ସ୍ୱାଧୀନ ସ୍ୱାଦ
ଆଜି ଏଇ ଦିନେ ଗଣତନ୍ତ୍ର ନାମେ
ସମ୍ବିଧାନ ଗଢ଼ା ହେଲା
ଜନତା ପାଇଁକି ଗଣତନ୍ତ୍ର ଶଙ୍ଖ
ଦେଖ ରେ ବାଜି ଉଠିଲା
ଭାରତୀୟ ବୋଲି ଗର୍ବିତ ଆମେରେ ତ୍ରିରଙ୍ଗା ଆମର ମାତା
ତ୍ରିରଙ୍ଗା ଆଗରେ ଚିରଦିନ ପାଇଁ ନୁଆଇଁ ଦେବାରେ ମଥା

-


23 JAN 2023 AT 7:53

ଗୌରବଦୀପ୍ତ ହେ ନିର୍ଭିକ ପୁରୁଷ ଅଗ୍ନିବର୍ଷି ନେତା ବୀର
ଆଜାଦ ହିନ୍ଦ ର ଫଉଜ ଗଠନେ ତୁମେ ପରା କର୍ଣ୍ଣ ଧାର
ଦିଲ୍ଲୀ ଚାଲ ରେ ଦିଲ୍ଲୀ ଚାଲ ରେ ଶୁଭୁ ଥିଲା ଦିନେ ନାରାବାଜି
ମତେ ରକ୍ତ ଦିଅ ସ୍ୱାଧୀନତା ଦେବି ତୁମର ସେ ଡାକ ଯାଇଛି ହଜି
ନେତାଜୀ ତୁମର ସେଇ ଡାକରା ରେ ଏ ମାଟିର ଯୁବ ଚେତନା
ଉଠିଥିଲା ଚେଇଁ ନିଜକୁ ସଜେଇ ମନେ ଭରି ଦିବ୍ୟ ଭାବନା
ସେ କଷ୍ଟଲବ୍ଧ ର ସ୍ୱାଧୀନତା ଆଜି ଦୁର୍ନୀତି ଜାଲେ ହୋଇଛି ଛନ୍ଦି
ହିଂସା, କପଟ ସ୍ୱାର୍ଥ ଆଶାରେ ଆପଣା ଆପଣା ସଭିଏଁ ବନ୍ଦୀ
କେଉଁ ଦେଶ ପାଇଁ ଲଢ଼ିଲ ନେତାଜୀ ଦେଶର ଅବସ୍ଥା ଦେଖିବ ଆସ
ନର ସଂହାର ଓ ଗଣ ଦୁଷ୍କର୍ମ ସହ ସ୍ୱାଧୀନ ହୋଇଛି ମଦ ଓ ମାଂସ
ଚାଲ ଦେଶବାସୀ ଆଗେଇ ଯିବା ନେତାଜୀ ଙ୍କ ସ୍ବପ୍ନ ପୂରା କରିବା
ରକ୍ତ ଜବାବ ରକ୍ତରେ ଦେବା ସ୍ୱାର୍ଥ, ଦୁର୍ନୀତି କୁ ଦୁରେଇ ଦେବା
ଫେରିଆସ ନେତାଜୀ ଡାକରା ଦିଅ ହେ ତୁମକୁ ଏ ଦେଶ ଝୁରୁଛି ଖାଲି
ଚିର ଅମ୍ଲାନ ହେ ଯୁଗ ପୁରୁଷ ତୁମ ଡାକରା ରେ ଯିବୁ ହେ ଚାଲି

-


20 JAN 2023 AT 13:11

ଜୀବନ ର ବାଜି ଅଭିଶପ୍ତ ଆଜି
ବଞ୍ଚିବାକୁ ଇଚ୍ଛା ନାହିଁ
ଚତୁଃର୍ଦିଗ ଲାଗେ କୋଳାହଳ ପୂର୍ଣ୍ଣ
ମୁଁ ଏକୁଟିଆ କାଇଁ ??
ଦୁନିଆରେ ଚାଲେ ସ୍ୱାର୍ଥ ବିକା କିଣା
ସ୍ନେହ,ମମତା ବାସନା ନାହିଁ
ସ୍ୱାର୍ଥ ଡୋରେ ବନ୍ଧା ସମ୍ପର୍କ ଏଠି
ନିଃସ୍ୱାର୍ଥ ପ୍ରେମ କାହିଁ ??
ଜୀବନ ସଂଙ୍ଘର୍ଷେ ଥକି ମୁଁ ପଡିଛି
ବାଧ୍ୟେ ଜିଁ ବାକୁ ହୁଏ
ସଂସାର ଭିଡରେ ସମୟ ମୋଡ଼ରେ
ନିଜକୁ ମୁଁ ଏକା ପାଏ...

-


18 JAN 2023 AT 19:24

ଅବାଞ୍ଛିତ ନୁହେଁ ତୁମେ ମୋ ସାଧନା
ପାରି କରିଲ ଏ ଦୁର୍ଗମ ପଥ
ଆସିଲ କାହିଁକି ବିଳମ୍ବ ରେ ତୁମେ
ବିଳମ୍ବେ ହେଲି ସ୍ୱତନ୍ତ୍ର
ଅଙ୍କା ବଙ୍କା ପଥେ ମୋର ପାଦ ସାଥେ
ମିଶାଇ ଦେବ କି ପାଦ
ରଙ୍ଗହୀନ ମନେ ତୁମେ ହେ ମୁରୁଜ
ତୁମେ ମୋ କବିତା ଶବ୍ଦ
ଅପେକ୍ଷା ରେ ମୋର ଅନୁଭବ ତୁମେ
କେବେ ଅଶ୍ରୁ ହୋଇ ବହେ
ମନ ଆଇନାରେ ତୁମରି ବାଟ କୁ
ପ୍ରତିକ୍ଷଣେ ଚାହିଁ ରହେ
ମୋ ମନ ପୃଷ୍ଠା ରେ ଲେଖି ମୁଁ ସାରିଛି
ତୁମ ପ୍ରେମ ଫର୍ଦ୍ଦ ଫର୍ଦ୍ଦ
ତୁମେ ମୋ ସମୟ ତୁମେ ଭଗବାନ
ତୁମେ ମୋ ସକଳ ତୀର୍ଥ
ତୁମ ବିନା ଏ ଜୀବନ ବ୍ୟର୍ଥ

-


17 JAN 2023 AT 22:18

ସାଗର ବହୁତ ଭଲ ପାଏ ଶାମୁକା କୁ
ହେଲେ ଶାମୁକା କଣ ଭଲ ପାଏ ସାଗର କୁ??
ଯଦି ଭଲ ପାଏ....
ବେଳାଭୂମି ରେ ପଡି ରହେ କାହିଁକି???
ନିଦାଘ ବହୁତ ଭଲ ପାଏ ବରଷାକୁ
ହେଲେ ବରଷା କଣ ଭଲ ପାଏ ନିଦାଘ କୁ??
ଯଦି ଭଲ ପାଏ....
ଆଠ ମାସର ଅପେକ୍ଷା କାହିଁକି???
ଆକାଶ ବହୁତ ଭଲ ପାଏ ଜୋତ୍ସା କୁ
ହେଲେ ଜୋତ୍ସା କଣ ଭଲ ପାଏ ଆକାଶ କୁ??
ଯଦି ଭଲ ପାଏ....
ନିଶା ଶେଷେ ଚାଲି ଯାଏ କାହିଁକି???
ମୟୁର ବହୁତ ଭଲ ପାଏ ମେଘ କୁ
ହେଲେ ମେଘ କଣ ଭଲ ପାଏ ମୟୁର କୁ??
ଯଦି ଭଲ ପାଏ....
ଟିକେ ବରଷି ଥମି ଯାଏ କାହିଁକି???
ମୁଁ ବହୁତ ଭଲ ପାଏ ତୁମକୁ
ହେଲେ ତୁମେ କଣ ଭଲ ପାଅ ମତେ ??
ଯଦି ଭଲ ପାଅ ....
ନିରୋଳା ରେ ଏକାକୀ ଛାଡି ଯାଅ କାହିଁକି??
କାହିଁକି.... କାହିଁକି.... କାହିଁକି

-


5 JAN 2023 AT 21:58

ବରଷକ ପରେ ଆଜି ଶୁଭ ଦିନେ ଜନ୍ମ ଦିନର ଅଭିନନ୍ଦନ
ତୋର ଜନ୍ମଦିନେ ଅପାର ଆନନ୍ଦେ ସୁଖେ ବିତିଯାଉ ଦିନ
ଆପଣପଣ ର ସ୍ମିତହାସ୍ୟ ତୋର
ରହିଥାଉ ସବୁ ଦିନ
ପୂର୍ଣ୍ଣ ହେଉ ତୋର ଇପ୍ସିତ କାମନା
ଶୁଭେ ବିତୁ ଜନ୍ମଦିନ
କିଛି ଲେଖିବାର ପ୍ରଚେଷ୍ଟା ଭିତରେ ଛନ୍ଦି ହୋଇ ରହିଗଲି
କଣ ଲେଖିବି ତୋ ଜନମ ଦିନେ ନୀରବେ ଭାବୁଛି ଖାଲି
ସ୍ୱପ୍ନ ସାକାର କରିବାକୁ ହେଲେ ଧୋର୍ଯ୍ୟ ଅଳଙ୍କାର ପିନ୍ଧିବୁ
ସଫଳତା ଶୀର୍ଷ ଛୁଇଁ ଗଲା ପରେ ଅଂହକାର କୁ ତୁ ତେଜିବୁ
ନୟନେ ତୋର ଅସୀମ ସପନ
ଅବିଳମ୍ବେ ହେବ ପୂର୍ଣ୍ଣ
ସଫଳତା ପଥେ ସଙ୍ଘର୍ଷ ରଥେ
ପାଇବୁ ବିଜୟୀ ଚି଼ହ୍ନ
ମୋ ଭଲପାଇବା, ସ୍ନେହ, ଆଦରକୁ କଲମ ମୁନେ ସାଉଁଟି
ମନର କଥାକୁ କବିତା ସଜାଇ ଦେଲି ଏ Birthday Gift

-


1 JAN 2023 AT 7:15

ଶୀତୁଆ ସକାଳ ଶ୍ୱେତ ଶାଢ଼ୀ ପିନ୍ଧି
କୁହୁଡି ଓଢଣୀ ଟାଣି
ନବ ବଧୂ ସାଜି ନାଲି ଓଠେ ହସି
ଆସୁଛି ସବିତା ରାଣୀ
ନବ ବର୍ଷର ନବ ମୂର୍ଛିତ
ନବ ନବ ମନୋଭାବ
ନବ ଦିଗନ୍ତରେ ନବ ପଲ୍ଲବିତା
ନମ୍ର ନମିତ ଲାଜ
ନବବର୍ଷ ର ନବ ଦିବସ ରେ
ନବ ଦିଗନ୍ତ କୁ ସାଜି
ନବ ପ୍ରଭାତରେ ପହିଲି କିରଣ
ସାହସ୍ରାଂଶୁ ଦେବେ ବିଞ୍ଚି
ନବ ବରଷରେ ନବଧା ଭକ୍ତି କୁ
ନଟବର ପାଦେ ରଖି
ଦୀନ ଜନେ ଦୂର କର ହେ ଦୁର୍ଦ୍ଦଶା
ଅଳି କରେ ଆଜି ଦୁଃଖୀ
ଶିଶିର ସକାଳ ସୁଖମୟ ହେଉ
ସବୁ ସ୍ବପ୍ନ ହେଉ ସାକାର
ସମ୍ଭାବନା ମୟ ସଂସାର ରଥରେ
ସାରଥୀ ସାଜ ହେ ଈଶ୍ୱର

-


Fetching Tadasha Priyadarsini Quotes