ଶ୍ରାବଣ ଫେରୁଛି ଇନ୍ଦୁର ଛାୟାରେ
ଶିଉଳି ପାଉଛି ବ୍ଯଥା,
ତୋଫାତୋଫା ଦିଶେ ଧରଣୀର ତନୁ
ଅନ୍ଧକାର କୁହେ କଥା ।
ବାରିବାହ ଆଜି ଲେଉଟାଣି ନିଏ
ପବନ ଛାଡୁନି ବାଟ,
ମୃଦୁମୃଦୁ କରି ନଇକୂଳେ ଖେଳେ
ଦେଖାଉଛି କେତେ ହଟ ।
କାନ୍ଥର ଧାରରେ ମାଳତୀ ଝୁଲଣା
ମହମହ ବାସି ଉଠେ,
କୁଆଁରୀ ପ୍ରେମର ରସକୁ ଭରିଣ
କୁମୁଦିନୀ ଜଳେ ଫୁଟେ ।
ମରାଳ ଡାକରେ ଝୁମୁଛି ପ୍ରାନ୍ତର
ମୁଗ୍ଧ ହୁଏ ଜହ୍ନରାତି,
ଗହଳ ଡାଳର ଝିଙ୍କାରୀ ତାନରେ
ହୃଦୟେ ଉଠୁଛି ତାତି।
ମାଡିଚାଲେ ଅମା ଆବୋରି ଶୂନ୍ଯତା
ଜୋଛନା ପଡୁଛି ଯେତେ,
ପ୍ରୀତିପ୍ରଣୟର ସ୍ମୃତି ଏ ଅଭୂଲା
ଶିହରଣ ଦିଏ କେତେ ।-
ଲୁଚିଯାଏ ଆଜି ଆଷାଢର ଗମ୍ଭୀର ଗର୍ଜନ
ଧରଣୀର ଶ୍ଯାମଳ ଗାଲରେ
ବୁନ୍ଦା ବୁନ୍ଦା ଶ୍ରାବଣର ଚୁମ୍ବନ,
ବଳାହକ ର ବହଳ ଆସ୍ତରଣରେ
ଡୁବିଯାଏ କାହିଁ ଏଇ ଦରଦୀ ର ସପନ ।
ନୀଡ ହରା ଚଢେଇର ନିଶବ୍ଦ କାନ୍ଦଣା
ଶବ୍ଦଭେଦୀ ଅମାର କୋଳରେ
ଗୁମୁରି ଉଠେ ତା ଛାତିର ଯନ୍ତ୍ରଣା,
ବନ୍ଧବାଡ ଭାଙ୍ଗି ଡେଇଁଚାଲେ
ଭସାଇ ନିଏ କେତେ ଲୁହ ର ଝରଣା ।
ବୟସର ବାରବାଟୀ ଦୁର୍ଗ ଦିଏ ପତ୍ରଝଡା
ପ୍ରତରଣା ର ମରିଚୀକାରେ
ଅଣନିଃଶ୍ବାସୀ ହୋଇ ଆଜି ସେ ହାତଛଡା,
ପ୍ରୀତି ପାନ୍ଥଶାଳା ଶୀର୍ଣ୍ଣପ୍ରାୟ
ଦେଇଯାଏ କେତେ ଅନ୍ତହୀନ ପୀଡା ।
କଟାକ୍ଷରେ ଜଳିଉଠେ ଏ ପ୍ରଣୟୀର ସ୍ବର୍ଣ୍ଣଲଙ୍କା
ମାୟାବିନୀ ଯମୁନାର
ଉତ୍ତାଳ ତରଙ୍ଗେ ଉଠେ ବିରହର ଝଙ୍କା,
ଯୌବନ ସରୁବାଲି ସରିଆସେ
ଅଭିସାର ଚିତ୍ରପଟ୍ଟେ ଆଜି ହେଉଥାଏ ଅଙ୍କା ।-
ଏକୁଟିଆ ଆଜି ଅପେକ୍ଷା କରିଛି
ସ୍ବର୍ଣ୍ଣାଭ ସାଗର ବେଳାରେ,
ଉର୍ମି ଭାଙ୍ଗୁଥାଏ ନୀରବତା ସବୁ
ବୈଶାଖ ସନ୍ଧ୍ୟାର କାଳରେ ।
ଡହ ଡହ ହୋଇ ତାତିଛି ବାଲୁକା
ଉତ୍ତାପ ଉଠୁଛି ଛାତିରେ,
ମହଣ ମହଣ ବାସୁଛି ମଲ୍ଲୀକା
ନାୟିକା ହଜିଛି ରାତିରେ ।
ଉଏଁ ତମୋହର ଅମାକୁ ଦୂରେଇ
ବିଦୂର ଝାଉଁର ବଣରେ,
ଭସାମେଘ ଏଠି ସବୁ ଢାଙ୍କି ଦିଏ
ବାଟଭାଙ୍ଗେ କିଛି କ୍ଷଣରେ ।
ଡାକି ଉଠେ ଓଠ ଖୋଜି ବୁଲେ ଆଖି
ବଢିଲା ସମୟ ସୁଅରେ,
ତଥାପି ଆସିନି ମନର ରୂପସୀ
ଅପେକ୍ଷା ଗଡୁଛି ଲୁହରେ ।
ସପ୍ନର ସମାଧି ଦେଇଥିଲି ପ୍ରିୟା
ମୁଠାଏ ପ୍ରୀତିର ଆଶାରେ,
ଛଳନା କରିଣ ଠେଲିଦେଇଗଲ
ମରୁ ମରିଚୀକା ତୃଷାରେ ।
ମନର କାନ୍ଥରେ ଶିଉଳି ଲଗାଇ
ଜାଳିଲ ବିରହ ଜ୍ବାଳାରେ,
ବାହୁନି ଉଠୁଛି ଦଶନ୍ଧିର ପ୍ରେମ
ଏ ସାଇତା ଅନ୍ତରାଳରେ ।-
ରାତି ଆସେ ମଲ୍ଲୀକାର ଗଜରାରେ
ଗଦାଗଦା ମହକର
କଣ୍ଠରୁଦ୍ଧ ଆବେଗରେ....
ରାତି ଆସେ ଦିଗମ୍ବରୀ ଦେହରେ
ଅଧାପୋଡା ଜହ୍ନର
ପୌର୍ଣ୍ଣମାସୀକୁ ଅପେକ୍ଷାରେ....
ରାତି ଆସେ ରଜନୀଗନ୍ଧାର ଶେଯରେ
ବାରବଧୂର କେଳିଦୀପ
ଲିଭୁଥାଏ କାମନାର ଜୁଇରେ....
ରାତି ଆସେ ଝରକାର ଫାଙ୍କରେ
ପରଦାର ଅଢୁଆଳ
ଢାଙ୍କୁଥାଏ କିଞ୍ଚିତ ବିଶ୍ବାସରେ....
ରାତି ଆସେ ଲୁହର ପଟୁଆରରେ
ଝୁଣିଦିଏ ରସିକ
ଅବୋଲକରା ଅନ୍ଧାକାରରେ....
ରାତିଆସେ....-
ପ୍ରୀତିର ମହ୍ଲାର ଆବୋରି ଫଗୁଣ
ପଲ୍ଲୀର ବୁକୁରେ ଉଡେ,
କଅଁଳ ତରୁର କୁଆଁରୀ ଡାଳରେ
ମଧୁର କୋକିଳ ରଡେ ।
ଆଲୋକର ପଥେ ବିଦାୟ ନେଇଛି
ମାଘର ବାଘୁଆ ଜାଡ,
ବଉଳ ମହକ ମଣ୍ଡଳେ ଖେଳୁଛି
ଡେଇଁଯାଏ ବନ୍ଧବାଡ ।
ବିଦୂରେ ସାଗର ହେଉଛି ଅଝଟ
ତଟରେ ଉତ୍ତାଳ ଭାଙ୍ଗେ,
ଅମାର କୋଳକୁ ଇନ୍ଦୁର ଜୋଛନା
ରୂପେଲି ସ୍ପର୍ଶରେ ରଙ୍ଗେ ।
ଝଞ୍ଜାରି ଦେଉଛି ଝିଙ୍କାରି ମୂର୍ଚ୍ଛନା
ଆନମନା ହୁଏ ମନ,
ପାହାଡି ତଟିନୀ ଦୂରେ ନାଚିଯାଏ
ନୀରବତା ସବୁ ଲୀନ ।
ଶ୍ଯାମଳ କାନ୍ତିର ଲାବଣ୍ଯ ମଣ୍ଡିତା
ବସନ୍ତ ବିଭାରେ ଧରା,
ବଖାଣି ହେଉନି ତାହାରି ସୌନ୍ଦର୍ଯ୍ଯ
କବି ହୁଏ ଆତ୍ମହରା ।-
ମୋ ଚତୁଃପାର୍ଶ୍ଵରେ ଶୁଭେ ରାତ୍ରିର ଦୀର୍ଘଶ୍ବାସ
ମୁକୁଳା ଅନ୍ଧାକାରରେ ଅଶରୀରୀଙ୍କ ଅଟ୍ଟହାସ୍ଯ,
କିନ୍ତୁ ଏ ଆଖିପତା ଡରେନା,
ଲୁହର ଅପହଞ୍ଚ ଗର୍ଭରେ
ମୁଁ ବଞ୍ଚିରହେ ଇପ୍ସିତ ବିରହୀର
ଅଲୋଡା ମନୋଭାବରେ.....
ଉଜୁଡା ପ୍ରେମର ଭୂପତିତ ବିଶ୍ବାସରେ
ଘଷିମାଜି ହୋଇଥିବା ଚିଠିର
ରକ୍ତରେ ଲେଖା ଶବ୍ଦର ଆବେଗରେ,
ଉପକ୍ରମରୁ ଶେଷକଥା ଯାଏଁ ବନ୍ଦୀ ପ୍ରାୟ
ମୁଁ ଏକ ଅଜଣା ଅନ୍ତରାଳରେ.....
ଆଖି ଆଜି ଭିଜିଯାଏ ବିରହ ଉଷ୍ମ ଆବରଣରେ
ଜଳିଯାଏ ସବୁ ଲାଳସା ପ୍ରୀତିର ସ୍ବର୍ଣ୍ଣଲଙ୍କାରେ,
ତଥାପି ହାରେନା ପ୍ରଣୟୀର ମନ
ସ୍ବପ୍ନର ର ଅନୂଢା ଉଚ୍ଛ୍ବାସରେ,
ମୁଁ ହଜାଇବସେ ସବୁକିଛି
ହୃଦୟର ଗୋପନ ଗହନରେ.....-
ସିଂହଦ୍ଵାରେ ତୋର ବାଟକୁ ଚାହିଁଛି
ହାତରେ ଧରିଛି ତୁଳସୀ,
ପତିତପାବନ ବାନା ଉଡାଉଛୁ
ଅଭଡା ସଭିଙ୍କୁ ପରସି ।
ରତନ ବେଦୀର ଚାନ୍ଦୁଆ ଛାୟାରେ
ବସିଛୁ ଶ୍ରୀଭୁଜ ମେଲାଇ,
କାହିଁକି ଯନ୍ତ୍ରଣା ଦେଉଛୁ ଧନରେ
ପାଦକୁ ମୋହର ଜଳାଇ ।
ଷାଠିଏ ପଉଟି ଖିଆ ମୋ ଠାକୁର
ଖୁଦଜାଉ ପୋଷେ ଆଣିଛି,
ସବୁ ଫିଙ୍ଗିଦେଲେ ତୋହରି ପଣ୍ଡାଏ
ବାଇସି ପାହାଚେ କାନ୍ଦୁଛି ।
କେତେ ଶରଧାରେ ପଦୁଅଁ ମାଳଟେ
ଗୁନ୍ଥି ଆଣିଥିଲି କାଳିଆ,
ଲାଗିଲାନି କାହିଁ ତୋ ଅଙ୍ଗ ଅଧରେ
ଦୁଃଖ ଦେଲୁ ମତେ ଛଳିଆ ।
ତଥାପି ଋଷିନି ମୋ ନୀଳମଣିରେ
ପାଇବାକୁ ତତେ ସପନ,
କୋଳେଇ ନେଏ ତୋ କରୁଣା ସାଗରେ
ଦେଖିବାକୁ ଚକାନୟନ ।-
ଏ ପ୍ରକୃତି
ଆଜି ଆବୋରି ବସିଛି
ତା ରୂପର ଓଢ଼ଣୀ
ଅବଗୁଣ୍ଠିତ ଅଳସୀର
ଆଳସ୍ୟରେ ମତୁଆଲା ଏଇ ଧରଣୀ
ଲହଲହ ସ୍ବର୍ଣ୍ଣିମ ଢେଉରେ
ଦଳଦଳ ଉଡନ୍ତି ପତଙ୍ଗିକା
ଦେଖିବାକୁ ପହିଲି ଶୀତର ଉଜାଣି ।-
ନବୀନ ଉଲ୍ଲାସ ତା ରୂପ କାନ୍ତିରେ
ଲାବଣ୍ଯ ଭରା ତା ଚେହେରା,
ଉଜୁଡା କେଶରେ ଉଛୁଳେ ଯୈାବନ
ହସରେ ମାଧୁର୍ଯ୍ୟ ପସରା ।
ଅଳସୀ ନଇର ସରୁଆ ଧାର ସେ
ହରିଣୀ ନୟନ ଚାହାଣୀ,
ଓଠରୁ ଝରଇ ମଧୁର ଜୋଛନା
ଲାଜେଇ ଯାଉଛି ତରୁଣୀ ।
ପ୍ରୀତି ପାନ୍ଥଶାଳା ହୃଦୟେ ଗଢୁଛି
ପାଗଳ ହେଉଛି ରସିକ,
ବିଭାବରୀ ଏଠି କ୍ଷଣେ ନଇଁଯାଏ
ଲାଜେଇ ଯାଉଛି ଅଳିକ ।
ରୂପର କବରୀ ରୂପସୀ ନାଇଛି
ପଲକ ଉଠାଇ ଚାହୁଁଛି,
ପ୍ରଣୟ ବେଳାରେ କରିଛି ଅପେକ୍ଷା
ଗୋଲାପ ଲୁଚାଇ ଧରିଛି ।-
ତପନ ବୁଡୁଛି ପଶ୍ଚିମ ଆକାଶେ
ଭୂବନ ବିସ୍ତାରେ ଅନ୍ଧାର,
ଲୁଚିଛି ବନାନୀ ବିଦୂର ପର୍ବତ
ଅଦୃଶ୍ଯ ବିଜନ ପ୍ରାନ୍ତର।
ବାହୁଡି ଆସନ୍ତି ବିହଙ୍ଗ ସାରସ
ଶୁଭୁଛି ମଧୁର କାକଳି,
ଶାଗୁଆ ତରୁର କୁଆଁରୀ ବଦନେ
ଫୁଟିଛି ତରୁଣୀ ଶେଫାଳି।
ସ୍ବର୍ଗୀୟ ସୁଷମା ତୋ ମୁଖ ମଣ୍ଡଳେ
ଦିଶଇ କେତେଯେ ମଞ୍ଜୁଳ,
ଅଜସ୍ର ମହିମା ତୋ ରୂପ କାନ୍ତିରେ
ସୁନ୍ଦର ବଦନ କୋମଳ।
ଗେରୁଆ ନାଡରେ ମାଦକ ମହକ
ପାଗଳ ହୁଅଇ ରସିକ,
ହସୁଛି ଅଳପ ତୋହରି ନିଶାରେ
କିମିଆଁ କରୁଛି କ୍ଷଣିକ।
ଜୀବନ ଅବଧି ପାହାନ୍ତା ପ୍ରହର
ନଶ୍ବର ତାହାର ଶରୀର,
ଇଶ୍ବର ସେବାରେ ସମର୍ପି ନିଜକୁ
ଶିଉଳି ଶେଯକୁ ନିଜର।-