ସେ କଲେଜ ଲାଇବ୍ରେରୀରେ ଆମ ଦେଖା
ଲୁଚାଛପା ଚାହାଣି...
କ୍ଲାସ୍ ରେ କଥାହବା ର ବାହାନା
ଏ ସବୁ ଦୈନନ୍ଦିନ ର ଅପରିହାର୍ଯ୍ୟ କାର୍ଯ୍ୟ ପାଲଟି ଯାଇଥିଲା ଯେମିତି......
କିଛି ଦିନ ପରେ ଆମ ଭିତରେ ଗଢି ଉଠିଥିଲା
ନିଃସ୍ଵାର୍ଥପର ଦୋସ୍ତି ......
ଜୀବନ ର ସବୁ ସୁଖ ଦୁଃଖ ବାଣ୍ଟିବା ର ସାଥୀ ଟିଏ ହୋଇଯାଇଥିଲେ ଦୁହେଁ ଅଜାଣତରେ......
ଦୁହେଁ ଦୁହିଁଙ୍କ ସହ ଏତେ ନିବିଡ଼ ହୋଇଯାଇଥିଲେ କି
ଜଣେ ନ ଆସିଲେ ଅନ୍ୟ ଜଣଙ୍କ ନ ଆସିବା ନିଶ୍ଚିନ୍ତ....
ଏମିତି ଦିନ ପରେ ଦିନ ଗଡି ଚାଲିଥାଏ
ଶେଷରେ ଆସିଲା ସେଦିନ ଯେବେ ଆମେ କଲେଜ ରୁ ବିଦାୟ ନେଲୁ,
ହେଲେ କାହିଁକି କେଜାଣି ମୋତେ ଲାଗୁଥିଲା ଏମିତି ଯେମିତି ଆମ ଦୁହିଁଙ୍କ ଦୋସ୍ତି ଆଉ ଆଗ ଭଳି ରହିପାରିବନି.......
ସେ ମୋ ଭାବନା ଥିଲା କି ଚେତନା ର ଶୂନ୍ୟ ସୂଚନା
କଲେଜ ଶେଷ ହେବା ପରେ ଥରେ ବି ସେ ପଛକୁ ଫେରି ଦେଖିନି, କି ସମ୍ପର୍କ ରଖିବା କୁ ଚାହିଁନି ......
ସତରେ କ'ଣ ଆମ ଭିତରେ କିଛି ଥିଲା ନା ବାସ୍ ଏ ଥିଲା ସ୍ବାର୍ଥପରତା ର ଏକ ବଡ ଶିକ୍ଷା????
-
ପ୍ରାରବ୍ଧ ବସନ୍ତର ପ୍ରଥମ ଛୁଆଁରେ
କିଛି ଲୁହ ଭିଜା ସ୍ଵପ୍ନ ଓ ବାଷ୍ପରୁଦ୍ଧ ଚାହାଣିର
ମିଶ୍ରିତ ରୂପରେ ଆମର ସେ ଦେଖା.........
ତୁମ ସେ ଅଜଣା ନିରବତା ଓ ବ୍ୟସ୍ତତା
ସତେ ବିବ୍ରତ କରିଦେଉଥିଲା,ଋତୁରାଜ ବସନ୍ତର ସେ ସବୁଜ ରୂପକୁ
ତୁମ ମୁଖରୁ କିଛି ପଦ ଶୁଣିବାକୁ ବିଚଳିତ ଥିଲା ମନ ମୋର,
ତୁମକୁ ଚାହିଁ ରହିଥିବା ମୋ ଚକ୍ଷୁ ଯୁଗଳ
ଯେମିତି ମିନତୀ କରୁଥିଲା ମତେ ଟିକିଏ ବିଶ୍ରାମ ଆଶେ..........
ତଥାପି ଥିଲ ତୁମେ ନିରବ......
ତୁମ ନିରବତା ର ଅଗ୍ନିଶିଖା
ମନକୁ ମୋର ଜାଳୁଥିଲା ପ୍ରତିଟି କ୍ଷଣରେ.......
ମନରେ ମୋର ଅଜଣା ଭୟ .........
ନିରବତା ଭଙ୍ଗ କରି
ଆରମ୍ଭ ରୁ ଶେଷ କରି
ତୁମ ସେହି ଓଦାକଣ୍ଠରେ କହିଥିବା ଶବ୍ଦମାନର
ପ୍ରତିଧ୍ବନିକୁ ନିର୍ବାକ୍ ଭାବେ ଚାହିଁ ରହିଥିଲି ମୁଁ !!!
ଭିଡ ଭିତରେ, ସେ ଏକାକୀର ଅନୁଭବ.....
ମନରେ ଅଜସ୍ର ପ୍ରଶ୍ନ
ସବୁର ଅନ୍ତରେ
ନିସ୍ତବ୍ଧ ଓଠ ମୋର ଯେମିତି କହିଉଠୁଥିଲା
କାହିଁ କଲ ଛଳନା
ମନେ ଏତେ କଥା ଥିଲା ଯଦି........
-
ମାର୍ଗଶିର ଶେଷେ ପୌଷର ଆରମ୍ଭେ
ଆସେ ଯେବେ ଶୀତ ମାଡି,
କଅଁଳ ଖରାର ଉଷ୍ଣ ପରଶ
ନପାରେ ଯେ ତାକୁ ତଡି ।
ଗାଁ ଛକ ମୂଳେ ସଞ୍ଜ ସକାଳେ
ନିଆଁ ପଇଁବାକୁ ହୁଅନ୍ତି ସଭିଏଁ ଠୁଳ ,
ସୁପ୍ତ ଶୀତର ପାରଦ ଆଢରେ
ମନ୍ତ୍ରିତ ସ୍ବପ୍ନିଳ ।
ଝଲସା କିରଣ କାକର ବୁନ୍ଦେ
ପୁରିତ ଘାସ ଗାଲିଚା,
କୁହୁଡି ଆସ୍ତରେ ସଂଗୀତ ତାନେ
ଝରା ଶେଫାଳି ଗାଏ ଯେ ଶୀତର ଗାଥା ।
ହଳଦୀ ପତ୍ର ବାସ୍ନେ
ମହକି ଉଠେ ଧରଣୀ,
ତନ୍ଦ୍ରାଚ୍ଛନ୍ନ ତନୁର ଉଷ୍ଣ ସ୍ପର୍ଶରେ
ଦିଏ ସେ ଶୀତକୁ ଆର୍ଦ୍ର ମେଲାଣି ।
-
~~~~~~~~ମୃଗ ତୃଷ୍ଣା ~~~~~~~~~~~
ଅନାହୃତ ଝଙ୍କାର ତିମିର ତନୁରେ
ଉପେକ୍ଷିତ ଅଗ୍ନିସ୍ତବ୍ଧ ଦ୍ବିପାକ୍ଷୀ ଜଞ୍ଜିରେ ।୧।
ପ୍ରୀତି ପ୍ରତିକ୍ଷିତ ଆସନ୍ନ ଆକାଂକ୍ଷା
ନିଷ୍କୃତ ତୃଷ୍ଣାର ଅମାପ ତିତିକ୍ଷା ।୨।
ତୃଷ୍ଣାର ତର୍ପଣ,ମୁକ୍ତି ଆଲୋଡନ
ଅସୁମାରୀ ଆଶା ସ୍ଵପ୍ନ ଭିତ୍ତିହୀନ ।୩।
ବୃଥା ଅହମିକା ସ୍ବଷ୍ୟ ବିନୟେ
ଜଞ୍ଜାଳ ଗ୍ରସିତ ଅଶାନ୍ତ ମଳୟେ ।୪।
ପୂର୍ଣ୍ଣତା ଆଶେ ତୃପ୍ତିର ତାଡନା
ଆବେଗ-ସୁହାଗ-ବ୍ୟାକୁଳ ବେଦନା ।୫।
ବିମୋହ ମନ୍ମଥ ବିଳାସ ଅତୀତ
ତୃଷ୍ଣୀର୍ତ ନିଷାର୍ଦ୍ଧ ଚିତ୍ତ ପ୍ରତ୍ୟାଶିତ ।୬।
-
ଅଜୟ ଅକ୍ଷୟ ତୁମେ, ନୀରବ ଦର୍ଶକ
ସ୍ରୋତ ପରି ଚାଲ ଗଡି, ନକରି ଭ୍ରୃକ୍ଷେପ ।
ମାନ ଅଭିମାନ ର ତୁମେ ଗନ୍ତାଘର
ସ୍ପନ୍ଦନ ବନ୍ଧନ ଆଗେ ହୁଅ ଯେ ବିହ୍ଵର ।
ସ୍ମୃତି ର ଆଇନା ତୁମେ,ଉନ୍ମୁକ୍ତ ଭାବନା
କେବେ କର ପର ତୁମେ,କେବେ ଯେ ଆପଣା ।
ବିଗତ ଅତୀତ ତୁମେ, ଉନ୍ମାଦ ବର୍ତ୍ତମା
ପୁଷ୍ପିତ ତରୁଦେଶେ, ଭବିଷ୍ୟ କାମନା ।
ତୃଷ୍ଣୀଭୂତ ଆଶା ତୁମେ,କ୍ଷୁଧିତ ଆକାଂକ୍ଷା
ଛଳନା ବିହୀନ ଏକା ତୁମେ ମୋର ସଖା.........
-
ଅମ୍ବରେ ଆଚ୍ଛାଦିତ ସପ୍ତ ରଙ୍ଗେ
ସୁସଜ୍ଜିତ ଇନ୍ଦ୍ରଧନୁ ର ସେ ରୂପ......
ସବୁଜିମା ଧରଣୀ ଗାଲିଚା ରେ
ସାଧବବୋହୂ ର ନାଲି ଠୁକୁ ଠୁକୁ ଚାଲି ....
ଅନାବିଳ ସ୍ନେହ ର ଆଲୋକେ ଆଲୋକିତ
କ୍ଷୁଦ୍ର ବୀଜ ର ଅଙ୍କୁରଣ ର ଆପ୍ରାଣ ପ୍ରୟାସ......
ଗୋଧୂଳି ବେଳର ପଶ୍ଚିମ ଆକାଶେ
ସୂର୍ଯ୍ୟଅସ୍ତ ର ଅବର୍ଣ୍ଣନୀୟ ଆନନ୍ଦ .....
ଶିଶୁଟିର କୁନି କୁନି ପାଦରେ
ପଡି ଉଠି ଚାଲିବାର ସେ ସୌହାର୍ଦ୍ଦ ଦୃଶ୍ୟ.....
-
ଅସ୍ପଷ୍ଟ ଅସ୍ତିତ୍ବ, ଅଲିଭା କ୍ଷତ
ବିଦଗ୍ଧ ଆତ୍ମାର ଅଦୃଶ୍ୟ ଧୂଆଁ
ଆତ୍ମଗ୍ଲାନିର ଆଢୁଆଳରେ ମନର କୋହ
ସମସ୍ତ ମାୟାର ତରଙ୍ଗ ହଟାଇ
ଏ ମନ କରିବା କୁ ଚାହେଁ ଆଜି ପ୍ରାୟଶ୍ଚିତ......
ହଁ! ମନ ଚାହେଁ ଆଜି ପ୍ରାୟଶ୍ଚିତ
ସବୁ କିଛି ଭୁଲି
ସବୁ ରାଗ ଋଷ ମାନ ଅଭିମାନ କୁ ପଛରେ ପକାଇ
ଚାହେଁ ଆଜି ମନ ସେ ଅନ୍ତରଙ୍ଗ ନୀରବତା ......
ଆରମ୍ଭ କରିବ ବା କେଉଁଠୁ ଆଉ ଶେଷ କରିବ କେଉଁଠି
ଯାହାର ଜୀବନ ର ସବୁ ସ୍ଵପ୍ନ ର ମହଲ
ମିଥ୍ୟା ଓ ପ୍ରବଞ୍ଚନା ର ନିଦର୍ଶନ
ଯାହା ପାଇଁ ସମ୍ପର୍କ ର ମାନେ କିଛି ନଥିଲା
ଯେ କେବେ ବି କାହାର ବୁଝି ନାହିଁ ମୂଲ୍ୟ
ତଥାପି ଏ ମନ କରିବାକୁ ଚାହୁଁଛି ପ୍ରାୟଶ୍ଚିତ
ଆଶା ର କ୍ଷୀଣ ଆଲୋକ ସଞ୍ଚାରି......
-
ନିବୃତ୍ତ ସେ କୋଳାହଳର ନିଃସ୍ବ ସ୍ପର୍ଶ ଠୁ
ଆବଦ୍ଧ ଯେ ନିଃଶ୍ଚଳର ମମତା ବନ୍ଧନୁ
ତୁମେ ହିଁ ସେ ଅନ୍ତରଙ୍ଗ ନୀରବତା !!!!!!!!!!
ଜୀବନ ଜଞ୍ଜାଳ ର ଅନତି ଦୂରରେ
ବେଦନା ଚେତନା ର ଭବ୍ଯ ସମାଗମେ
ତୁମେ ହିଁ ସେ ଅନ୍ତରଙ୍ଗ ନୀରବତା !!!!!!!!!!
ନିସ୍ତବ୍ଧ ରାତିରେ ତୁମେ ଯେ ବାନ୍ଧବୀ
ସ୍ମୃତି କଳାପଟେ ଆଙ୍କିଦିଅ ଛବି
ଦ୍ବନ୍ଦ ପ୍ରତିଦ୍ଵନ୍ଦ ଅନ୍ତରେ ଯେ ତୁମେ
ଶାନ୍ତି ର ଭବନେ ବିଚରିତେ ରମ୍ୟେ........
ପ୍ରତିଟି କ୍ଷଣର ହୋଇ ମୂକ ସାକ୍ଷୀ
ଆରମ୍ଭ ଅନ୍ତର ଆରକ୍ଷୀ ସାଜି
ତୁମେହିଁ ସେ ଅନ୍ତରଙ୍ଗ ନୀରବତା !!!!!!!!!
-
ଜୀବନ ର ସଂଦୀର୍ଘ ପଥ ସତେ ଅଡ଼ୁଆ ସୂତାର ଖିଅ
ସଜାଡ଼ିବା ର ଅବିରତ ପରିଶ୍ରମ ସତ୍ତ୍ବେ
ଫଳ କେବଳ ବିଫଳତାର ଲାଞ୍ଛନା .....
ଗୋଟିଏ ସୂତା କୁ ସଜାଡ଼ୁ ସଜାଡୁ
ଫସିଯାଏ ଆଉ ଏକ ଜାଲର ଅଜଣା ଖିଅରେ....
ସଜାଡ଼ିବା ଆଶାରେ ଫସିଚାଲେ ସେ
ଗୋଟେ ପରେ ଆଉ ଗୋଟେ ମାୟାର ଶିକାର ହୋଇ
ଚକ୍ରବିହ୍ବରେ ଅର୍ଜୁନ ଫସିଲା ପରି
ଜୀବନ ଜଞ୍ଜାଳର ଅଦୃଶ୍ୟ ବୁଢୀଆଣି ଜାଲରେ
ଫସିଚାଲେ ଏକ ଦିଗହରା ଭଳି
ପାଏ ନାହିଁ ନିସ୍ତାର ଏ ମରୀଚିକା ର ଛଳନାରୁ ....
ଜନ୍ମ ମୃତ୍ୟୁ ର ନିଛକ ସତ୍ୟ ପାଖରେ ବନ୍ଧା ପଡ଼ିଛି ସେ
ଜନ୍ମ ଠାରୁ ମୃତ୍ୟୁ ଯାଏ ବିସ୍ତୀର୍ଣ୍ଣ ସମୟ ଆଗରେ
ଏ ଜୀବନର ସମସ୍ୟା ରୂପୀ ସୂତା ଖିଅର ଅଡ଼ୁଆ ଭିତରେ
ଦଣ୍ଡାୟମାନ ସେ ଯୁଦ୍ଧରେ ପରାଜିତ ଯୋଦ୍ଧା ଜେସେ....
-
ହୃଦୟ ର ସେ ଅଖୋଲା ପୃଷ୍ଠାକୁ ଓଲଟାଇ ଦେଖ ଥରେ
ମଧୁର ସ୍ମୃତି ର ଅସୀମ ବଗିଚାରେ
ସେ ଲୁକ୍କାୟିତ ଯନ୍ତ୍ରଣାର ଆଭାସ ....
ଅପବାଦ ଓ ନିନ୍ଦାର ସେ ଅଦୃଶ୍ୟ ଶିକୁଳିରେ ବନ୍ଧିତା
ହୃଦୟ ବହ୍ନିରେ ଅବିରତ ବିଦଗ୍ଧିତା
ତୁମର ସେ ଅସହାୟ ରୂପ......
ଧନ ସମ୍ପତ୍ତି ପ୍ରାଚୁର୍ଯ୍ୟର ବିଳାସପୂର୍ଣ୍ଣ ଜୀବନଶୈଳୀ
ଯାହା କେବେଳ ବର୍ହିଃ ସୌନ୍ଦର୍ଯ୍ୟ ମଣ୍ଡନ କରିଛି ,
ହେଲେ ପ୍ରତିମୂହୁର୍ତ୍ତ ରେ ସେ ତନୁ ପିପାସୁ ଦାନବ ର ଭୟ
ଯେ ବାରମ୍ବାର କରିଚାଲିଛି ଶୋଷଣ
ତୁମ ଅବିରତ ବିରୋଧ ସତ୍ତ୍ଵେ......
ଆଜିର ଏ ତୁମ ସଫଳତା ଆଣିଦେଇଛି ସେ ସୁଯୋଗ
ପରଦା ହଟାଅ ସେ ଦାନବର ,
ଯେ ପିନ୍ଧିଛି ମାନବିକତାର ଭଦ୍ର ମୁଖା .....
କହିଦିଅ ମୁହଁ ଖୋଲି ଥରେ ଏ ଭଦ୍ର ମୁଖା ତଳେ
ଲୁଚିରହିଥିବା ଅଭଦ୍ର ର ଚରିତ୍ର.....
-