ନୀରବରେ ବସିଥିଲି ଦିନେ
ଅଳସି ନଦୀ କୂଳରେ
ଏକାକୀ ସନ୍ଧ୍ୟା ବେଳରେ,
ଭାବୁଥିଲି ଉଡି ଯାଆନ୍ତିକି କୋଉଦିନ
ସୁଦୂର ଆକାଶକୁ ଚିରି
ପକ୍ଷୀଟିଏ ପରି ll
ହଜେଇ ଦିଅନ୍ତି ସବୁକିଛି
ଯାହା ମୋ ପାଖରେ ଅଛି
ସମ୍ପର୍କ, ସଂଘର୍ଷ, ଦିଗ,ବେଗ
ଆଉ ତା ସାଙ୍ଗକୁ ଭାବନା, ଆବେଗ,
ପ୍ରତିବିମ୍ବ ସାଜନ୍ତା ଆଖିରେ ମୋ
ଦୂର ଦିଗବଳୟର ରଙ୍ଗ ll
ସବୁ କି ସମ୍ଭବ ହୁଏ
ଯାହା ଏ ମଣିଷ ଚାହେଁ
ଖାଲି ଯାହା କଳ୍ପନାଟା
କଳ୍ପନାରେ ରହିଯାଏ,
ସେଦିନର ସନ୍ଧ୍ୟାଟା ବି
ବିତିଗଲା ଚାହିଁ ଚାହିଁ,
ଦୂରଦେଶେ ଉଡ଼ିଗଲି
ପକ୍ଷୀଟିଏ ର ମନ ନେଇ ll-
ନିରୋଳାରେ ଅତୀତକୁ ସାଉଁଟିଲେ
ଆଜିବି କିଛି ହଜିଗଲା ଭଳି ଲାଗେ
ସବୁଦିନ ଭଳି ll
ନିଶବ୍ଦ ଶୀତୁଆ ରାତିରେ
ଜହ୍ନ ଜୋଛନା ସାଥିରେ
ଅସରା ପଂକ୍ତି ସରିବାର ପ୍ରୟାସ,
ପ୍ରତୀକ୍ଷା ପରଶରେ
ଅସରା ସଂଘର୍ଷରେ
କେହି ଜଣକର ଅତୁଟ ବିଶ୍ୱାସ,
ମନ ତଳର କୋହକୁ ଲୁଚେଇ
ଓଠରେ ମିଛ ହସ,
ଢେର ଦିନରୁ ଦେଖା ହେବାପାଇଁ
ଆଖିର ଅସୀମ ଶୋଷ
ସବୁକିଛି ପୁରୁଣା ସ୍ମୃତି ଜାଗେ,
ନିରୋଳାରେ ଅତୀତକୁ ସାଉଁଟିଲେ
ଆଜିବି କିଛି ହଜିଗଲା ଭଳି ଲାଗେ ll
ଆଜିବି କବିତା ଝରେ
ଯେବେ ସେଇ ସ୍ମୃତି ଝୁରେ
ଖାଲି ବଦଳା ସମୟରେ
ଅନୁଭୂତି ସବୁ ଅଭିଜ୍ଞତା ହେବାପରେ,
କେବେ କେବେ ସନ୍ଧ୍ୟା ବେଳାଟାରେ
ଗଲାଦିନ ଛବି ଜାଗେ,
ନିରୋଳାରେ ଅତୀତକୁ ସାଉଁଟିଲେ
ଆଜିବି କିଛି ହଜିଗଲା ଭଳି ଲାଗେ ll-
ବର୍ଷା ହେଲେ ବର୍ଷ ବର୍ଷର
ପ୍ରତୀକ୍ଷା କଥା ମନେପଡେ
ବର୍ଷା ହେଲେ ମୋ ଡାଏରୀଟା
କଲମକୁ ଆଲିଙ୍ଗନ କରେ,
ବର୍ଷା ହେଲେ ପାଣି ଭଳି
ସ୍ମୃତିର ସ୍ୟାହି ବି ଝରିପଡ଼େ
ବର୍ଷା ହେଲେ ମନ ଆକାଶରେ
ତୁମେ ଆସ ବିଜୁଳି ରୂପରେ ll
ତୁମପାଇଁ ଅଧାଲେଖା ଚିଠି
ଇତି ଅପେକ୍ଷାରେ ଝୁରି ମରେ
ବୋଉକୁ ଲୁଚେଇ କାଗଜ ଡ଼ଙ୍ଗା
ଭାସିଯାଏ ବିନା ଠିକଣାରେ,
ସବୁଥର ପରି ଏଥର ବର୍ଷା ବି
ଦେହରେ ମୋ ଶିହରଣ ତୋଳେ
କାଳେ ତୁମେ ଛୁଇଁ ଚାଲିଗଲ
ମୋ କୋଠରୀ ଆଲୋକ ସାଥିରେ ll
ମିଞ୍ଜିମିଞ୍ଜି ଦୀପ ଆଲୁଅରେ
ଯେତେଥର ବହି ପଢିବାକୁ ଧରେ
ରିମିଝିମି ବରଷାର ସ୍ୱର
ତୁମ ପାଉଜି ଛବି ମୋ ମନେ ଭରେ,
ବର୍ଷା ହେଲେ ବର୍ଷ ବର୍ଷର
ପ୍ରତୀକ୍ଷା କଥା ମନେପଡେ
ବର୍ଷା ହେଲେ ମୋ ଡାଏରୀଟା
କଲମକୁ ଆଲିଙ୍ଗନ କରେ ll-
ସୁଷୁପ୍ତି ଭରା ନୀରବ ରାତି ଭଳି
ଅନେକ କଥା ଅକୁହା ରହିଯାଏ
ଏମିତି ହିଁ,
କିଛିବି କାରଣଟେ ନଥାଇ,
କେବେ କେବେ ତମାମ ଅନିଦ୍ରା
ପାହାନ୍ତା ଆଲୁଅରେ ବୋହିଯାଏ
ଆପଣା ଇଚ୍ଛାରେ
ବିଦାୟ ବି ନନେଇ,
ଠିକ କିଛି ସମ୍ପର୍କ ଭଳି
ନା ବୁଝି ହୁଏ ନା ବୁଝେଇ ହୁଏ
ଖାଲି ଯାହା ଜଳିବାକୁ ହୁଏ
ମତୁଆଲା କୀଟଟିଏ ହେଇ ll
ଶିରୋନାମା ର ଅଭାବ
ଠିକ ଭୁଲର ମୀମାଂସାରେ
ବଞ୍ଚିବାକୁ ଖୋରାକ ଖୋଜୁଥିବା
ନିରୀହ ବିବେକଟା ପାଇଁ,
ଅର୍ଥହୀନତାର ଭିଡ଼ ଭିତରେ
ଜୋର କରି ମିଶିବାକୁ
ବାଧ୍ୟ ହେଇଯାଏ ବିବଶ ପରିଚୟ
ଏକୁଟିଆ ହଜିବାର ଭୟ ଥାଇ,
ସୁଷୁପ୍ତି ଭରା ନୀରବ ରାତି ଭଳି
ଅନେକ କଥା ଅକୁହା ରହିଯାଏ
ଏମିତି ହିଁ,
କିଛିବି କାରଣଟେ ନଥାଇ ll-
କଲମ,
ମୋ ଜୀବନ ବାଟର
ନିସର୍ତ୍ତ ସହଚର ଟିଏ,
ବାଟର ସବୁ ଝଡ଼ ଝଞ୍ଜା
ଫୁଲର ମହକ ଆଉ
କଣ୍ଟାର ବାଧା,
ମୋ ସହିତ ହସି ସାହିଯାଏ
କଲମ,
ମୋ ଜୀବନ ବାଟର
ନିସର୍ତ୍ତ ସହଚର ଟିଏ ll
ମୁଁ ହାରେ, ମୁଁ ଝୁରେ
ସମ୍ମାନ ଆଉ ସଂଘର୍ଷ ଭିତରେ
ନିତି ଅହରହ ମରେ,
କିନ୍ତୁ ମରେନା ମୋ ପ୍ରୟାସ
ସରେନା କଦାପି ବିଶ୍ୱାସ,
ଝାପ୍ସା ଜୀବନଟା କାଗଜରେ ଆଙ୍କି
ଅଭୁଲା ସେଇ
ସ୍ମୃତି ସବୁକୁ ସେ
ଚୀର ଅମର କରେ,
ଏମିତିହିଁ ସବୁଦିନ
ଶବଦରେ ଭରି ମନ
ବିଜୟ ଗୀତି ଗାଏ,
କଲମ
ମୋ ଜୀବନ ବାଟର
ନିସର୍ତ୍ତ ସହଚର ଟିଏ ll-
ଶୂନ୍ୟତାର ଭାଷା ଦେଇ
ନୀରବ ଶବ୍ଦ ସଜେଇ
କେବେ କେବେ ଲେଖି ହେଇଯାଏ ତୁମକଥା
ମୋ ଅଜାଣତରେ,
ପହିଲି ଆଷାଢ଼ରେ
ଭିଜା ମାଟିର ବାସ୍ନା ଆଉ
ଦରମେଘା ଆକାଶ
ସବୁବେଳେ ଲେଖିବାକୁ କହିବ
ତାହା ତ ସମ୍ଭବ ନୁହେଁ!!!
କେଜାଣି କେମିତି
ସେଇ କେଇଟା ମୁହୂର୍ତ୍ତ ପାଇଁ
ନିରବୀ ଯାଏ ପୃଥିବୀ,
ଆଉ ତା ସାଙ୍ଗରେ
ଶାନ୍ତ ହେଇଯାଏ
ମନର ସବୁ କୋଳାହଳ,
ଖାଲିଯାହା ଜାଗ୍ରତ ଥାଏ
ତୁମ ଛବି,
ଆଉ ସବୁ ଥାଇ ବି ନଥାଏ ll
ବୋଧହୁଏ ବେକାବୁ
ମୋ କଲମଟା
ଏମିତି ଚଗଲାମୀ କରେ,
କିନ୍ତୁ
ଆଉ କାହାପାଇଁ ସେମିତିତ ହୁଏନାହିଁ,
ଝାପ୍ସା ଜୀବନଟା ଚଞ୍ଚଳ ହୁଏନାହିଁ
କିବା ଚଞ୍ଚଳ ଜୀବନ
ସ୍ଥାଣୁତାକୁ ଛୁଏଁ ନାହିଁ,
ଏତେ ଆନମନା
ବସନ୍ତ ବି କରି ପାରେନା
ଯେତିକି ଭାବନା ତୁମର କରେ ll-
ଚାରିଆଡେ ଧୂଆଁ ଧୂଆଁ
ଜଳନ୍ତା ସଭ୍ୟତା ନିଆଁରେ
ବିକାଶ ଜଳୁଛି ଅହରହ,
ବିବେକର ଆହୁତି ଦେଇ
ଆଉ
ଇତିହାସରେ ଶେଷପୃଷ୍ଠା ଯୋଡ଼ିଦେଇ ll
ସମ୍ଭାବନା ସବୁକୁ
ହତ୍ୟା କରିଦେବା ପରେ,
ଗଳାରୁଦ୍ଧ କରି
ସମୟ ସାରିଦେବା ପରେ,
ଶାନ୍ତି ପାସୋରି
ଛଦ୍ମବେଶି ବିଚରା ସମାଜଟା
ଶାନ୍ତି ଖୋଜିବାର ଅଭିନୟ କରେ,
ଅମୃତ ସନ୍ତାନ ଆଜି
ଆପଣା ହାତରେ ମରଣ ବରେ ll
ଏଠି ଯୁଦ୍ଧ ରାଷ୍ଟ୍ର ନୁହେଁ ରାସ୍ତାର ବିଷୟ
ବ୍ୟକ୍ତି, କୋଠା, ଘର ଗଳି
ସବୁ ବାସେ ବିଲୟ ବିଲୟ,
ବୋଧହୁଏ ସମୟ ବି ଚାହେଁ
ସବୁ ଅନ୍ତ ହେଇଯାଉ,
ଆଉ ପୁଣି
ଏ ଅନ୍ତ କେବେ ଆରମ୍ଭ ନହେଉ!!!!-
ସ୍ୱପ୍ନା :-
--------
ତୁମେ ଆସ ସବୁଦିନ
ମୋ ସୁଷୁପ୍ତି ଆଉ ଜାଗ୍ରତ ରାତିର
ଏକ ସନ୍ଧି ବେଳାରେ,
ନିରୀହ ସ୍ୱଳ୍ପ କ୍ଷମତାଶାଳୀ
ମୋ ବେଡ଼ ଲାଇଟ ର ଝାପ୍ସା ଆଲୁଅରେ
ସବୁବେଳେ ଆଉ ଅବେଳରେ ll
ସକାଳ ଛୁଇଁବାର ଯୋଜନା
ନିର୍ଣ୍ଣାୟକ ହେବା ଆଗରୁ
ସିନ୍ଦୁରା ଫାଟିବା ଇସାରାକୁ ଦେଖି,
ପୁଣି ହଜିଯାଅ
କେଜାଣି କୋଉ ଦିଗକୁ
ମୁଁ ତ ଜାଣି ପାରେନା,
ଖାଲି ଯାହା ତଳେ ପଡ଼ିଥିବା
ତୁମ ପାଦର ଝୁମୁକା କହିଦିଏ
କାଳେ ତୁମେ ଆସିଥଲ ବୋଲି!!!
ତାପରେ ସ୍ବପ୍ନ ଅପସରି ଯାଏ
ନିଷ୍ଠୁର ରାତିର କାରା ଭେଦ କରି,
ଆଉ ରହିଯାଏ ମୁଠା ମୁଠା ସ୍ମୃତି
ଆଉ ଖୋଲା ଆଖିର ପ୍ରତୀକ୍ଷା
ଏମିତି ହିଁ ସବୁଦିନ ପରି ll-
ତୁମ ଦୁଃଖ ବାଦଲରେ
ଏମିତି ହିଁ ନିସର୍ତ୍ତରେ
ଲୁହର ଝରଣା ଝରାଏ ଯିଏ,
ନିଜକୁ ଭୁଲି
ତୁମରି ଭିତରେ ହଜିଯାଏ,
ଦୁନିଆ ପାଇଁ
ହେଇପାରେ ସେ ମଣିଷ ସତ,
ତୁମପାଇଁ ସେ
ଦେବଦୁତ ଠାରୁ କମ ନୁହେଁ ll-
ପ୍ରହଳିକା ପରସ୍ତ ସବୁକୁ
ଶବ୍ଦର ପ୍ରଲେପ ବୋଳିଦେଇ
ସଜେଇ ଦେବାକୁ ହେବ
ବିରାମ ଚି଼ହ୍ନର ଆଶୀର୍ବାଦ ନେଇ,
ତାପରେ ଉଠିବ ଭାବନା ଜୁଆର
ଆଉ ସାଥେ ତାଳଦେଇ
କବିତାର ବନ୍ୟା
ଆପଣାକୁ ଦେବାକୁ ହଜେଇ ll-