ବାରମ୍ବାର ଛୁଏଁ ଫଗୁଣ ଗୋରିଲୋ
ତୋ ପରଶ ପାଇଗଲେ
ଯାଯାବର ମନ ପ୍ରେମିକ ପାଲଟେ
ତୋ ସହ କଥା ହେଲେ ll
ତୁ ଇପ୍ସିତ ମୋର ସେଇ ସରଗ ଲୋ
ଯେଉଁଠି ମୁଁ ହଜେ ସ୍ଵପ୍ନରେ
ପାରିଜାତ ଆସି ଆତ୍ମା ମୋ ସଜାଏ
ତୋର ଟିକେ ସ୍ମିତ ହାସ୍ୟରେ ll
ତୁ ପ୍ରଥମ ଆଶ୍ଚର୍ଯ୍ୟ ଶେଷ ଆଶ୍ଚର୍ଯ୍ୟ ବି
ମୋ ପ୍ରେମ ପୁସ୍ତକେ ଖୋଦିତ
ତୋ ଚତୁଃପାର୍ଶ୍ଵରେ ଭ୍ରମିବାକୁ ଇଚ୍ଛା
ହୋଇ ଏକ ଛୋଟ ଖଦ୍ୟୋତ ll
ଅନିନ୍ଦ୍ୟ ସୁନ୍ଦରୀ ପର୍ବତ କନ୍ୟା କି
ଅବା ତୁ ସ୍ଵର୍ଗର ପରୀ
ସମ୍ମୋହନ ବିଦ୍ୟା ତୋ ଓଠରୁ ସୃଷ୍ଟି
ନେଇଯାଏ କାବୁ କରି ll
ଜୀବନ ନାଚେରେ ମଧୁର ଗୀତିରେ
ତୋ ସାନ୍ନିଧ୍ୟରେ ଥାଇ
ଅଭିସାର ଏ ତ କେଇ ଜନମର
ଏ ଜନମେ ଲଭୁଥାଇ ll-
A strong believer of love and affection which can change the p... read more
ମୁଁ କଣ ସିଏ, ଯାହା ମୋ ଗର୍ବ କହେ
ନା ଗାଆଁ ମୁଣ୍ଡ ମଶାଣିର ମୁଠାଏ ପାଉଁଶ
ଏ ଜୀବନ କଣ ସତରେ ଯାହା ମୁଁ ଦେଖେ
ନା ଇଏ କେବଳ ଆଉ କେହି ଦେଇଥିବା ବିଶ୍ୱାସ !
-
ତୁ ସେଇ ଫୁଲେଇ ଜହ୍ନ
ଯାହା ପାଇଁ ଆକାଶ ସୁନ୍ଦର ଦିଶେ,
କହ କଣ ଅଛି କେବଳ ଶୂନ୍ୟତା ବିନା
ତୋ ପାଇଁ ତା ରାତି ବି ଦିନ ପରି ହସେ ll
ତୁ ତ ତାର ପ୍ରାଣପ୍ରିୟା,
ଆଖି ବୁଜିଲେ ବି ତା ହୃଦୟରେ ଥାଉ
ଡାହୁକ ଅମାବାସ୍ୟାଟା ଯାହା
ଚୋରେଇ ନିଏ ତୋତେ ସନ୍ଧ୍ୟା ହେଉ ହେଉ ll
ଜାଣିଛୁ, ତୁ ନ ଥିଲେ ଆକାଶ କଣ କରେ
ଭାରି କାନ୍ଦେ କାଳେ ମୋଉନି ମୋଉନି
ତା ସୁଖର ପସରା ପା ତୋ ପାଖେ ସରେ
ତୋ ବିନା ସିଏ ଆଉ କିଛି ବି ବୁଝେନି ll
ହଉ ଏଥର ଫେରିଆ ଆକାଶ କୋଳକୁ
ଲୁଚିଯିବ ଦୁହେଁ ଏକ ଗୋପନ ବନରେ
ଦୁନିଆକୁ ପର କରି ତୁମେ ପାଖେ ରହିଥିବ
ସମୟଟା ବିତିଯିବ ବାହୁ ବନ୍ଧନରେ ll-
ମନରେ ଉଠୁଛି ଜହ୍ନ ଛୁଆଁ ଜୁଆର, ସାଥିରେ
ତୋ ମୁହଁ ଦିଶିଯାଏ ଯୁଆଡେ ଚାହିଁଲେ
ଅନୁଭବେ ତୁ ଖାଲି ଆଉ ଆଖି ପଲକରେ ଅଛୁ
ତୋ ଛୁଆଁ ମନେ ପଡେ ନିଃଶ୍ୱାସ ଧାଇଁଲେ ll
ତୁ ମୋ ବଗିଚା ସାଥି ମୁଁ ତୋର ମାଳି
ତୋ ବିନୁ କାହିଁକି ସତେ ଅଧା ଅଧା ଲାଗେ
ସମ୍ପୂର୍ଣ୍ଣ ଚନ୍ଦନ ବନେ ଉଭା ହୋଇ ମଧ୍ୟ
ମଳୟର ପରଷଟା ନିଆଁ ପରି ବାଧେ ll
ଥା ପଛେ ଯେତେ ଦୂରେ ମୋ ଅଗଣାରୁ ଦୂରେ
ସପନରେ ସବୁବେଳେ ଓହ୍ଲାଇ ତୁ ଆ
ହାତ ଧରି ବୁଲୁବୁଲୁ ମୋ ସ୍ଵପ୍ନ ମହଲରେ
ମିଠା ହସ କେଇଧାରେ ହସି ଦେଇ ଯା ll-
ନଡ଼ିଆ ରେ ମନ ତୁ
କେହି ନ ବୁଝିଲେ ନ ବୁଝନ୍ତୁ ପଛେ
ଶାନ୍ତ ବସିଥାରେ ତୁ ll
ଅଢେଇ ଦିନିଆ ଜୀବନରେ ତୋର
ଭାବୁକ ତୁ ହୋ ନାହିଁ
ବିଚଳିତ ତୁ ଯାହା ପାଇଁ ହେବୁ
ସେଇ ହିଁ ବୁଝିବେ ନାହିଁ ll
ତଥାପି ଖାଇଯା ପିଟା କଚଡାରେ
କାହାର ଶୁଭ ମନାସି
କଷ୍ଟ ହେଲେ ପଛେ ହଉଥାଉ ତୋତେ
ହାତରୁ ଯାଆନା ଖସି ll-
ମୁଁ ତ ଦେଖୁଛି ତୁ ବି ଦେଖୁଥା
ବାକି ଥିବା କିଛି ସପନ
ପର୍ବତ ଶିଖରୁ ଲମ୍ଫ ଦେଇ ଚାଲ
ଭେଦିଯିବା ଦୂର ଗଗନ ll
କେତେ ଆଉ ବାନ୍ଧି ରଖିବା ଡେଣାକୁ
ଉତ୍ସାହ ଯହିଁରେ ଭରିଛି
ଫଡ ଫଡ କରି ଝାଡି ଦେବା ଚାଲ
ଦେଖିବା କେତେ ସେ ଉଡୁଛି ll
ପରଖିବା ଶକ୍ତି ସଶକ୍ତ ହୋଇବା
ଜୀବନର ଯୁଦ୍ଧ କଠୋର
ଦୁଇ ଦୁଇ ମିଶି ଚାରି ପାଦ ହେଲେ
ବଳ ମିଳିଯିବ ଅଶ୍ଵର ll
ମଣିଷରୁ ଥରେ ଅଶ୍ଵ ହୋଇଗଲେ
ଜିତିଯିବା ରଣାଙ୍ଗନକୁ
ପ୍ରେରଣାର ଗଙ୍ଗା ଧାରା ଛୁଟାଇବା
ନିରନ୍ତର କେଇ ପିଢୀକୁ ll-
ଛୁଇଁ ଛୁଇଁ ଛୁଇଁଯାଏ ମଳୟ ପବନ
ଅବିର ଆକାଶେ ଉଡେ ରଙ୍ଗାଇ ଜୀବନ
ଝୁମି ଝୁମି ଝୁମିଯାଏ ରାଧା ରାଣୀ ମନ
ଗାଲେ ରଙ୍ଗ ବୋଳୁଥାଏ ପତିତପାବନ ll
ଗୋପ ଗୋପୀ ନାଚୁଥାନ୍ତି ଦାଣ୍ଡ ଦୁଲୁକାଇ
ମୋହନ ବଂଶୀରେ ଧନ ମନ କିଣୁଥାଇ
ଗୋପାଳ ଯୁବକ ଗ୍ରାମେ ବିମାନ ସଜାଇ
ବାଡିଖେଳ ଖେଳୁଥାଏ ଦାଣ୍ଡେ ଧାଇଁ ଧାଇଁ ll
ରଙ୍ଗ ପିଚକାରୀ ଧରି ଖେଳେ ଗୋପ ବାଳା
ମନର ମଣିଷ ପାଖେ ରଚେ ଲିଳାଖେଳା
ଗଗନ ପବନ କମ୍ପେ ହୋଇ ରଙ୍ଗ ବୋଳା
ଦେଖି ଖୁସି ହେଉଥାଏ ଶୂନ୍ୟେ ନନ୍ଦବଳା ll-
ସଞ୍ଜ ସଳିତା ଜଳି ଜଳିକା
ବାଢୁଛି ଭକତି ମୋର
ଘେନ ମୋ ବିନତି, ଆହେ ଚକା ଆଖି
ହଟିଆ ମୋ କଳା ଠାକୁର ।।
ଏ ଜୀବନ ପ୍ରଭୁ ତୁମରି କରୁଣା
ସୁଖ ଦୁଃଖ ତୁମ ଦାନ
ତବ ପାଦେ ଢାଳି ଭକତି ଦୀପଟେ
ଯାଉ ଏ ତୁଚ୍ଛ ଜୀବନ ।।
କରୁଣା ସାଗର ଦଶ ଅବତାର
ହେଉ ବାରେ ଟିକେ ଦୟା
ଜାନକୀବଲ୍ଲଭ ରୂପରେ ପ୍ରଭୁ ହେ
ଆଖି ଆଗେ ହୁଅ ଠିଆ ।।
ତୃଷାର୍ତ୍ତ ଆତ୍ମାର ତୃଷ୍ଣା ମେଣ୍ଟିଯାଉ
ଦିବ୍ଯ ଦରଶନ ଲଭି
ଇହଧାମ ଛାଡି ପରଧାମେ ଯାଉ
ତୁମ କଥା ଭାବି ଭାବି ।।-
ତୁମେ ନିର୍ମଳ ଆକାଶ
ମୁଁ କଳଙ୍କିନି ଜହ୍ନ
ତୁମେ ନଥାଇ ବି ଥାଅ
ମୁଁ ଥାଇବି ନିଶ୍ଚିହ୍ନ ll
ମୁଁ ନୀଳ କଇଁ ବିରହି ଚାତକି
ତୁମେ ପରା ମୋର ଜୀବନ ନାଟିକା
ଆଶା ଅସୁମାରି, ଛୁଇଁବି ତୁମକୁ
ତୁମେ ପରା ମୋର ଗୋଲାପ ବାଟିକା ll
ତୁମେ ସ୍ବପ୍ନର ନାୟକ
ମୁଁ ଅନିଦ୍ରା ନୟନ
ତୁମ ଛବି କେତେ ମନେ ମନେ ଆଙ୍କି
ଅପଲକ ନେତ୍ରେ କରେ ଯେ ଶୟନ ll
ମୁଁ ପୁରାଣର ପାଷାଣୀ ଅହଲ୍ୟା
ତୁମେ ମୋର ସେଇ ରାମ ଭଗବାନ
ପରଶ ଟିକିଏ ଲଭିବାକୁ ତବ
ପ୍ରତୀକ୍ଷା କରିଛି ହୋଇ ହୀନିମାନ ll-
ତୁ ଦାରୁବ୍ରହ୍ମ ମୁଁ ଛାର ମଣିଷ
କେମିତି ବୁଝିବି ତୋରି ଲୀଳା
ତୁ ମହାସାଗର ମୁଁ ନୀର ବିନ୍ଦୁ
ତୋ ଦେହେ ମିଶିବାକୁ ମୁଁ ଯେ ପାଗଳା ll
ବଡପଣ ତୋର ଅସରନ୍ତି ଗପ
କେମିତି କହିବି କାହାକୁ ବଖାଣି
ତୁ ପୁରୁଷୋତ୍ତମ ତୁ ଶ୍ରେଷ୍ଠ ନାୟକ
ତୋଠୁ ଉଦ୍ଧୃତ ସବୁରି କାହାଣୀ ll
ତୋ ଠାଣି ଚାହାଣୀ ସବୁଠୁ ନିଆରା
ପାଗଳ କରିଛୁ କୋଟି ଭକତକୁ
ମହାବାହୁ ମୋର ସେନେହ ପସରା
ଶାନ୍ତ କରୁଅଛୁ ଅଝଟ ମନକୁ ll
ତୁ ମୋର ଅସ୍ମିତା ତୁ ବିଶ୍ୱ ଗୁରୁ
ତୋ ପାଦ ପଦ୍ମେ ଜୀବନ ଢାଳିଛି
କଳା କହ୍ନେଇରେ କୋଳେଇ ନେରେ
ତୋ ଆଲିଙ୍ଗନ ଅପେକ୍ଷାରେ ଅଛି ll-