ଅକ୍ଷତ କ୍ଷତ
***********
ମୁଁ ସରି ସରି ଗଲାବେଳେ
ମୋ କ୍ଷତ ସବୁର ଆୟୁଷ ବଢିବଢି ଯାଏ।
ସାରା ଦେହର ଦାଗରେ
ଅଣନିଶ୍ୱାସୀ ଉତୁରା ମନ
କ୍ଷତସବୁକୁ ଖୁବ ମାଜେ ପିତଳ ବାସନ ପରି
ଘସି ଘସି କ୍ଷତର ଦାଗ ଧୁଏ।
ହୁସ୍....
ଟିକେବି ପଡେନା ଫିକା
ଜମାବି ହୁଏନା ସଫା।
ବେଳୁବେଳ ଦେହେ ଶୁଖି
ଦିଶେ ଖୁବ ଗାଢ଼ ରକ୍ତିମ।
ପାଣ୍ଡିତ୍ୟର ଚୌପାଟିରେ ରୁନ୍ଧିହୋଇ
ଅନେକ ପୋଷାକ ପିନ୍ଧାଇ
କ୍ଷତ ଭୋଗିଛି ନୂଆ ନୂଆ ପରିଚୟ।
ହେଲେ ଧୂଳିର ସମୁଦ୍ରକୁ ଝାଡ଼ିଦେଲେ,
ପୁଣି ଜିଇଁ ଉଠନ୍ତି କୁଢ଼ କୁଢ଼ କ୍ଷତ।
ଫଟା ଆକାଶ, ଫିଟା ନଈ ମୁହଁ ଖୋଲି କୁହନ୍ତି
ଦରଭଙ୍ଗା ପ୍ରେମ ଆଉ କଂକ୍ରିଟ ଜୀବନର ସତ,
ପୁଣି ଏମିତି ଅନେକ ଅସରନ୍ତି କ୍ଷତ।
ଭୀଷଣ ଦ୍ଵିଧା ଭୀଷଣ ଦ୍ଵନ୍ଦରେ
କ୍ଷତ ସବୁକୁ ନଈମୁହାଁ କରାଇ,
ମୁଁ ବେଳେବେଳେ ଫେରିଆସେ
ଅବଶିଷ୍ଟ ଅନ୍ଧାରକୁ ନେଇ ଆଖି ମୁଦେ।
ହେଇତ...
ପଲକ ଖୋଲିବା ମାତ୍ରେ,ଉତାଳ ତରଙ୍ଗ ପରି
କ୍ଷତ ସବୁ ପାଣି ପିଇ ଆହୁରି
ହୃଷ୍ଟପୃଷ୍ଟ ହୋଇ ଦିକ୍ ଦିକ୍ ଦିଶେ....
-
ସ୍ପର୍ଶ
*****
ପ୍ରଚୁର ବର୍ଷାରେ
ଧୁମ ଭିଜୁଥିଲା ଫୁଲବଗିଚା
ଚହଲି,ଉଛ୍ୱାସର ଶିହରଣରେ
ଉବୁଟୁବୁ ହେଉଥିଲା !!
ନା,ମୁଠାମୁଠା ଉଦାସୀନତାକୁ ଧୋଉଥିଲା !!
ବୁଝିବା କଷ୍ଟ ହେଉଥିଲା ।
ଛିଟିକି ପଡୁଥିବା ତା'ର ମହକକୁ ପଚାରିଲି,
ଏ ଚିତ୍ରପଟ୍ଟ ଯନ୍ତ୍ରଣାର ସମ୍ଭାର !!
ନା,ଅମ୍ଳାନ ସଂନ୍ମୋହନର !!
ସେ ହସିଲା, ଖୁବ ହସିଲା..
କହିଲା, ଅନ୍ଧାର ଆଉ ଉଜ୍ବଳର ପରିଭାଷିତ
ସନ୍ତପ୍ତ ଓଠର ପୀୟୂଷ ମୁଁ..
ଫୁଟିଲେ ପରିଣତିର ଗଭୀର ସ୍ଵାକ୍ଷର
ଫିଟିଗଲେ, ପ୍ରତିଶ୍ରୁତିର ସ୍ପର୍ଶଭରା ଆୟୁଧ...।
-
ତୁମେ କାନ୍ଦ...ମନ ଭରି କାନ୍ଦିଦିଅ
ତୁମ ଲୁହରେ ବତୁରି ଗଲାପରେ ମୁଁ....
ହୁଏତ ତୁମେ ପଢିପାରିବ
ତୁମ ଯୋଡ଼ା ପାପୁଲିରେ
ଉତୁରି ପଡିଥିବା ମୁଁ
କେବଳ ତୁମ ଲୁହର ପ୍ରତିଶବ୍ଦ.....
-
.....ଏବେ ବି ଅପେକ୍ଷାରେ ସ୍ୱାଧୀନତା
********************
ଛାଡ଼ ଛାଡିକି ତ ଦେଖ
ମୁଁ କାଠ କଣ୍ଢେଇ ନୁହେଁ
ଛିଡ଼ିଗଲା ପରେ ରଜ୍ଜୁ
ମୁଁ ବି ହାତ ହଲେଇ ପାରେ ନିଜ ଇଚ୍ଛାରେ।
ଖୋଲ ମୁକ୍ତ କର ମୋତେ
ଦେଖିବ ପଞ୍ଜୁରୀ ବାହାରେ
ମୁଁ ବି ପଢିପାରେ ଆକାଶର ଛାତି ।
ଫିଟାଇଦିଅ ସବୁ ବେଡି ଶିଙ୍କୁଳି
ମୁଁ ବି ଥାପିବି ପାଦ ମାଟିରେ ମଟାଳରେ
ଆଉ ବକ୍ଷେ ସାଉଁଟିବି ଅସୁମାରୀ ସ୍ୱପ୍ନ।
ସଂବାଲୁଆ ଭାବି ଅନ୍ତକୋଣୁ
ଘୋଷଣା କରନି ମୋ ମୃତ୍ୟୁ
ମୁଁ ବି ପ୍ରଜାପତି
ରଙ୍ଗରେ ରଙ୍ଗେଇ ପାରେ ପୃଥିବୀ ।
ଅନାବନା ଘାସରେ ନୁହେଁ
ଦେଖ ମୁଁ ଡେଣା ମେଲି ଉର୍ଧମୁଖୀ ହେବା ପରେ
ହୋଇଯିବି ଅୟୁସ୍ମତୀ.........
-
ମୁଁ ନଥିବା ବେଳେ...
************
ମୁଁ ନଥିବା ବେଳେ..
ଆକାଶର ପେଟଚିରି ଦେଖିବ
ଝରିପଡୁଥିବା ଅଜସ୍ର ବର୍ଷା ବିନ୍ଦୁରେ ଭିଜିବ
ବିଶ୍ଵସ କର ସ୍ଥିତିରେ ମୋତେ ବାରିନେବ।
ମୁଁ ନଥିବା ବେଳେ..
ଶିଶିରର ସକାଳକୁ ହାତରେ ଧରି
ଝରିପଡିଥିବା ଗଙ୍ଗଶିଉଳିର ମହକରେ
ହଜିବା ଆଗରୁ ମୋତେ ହିଁ ପାଇବ।
ମୁଁ ନଥିବା ବେଳେ..
ଗୋଧୂଳି ସଂଜ ସଳିତାରେ
ଆଙ୍କି ହେଉଥିବା ତଥାସ୍ତୁ ସହ
ଅନ୍ଧାରରୁ ଫିଟି,ଉଠୁଥିବା ଶିଖା ଟିକକରେ
ମୋତେ ହିଁ ପାଇବ।
ମୁଁ ନଥିବା ବେଳେ..
ତମାଳର ତାଳେ
ଭାସି ଆସୁଥିବା ବଂଶୀର ସ୍ୱର ସ୍ପନ୍ଦନ ଛୁଇଁଲେ
ହୃଦେ ଆବୋରି ନେଇ ମୋତେ ଗୁମୁରିବ।
ମୁଁ ନଥିବା ବେଳେ....
-
ପ୍ରତିବିମ୍ବ
******
ବର୍ଷା ତୁମେ ସତେ ପ୍ରିୟାର ପ୍ରତିବିମ୍ବ ପରି
ପରସିଲେ ଲୁହ ସିକ୍ତ ମନ ଛୁଅଂ
କେଇପଦ ମିଠାପଣ ଢାଳି
ଶେଷ ବିଶ୍ୱାସକୁ ଆବେରୀ ନିଅ।
ବିଷ କି ପୀୟୂଷ କାହାର ଏ ସ୍ପର୍ଶ
ଆନମନା କରେ ତନ୍ଦ୍ରାର ଏ ହସ।
ଶୃଙ୍ଖଳିତ ମନ ବିଦ୍ରୋହର ଆଳେ
ବଂଧନ ତୁଟାଇ ହୃଦ ବାକ୍ୟ ପଢେ।
ବାସ ନାହିଁ ବୋଲି ସବୁ ଫୁଲେ ଜାଣି
ଚହଟି ଗଲକି ମାଳ ମଲ୍ଲି ଘ୍ରାଣି ।
ଜୀବନ ବିହୋରେ ଶୂନ୍ୟତା ପ୍ରସାରୀ
ଅଂଧାରକୁ ଦେଇ ଆୟୁଷର ଶିରୀ
ପ୍ରିୟା ପରି ତୁମେ ହିମନ୍ଦ୍ରୀ ତଟରୁ
ବକ୍ଷ ଖୋଲି ସତେ ନେବ ସ୍ପର୍ଶସାରି।
ବୁନ୍ଦା ବୁନ୍ଦା ସମୀକ୍ଷା ସୁଦୂରେ
ଇପ୍ପସିତ ଦିଶେ ବେଳାଭୂମି ଚିରି
ବର୍ଷା ତୁମେ ସତେ ପ୍ରିୟାର ପ୍ରତିବିମ୍ବ ପରି...
-
🐾🐾🐾🐾🐾🐾🐾🐾🐾
କେବେ ତୁ ଶବ୍ଦ କେବେ ତୁ ସମ୍ଭାବନା
ସର୍ବସଂହାରେ ତୁ ମନ୍ତ୍ରିତ ବିରାଙ୍ଗନା
କେବେ ପୁଣି ନିରୀମାଖୀ ପ୍ରିୟସୀ ଲଳନା।
ଘଡି ଘଡି ନିରୀକ୍ଷାର ଧାରେ
କେବେ ତୁ ସର୍ଜନା ହେଉ କେବେ ପୁଣି ବିବର୍ଜନା
କେବେ ମହିୟସୀ ପୁଣି କେବେ ଉନ୍ମାଦନା
ସଂହାରୁ ସୃଷ୍ଟି କରୁ ରୂପେ ରୂପ ବିରାଜି
କେବେ ପୁଣି ସୁରକ୍ଷାର ଢାଲ ସାଜି
ପ୍ରସ୍ପୁଟିତେ ସାଜୁ ତୁ ସାବିତ୍ରୀ...
ସହୃଦୟେ ସବିତ୍ରୀର ଶୁଭେଚ୍ଛା
🐾🐾🐾🐾🐾🐾🐾
ରଶ୍ମି
-
ଭିନ୍ନ ସମାହାରେ ମାଆ
*************
ଧାରେ ଧୀରେ ପାର୍ଶ୍ଵ ବଦଳିଛି
ମୋ "ମାଆ" ରୁ ମୁଁ "ମାଆ" ସାଜିଛି
ଶବ୍ଦସବୁ କେମିତି ବାଢିବି ଅବୁଝା ଲାଗୁଛି
ହେଲେ ମୋ ମାଆ ପାଇଁ ଶବ୍ଦ ନିଅଂଟ ପଡୁଛି।
ତୁ ପରଶିଥିବା ମିଠାପଣ ଏବେ ମୁଁ ଅଜାଡି ଢାଳୁଛି
ତୋ ପାଦତଳର ଜୁହାର ମୋ ସଂସ୍କାରେ ଫୁଟୁଛି
ତୋ ବସୁଧା ପଣରୁ ମାଆ ମୋର, ମୁଁ ବୁଦ୍ଧି ସାଉଁଟୁଛି।
ତୁ ମୋ ମାଟିରୁ ଅକାଶର କାୟା
ମୁଁ ଏବେ ତୋଳେ ତୋର ପୂର୍ଣ ତୋୟା।
ଅନ୍ଧାର ଡରାଇଲେ କେବେ ବି ଆସନ୍ତିନି ଈଶ୍ୱର
କେବଳ ଆଶ୍ରା ଦିଏ ମାଆ ତୋ ପଣତର ଘର
ଆଜି ମୋ କୋଳ ଆଉ ବାହା ମେଲିବାର ବେଳ।
ସରଗ ସୁମରିଲେ ତୁମେ ସାମ୍ନାରେ ଦିଶ
ତେଣୁ ଆଜି ମୋ ସମର୍ପି ଯିବାର ବୟସ।
ତୁ ତ ମୋ ଆଦ୍ୟ ଉଚ୍ଚାରିତ ସ୍ୱର
ମାଆ ମୋର, ମୁଁ ଏବେ ସେଇ ଶବ୍ଦରେ ସମାହାର।
ତୁ ଗାଇଲୁ ଜୀବନ ସାରା ସସ୍ନେହେ ସଙ୍ଗୀତ
ମୁଁ ଏବେ ଶୁଣେଇବାରେ ଲାଗିଛି ତୋ କଥାମୃତ
ତୋ ଅସୁଝା ଋଣକୁ ମାଆ ଋଣୀ ପ୍ରାୟ ପରସୁଛି
ତୋ ନିସର୍ତ୍ତ ପ୍ରେମ ଧାରେ ମୁଁ ବି ମାଆ ସାଜିଛି।
-ରଶ୍ମି
-
नाजाने आज कियूं यादों से निकल कर
बाहर आने की जिद है तुम्हारी
बेवजह घूमने की
बारिस में भीगने की
चाहत है हमारी ।
ये बेजुबां प्यार है
या मौसम का खुमार है
खामोस पल में खामोसी से
तुम्हारे पलको में
खोनेकी जिद है हमारी ।
जिंदगी भर जिंदगी को रोसनी देते रहें
आज सपनो की बेमिसाल केलिए
चौथ की चांदनी भी ढूंढनी है
नाजाने आज कियूं यादों से निकल कर
बाहर आनेकी जिद है तुम्हारी...
-
ଅଳସୀ ସଂଧ୍ୟା
********
ଅଳସୀ ସନ୍ଧ୍ୟାରେ
ପ୍ରିୟସୀ ବର୍ଷା ଗୋ
ମୋ ପାଇଁ ଗଲକି ଝରି
ମୂର୍ଚ୍ଛନା ତୁମ ଛୁଏଁ ତନୁମନ
ବରେ ମୁଁ ପ୍ରିୟା କବରୀ
ଅବିରତେ ଅବା ଗୁଂଜନ ତୁମ
ମଲ୍ଲ।ର ତୋଳେ ମୟୂର ସମ
ଅଗୋ ଶ୍ରାବଣୀ ଗୋ
କିମ୍ପା ଅନୁରାଗେ
ପରଶେ ବାନ୍ଧୁଛ
ସଂଧ୍ୟାର ତମାଙ୍ଗେ
ଅପସରି ଗଲେ ତୁମ ସୂଚତୁରୀ
ସୃଜନୀ ସଂଧ୍ୟା ମୁଁ
ଯିବି ଗୋ ନିସ୍ତାରୀ..-