ପୁନରାବୃତ୍ତି; ଲୌହ ଦାନବର ରକ୍ତଭୋଜି
ବାସ୍ କିଛିଦିନ ପରେ ନିରବୀ ଯିବ ବାହାନଗାଁର ସେ ବୁକୁ ଫଟା ଅର୍ତ ଚିତ୍କାର।
ଲୋକେ ସବୁ ଭୁଲିଯିବେ ଆଜିର ଏ ଦୃଶ୍ୟ ବିକଟାଳ।
ପୁଣି ଛୁକ ଛୁକ୍ ହୋଇ ଚାଲିବ ସେଇ ଲୁହା ଧାରଣାରେ କରମଣ୍ଡଳ।
ହେଲେ ଫେରିକି ଆସିବ ଆଉ ଉଜୁଡ଼ି ଯାଇଥିବା କେତୋଟି ହସ ଖେଳର ସଂସାର!
କିଏ କହେ ବଞ୍ଚି ଯାଇଥାନ୍ତେ ନ ଯାଇଥିଲେ ଗ୍ରୀଷ୍ମ ଅବକାଶେ।
କିଏ କହେ ହଜିଗଲା ଜହ୍ନ ମୋର ତାରା ଭରା ଆକାଶେ।
କିଏ କହେ କି ଦୋଷର ଭୋଗିଲୁ ଏ ଦାରୁଣ କଷଣ!
କିଏ କହେ ଠାକୁର ହେ ମୋ ପାଇଁ କି ହୋଇଲ ପାଷାଣ।
ରକ୍ତ ବର୍ଷାରେ ଭିଯିଛନ୍ତି କେତେ କେତେ ଜୀବନ୍ତ ଓ ମୃତ ଶରୀର
ଆଉ କିଛି ମୃତ୍ୟୁକୁ ଅତି ନିକଟରୁ ଦେଖି ହୋଇଯାଇଛନ୍ତି ନିସ୍ତେଜ ନୀର୍ବାକ।
କେଉଁଠି ପୁଅ ବାପାର କଟା ମୁଣ୍ଡକୁ କୋଳରେ ଧରି ଗୁମୁରି କାନ୍ଦେ ତ,
କେଉଁଠି ବାପା କୁଢ଼ କୁଢ଼ ଅଚିହ୍ନା ଶବ ମୁହଁରୁ ରକ୍ତଭିଜା କପଡ଼ା ଟେକି ପୁଅକୁ ଚିହ୍ନିବାର କରେ ଅଦମ୍ୟ ପ୍ରୟାସ।
କେଉଁଠି ଝିଅ ନାହିଁ, କେଉଁଠି ପୁଅ ନାହିଁ, କେଉଁଠି ବାପା ନାହିଁ, କେଉଁଠି ନିଶ୍ଚିହ୍ନ ସମ୍ପୂର୍ଣ୍ଣ ପରିବାର,
ଆଉ କେଉଁଠି ରହିଯାଇଛି ବୟସର ଅପରାହ୍ନରେ ମୃତ୍ୟୁର ଅପେକ୍ଷାରେ ଏକାକିନୀ ମାଆ।
ସତରେ ଏହାଠାରୁ ବଳି ଦାରୁଣ କଷ୍ଟ କଣ କିଛି ହୋଇପାରେ, ବୋଧ ହୁଏ ନା।
ବୋଧ ହୁଏ ପୁଣି ପୁନରାବୃତ୍ତି ହେଲା ଲୌହ ଦାନବର ରକ୍ତର ଏ ମହାଭୋଜି।
-