ll ହିମାଗ୍ନି ll
କେତେଯେ କହିଲେ
ସସାଗର ଧରା ଜଳିବ ନିଆଁରେ
କେତେକ କହିଲେ ସାରିବ ତୁଷାରପାତ
ଯେତେକ କହିଲେ ନିଆଁ ଗିଳିଦେବ ସମଗ୍ର ଦୁନିଆଁ
ସେମାନଙ୍କ ସହ ସମ୍ପୂର୍ଣ୍ଣ ମୁଁ ସହମତ।
କାମନା ନିଆଁରେ ଜଳୁଛି ମୁଁ ନିଜେ
ଜଳୁଛି ଦୁନିଆଁ ଲିଭିବାର ନାଆଁ ନାହିଁ
ଦୁଇ ନିଆଁ ଏଇ ଦୁନିଆଁ କେବଳ
ନିଆଁରେ ଜଳିବ ଜୁଇ ll
ଆଉ ଥରେ ଯଦି ଧ୍ବଂସ ବିରଚେ ଶ୍ୟାମଳ ପୃଥିବୀ
ମୋ ଭିତରେ ଅଛି ଘୃଣା ଅହଂକାର
ତୁଷାର ପର୍ବତ ମାଳା
ହିମଶୀତଳ ଏ ଘୃଣାର ଜୀବନ
ପୁନଃ ରଚିପାରେ ମରଣର ଲୀଳା ଖେଳାll
ମୂଳ ଇଂରାଜୀ କବିତା:Fire &Ice @Robert Lee Frost.-
ରାତି ସରେ ରତି ସରେ
ଦେହ ମରେ ମନ ମରେ କଥା ସରେ
ଫୁଲଗଛ ମରିଯାଏ ପ୍ରେମ ମରେ ନାଇଁ
ଜୀବନଠୁ ଊର୍ଜସ୍ବଳ
ସଂପ୍ରୀତିର ଆୟୁଷ୍କାଳ
ତୁମସହ ଭେଟଲାଗି ପ୍ରୀତିସ୍ପଦା
ଗୋଟିଏ ଜୀବନକାଳ ଯଥେଷ୍ଟ ନୁହଇଁ।।
( କବିତା କଣିକା : ଶଙ୍କର୍ଷଣ ପରିଡା )-
ll ନୂଆବର୍ଷ ll
ଏକାକଥା ଜନ୍ମ ମୃତ୍ୟୁ
ଯମଜ ଚମକ
ଏକା କଥା ପ୍ରବେଶ ପ୍ରସ୍ଥାନ
ଜୀବନ ଓ ମରଣର
ସ୍ନିଗ୍ଧ ସନ୍ଧିକ୍ଷଣ
ମହାକାଳ ମୁହାଣରେ
ସମୟ ଖଣ୍ଡର ମୃତ୍ୟୁ
ଆଲୋକିତ ଅନ୍ଧାରରେ
ବିଦାୟ ଓ ସ୍ୱାଗତର ଦୃପ୍ତ ପାଦଚିହ୍ନ
ନୂଆବର୍ଷ ସମୟର ଶୁଭ ଜନ୍ମଦିନ।।-
ହସି ହସି କାନ୍ଦୁ ଥାଏ
କାନ୍ଦି କାନ୍ଦି ହସୁଥାଏ
ହେ ପ୍ରିୟ ସ୍ତାବକ ମୋର
ଦଂଶିତ ଦର୍ଶକ,ଛଳ ଛଦ୍ରମୀର
ତୁମରି ସେ ଉତ୍କଣ୍ଠା ଟିକକ ଲାଗି
ଥମି ଥମି ଶୁଭୁଥାଏ
ଶୁଭୁ ଶୁଭୁ ଥମିଯାଏ
ମୋ ଆତ୍ମାର ବୈକଲ୍ୟ ଉଚ୍ଚାଟ।।
( କବିତା କଣିକା : ଶଙ୍କର୍ଷଣ ପରିଡା )
-
llପୂର୍ବରାଗ ll
ମଉସୁମୀ ଅଧିବାସ
ତଥାପି ଫୁଟୁଛି
କୃଷ୍ଣଚୁଡା଼ର ହସ
ତଥାପି ଛୁଟୁଛି
ଝରା ଶେଫାଳୀର ବାସ
ଲିଭି ବି ଲିଭୁନି
ଇନ୍ଦ୍ରଧନୁର ବିଭୋର ବର୍ଣ୍ଣବିଭା
ମଗ୍ନବିଭୋର ମଂଦ୍ରମଧୁର ରାସ।।
(କବିତା କଣିକା : ଶଙ୍କର୍ଷଣ ପରିଡା)-
ଦେହ ଦେଉଳେ
ଆତ୍ମାଥାଇ
ମଣିଷ ଚିନ୍ତି ନପାରଇ
ଆତ୍ମା ନିର୍ଗୁଣ ନିରଞ୍ଜନ
ଆତ୍ମଚିନ୍ତନେ ଥାଉ ମନ ll
(କବିତା କଣିକା:ଶଙ୍କର୍ଷଣ ପରିଡ଼ା)-
ll ମେଘବର୍ଣା ll
ବଉଦ ଓଢଣୀ ତଳେ
ମେଘମେଦୁର ତୁମର
ପାଉଁଶିଆ ମୁହଁ l
ଝଡ଼ପୂର୍ବ ନିସ୍ତବ୍ଧତା ପ୍ରାୟେ
ଖୁବ୍ ଉଦାସ ଗମ୍ଭୀର
ଏବେକ'ଣ ଝରିଯିବ
ପ୍ରିୟତମା ମନ ଖୋଲି କୁହ।।
(କବିତା କଣିକା:ଶଙ୍କର୍ଷଣ ପରିଡ଼ା)-
ଭୋକ ଭୟ ଏବଂ
ଭୂତାଣୁଙ୍କ ବିରୁଦ୍ଧରେ
ମଣିଷର ନିରନ୍ତର ଜୈତ୍ରଯାତ୍ରା
ଚଉପାଶ ଛୁଇଁ ଜାରିଥାଉ
ହସର ଝରଣ
ପଳାତକ ମହାମୃତ୍ୟୁ
ସୁଖଙ୍କର ବିନାଶ କାରଣ।।
(କବିତା କଣିକା : ଶଙ୍କର୍ଷଣ ପରିଡା)-
କଣ୍ଟକିତ ଏ ଶାଖା ପ୍ରଶାଖାକୁ
ଡର ନାହିଁ ଅଗୋ ପ୍ରିୟା
କମ୍ର କୋମଳ ମନ୍ଦ୍ର ମଧୁର
ଫୁଲର ଫସଲ ଉତ୍ତାରି ଦେବାକୁ
କାଳ କାଳ ପାଇଁ କ୍ରୁଶବିଦ୍ଧ ମୋ ହିଆ।।
( କବିତା କଣିକା : ଶଙ୍କର୍ଷଣ ପରିଡା )-
ଶବ୍ଦମାନେ ସଜବାଜ
ଗୀତହେଇ ଝୁଲିବାକୁ
ରଜର ଦୋଳିରେ
ରଜସ୍ୱଳା ପୃଥିବୀର
ପ୍ରୀତିସ୍ପଦ ପହିଲି ଲଗ୍ନରେ।।
(କବିତା କଣିକା:ଶଙ୍କର୍ଷଣ ପରିଡ଼ା)-