//ଶୀତ//
ଧିରେ ଧିରେ ଆସିଲାଣି ଶୀତ,
ସକାଳର ଘାସ ଉପରେ କାକରର
ବିନ୍ଦୁ ସବୁ ସୁରୁଜର ପ୍ରଥମ କିରଣରେ
ଚମକିଲେଣି,
କୁହୁଡ଼ିର ଆଢ଼ୁଆଳେ ଲୁଚିଯାନ୍ତି
ଦୂରେ ଦିଶୁଥିବା ଗାଁ, ଗାଁ ରାସ୍ତା,
ବର ଗଛ ସବୁ...!!
ଗୋଧୂଳି ବାସ୍ନାରେ ସଜେଇ
ହେଲାଣି ସନ୍ଧ୍ୟା,
ଦୂର ତାଳ ବଣୁ ଧିରେ ଉଙ୍କି
ମାରୁଥିବା ଜହ୍ନ ଟା ଉପରକୁ ଉଠିଲାଣି,
ଶୀତର ଚାଦର ତଳେ ଲୁଚିଥିବା
ରାତି ଆହୁରି ଗାଢ଼ ହେଲାଣି,
ସ୍ବପ୍ନ ମାନେ ସବୁ ଇତସ୍ତତ ହୋଇ
ବୁଲିଲେଣି ଖୋଜିବାକୁ ଗୋଟେ
ନିଦୁଆ ଆଖି..!!-
//ବିଦାୟ//
ଆଜି ଇଚ୍ଛା ହେଉନଥିଲା
ତୁମଠୁ ବିଦାୟ ନେବାକୁ,
ଲାଗୁଥିଲା ଯେମିତି ଏଇ ମୁହୂର୍ତ୍ତ ଟା
ଆଉ କିଛି ସମୟ ରହିଥାନ୍ତା କି...!!
ମନ ଭରି ତୁମକୁ ଦେଖନ୍ତି,
ସତେ ଯେମିତି ତୁମେ ମୋ
ଛଳଛଳ ନୟନକୁ ବୁଝି ପାରୁଥିଲ,
ସେଥିପାଇଁ ବୋଧେ କହିଲ
ବ୍ୟସ୍ତ ହୁଅନି ଆମେ ପୁଣି ଦେଖା ହେବା
ଆଉ ମନ ଭରି ଗପିବା...!!!-
//ବିଦାୟ//
କିଛି ବିଦାୟ ସାଉଁଟେ ଅତୀତର ସ୍ମୃତି,
କିଛି ବିଦାୟରେ ପଥର
ପାଲଟିଯାଏ ହୃଦୟ,
କିଛି ବିଦାୟ ଭରେ ଆଖିରେ ଲୁହ ଆଉ
ମନରେ କୋହ,
କିଛି ପୁଣି ପାଲଟି ଯାଆନ୍ତି
ପ୍ରତୀକ୍ଷା...!!
କିଛି ବନିଯାନ୍ତି ଗୋଟେ ଅଦେଖା
ଯନ୍ତ୍ରଣା,
ଗୁମୁରି ଗୁମୁରି କାନ୍ଦନ୍ତି ସବୁଦିନ,
ଆଉ କିଛି ବିଦାୟ, ବିଦାୟ ନିଅନ୍ତି
ଫେରିବାର ପ୍ରତିଶ୍ରୁତି ଦେଇ...!!!-
ଲାଗୁଛି ଯେମିତି
ଜହ୍ନଟା ଓହ୍ଲାଇ ଆସିଛି ତଳକୁ..!!
ବୋଧେ ମୋ ସହ ଗପିବା ପାଇଁ,
କିନ୍ତୁ ସତକଥା ହେଲା
ଦୂରରେ ଥାଇବି ସେ ଆପଣାର
ଲାଗେ,
ମୁଁ ବି ଗପି ଚାଲେ ତା ସହ
ମନ ଖୋଲି ଏ ରାତି
ସରିଲା ଯାଏଁ...!!-
ସିଏ ଫେରିଛି,
ଆଉ ତା ଅପେକ୍ଷାରେ
ସହର ମହକୁଛି,
ନିଦାଘ ତତିରେ ନିଜକୁ ଭିଯାଇ
ଏ ସହର ମନରେ ଭରିଦେଇଛି
ଗୋଟେ ଅପୂର୍ବ ଆନନ୍ଦ,
ପଥଚାରୀ ବି କିଛି କ୍ଷଣ
ଅଟକି ଯାଆନ୍ତି,
ତା ରକ୍ତିମ୍ ସୁନ୍ଦରତାକୁ ଦେଖି...!-
କେବେ ଭିଜେ ଜହ୍ନର ଯୋଛନାରେ
ତ କେବେ ପୁଣି ସିଜେ ନିଦାଘର ତାତିରେ,
କିଞ୍ଚିତ ତମସାକୁ ଦୂର କରିବାକୁ ଯାଇ
ମଜି ଯାଏ ତା ରଙ୍ଗରେ,
ରାତିରେ ତା ତଳେ ଶୋଇଥିବା କୋହଧରି
ମଣିଷ ଠିକ୍ ଚିହ୍ନିଚି ତାକୁ,
କେବେ କେବେ ବି ସେ ବତୀଖୁଣ୍ଟ
ସହ କଥା ହୁଏ ନିଜର ଭାବି....!!-
ବାହାନା....
ଏ ଅଦିନିଆ ବର୍ଷାରେ ସ୍କୁଲ୍
ନଯିବା ଗୋଟେ ବାହାନା ଥିଲା
ସେ ନବେଦଶକର
ପିଲାଙ୍କ ପାଇଁ...!!-
ପଳାଶ ଫୁଲର ଲାଲ୍ ଓଢଣୀରେ
ଢାଙ୍କି ହେଲାଣି ବ୍ୟସ୍ତତାରେ ଭରା
ଏ ସହର..,
ଫଗୁଣର ପ୍ରେମରେ ଭିଜିଲାଣି ସେ,
ଭଲପାଇ ବସିଲାଣି ଏ ସହରୀ ଜୀବନକୁ..,
ପୁଣି କେବେ କେବେ ଦୁଷ୍ଟ ସେ ସହରୀ ପବନ
ଛୁଇଁ ଚାଲିଯାଏ ତାକୁ
ନିଜର ଭାବି...!!-
ତୁମେ ବସନ୍ତର ଆଗମନ,
ମୁଁ ରକ୍ତିମ ପଳାଶର ଚିହ୍ନ...!!
ତୁମେ ଗୋଟେ ଅପରାହ୍ନର
ହାଲକା ସୁରୁଜର ତାତି,
ମୁଁ ତହିଁରେ ସିଜୁ ଥିବା
ବେନାମୀ ଲାଲ୍ ପଳାଶ..!!-
//ପଥିକ//
ବେଳେ ବେଳେ ଦିଗହରା
ପଥିକ ସାମ୍ନାରେ ଆସିଯାଏ
ସେ ଯନ୍ତ୍ରଣାର ମରୁଭୂମି,
ଯେଉଁଠି ମେଣ୍ଟ ନାହିଁ ଶୋଷ
କି ସରେ ନାହିଁ ବାଟ,
ନା ଆଗକୁ ଯାଇହୁଏ
ନା ପଛକୁ ଫେରି ହୁଏ..!!
ପଛପଟୁ ଟାଣି ଧରୁଥିବା
ଅତୀତର ବଳ ଗୁଡ଼ିକ
ଆହୁରି ବଳବାନ୍ ହୋଇ
ଉଠନ୍ତି,
ଆଉ ଜାବୁଡ଼ି ଧରନ୍ତି ତା
ପାଦ ଯୋଡିକୁ...!!-