ଅବଶୋଷ
ଏ ହାତରୁ ଯେବେ ଦୂରେଇ ଯିବ
ତୁମ ପାପୁଲିର ରେଖା,
ଏକା ହୋଇଯିବି ଜୀବନ ବାଟେ
ଥିଲେ ଯେତେ ଯିଏ ସଖା।
ପାଦ ସହ ପାଦ ମିଶି ଚାଲିବା
ଯେବେ ହୋଇଯିବ ଶେଷ,
କେତେ ଆଶା ଯେ ପୂରଣ କରିବା
ରହିଯିବ ଅବଶୋଷ।
ଆଖି ଲୁହ ଯେବେ ଓଠ ଛୁଇଁବ
ଛାତିରେ କୋହକୁ ଚାପି,
ଲୁହ ପୋଛିବାକୁ ଆଖି ଖୋଜୁଥିବ
ତୁମ ହାତ ଲୁଚି ଛପି।
ଏ ମନେ କେହି ଆସିପାରି ନାହିଁ
ତୁମ ସ୍ଵତନ୍ତ୍ରତା ଫେଡି,
ଝୁରିବ ହୃଦୟ ପ୍ରତି ମୂହୁର୍ତ୍ତେ
ତୁମରି ସାହାରା ଲୋଡି।-
ଚିଠିଟିଏ ସାଜିଥିଲି ପଢିବ ବୋଲି
କିଛିଦିନ ପଢି ବୁଝିଲା ପରେ
କେମିତି ଅବୁଝା ହେଲା
ଚିଠିର ଭାଷାସବୁ ଶବ୍ଦକୋଷ ଭଣ୍ଡାରେ।
ରଙ୍ଗ ତୂଳି ସାଜିଥିଲି ଆଙ୍କିବ ବୋଲି
ରଙ୍ଗେଇଲ ନିଜ ଦେହ ମନକୁ
କେମିତି ଯେ ଧୋଇଦେଲ
ରଙ୍ଗର ଗାଢତା ସମୟ କାନଭାସ୍ ରେ।
ବରଷା ମୁଁ ସାଜିଥିଲି ଭିଜିବ ବୋଲି
ରୌଦ୍ରର ତାଣ୍ଡବେ ନିଜକୁ ଜାଳି
କେମିତି ପାଶୋରି ଦେଲ
ଜଳନ୍ତା 'ମୁଁ' ଟାକୁ ଆତ୍ମତୃପ୍ତି ହେଲା ପରେ।-
ଚାହେଁନା ମୁଁ ମାପିବାକୁ ଆକାଶର ଦୂରତା
ଚାହେଁନା ମୁଁ ଗାଇବାକୁ ବେସୂରା ସେ କବିତା ।
ଦୂରେଥାଇ ପଢୁଥିବି ତୋ ଆଖିର କାହାଣୀ
ଯେଉଁ କାହାଣୀରେ ଅଛି ଅଭୁଲା ସେ ଚାହାଣୀ ॥
-
ଜୀବନ କୁ ମାଗିଲି ମୁଁ ଟିକିଏ ଜୀବନ
ଲେଖାଥିଲା ତା ଭାଗ୍ୟରେ ଅଦେଖା ସପନ
ଅକାରଣେ ଦେଖିଲା ସେ ମରୁଭୂମି ଜହ୍ନ
ଭରିଗଲା ଛାତିରେ ତା ଅକୁହା ରୋଦନ ॥-
ଭିଜା ମାଟିର ବାସ୍ନାରେ
ତୁମେ ବେଶୀ ମନେ ପଡ,
ଅତୀତ ପୃଷ୍ଠା ଆଡେଇ
ମନେ ଆଣେ ପ୍ରୀତି ଝଡ।
ବାଲୁକା ବେଳାଭୂମିରେ
ପଥିକ ମୁଁ ଏକା ଏକା,
ଆଜିବନ ଖୋଜୁଥିବି
ମଧୁସ୍ମୃତିର ଶାମୁକା।-
ପ୍ରେମ...
ପ୍ରେମ ସାସ୍ବତ ଚିର ପବିତ୍ର
ଯୁଗ ଯୁଗକୁ ସେ ପୁଣ୍ୟ,
ସଇତାନ୍ ଧୋକାବାଜ୍ ପାଇଁ
ବଜାରେ ସାଜିଛି ପଣ୍ୟ।
ବିଳାଶ୍ୟ ଆଖି ବୁଝେନି କେବେ
ପ୍ରେମ ପ୍ରଣୟର ଭାଷା,
ଲୋଭୀ, ପାପୀ କେତେକଙ୍କ ପାଇଁ
ମାତ୍ର ଦେହ ସୁଖ ଆଶା।
ସବୁ ମନ ନୁହେଁ ବେଇମାନୀ
ନଥାଏ ପାପ ଚିନ୍ତନ,
ଶରୀର ପ୍ରେମ ତା ପାଇଁ ତୁଚ୍ଛ
ଯେ ବୁଝେ ଅନ୍ୟର ମନ।
ଅନ୍ତର କୋହ ବୁଝି ଯେ ପାରେ
ଆଖି ଲୁହ ଦିଏ ପଢି,
ସେମିତି ସାଥିଟେ ମିଳିଗଲେ
ଜୀବନ ଦେବ ସଜାଡି।
ପାଦ ଖସାଅନି ଭୁଲ୍ କରି
ବିଚାର ବୋଧକୁ ହାରି,
କ୍ଷଣିକର ଭୁଲ୍ ନିଷ୍ପତ୍ତିରେ
ଜୀବନ ଯିବଟି ସରି।-
ମା'
ତୁଳନା ନାହିଁ ତା ସ୍ନେହ ପରିସୀମା
ଦିଗନ୍ତ ବିସ୍ତାରି ଥାଏ,
ମିଛ ଦୁନିଆରେ ତା ପ୍ରେମର ଧାରା
ସତ୍ୟ ଯୁଗ ଯୁଗ ଯାଏଁ।।
ତା ସ୍ନେହ, ଆଦର, ଗେହ୍ଲା ପରସର
କ୍ଷୁଧାର୍ତ୍ତ ମୁଁ ଗହଳିରେ,
ମମତା ପଣତେ ପୋଛି ଦିଏ ମୁହଁ
ଜାବୁଡି ନେଇ କୋଳରେ।।
ହାତ ଧରି ମୋତେ ଚାଲି ସିଖାଇଲା
ଦୁନିଆ ଭିଡ ଭିତରେ,
ତା ହାତକୁ କେବେ ଛାଡି ପାରିବିନି
ପଣ କରିଛି ଅନ୍ତରେ।।
ନୁହେଁ ମୁଁ ଯୋଗ୍ୟା ସେ ଭଲପାଇବାର
ଅଜାଡି ଦେଇଛି ଯେତେ,
ହେଇ ପାରିନାହିଁ ସୁଯୋଗ୍ୟ ମୁଁ ସୁତା
କ୍ଷମା କରି ଦେବୁ ମୋତେ।।
ଲେଖିବାକୁ ଊଣା କଲମର ସ୍ୟାହି
ବଖାଣି ବସିଲେ ଯେତେ,
କିବା ଲେଖିବି ତା ଗୁଣର ଆସର
ସେ ତ ଲେଖିଛି ମୋତେ...
ମା' ତୁ ତ ଲେଖିଛୁ ମୋତେ।।-
କହି ହୁଅନ୍ତା କି ପ୍ରେମ ପରିଭାଷା
ଶବ୍ଦକୋଷ ମେଳଣରେ
ମାପି ହୁଅନ୍ତା କି ତାର ପରିସୀମା
ସୀମାହୀନ ଦିଗନ୍ତରେ।।
ଅନୁଭବାଧାରେ ବୁଝିପାରନ୍ତ କି
ସେ ପ୍ରେମର ଗଭୀରତା
କୋହ ଢାଳିବାକୁ ପଡନ୍ତାନି ଆଉ
ଚାପି ଆଖିର ଭ୍ରୁଲତା।।-
ନହେଇ ପାରିବି ତୋ ଜୀବନ ସାଥି
ନହେଇ ପାରିବି ତୋ ଘର ଅତିଥି
ଏତିକି ମାଗିବି ଖାଲି
ଏତିକି ମାଗିବି ଖାଲି
ତୋ ସହ ଥାଉ ଜନ୍ମ ଜନ୍ମକୁ ପ୍ରୀତି।-