ଝରକା ସେପାଖେ ସ୍ମୃତି ମାନଙ୍କର ଆର୍ତ୍ତ ଚିତ୍କାର
ମନରେ ଭରିଦିଏ ଯନ୍ତ୍ରଣା ସହ ଅସହ୍ୟ ନୀରବତା.......-
ସ୍ଵପ୍ନର ମାୟା ଜାଲ,
ଆଶାର ଅଡ଼ୁଆ ସୂତା,
ସମୟର ଭିଡ଼ ଭିତରେ ,
ବହୁତ ଖୋଜିଲା ପରେ ଶେଷରେ ନିଜକୁ ହିଁ ପାଇଲି ।।-
କିଛି କଥା.......
ସରିଆସୁଥିବା ଶ୍ରାବଣର ଗୋଟେ ବର୍ଷା ଭିଜା ରାତି । ରୁମ୍ ରେ ମୁଁ ଏକୁଟିଆ ଥାଏ, ହଠାତ୍ ଝରକାକୁ ଧକ୍କା ଦେଇ ପଶି ଆସିଲା ଦଲକାଏ ଥଣ୍ଡା ପବନ ।ଥଣ୍ଡା ପବନ ନୁହେଁ ତ ଅତୀତର ମେଞ୍ଚେ ସ୍ମୃତି ,ବାହାରର ବର୍ଷା ପାଗରେ ଦେହ ପୁରା ଥଣ୍ଡା ତା ସହ ଏ ସ୍ମୃତି,ଦେହରେ ଭରିଦେଲା ଅପୂର୍ବ ଶିହରଣ ।ମୁଁ ପୁଣିଥରେ ଫେରିଆସିଲି ଅତୀତର ସେଇ ସହରକୁ , ଯେଉଁଠି ଦିନେ କିଛି ମୁଁ ତିଆରି କରିଥିଲି କାହାର ମିଛ ପ୍ରତିଶ୍ରୁତିରେ ମୋ ସ୍ୱପ୍ନର ରାଜମହଲ । ହଠାତ୍ ଅତୀତର ସହର ଟା ଜୀବନ୍ତ ହୋଇ ଉଠିଲା ,ନିଜକୁ ପୁଣି ଭେଟିଲି ମନ୍ଦିର ସାମ୍ନା ଗଳିରେ......-
ଜୀବନର ସବୁ ଅକୁହା ଜଟିଳ ପ୍ରଶ୍ନର ଉତ୍ତର
କେବଳ ଜଣେ ହିଁ ଦେଇପାରେ,
ସେ ହେଉଛି "ସମୟ"....
-
ଭାବିଥିଲି ସ୍ମୃତି ସବୁକୁ କାଚ ବନ୍ଧେଇ ଫ୍ରେମ୍ ରେ
ବାନ୍ଧି ରଖି ଘର କାନ୍ଥରେ ସଜେଇବି,
ହେଲେ ସମୟ ଯେ ହଠାତ୍ ଏମିତି ବଇରୀ ସାଜିଲା
ସେଇ ସ୍ମୃତି ସବୁକୁ ନେଇ ବଞ୍ଚିବା ଅସହଜ ହୋଇଗଲା......-
ସମୟ ସୁଅରେ କିଛି କାହାଣୀ
ଆପେ ଆପେ ହଜିଯାଏ,
ବାକି କିଛି କାହାଣୀକୁ ହଜିଯିବା ପାଇଁ
ସମୟ ସୁଅରେ ଭସେଇ ଦିଆଯାଏ......-
ଭାଙ୍ଗି ଯାଉଥିବା ସ୍ୱପ୍ନର ଚିତ୍କାର ଯେବେ
ସଂପୂର୍ଣ୍ଣ ଘରକୁ ରୁନ୍ଧି ଦିଏ ,
କିଛି ଭଙ୍ଗା ସ୍ବପ୍ନ ଝରକା ଦେଇ ବାହାରକୁ
ଚାଲି ଆସନ୍ତି,
ବାସ୍ ଟିକେ ଶାନ୍ତିରେ ନିଶ୍ୱାସ ମାରିବା ପାଇଁ.....-
ଯଦି ସ୍ମୃତି ସବୁ କବାଟ କୋଣରେ ,
ନୂଆ ବୋହୂ ପରି ଲୁଚି ପାରନ୍ତେ
ଲୁହ ସବୁ ବି ଆଖି କୋଣରେ,
ଖୁବ୍ ସହଜରେ ହଜି ଯାଆନ୍ତେ......-
ଅଦିନିଆ ଅବେଳରେ ଆସି
ଭିଜେଇ ଦେଇଯାଏ
ସ୍ମୃତି ସବୁ କୋହ ହୋଇ ବୁତୁରି ଯାଏ ସତ,
କିନ୍ତୁ ସଂପୂର୍ଣ୍ଣ ଭାସିପାରେ ନାହିଁ .......-