ବେଳବେଳେ,
ରାତି ଅନ୍ଧାରର ଗଭୀରତାରେ
ବନ୍ଧା ପଡେ ତାରାର ଚମକ,
ସ୍ବପ୍ନ ବିନା ଦୁନିଆରେ ବଂଚିବା ବି
ଭିନ୍ନ ଏକ ରୋମାଞ୍ଚ ।-
ପଛ ପଟ କବାଟ ଖୋଲି
ସ୍ଵପ୍ନ ସବୁ ଏବେ ଟିକସ ମୁକ୍ତ ଇଲାକାରେ,
ଆସିବ ଯଦି ବୁଲାଇ ଆଣିବି
ମୋ କବିତାର ଫାର୍ମ ହାଉସ୍ ଆଡେ,
ପରସି ଦେବି ଗଜଲ୍ ର ଜଲ୍-ଜୀରା
ରାତିର ବୋନ-ଫାୟାର ପରେ ।
ଝଡ ସହ ଧସ୍ତା-ଧସ୍ତି ନାହିଁ ଆଉ,
ନୀରବତାର ପରଫ୍ୟୁମ୍ ପକାଇ ଘରୁ ବାହାରେ,
ହସକୁ ଗଣ୍ଠିଲି କରି ଦୁଃଖ ସହ ଖେଲେ ଟଗ୍-ଅଫ-ୱାର,
ହାରେ! ହାରିଲେ ଶାସ୍ତି ନାହିଁ ଏଠି,
ଜିତିବାର ମୋହ ନାହିଁ ଯେମତି ।
-
ରାଗିଗଲେ ସେ,
କଷି ଚାଲେ ପ୍ରେମର ଗଣିତ
ଫେଡ଼ି ହେଇଯାଏ
ଲୁହର ଶ୍ରାବଣ ମାସ,
ଯୋଡି ହେଇଯାଏ
ଫଗୁଣର ଅଭିମାନୀ ବେଶ।
ମନ ଖୋଲି ହରିନିଏ
ଯେତେସବୁ ଅଣଦେଖା ଅତୀତ,
ଛିଡି ନ ପାରି ଭାଗଶେଷ ରହିଯାଏ ଯାହା
ପ୍ରେମର ପ୍ରୀତିଭରା ସ୍ପର୍ଶ ।-
ସ୍ମୃତିର ବୋନ୍ ଫାୟାର
ସ୍ମୃତି ଜଳେ ଆଉ ଜାଳେ ବି !
ଦରପୋଡା ଜୀବନଟା
ଆଉ ଟିକେ ପୋଡିଯିବା
କୋଉ ବା ଅମୁହାଁ କଥା !
ସେଇ ବାହାନାରେ ହିଁ
କ୍ଷତଗୁଡା ପାଇବେ
ହାଡଭଙ୍ଗା ଶେକ,
ଡାଏରୀ ଛାତିରୁ ମୁକ୍ତ ହେବେ
ଧକ୍ ଧକ୍ ଚୁମ୍ବନ ସବୁ,
ଆଉ ଶୁଖିଲା ଗୋଲାପଗୁଡା ବାହାରିବେ
ନିର୍ବାଣର ରାସ୍ତାରେ ।
କେଇଦିନର ଯେତେସବୁ ନିର୍ବାସିତ ଆଶ୍ଵାସନା
ଉଡିଯିବେ ନିରାଶାର ଆକାଶରୁ
ସବୁ ଜହ୍ନ, ତାରର କବିତା
ହେବେ ମାଟି ମୁହାଁ ।
ପ୍ରତିଶ୍ରୁତିଗୁଡାକର ଟିନ୍ ଏଜ୍ ଟକ୍ ଶୁଣି
ପୁଣିଥରେ ମୁଁ ମୁରୁକି ହସିବି
ତୋ ବିନା ମୁଁ
ମୋ ବିନା ତୁ’ର ପ୍ରଶ୍ନଚିହ୍ନ ଉପରେ
ସମୟ ଲେଖିଦେଇଥିବ ମନବୁଝା ଉତ୍ତର
ତୁ ଯେମିତି ବୁଝିଯାଇ ବିନଦାସ୍ ଥିବୁ
ମୁଁ ସେମିତି ନିଜକୁ ବୁଝାଇ ମସଗୁଲ ଥିବି
ଏକ ସମାନ୍ତରଳ ପୃଥିବୀରେ ।-
ଅଧା ପାହାଡ, ଅଧା ସାଗର
ପାହାଡ ଓ ସାଗର ମଧ୍ୟରେ
ମୁଁ ଫସି ଯାଇଥିବା ଜମିଟାଏ,
ମୁଣ୍ଡରେ ପାହାଡର ଆକାଂକ୍ଷା ନେଇ
ପାଦରେ ସାଗରର ସ୍ପର୍ଶ ଲୋଡୁଥାଏ ।
ସେପାଖେ ସବୁକିଛି ପାଇ
ସଭିଙ୍କଠୁ ଅପହଞ୍ଚ,
ଏପାଖେ ସବୁକିଛି ହାରିଦେଇ
ଗୋଟା ପଣେ ସମର୍ପିତ ।
ସେପାଖେ ଉଚ୍ଚତାର ଅସହଜ ଆଭିଜାତ୍ୟ
ଏପାଖେ ଗଭୀରତାର ବିନମ୍ର ପ୍ରାପ୍ୟ,
ସେପାଖେ ଅସାଧାରଣତାର ଅଭିପ୍ସା
ଏପାଖେ ମାମୁଲିପଣର ନିର୍ବାପିତ ଆଶା ।
ସେପାଖେ ଭିନ୍ନ ହେବାର ଆଲୋଡନ
ଏପାଖେ ଏକ ହେବାର ସମର୍ପଣ,
ଉଚ୍ଚତା ଓ ଗଭୀରତା ମଧ୍ୟେ
ଏକ ଦୋଳାୟମାନ ଜୀବନ ।
ପାହାଡ ଓ ସାଗର ମଧ୍ୟରେ
ମୁଁ ଫସି ଯାଇଥିବା ଜମିଟାଏ,
ମୁଣ୍ଡରେ ପାହାଡର ଆକାଂକ୍ଷା ନେଇ
ପାଦରେ ସାଗରର ସ୍ପର୍ଶ ଲୋଡୁଥାଏ ।
-
ମୋ ଆଖିର ଗହ୍ଵରରେ
ତୋ ସ୍ମୃତିର ଗନ୍ତାଘର,
ପ୍ରତି ରାତିରେ ଜକେଇ ଆସେ
ଉବରର ଫ୍ରି ରାଇଡ୍ ରେ ।
“ଆଠ ମିନଟ୍ ର ଡେଲିଭେରୀ” ଦୁନିଆରେ ବି
ରହିଯାଇଛି ଆଠ ବର୍ଷର ପୁରୁଣା ଚିଠି,
ଅପ୍ରାପ୍ତ ପ୍ରେମକୁ ଠିକଣାରେ ପହଞ୍ଚାଇବା ପାଇଁ
ପ୍ରେମର ଷ୍ଟାଟ ଅପ୍ ଫଣ୍ଡିଙ୍ଗ ବି ସବୁ ଅମୁହାଁ
Tinder, bumble ଆଡେ।
ପ୍ରେମ ଆଜି ନିର୍ବାସିତ ହୃଦୟର କଳାପାଣିରେ ,
ଚିଠି ଆଜି ଅଭିଶପ୍ତ, ମ୍ୟୁଜିୟମର କ୍ଲାସିକ ପିସ୍ ଟିଏ।
-
ହେ ଈଶ୍ୱର!
ତୁମ ଆଉ ମୋ ମଧ୍ୟେ,
କିଛି ଖାସ୍ ତଫାତ୍ ନାହିଁ।
ଖାଲି ଯାହା ଗୋଟେ ଶେଷ ଥର ପାପ କରିବା ଆଳରେ,
ମୁଁ ମଣିଷ ହେଇ ରହିଯାଏ ପ୍ରତିଟିଥର ।-
कुछ लम्हे और सबर करलो,
कुछ देर की ही बात है,
फिर रात होगी, फिर सितारें चमकेंगे।-
ମୁଁ ମେଳାରେ ଖର୍ଚ୍ଚ ହେଇଯାଉଥିବା ରାତି,
ତୁ ପକେଟ ରେ ଆସୁ ନଥିବା ସ୍ୱପ୍ନ ।
ମୁଁ ବେଝିଝକ ଭିଜାଉଥିବା ମେଘ,
ତୁ କୋଉ ପତ୍ର ତଳେ ଅଭିଜା ଟେଳାଏ ଅବଶୋଷ।-
ପ୍ରିୟମ୍ବଦା!
ବସନ୍ତ ର ଚଦର ଘୋଡେଇ
ଶୀତ ର ବୋନ ଫାୟାର,
ଘଡ଼ିଏ ଗ୍ରୀଷ୍ମ ଲେଉଟି ଆସିବ ଯେ ସତେ!-