ତା ଆଖିର ଆତଙ୍କ
ମୋ ଆଖିରେ ମିଶିଲେ
ଯେମିତି ଅସ୍ଥିର ଢେଉଟେ
ବେଳାଭୂମି ଛୁଏଁ
ସେ ଚାହାଣୀ ତ ନୁହଁତ
ବନ୍ଧୁକ ଗୁଳିଟେ
ଛାତିରେ ପଶିକି
ପିଠିରେ ବାହାରେ-
ସେ ମୋ କବିତା ପଢ଼େ
ଆଉ ମୁଁ ତା ମୁହଁ
ସେ ମୋ ଡ଼ାଏରିର
ପୃଷ୍ଠା ପୃଷ୍ଠା ଧାଏଁ
ମୁଁ କିନ୍ତୁ ଖୋଜେ ତାର
ଅକୁହା କୋହ
ସେ ବନ୍ଦ ବହିର କାହାଣୀ
ମୁଁ ଖୋଲା କଲମର
ଯାଦୁଗରୀ
ମୁଁ ହସ ଖୁସିର ଦିନ ସବୁ
ସେ ତମାମ୍ ଶୀତଳ ରାତିର
ଅଧିକାରୀ
ମୁଁ ତାରା ଖୋଜେ
ଜହ୍ନ ଖୋଜେ
ନଈ ଖୋଜେ ନିଜେ ହଜି
ସେ ନୀରବତା ଆଙ୍କୁଥାଏ
ତାର ଦୁଇ ଓଠ ଧାରେ
ମୋ ଭିତରେ
ତାକୁ ପାଇ-
ଶେଷରେ
ନିଜକୁ ଖରାପ କହି
ସେ କାହାଣୀର ଚରିତ୍ରରୁ
ମୁଁ ଅବସର ନେଲି
ଶେଷରେ
ସେ ବି ଆଜାଦ୍ କଲା
ମୋତେ ତା ପଞ୍ଜୁରୀରୁ
କିନ୍ତୁ ଦୁଃଖ ଏତିକି ଯେ
ମୁଁ ଉଡ଼ିବା ସମ୍ପୂର୍ଣ୍ଣ ଭୁଲିଯାଇଥିଲି
ଶେଷରେ
ମୁଁ ବି ସ୍ଥିର ହେଲି
ଗୋଟେ ଭୁଲ୍ ସ୍ଥାନରେ
ବନ୍ଦୀ ହେବା ଠାରୁ
ବାଟବଣା ହେଇଯିବା
ତା ଠୁଁ ଅଧିକ ଗ୍ରହଣୀୟ ବୋଲି-
ସେ ଆସେ
ରାତି କରି ବେଶୀ
ଓଦା କରି ଆଖି
ଭାରି କରି ଛାତି
ଅତୀତ ସାଉଁଟି
କାଗଜ ଭିଜାଏ
ମନକୁ ଚିପୁଡେ
ଯେତେ ଅଛି କ୍ଳାନ୍ତି
ଯେତେ ଅଛି ଶ୍ଳାନ୍ତି
ଉଜୁଡ଼ା ଜୀବନ
ଅକ୍ଷର ସଜାଏ
ଦେଖିଦେଲେ କେହି
ଯଦିଓ ସକାଳେ
କେଜାଣି କାହିଁକି
କବିତା ହିଁ କୁହେ
କବିତା ହିଁ କୁହେ-
ସେ ବାନ୍ଧି ଦେଇଥିବା
ଅନ୍ଧ ପୁଟୁଳିକୁ
ଖୋଲିଦେଲେ ମଧ୍ୟ
ତାକୁ ନ ପଚାରି
ମୁଁ ମାନିବିନି କେବେ
ପ୍ରେମର ପ୍ରତୀକ
କହି କହି କିଏ
ଆଗ୍ରାରେ ଗଢିଛି
ରମ୍ୟ ମଶାଣି
ମୁଁ ବୁଝିବିନି କେବେ
ବସନ୍ତ ଆସେନି
ରୁଣୁ ଝୁଣୁ କରି
ନୂପୁର ବାନ୍ଧିକି
ତଥାପି ଅଟକି
ଯିବି ମୁଁ ଗ୍ରୀଷ୍ମରେ
ଫେରିବ ବସନ୍ତ
ମନେରଖ ;
ବର୍ଷା କେବଳ
ଆକାସୁ ବର୍ଷେନି-
ତୁମ ବିନା ପୃଥିବୀରେ ବାସ
ମୁଁ ଅଛି ପ୍ରବାସେ ଯେମନ୍ତ
ଚିହ୍ନିନି ମୁଁ କାହାକୁ ବି ଏଠି
ମୋତେ ଜାଣି ନାହାନ୍ତି ଅଶେଷ
ଅଧା ଅଧା ଚିହ୍ନିଛି ସହର
ଦେଖିଛି ସମୁଦ୍ର କୂଳ
ପାଖେ ଥିବା ବତୀଘର
ଭାବିଛି ତୁମକୁ ଏତିକି
ବେଳାଭୂମି ଦେହେ
ସାଗର ଲେସି ହୁଏ ଯେତେଥର
କୁହ କେଉଁ ଗ୍ରହରେ ତୁମେ
ଲୁଚି ଯାଇଛ ଅକାରଣେ
ଠିକଣା ପାଉନ ନା
ଭୁଲିଛ ମୋତେ ମନେ ମନେ
-
ବର୍ଣ୍ଣବୋଧରୁ ଜୀବନ ଆରମ୍ଭ ଆମର
ହୁଏ ଗୀତା ଭାଗବତେ ଶେଷ
ଶାସ୍ତ୍ରୀୟ ଆମର ଭାଷାର ମର୍ଯ୍ୟାଦା
ଆମେ ଧନ୍ୟ ହେଲୁ ଅଶେଷ-
ସେ ମୋତେ ଫୁଲ ଭାବେ
ସେଇଥିପାଇଁ ତ ଭୁଲି.....ଗଲା
ତା ମନବହିରେ ମୁଁ ଏବେବି ସେମିତି
ଅବଶ୍ୟ ଶୁଖିଯାଇଛି
ସେଇଟା ଅଲଗା କଥା.....ହେଲା
ସେ ମୋତେ ତା ସ୍ଵପ୍ନ ବୋଲି କୁହେ
ସେଇଥିପାଇଁ ତ ଅଧା ରହି.....ଗଲା
ସେ ଶୋଇବା ବେଳେ
ମୁଁ ତା ପାଖେ ପାଖେ ଥାଏ
ଯଦି ଆଉ କିଏ ତା ନିଦ ଭାଙ୍ଗିଦେଲା
ସେଇଟା ଅଲଗା କଥା..... ହେଲା
ସେ ମୋତେ ଜହ୍ନ ବୋଲି କହେ
ସେଇଥିପାଇଁ ତ ମୁଁ ତା ଠୁଁ ଖୁବ୍..... ଦୂରରେ
ଅନ୍ଧାର ହେଲା କ୍ଷଣି ମୁଁ ଚାଲି ଆସେ
ତାକୁ ଦେଖିବାକୁ ,
ସେ ଯଦି ସନ୍ଧ୍ୟା ବେଳୁ ସୋଇଗଲା
ସେଇଟା ଅଲଗା କଥା........ ହେଲା
ସେ ମୋତେ ପ୍ରେମ କରେ
ସେଇଥିପାଇଁ ତ ସେ ଆଜି ଚାଲି.......ଗଲା
ମୁଁ ତ ସେଇଠି ସେମିତି ଆଜିବି
ଅବଶ୍ୟ ମୁଁ ତା ଭଳି ହେଇପାରିଲିନି
ସେଇଟା ମୋ ଅପାରଜ୍ଞମତା ........ହେଲା-
ମୋ ମନରେ ଗୋଟେ ଡ଼ର ଅଛି
ଆଉ ଆଖିରେ ସମୁଦ୍ର
ଏ ସଂପର୍କ ସବୁ
ମୋତେ ଖାଇଯାଏ ଅଯଥାରେ
ମୁଁ ଏକଲା ରହିବା ହିଁ ଯଥାର୍ଥ-
କହିଥିଲି ତାକୁ ଦିନେ
ମୁଁ ଭଲପାଏ ସଞ୍ଜ ବେଳ
ଆଉ ଅଳ୍ପ ଦିନ ମିଶା
ଅନ୍ଧାରୁଆ ଯେତେ କାଳ
ସେ ଖରା ହୋଇ ବୁଣି ହେଲା
ଗୋଧୂଳିରେ ହୋଇଗଲା
ଆହୁରି କଅଁଳ
ମୁଁ ଦେଇଥିଲି ତାକୁ ଦିନେ
ମୋ ଅନ୍ତରର ଅନନ୍ତ ଦୁଃଖର ଠିକଣା
ସେ ଭୁଲିଯିବ କାଳେ ଭାବି
ଲେଖିଦେଲା ରଫ୍ ଖାତା ପଛପଟେ
ପଢ଼ୁ ପଢୁ ସେସବୁ କୁ
ତା ହୃଦୟ ସମୁଦ୍ରରେ
ମିଶିଯାଏ ମୋ ଆଖିର ଝରଣା
ମୁଁ ଡାକିଥିଲି ତାକୁ ଦିନେ
ମୋ ମାଟି ଦୀପ ଅଞ୍ଜୁଳାରେ ଧରିବାକୁ
ଲିଭିଯିବ କାଳେ, ସେ ଗର୍ବି ପବନର ଅହଙ୍କାରେ
ସେ ନିଆଁ ପାଖେ ପାଖେ ରହି
ଜାଳିଦେଲା ତା'ର ଦୁଇ ପାପୁଲିକୁ
ମୁଁ ମାଗିଥିଲି ତାକୁ ଦିନେ
ଗୋଟେ ଗାଢ଼ ନାଲି ରଙ୍ଗର ଗୋଲାପ
ସେ ଆଣିଥିଲା ଖରାବେଳେ
କିନ୍ତୁ ଗୋଲାପର ରଙ୍ଗ ଠାରୁ
ତା ମୁଁହଯେ କେତେ ଗାଢ଼ ନାଲି
ସେକଥା ମୁଁ ଆଖି ବନ୍ଦକରି କହିପାରେ-