ସ୍ମୃତିକୁ ଦେବିନି କେବେ ଶୀତର ଠିକଣା
ଆଉଜି ପଡ଼ିବ କାଳେ ହୋଇ ବାଟବଣା!
ଉଷ୍ମତାର ରେଜେଇରେ କାଳେ କରିଦେବ ଘର,
ପୂର୍ବ ପ୍ରତିଶ୍ରୁତି ଠାରୁ ଛିଡ଼ାଇବ ଡୋର!
ଭିଜିବାକୁ ଆସିବନି କେବେ ଆଉ ସେ ବର୍ଷାରେ..
ଖୋଜିବନି ମୋତେ ଆଉ ଇନ୍ଦ୍ରଧନୁର ରଙ୍ଗରେ!
ଧରିବନି ତୂଳି... ଆଙ୍କିବନି ପ୍ରଜାପତି..ଫୁଲ ଫଳ..
ସୂର୍ଯ୍ୟ ଚନ୍ଦ୍ର.. ଗ୍ରହ ତାରା... ସୌର ମଣ୍ଡଳ!
ନ ପାରିବି ବୁଝାଇ ମୁଁ ତାକୁ ମରୀଚିକା କଥା...
ବର୍ଷା ଆଉ ପୃଥିବୀର ଯେତେ ସବୁ ଗହନ କବିତା!
ଚନ୍ଦ୍ର ଆଉ ତାରାର ସେ ନିତିଦିନ ପ୍ରେମ ବିନିମୟ,
ଅବାସ୍ତବ.. ଅନିଶ୍ଚିତ...! ଯେତେ ପ୍ରୀତି ଅପ୍ରମେୟ!
ଫୁଲ ଠାରୁ ଗଭୀର ବି ଫୁଲର ମହକ,
ରଙ୍ଗ ଆଉ ଜୀବନର କେତେ ନିବିଡ଼ ସମ୍ପର୍କ!
ଫର୍ଦ୍ଦ ପରେ ଫର୍ଦ୍ଦ ଆଉ ପ୍ରଶ୍ନୋତ୍ତର ଯେତେ..
ସମ୍ପର୍କର ଆୟୁ ପରି ସବୁ କିଛି ନିର୍ଦ୍ଧାରିତ ସତେ!
ସେଥିପାଇଁ ଲୁଚାଇ ରଖିଛି ତାକୁ ହୃଦୟ ମଧ୍ୟରେ,
କାଳେ ହଜିଯିବ ସିଏ, ସମୟ ସ୍ରୋତରେ!-
ମୁଁ ମନ୍ତ୍ର ମୁଗ୍ଧା
ମହା ମୋକ୍ଷ,
ମନୁ ସ୍ମୃତି
ମହାକାଶ!
ମୁଁ ମାଟି ମୋହ
ମାୟା ମୃଗ,
ମୃଗତୃଷ୍ନା
ମେଘଦୂତ!
ମୁଁ ମରୁଭୂମି
ମଲାଜହ୍ନ,
ମଶାଣିର
ମଲା ସ୍ଵପ୍ନ!
ମୁଁ ମୁହୁର୍ମୁହୁ
ମତାନ୍ତର,
ମସ୍ତିଷ୍କର
ମାୟାଜାଲ!
ଏଇ ମୁଁ ମୁଁତ୍ୱର
ମହାଭାରତରେ,
ମୁଁ ମୂକ ସାକ୍ଷୀ
ମହା ବୃକ୍ଷ!-
ଖରାଦିନ ଛୁଟିବେଳ ଅବା ଶୀତୁଆ ସକାଳ
କାଲି ପରି ଲାଗେ ସତେ, ସବୁ ଦିଶଇ ସଜଳ!
ସ୍ମୃତିପଟେ ଉଙ୍କିମାରେ କେତେ ମିଠା ଅପରାହ୍ନ,
ସମୟ ଗର୍ଭରେ ଆଜି ସବୁ ଯେ ବିଲୀନ!
ଶବ୍ଦକୋଷେ ଅର୍ଥ କେବେ ଖୋଜି ନାହିଁ ଯା'ର
ସମ୍ପର୍କର ସୂତ୍ରଧାରେ, ସିଏ ବଡ଼ବାପା ମୋର!
ଧମନୀରେ ବହେ ମୋର ତାଙ୍କ ରକ୍ତଧାର
ମୋ ହୃଦ୍ ସ୍ପନ୍ଦନେ ବି ତାଙ୍କରି ସ୍ଵାକ୍ଷର!
ସେଇ ଶବ୍ଦ ହଜିଗଲା ଆଜି ସମୟ ସ୍ରୋତରେ
ସ୍ପନ୍ଦନ ବି ସ୍ଥିର ହେଲା କାଳର ଗତିରେ
ଶତ ଅଭିମାନ ଆଉ ସ୍ୱାଭିମାନ ଗାରେ
ରୁଦ୍ଧ କିଛି ଅଭିଳାଷ ଅବଶୋଷ ଧାରେ!
ମନେପଡେ ସ୍ମିତହାସ୍ୟ ଆଉ ବାକ୍ ମଧୁରତା..
କାହାପାଇଁ ହୃଦୟରେ କେବେ ତୁମ ନଥିଲା ତିକ୍ତତା,
ଚିର ଶାନ୍ତି ଆବୋରିଣ..ଫେରିଗଲ ତୁମେ..
ଆସି ଦେଖି ଯାଅ ଥରେ.. ତୁମ ବିନା ଜୀବନରେ,
କେତେ ଅସମ୍ପୂର୍ଣ୍ଣ ଆମେ!
ବର୍ଷ ପରେ ବର୍ଷ...ହେଉଥିବ କ୍ଷୟ..
ଯାହା କ୍ଷୟ ହେବ ନାହିଁ.. ତାହାହିଁ ସମୟ...
ସତ୍ୟ ଆଉ ସ୍ମୃତି ତବ କେବେ ନହେବ ବିଲୟ..
ତଦୂର୍ଦ୍ଧରେ ରହିଥିବ ବିଜେତା ବିଜୟ..!!-
ଅଭିମାନ ଯେତେ ଅକୁହା କଥା
ଅଭିମାନ କେତେ ବେଦନା ବ୍ୟଥା
ଅଭିମାନ ଏଇ, ସଂସାର ନାଆରେ
ଛନ୍ଦି ହେଇଥିବା ଅଡ଼ୁଆସୂତା!
ଅଭିମାନ ଏଠି ଦୂର ପରବତ
ଅଛିଣ୍ଡା ଗଣିତ.. ଅଭୁଲା ଅତୀତ
ଦୂରଦିଗ୍ ବଳୟେ, ଅସ୍ତ ସୂର୍ଯ୍ୟ ସମ
ଭାସି ଯାଉଥିବା ସମୟ ସ୍ରୋତ!
ଅଭିମାନ ଧାରେ ପଥିକ ପରାସ୍ତ
ହୃଦୟ ସତେକି ଶୋଣିତ ସିକ୍ତ
ରଜନୀ ରଜନୀ ନୀରବ ରଜନୀ
ଆର୍ଦ୍ର ନୟନେ ତଥାପି କାହିଁକି
ଅପେକ୍ଷାରତ!!??-
ଯଜୁର୍ବେଦ ମନ୍ତ୍ର ଧ୍ୱନି..
ସାମବେଦ ଶ୍ଲୋକ ପଙ୍କ୍ତି
ଜାଣେନା ମୁଁ ଆବାହନ,
ଅବା କିଛି ପୂଜା ବିଧି
ସଂସାରର ସୀମାରେଖା
ନହେବସେ ଅତିକ୍ରାନ୍ତ
ନା, ପାରିବି ଜିଣି କେବେ
ଇନ୍ଦ୍ରିୟର ମତଭେଦ
କିନ୍ତୁ ମୁଁ ଯେ
ମୋହାବିଷ୍ଟ ମନୁଷ୍ୟାତ୍ମା,
ସତ୍ୟମିଥ୍ୟା କାରାଗାରେ
ମୋକ୍ଷ ପାଇଁ ବ୍ୟାକୁଳାତ୍ମା
ଯଦିଓ ମୁଁ ପରାଜିତ
ପରଦାର ଅନ୍ତରାଳେ,
ଜାଣେନାହିଁ କାହିଁକି ମୁଁ
ସିଂହଦ୍ଵାରେ ଅଶ୍ରୁ ଢ଼ାଳେ!
ସାନିଧ୍ୟର ସମ୍ମୋହନ
ଅବା ଦୂରେ ବଂଶୀସ୍ଵନ
ବିଚଳିତ ମନ ଦ୍ୱାରେ,
କିବା ଏକ ଉଦବେଳନ!-
ତୁମେ ଦିଗନ୍ତ ବିସ୍ତାରୀ ମରୁତ୍ଯକା,
ମୁଁ ଅଥଳ ଜଳର ଜଳକନ୍ୟା!
ଆମ ଗନ୍ତବ୍ୟ କି ମରୁଦ୍ୟାନର ମୃଗତୃଷ୍ନା?
ତୁମେ କାରାଗାରେ ବନ୍ଦୀ ବେପରୁଆ ବାୟୁ,
ମୁଁ ଅବିଶ୍ରାନ୍ତ କୋହ ଅସୁମାରି ଲୁହ!
ଆମ କବିତା କି ମହାଭାରତର ମହାଯୁଦ୍ଧ କାଳେ
ସୁରଚିତ ଏକ ଚକ୍ରବ୍ୟୁହ !!??
ତୁମେ ଆଦ୍ୟ ବୈଶାଖର ଶୁଷ୍କ ତନୁ!
ମୁଁ ଭରା ଭାଦ୍ରବର ଇନ୍ଦ୍ରଧନୁ!
ଆମ ସମ୍ପର୍କ କି ମିଛ ମାୟାଜାଲ
ସପ୍ତରଥୀ ଘେରା ଅଭିମନ୍ୟୁ??!!-
ଆରବ୍ୟ ରଜନୀ
ରାତ୍ରିର କାହାଣୀ
ସାତତାଳ ପଙ୍କ
ସିନ୍ଦୁକ ଭିତର
ବୁଢୀ ଅସୁରୁଣୀ
କେବେ ରାଜା ପୁଅ
ସାଧବାଣୀ ଅବା
ସାତଭାଇଙ୍କ ସୁନାନାକୀ
ସାନ ଭଉଣୀ
ସ୍ମୃତିର ସେପଟୁ
ଆଣିଲି ସାଉଁଟି
ଜେଜେମା ପେଡ଼ିରୁ
କିଛି କଥା କିଛି କାହାଣୀ
ସେଇ କାହାଣୀକୁ ବଢାଇଦେଲି ମୁଁ
ଆଗାମୀ ଭବିଷ୍ୟ ହାତେ
ଜାଣେନାହିଁ ସେ ଯେ
ବୁଝେକି ବୁଝେନା ସତେ!
#amigyan-
"ମା ମୋର କାହିଁ ନୂଆ ଡ୍ରେସ୍?!"
"ହଉ ଆର ବର୍ଷକୁ ତୋର ବି ଆସିବ.. :)"
ତା ପର ବର୍ଷ,
"ଦିଦିକୁ କଣ ଥାଳିରେ ଦୀପ ଜାଳିକି କଲୁ.. ମୋତେ ବି କର"
୭/୮ ବର୍ଷର ଛୁଆ କଣ ବୁଝିବ ପ୍ରଥମାଷ୍ଟମୀ କଣ!?
୧୮ ବର୍ଷ ପରେ, ଆଜି ପୁଣି ମା ମୋତେ ବନ୍ଦାପନା କଲା ପରେ, ଭାଇ କୁ କହିଲି
"ତୋତେ ଗୋଟେ ନୂଆ ଡ୍ରେସ୍ ଦରକାର କି..??"
ହସି ହସି କହିଲା "ଯା, ମୋତେ PUBG ଖେଳିବାକୁ ଦେ"
ଏମିତି ପିଲାଦିନ ସ୍ମୃତି ସବୁ ଅଭୁଲା ଆଉ ନିଆରା..
ଗୋଟେ ଚିନ୍ତା ଏମିତି ମନକୁ ଆସିଲା..ଆଜିକାଲି ଏଇ ନ୍ୟୁକ୍ଲିଆର୍ ଫ୍ଯାମିଲିର ଅନ୍ତରାଳରେ ଆମର ଆଗାମୀ ପୀଢି ଏଇ ପ୍ରଥମାଷ୍ଟମୀ ପର୍ବର ଅନୁଭବ ଅଥବା ଏମିତି ପରିହାସର ଅର୍ଥ ବୁଝିପାରିବେ ତ.. 🤔
-
Hold on this moment!
With the music of chivalric love,
Dream and live in this second
With the lover belove! ❤️-
Hold on this moment!
Where the darkness unfolds the mystery,
And the mystical voice of nightingale
Composing a poetry!-