ତୁ "ମୋର ମୋର" କହି ତୋ ଅଧିକାର ରେ ମତେ ଭଲପାଇ ଚାଲୁ
ଆଉ ମୁଁ ସ୍ଵାର୍ଥପର,
ତୋ ଭଲପାଇବାକୁ ଅଣଦେଖା କରି,ତୋ ଠୁ ମୃଗତୃଷ୍ଣା ର ମରୀଚିକା ପରି ଆଖି ପିଛୁଳାକେ ଉଭେଇ ଚାଲେ
ତୁ ମତେ ତୋ ପ୍ରେମ ପଞ୍ଜୁରୀରେ ବନ୍ଦୀ ରଖିବାକୁ ଚାହୁଁ
ହେଲେ ମୁଁ ଯେ ମୁକ୍ତ ଆକାଶର ବିହଙ୍ଗ....
ସ୍ବାଧିନ ପିପାସୀ ସ୍ଵାର୍ଥପର ଟିଏ ମୁଁ...
ଏବେ କହ କେମିତି ବା ତୋର ହେଇ ତୋ ଠି ରହିବି !
ତୁ ତ ମତେ ସବୁଦିନ ପାଇଁ ତୋର କରି, ତୋ ବନ୍ଧନରେ ବାନ୍ଧି ରଖିବାକୁ ଚାହୁଁଚୁ...
ହେଲେ ଗୋଟେ କଥା କହିଲୁ ମତେ,
ବାନ୍ଧି ପାରେ କି ରାତି ପୂର୍ଣ୍ଣିମା ଜହ୍ନକୁ ??
-
ସାହିତ୍ୟ ପ୍ରେମୀ ଶୁଚିସ୍ମିତା
~~~~~~~~~~~~~~~~
ସାହିତ୍ୟ ତାଙ୍କ ଧମନୀରେ ବହେ,ଶିରା,ପ୍ରଶିରାରେ,ପ୍ରତି ରକ୍ତବିନ୍ଦୁରେ ବହେ ,ଅମ୍ଳଜାନ ହେଇ ପ୍ରଶ୍ଵାସରେ ପ୍ରବାହିତ ହୁଏ ଏବଂ ମସ୍ତିଷ୍କରେ ଜୀବନ ଓ ସମୟ ପ୍ରତି ସକରାତ୍ମକ ଓ ସଚେତନତାର ସିଙ୍ଗନାଲ୍ ହେଇ ଅହରହ କାର୍ଯ୍ୟରତ ଥାଏ।
ସାହିତ୍ୟ ପ୍ରେମର ପର୍ଫ୍ୟୁମ୍ ରେ ସଦା ସାହିତ୍ୟ ସାହିତ୍ୟ ବାସୁଥାନ୍ତି ସାହିତ୍ୟ ପ୍ରେମୀ ଶୁଚିସ୍ମିତା। ତାଙ୍କ ସାହିତ୍ୟ ପ୍ରେମ ଦେଖିଲେ ସତରେ ଲାଗେ ଯେ,''ସାହିତ୍ୟ ହିଁ ତାଙ୍କ ସ୍ପନ୍ଦନ।"-
ସୂକ୍ଷ୍ମ, ସମ୍ବେଦନଶୀଳ ଓ ସ୍ଵଚ୍ଛନ୍ଦ ଭାବ ଭଙ୍ଗୀରେ କବିତାର ଫସଲ ବେଶ୍ ଛନଛନ କରି ଫଳେଇ ଜାଣିଛନ୍ତି ସେ। ଭୋଗି ଆସିଥିବା ସମୟର ରଙ୍ଗକୁ ସେ ଆପଣା ବାଗରେ କବିତାର କାନଭାସରେ ବୋଳିଦେଇ ଆଙ୍କି ଚାଲନ୍ତି ମନ ମତାଣିଆ ଛବି। କାବ୍ୟ ବସ୍ତୁ ଚୟନ,କବିତାରେ ଭାଷାର ବ୍ୟବହାର,ଜୀବନ ପ୍ରତି ଦୃଷ୍ଟିଭଙ୍ଗୀରେ ତାଙ୍କ ସ୍ଵତନ୍ତ୍ରତା ପରିଲକ୍ଷିତ ହୁଏ। ନିଜକୁ ପ୍ରଭାବମୁକ୍ତ ରଖି ସେ ନିଷ୍କପଟ ଭାବେ ଲେଖନ୍ତି ମନ ତଳର କଥା ଓ ବ୍ୟଥା। ସ୍ଵଚ୍ଛ ଜଳ ଗର୍ଭରେ ପ୍ରବାଳ ପରି ତାଙ୍କ କବିତାର ସ୍ଵଚ୍ଛତା ଭିତରୁ ଭାବର ପରିପ୍ରକାଶ ହୁଏ।ସତେ ଯେମିତି ସେ ପ୍ରତ୍ୟେକଟି ପାଠକର ହାତ ଧରି ପରିକ୍ରମା କରେଇ ଆଣନ୍ତି ତାଙ୍କ କବିତାର ଭାବଭୂମିରେ! ସେଇ ପ୍ରତିଭାଶାଳୀ ବ୍ୟକ୍ତିତ୍ବ ଜଣକ ଆଉ କେହି ନୁହଁନ୍ତି,ଆଧୁନିକ କାବ୍ୟ କବିତାର ଅନନ୍ୟ ବିନ୍ଧାଣୀ ତଥା ସାହିତ୍ୟ ସିନେ ଜଗତର ରକ୍ ଷ୍ଟାର୍ ରଶ୍ମି ରେଖା ଦାସ୍।
-
ତାକୁ ଦେଖିଲେ ଏମିତି ଲାଗେ
ସେ ଯେମିତି ଗୋଟେ ମହୁଲ ଫୁଲ..!!
ଝଡିଯିବା ପରେ ବି ସେ ହସୁଥାଏ
ବଂର ଆହୁରି ଚକ୍ ଚକ୍ ହେଇ ଚମକୁଥାଏ ନିରନ୍ତର..
ତା କବିତାକୁ ମୁଁ ପରଖେ
ପୁଣି ପରଖେ...ପରଖି ଚାଲୁଥାଏ..
ପ୍ରତିଥର ନତମସ୍ତକ ହେଇ ମୁଁ କରେ ପ୍ରଣାମ
କାହିଁକି ନା ତା କବିତା ମୋତେ ବାରବାର
ଚିତ୍କାର କରି କହେ "ତ୍ୟାଗ ହିଁ ପ୍ରକୃତ ପ୍ରେମ।"
କେଜାଣି କେମିତି ସେ ବୁଝିପାରେ
ମୋ ଦରସିଝା ଦରଦକୁ..??
ପୂର୍ଣ୍ଣ ସିଝିବା ପୂର୍ବରୁ ହିଁ ଆସି ହସେଇ ଦେଇ କହେ
ଆଚ୍ଛା ନାନୀ, ତୁ ଦର୍ପଣ ଦେଖିଲେ
ମୋତେ ଦେଖୁ ନା ପୁଣି ନିଜକୁ??
ତା କଥାରେ,ତା କବିତାରେ
ତା ଭାବରେ,ତା ଭାବନାରେ..
ପ୍ରତିଥର ମୁଁ ମୋ ନିଜକୁ ଖୋଜିପାଏ
ସେଇଥିପାଇଁ ତ ମୁଁ ତାକୁ ମୋ ଦର୍ପଣ କହେ..
-
କେହି ତ ଜଣେ ଅଛି
ଅଦୃଶ୍ୟ ଭାବେ ପ୍ରତି କ୍ଷଣ ମୋ ସାଥେ
ମୋର ଅଦୃଶ୍ୟ ରକ୍ଷା କବଚ ହୋଇ...
-
ମୁଁ ତରଳେ ବୋଲି ତ
ତୁ ମତେ ବେଶୀ ବେଶୀ ଜାଳୁ
ମୁଁ ତୋ ପ୍ରେମର ପୋଖରୀରେ ପହଁରେ ବୋଲି ତ
ତୁ ମତେ ବେଶୀ ବେଶୀ ବୁଡାଇ ଚାଲୁ
ଶୁଣ୍ ନା
ମୁଁ ଜଳି ପାରୁନି କି ବୁଡି ପାରୁନି
ମତେ ଆଉ ଜଳାନା କି ବୁଡାନା ରେ..
ତୁ କହ ନା
ତତେ ଡରି ଡରି ଭଲପାଇଲେ ତତେ କ'ଣ ଭଲ ଲାଗିବ?!
ବୁଝିବାକୁ ଚେଷ୍ଟା କର୍ ନା ଥରେ
ଜୋରଜବରଦସ୍ତିରେ ପ୍ରେମ ହୁଏନିରେ!
ଏମିତି ସଂପର୍କଟେ ଗଢି ଦେଇଚୁ ଯେ
ନା ତୋ ଠୁ ଦୂରେଇ ରହି ପାରୁଚି,
ନା ଭଲପାଇ ପାରୁଚି,ନା ହି ଘୃଣା କରି ପାରୁଚି!
ମୁଁ ଆଉ ପାରୁନି,ପାରୁନି ମୁଁ
ଏଇ ହଁ,ନା ର ହା ହୁତାଶରେ
ମୁଁ ଅଣନିଃଶ୍ବାସୀ ହେଇ ଯାଉଛି ରେ...
ପାରୁଚୁ ଯଦି ପ୍ରତିଶୋଧ ଭାବେ
ମୋ ଡେଣା କାଟି ତୋ ପ୍ରେମର ସନ୍ତକ କରି ରଖି ଦେ
କିନ୍ତୁ ମୁକ୍ତି ଦେଇ ଦେ ରେ
ମୁକ୍ତି ଦେଇ ଦେ ମତେ ତୋ ପ୍ରେମର ପଞ୍ଜୁରୀରୁ...-
ଦିନକ ପାଇଁ ନୁହେଁ,
ଦି ଦିନ ପାଇଁ ବି ନୁହେଁ,
ପ୍ରତ୍ୟେକଟି ଦିନ ତା ପାଇଁ ଦୀପାବଳି!
ଜଳିଛି,ଜଳୁଛି ଆଉ ଜଳୁଥିବ ବି ସିଏ
ଅନ୍ଧାରୁଆ ଜୀବନ ମାନଙ୍କ ଜୀବନରେ ଦୀପଟିଏ ହେଇ..
"ଦୀପ ତଳ ଅନ୍ଧାର" ପ୍ରମାଣରେ
ଆମେ ତାକୁ ଦେଇ ପାରୁ ଅନ୍ଧାରର ଆଖ୍ୟା
ମତେ ବି ଲାଗେ ସେ ଅନ୍ଧାର ବୋଲି!
ହଁ ସେ ତ ଅନ୍ଧାର ମୁଠେ
ଆଲୁଅ ଠୁ ବି ଅଧିକ ଉଜ୍ଜ୍ୱଳ ଅନ୍ଧାର ମୁଠେ ସେ!
ସେଇ ଅନ୍ଧାର ଭିତରେ ନିଜେ ରହି ଅନ୍ୟକୁ ଆଲୋକିତ କରେ,
ନିଜେ ଜଳି ନିଜକୁ ନୁହେଁ, ଅନ୍ୟକୁ ଖୁସି ଦିଏ
ଅନ୍ୟ ଓଠର ଖୁସି ଦେଖି,ଅନ୍ୟକୁ ଆଲୋକିତ ଦେଖି
ତା'ର ପ୍ରକୃତ ଖୁସିକୁ ସାଉଁଟି ନିଏ...-
ଏକତରଫା ପ୍ରେମ
~~~~~~~~~~~~~~
କୁହନ୍ତି ଏକତରଫା ପ୍ରେମ ହିଁ ପ୍ରକୃତ ପ୍ରେମ।ହଁ ନିହାତି ଭାବେ।ଗୋଟେ ନାସ୍ତିକ ପ୍ରତି ପରମ ପ୍ରେମମୟ ପ୍ରଭୁଙ୍କ ପ୍ରେମ ହିଁ ତ ସର୍ବଶ୍ରେଷ୍ଠ ଉଦାହରଣ ଟିଏ ଏକତରଫା ପ୍ରେମ ର...-