ଆଖିରେ ଆଖିଏ ଅପହଞ୍ଚ ଖୁସି
ମଉନେ ହସେ,
ନିଦୁଆ ସକାଳ ଶୀତଳ ବାଆରେ
ମନ ହରଷେ,
ଚଉରା ମୂଳରେ ଶେଫାଳୀ ଫୁଲର
ମହକ ଭାସେ,
ଯୂଇ, ଯାଇ,ହେନା ପାହାନ୍ତି ପ୍ରହରେ
ଅଳପ ରୁଷେ,
ସପନ ଶେଯରେ ପଉଷ ବାଆ ଯେ
ଵହଇ ପାଶେ,
ପରଜାପତିର ଭଳି ଭଳି ରଂଗ ତରୁ ସାଥେ
ସତେ ମିତଣି ଵସେ,
ରଂଗ ଝାଡି ଦେଇ ଦୂର ଆକାଶରେ
ଅତି ଆଵେଶେ,
ଜହ୍ନରାତି ସତେ ନିଖୋଜ ହେଇଛି
ଦୂର ଆକାଶେ,
ବରଷା ବାଆ ର ଆଖି ଆଢୁଆଳେ
ରଜନୀ ଶେଷେ,
ଦୂର ଦିଗନ୍ତ ରେ କଳରବ ଶୁଣି ଶୀତୁଆ
ସକାଳ ସତେଜ ଦିଶେ ......... ❤️
©Priti Bhanja
-
ଅତୀତ ଏକ ସ୍ମୃତିର ଉଆସ
କେବେ ଗ୍ରୀଷ୍ମର ସଜ କୃଷ୍ଣଚୂଡାର ରଙ୍ଗ
ପରି ସତେଜ,
ବର୍ଷାରେ ଅହରହ ଭିଜୁଥିବା ମନ ପରି
ଭିଜା ଭିଜା,
ବସନ୍ତର ଦୋଳାୟିତ ପୁଷ୍ପର ସମ୍ଭାର
ପରି ଆନମନା,
ଶୀତ କାକରର ଧୀର ପଦପାତ ପରି
ବେଶ ଚୁଲବୁଲି,
ଏସବୁର ହିସାବନିକାସ କେବଳ କରିହୁଏ
ନିଶବ୍ଦ ରେ, ଚୁପଚାପ ରାତିର ସ୍ନିଗ୍ଧ ଅଗଣା ରେ...
ଅବଶ ମନ ର ନିରୁତା ପଣ ରେ
ମେଞ୍ଚାଏ ସ୍ମୃତି କେବେ ପ୍ରିୟ ମଣିଷଙ୍କର ସ୍ୱରୂପ କୁ
ଆଖି ଆଗରେ ରଖି ମନେ ପକାଏ ସୁଖ, ଦୁଃଖ, ଜ୍ୱାଳା, ଯନ୍ତ୍ରଣା, ବିରହ, ଅନୁରାଗ, ପ୍ରେମ, ପ୍ରତାରଣା ର ମଧୁର ଇଙ୍ଗିତ କୁ,
ସମୟର ନୂଆ ଛୁଆଁ ଭିତରେ ଦରଦୀ ସ୍ଵାକ୍ଷର ଟିଏ ସାଜି
ପୁଣି ନୂଆ ଲଫାପା ଭିତରେ ଫେରୁଥାଏ ନିର୍ଦ୍ଧାରିତ ସକାଳର
ନୂଆ ନିର୍ଯାସ ଭରା ସରହଦର କୁଢ଼ କୁଢ଼ ପ୍ରଶ୍ନବାଚୀ!!!!!!!
-
ସମୟ ଵୋଧେ ଏମିତି ଥିଲା
କିଛି ହଁ ଭିତରେ ନା ଆଉ କିଛି ନା ଭିତରେ ହଁ
ମାନଙ୍କର ଆବାଜ୍,
ମୁଁ ପଚାରୁଥିଲି ତୋ କଥା
ତୁ କହୁଥିଲୁ ହଁ ସଵୁ ଭଲ,ଭଙ୍ଗାଗଢ଼ା ଜୀବନର
ଦୁଇଦିନିଆ ଇଚ୍ଛା ପରି।
ତଥାପି ପୁଣି ପଚାରିଲି ତୋ କଥା
କହିଲୁ କେଵେ ସମୟ ହେଲେ କହିଵି
ଦୁଇପଦ।
ମନ ଵୁଝିଲାନି ପୁଣି ପଚାରୁଥିଲି ତୋ କଥା
ଦୂର ତାଳବଣରେ ଜହ୍ନ ଲୁଚିଲା ପରି
ଗୁଡାଏ ଅବସୋସ କୁ ତୁ ସାଉଁଟି ଧରିଥିଲୁ,
ଉତ୍ତର ରଖିଥିଲୁ ମଲାଜହ୍ନର ଆଵେଗ ପରି।
ଘୃଣାର ପ୍ରାଚୀର ଭିତରେ ଶ୍ରଦ୍ଧା ବି କୁଆଡୁ ଆସିବ!
ପୁଞ୍ଜିଭୂତ ଵେଦନାର ସତ୍ତା ଭିତରେ ଜୀଵନକୁ
ଏମିତି ତଉଲିବା ଵେଳେ ଅନ୍ଧାରରେ
ଦୂର ତାଳବଣ ଶୂନ୍ୟତାକୁ ଆଵୋରି ବସିଥିଲା
ତୋ ଶନ୍ୟପଣରେ ହାତ ମିଳାଇ,
ଆଉ ମୁଁ ଅନ୍ଧାରର ଘନ କୁଜ୍ଝଟିକା ଭିତରେ
ଅଣନିଶ୍ୱାସୀ ହୋଇ ସାଜିଥିଲି ପଥପ୍ରାନ୍ତର ପଥିକଟିଏ।
©Priti Bhanja
-
ଚାଲ ଦେଇଦେଵା କବର
ଵିଶ୍ଵାସର ଚଉହଦି ତଳେ,ଯେତେ ସବୁ ଅନିଚ୍ଛୁକ ଖିଆଲ ମାନଙ୍କୁ।
ଆଖିତଳର ଅନ୍ଧାର ଭିତରେ ମହଜୁଦ୍ ଥିବା ସ୍ୱପ୍ନ ମାନଙ୍କୁ
ଆସ ସାଉଁଟିବା,ଖୋଜିନେବା ବେହିସାଵ୍ ସ୍ମୃତି,
ଲେଖିବା ଭିନ୍ନ ପିପାସାର କଥା।
ଋତୁ ଶେଷ ଓ ଆରମ୍ଭର ମହୋତ୍ସବ ଭିତରେ
ନିଅନ୍ ଆଲୁଅକୁ ସାକ୍ଷୀ ରଖି ପୁଣି ପ୍ରତିଶ୍ରୁତି ମାନଙ୍କର
ହାଟ ରେ ନିଜକୁ ସମର୍ପି ଦେବା,
ନଥାଉ ଜହ୍ନର ସରାଗ,ବତୀଘରର ଧିମା ଆଲୁଅରେ
ନୀଳାଭ ଢେଉ ମାନଙ୍କୁ ଦେଖି ନଦେଖିବାର ଭ୍ରମରେ
ପୁଣି ହଜିଯିଵା,ନିଜ ଭିତରେ ନିଜକୁ ଖୋଜିବା,
ଗୋଟି ଗୋଟି କରି ଲେଖିଥିବା ପୃଷ୍ଠାକୁ ସାଉଁଟିଵା
ସେଇ ଅନ୍ଧାରର ବୁକୁ ପରେ ;କାହିଁକି ନା ଗାଢ଼ ଅନ୍ଧାର
ର ଛାତି ଭେଦ କରି ହୁଏତ ଜହ୍ନ ନ ଆସିପାରେ,
କିନ୍ତୁ ନିଜକୁ ଖୋଜିବାରେ ଘନ ଅନ୍ଧାର
ହୁଏତ ଆମ ପ୍ରଶ୍ନ ଓ ଉତ୍ତରର ହିସାବନିକାଶ କରିପାରେ
ଅନ୍ଧାର ଶେଷର ଉଦିତ ଜହ୍ନ ପାଖରେ।
©Priti Bhanja-
ଫର୍ଦ୍ଦେ କାଗଜ ଲୋଡ଼ା ପଡେ
ଅସଜଡା ଦିନଟିକୁ ସଜେଇବା ଲାଗି
ଅନୂଢା କିଶୋରୀର ହସ ପରି
ଝଲସୁଥାଏ ସାରା ସଂସାରର ଥକ୍କାପଣ।
କେବେ ପୁଣି ନୂଆ ସୂର୍ଯ୍ୟଙ୍କୁ ନେଇ
ମନରେ ଆସେ ଅସୁମାରୀ ଆଶା,
ନାହିଁ କୁ ନିଜେ ହଁ କରିଦେଵାର କ୍ଷମତାରେ
ଏକଛତ୍ରଵାଦୀ ଶାସକଟିଏ ସାଜି
ଅଜଣାତରେ ଝରିପଡେ ଟୋପାଏ ଲୁହ।
ସକାଳ ଗଡିଯାଏ;ଗଛ, ପତ୍ରଙ୍କୁ ଅନେଇ
ସବୁଜିମାର କଙ୍କାଳରେ ସ୍ୱପ୍ନ ଲେସିହୁଏ,
ଶୀତୁଆ ସ୍ପର୍ଶରେ ଜାକିଜୁକି ହୋଇ
ଅଭିମାନ ସବୁ ମନ କାରାଗାରରେ ବନ୍ଦୀ ଜୀବନର
ସ୍ମୃତିଚାରଣ କରନ୍ତି।
ପୁରୁଣା ଅଭିସାରରେ ଵନ୍ଧା ପଡେ ଜୀବନରେ
ଲୋଡ଼ା ପଡୁଥିବା ଅନେକ ଭାବାବେଗ,
ବାସ୍ ଆନ୍ଦୋଳିତ ହେଉଥିବା ମନର କଥାରେ
ପୂର୍ଣ୍ଣଚ୍ଛେଦ ଟିଏ ପଡିଯିବ କି ନାହିଁ
ଭାବୁ ଭାବୁ ପୁଣି ଅନ୍ଧାର ଇସାରା ଦେଉଥାଏ
ଏଇତ ନୀଳଜହ୍ନ ଦିଶିଲାଣି,କେଇ ଘଡି ପରେ
ପୁଣି ନୂତନ ସୂର୍ଯ୍ୟ,ନବୀନ କିରଣ,ନବ ଉନ୍ମେଷ,ନୂଆ
ସମ୍ଭାବନାକୁ ନେଇ ଅନେକ ପ୍ରଶ୍ନବାଚୀ
ଯାହାର ବୋଧହୁଏ ଉତ୍ତର ନାହିଁ......
©Priti Bhanja-
ସତେ ଯେମିତି ସଚେତନ
ଆଳାପରେ ଅବା ପରିସ୍ଥିତିର ବନ୍ଧନରେ।
କାହାରି ମାନସିକତାକୁ କ୍ଷତି ପହଂଚାଉନଥିବା
ଦୀର୍ଘ ତଟରେଖା ପରି ସଦା ଛଳଛଳ;
ଅତି ପାଖକୁ ବହି ଆସୁଥିବା ଢେଉଟିଏ ପରି ଫେନିଳ,
କାନ୍ତିସମ ,ଶାଶ୍ୱତ ଓ ସମଦର୍ଶୀ ଭାବନାକୁ ପାଥେୟ କରି
ଚାଲୁଥିବା ସାଇତା ସରାଗର ଇତସ୍ତତଃ ଇଂଗିତ ଟିଏ।
-
ଅଳପ ଛୁଆଁରେ ଛାତିଏ ଶରଧା
ମନୁ ତା' ବାହାରି ଆସେ,
ମୁଠାଏ ମାଟିର ଭିଜା ଅଵସୋସ
ରାତ୍ରି ପ୍ରହରରେ ରୁଷେ।
କହିନାହିଁ କେଵେ କରୁଣ କାହାଣୀ
ଲୁହ ଢାଳିନାହିଁ କେଵେ,
ପଥରଠୁ ସତେ କେତେଯେ କଠିନ
ମନେ ଭାଳିହୁଏ ଏବେ।
କେବେ ବରଷାରେ କେଵେ ବା ତାତିରେ
ତୋଫାନରେ ହସୁଥାଏ,
ଠିକଣା ତା'ର କିଏ ବା ଜାଣିଛି
ମାଟି ମା'ପରା ସିଏ।
-
ଏ ଖୋଲା ଆକାଶ ତଳେ
ଗୋଧୂଳିର ରଂଗ ସେଦିନ ଲାଗୁଥିଲା
ଗାଢ଼ନୀଳ,
ଧୂସର ରଂଗର ଈଷତ୍ ଛୁଆଁରେ
ଝାଞ୍ଜି ବୋଳା ସଂଜ ପ୍ରକୃତିସ୍ଥ ହେଉଥିଲା,
କାକଳୀର ମହକ ଭରା ଆବେଗରେ
ସବୁକିଛି ଲୁଚିଯାଉଥିଲା ଝାପ୍ସା ଅନ୍ଧାର ଭିତରେ।
ମହମହ କାମିନୀ ଫୁଲର ପାଖୁଡ଼ା
ଧୀର ପବନରେ ଭାସିଆସି କିଛି ଏଣୁତେଣୁ ଭାବନାରେ
କରୁଥିଲା ବେଖିଆଲ୍,
ବୈଶାଖ ସଂଜର ସୁହାଗ ତାତିଲା ଦେହର
ଉହାଡରେ ନେସି ଦେଉଥିଲା ଅନ୍ଧାରର ନୀରବ ପଣ ,
ହେଲେ ମୋ ମାଟିର ଅଗଣା ଥିଲା ସ୍ଥିର, ଭାଵପ୍ରବଣ,
ହଜାରେ ସ୍ୱପ୍ନର ନାୟିକା ସାଜି ବୈଶାଖ ତାତିକୁ
ନିଜର କରିଥିଲା ଗାଢ଼ ଆଲିଙ୍ଗନରେ ଆଉ ସେ ବିଶାଳ
ହୃଦୟ ଭିତରୁ ଆହାଃ ପଦଟିଏ ଭାସି ଆସୁଥିଲା,
ସତେ ଯେମିତି ଆକାଶ ଆଉ ମୋ ଅଗଣା ବୈଶାଖ ସଂଜର
ତାତିକୁ ମନ ଭରି ଆପଣେଇ ନେଇଥିଲେ।
©Priti Bhanja
-
ବୈଶାଖର ଝାଞ୍ଜି ପରେ
ଏଵେ ଆସିଛି ବର୍ଷା ମୋ ଅଗଣାରେ,
ସବୁଜିମାର ଓଦା ସରସର ଦେହରେ
ମନଲାଖି ସ୍ୱପ୍ନ ଜମାଟ ବାନ୍ଧିଛି।
ଆସିଛି ମୋ ସରାଗର ରାଇଜରେ
ଝିପିଝିପି ବର୍ଷାର ପରିପାଟୀ,
ଆକାଶର ରଂଗ ବଦଳିଛି,
ଵଦଳିଛି ମନ କଥା,ବଦଳିଛି ଗୁମସୁମ୍ ନୀରଵତା।
ଭିଜିଛି ମାଟି,ଓଦା ବାସ୍ନାର ମହକରେ
ଖେଳୁଛି ପବନ,ଶିହରିତ ତନୁମନ,
ଆଉ କିଛି ଅକଵିତା ସ୍ୱପ୍ନାବିଷ୍ଟ ତା'ସହ ମଧୁରତାର
ରଂଗ ନାଇଛି ଶୂନଶାନ୍ ରାତି।
ଅନ୍ଧାରର ଆବେଗରେ କଥାକୁହା ଆଖି ପରି
କିଛି ଅନୁଭବ ଅପେକ୍ଷାରତ,
ଚିହ୍ନିଥିବା କିଛି ଅଚିହ୍ନା ମୁହ୍ଁ ପୁଣି ସ୍ମୃତିର ସହରରେ
ତଲ୍ଲୀନ,ଗାଢ଼ ନିରୂତା ପଣ ଭିତର
ଝିପିଝିପି ବର୍ଷା ଲାଗି ବାରବାର ପ୍ରତୀକ୍ଷାରତ
ମୁଁ,ମୋ ଅଗଣା,ମାଟି,ଆକାଶ,
ସଭିଏଁ...........
©Priti Bhanja
-