ଝୁଲି ଝୁଲି ଆସେ ଦେଖ ଟାହିଆ ହଲେଇ
କଳିଯୁଗ କାଳିଆ ସେ ଦ୍ଵାପର କହ୍ନେଇ
ଚଉଦିଗ ଶୋଭା ଦିଶେ ଭକତ ଗହଳି
ବାଜେ ବାଜା ଭେରି ତୁରି ଶଙ୍ଖ ହୁଳୁହୁକି ।
ବରଷକେ ଥରେ ଆସେ ଗୁଣ୍ଡିଚା ମନ୍ଦିରେ
ନଅ ଦିନ ପର୍ବ ସେ ତ ଆଷାଢ଼ ମାସରେ
ସଙ୍ଗେ ଘେନି ବଡ ଭାଇ ସୁଭଦ୍ରା ଭଉଣୀ
ବଡ଼ ଦାଣ୍ଡେ ଭାରି ଖପା ଲକ୍ଷ୍ମୀ ପାଟରାଣୀ।
ଦୁଃଖ ସବୁ ଦୁରେ ଯାଏ ତୋ ନାମ ଜପିଲେ
ପାପ ତାପ ଧୋଇଯାଏ ରଥ ଟାଣି ଦେଲେ
ସବୁ କ୍ଳେଶ ଦୂର ହୁଏ ରଥେ ଦେଖିଦେଲେ
ଧନ୍ୟ ହୁଏ ଏ ଜୀବନ ସ୍ବର୍ଗ ଲାଭ କରେ।
-
ଜାଗ୍ରତ ହୁଅ ଭାରତବାସୀ
----*----*----*----*----*----
କପାଳୁ ସିନ୍ଦୁର ପୋଛୁଛି ସତୀ
ଫାଟିଯାଉଛି ମାଆର ଛାତି,
ପବନେ କମ୍ପୁଛି ଛୁଆଙ୍କ ରଡ଼ି
ଲିଭିଗଲା କେତେ ଜୀବନ ବତୀ,
ଜୀବନ ଜୀବିକା ଭୁଷୁଡି ପଡିଛି
ନୀରବି ଯାଇଛି ପେହେଲଗାମ୍ ମାଟି ,
ରକ୍ତ ହୋରି ଖେଳେ ଆତତାୟୀ ଆସି
ଜାଗ୍ରତ ହୁଅ ଭାରତ ବାସୀ।
ଉଚିତ୍ ଜବାବ ଦେବାକୁ ପଡ଼ିବ
ଅତ୍ୟାଚାର ଆଉ ହେବନି ସହି ,
କାର୍ଗିଲ ଠାରୁ ପେହେଲଗାମ ଯାଏଁ
ରକ୍ତ ରଞ୍ଜିତ ଭାରତ ଭୂଇଁ ,
ଆତତାୟୀ ହାତେ ବଳି ପଡ଼ୁଛନ୍ତି
ହଜାର ହଜାର ଆମ ଭାଇ ଭଉଣୀ ,
ଏକତ୍ରିତ ହେବା ରଣନୀତି କଷି
ଜାଗ୍ରତ ହୁଅ ଭାରତ ବାସୀ ।
ଧର୍ମ ନିରପେକ୍ଷ ରାଷ୍ଟ୍ର ଅଟେ ଆମ
ବିଶ୍ଵ ବନ୍ଦିତା ଭାରତ ଭୂଇଁ ,
ନାହିଁ ଭେଦଭାବ ହିନ୍ଦୁ ମୁସଲିମ
ଶିଖ ଇସାହି ଅବା ଜୈନ ଯହିଁ ,
ଦାଗାବାଜ୍ ରାଷ୍ଟ୍ର ପାକିସ୍ଥାନକୁ
ଭଲ କରି ପାନେ ଦେବା ଚଖାଇ ,
ଆମ ବଳ କୌଶଳ ତା ଠାରୁ ବେଶୀ
ଜାଗ୍ରତ ହୁଅ ଭାରତବାସୀ।
-
ନୂଆ ବରଷ ଆସୁଛି
--------------------
ନୂଆ ବରଷ ଆସୁଛି
ଖୁସିର ସମ୍ଭାର ଆଣୁଛି
ଦୁଃଖଶୋକ ସବୁ ଦୂର ହୋଇଯିବ
ଜଳ ଜଳ ହୋଇ ଦିଶୁଛି
ନୂଆ ବରଷ ଆସୁଛି.....
ଜାଗିବ କୃଷକ ଢାଳି ଦେବ ଶ୍ରମ
ବନ୍ଧ୍ୟା ଜମିରେ ବି ସୁନା ଫଳେଇବ
ଇଞ୍ଚେ ହେଲେ ଜମି ଖାଲି ନ ରହିବ
ଏମିତି ପଣ ସେ କରୁଛି
ନୂଆ ବରଷ ଆସୁଛି .....(୧)
ନ ଲୋଡ଼ିବ ଆଉ ଆମରି ଓଡ଼ିଶା
ଆନ୍ଧ୍ର ଅଣ୍ଡା, ମାଛ, କଦଳୀ କି ଫଳ
କଲିକତା ଅବା ୟୁ. ପି. ସଢ଼ା ଆଳୁ
ଯୋଜନା ସବୁ ତ ଚାଲିଛି
ନୂଆ ବରଷ ଆସୁଛି ......(୨)
ହସିବ ଉତ୍କଳ, ହସିବ ମୋ ଦେଶ
ସ୍ୱାବଲମ୍ବୀ ହେବ ସୁନାର ଭାରତ
ମାଟି ଛୁଇଁଦେଲେ ସୁନା ହୋଇଯିବ
ଦେଖ ମାଟି ମାଆ ହସୁଛି
ନୂଆ ବରଷ ଆସୁଛି .....(୩)
ଯୁବା ପିଢ଼ି ସବୁ ମନ ନିବେଶିବେ
ନିଜ ଦେଶେ ରହି ସ୍ୱାବଲମ୍ବୀ ହେବେ
ବିଦେଶେ ଗୋଲାମି ଆଉ ନ କରିବେ
ମାଆର ପଣତ ଡାକୁଛି
ନୂଆ ବରଷ ଆସୁଛି .....(୪)
ହର୍ଷ ଉଲ୍ଲାସରେ ବିତୁଥାଉ ଦିନ
ସଭିଙ୍କ ହିତରେ ଲାଗୁ ସଦା ମନ
ଜଗତର ନାଥ ଆହେ ଜଗନ୍ନାଥ
ଏତିକି କାମନା କରୁଛି
ନୂଆ ବରଷ ଆସୁଛି....(୫)
-
ସେ
ଭାରି ଜିଦ୍ ଖୋର୍,
ନଛୋଡବନ୍ଧା,
ଅବିବେକୀ,
ବିଶୃଙ୍ଖଳିତ,
ଦୁଷ୍ଟ,ଦାନବ,
ନାହିଁ ତାର ହିତାହିତ ଜ୍ଞାନ,
ଭଲମନ୍ଦର ବିଚାର,
ରଚିପାରେ କ୍ଷଣକେ ତାଣ୍ଡବ,
ଧ୍ଵଂସ କରିପାରେ କ୍ଷଣିକେ ପୃଥିବୀ
ଏଥର କିନ୍ତୁ ସେ ଦୁର୍ବଳ
ନିରୁପାୟ
ଆର୍ତ୍ତ ପ୍ରାର୍ଥନା ଶୁଣିଛନ୍ତି କାଳିଆ ଠାକୁର
ଭାଙ୍ଗି ଦେଇଛନ୍ତି ତାର ମେରୁଦଣ୍ଡ
ଗୁରୁଚାପ ବଳୟରେ ସେ କଏଦ୍
ହାର୍ ମାନିଛି ଏଥର
ଆଉ ସାହାସ ନାହିଁ ତାର
ଫେରିଯାଇଛି
ଆରପାରିକୁ
ନାଆଁ ତାର ଦାନା।।-
ଦାନା
ଚେଇଁ ଶୋଇଛ କି କାଳିଆ ଠାକୁର ଦାନା ଆସୁଅଛି ମାଡ଼ି
ଉଠ ଉଠ ପ୍ରଭୁ, ଜାଗ୍ରତ ହୁଅ ,ଶୁଣ ଭୟଙ୍କର ରଡ଼ି ,
ନ କରି ବିଳମ୍ବ ହସ୍ତେ ଧର ଚକ୍ର, ଦିଅ ତାର ବେକ ମୋଡ଼ି
ତ୍ରାହି ତ୍ରାହି ଡାକି ଏ ଦୁଷ୍ଟ ଦାନବ ଚାଲିଯାଉ ମହୀ ଛାଡ଼ି।
ଭୋଗିଛି ଓଡ଼ିଶା କେତେ ଦୁର୍ବିପାକ କିଏ ବା ପାରିବ ଗଣି
ହୁଡୁ ହଡୁ, ତିତିଲି, ଅମ୍ଫାନ, ଫାଇଲିନ ନାଆଁ ତାର ପୁଣି ଫନି
ତଥାପି ଚେତୁନି, କିଛି ବି ବୁଝୁନି ଗଛ ବ୍ରୁଛ ଦିଏ ହାଣି
ଉନ୍ନତିକରଣ ନାଁରେ ବାଇଆ ଠିକ୍ ଭୁଲ୍ ନ ପାରେ ଜାଣି ।।-
ମିଛ ସଂସାର ବୋଲି ତ ବାଟ ହୁଡ଼ି ହୁଏ
ପୁଣି ଗଢି ହୁଏ ବାଇଆ ବସା ,
ସାତ ତାଳ ପାଣିରେ ବି
ଲେଖିହୁଏ ନାନା ବାୟା ଗୀତ ,
ଜଣା ଅଛି ଟୋପାଏ ହେଲେ ପାଣି ନାହିଁ କୋଉଠି
ତଥାପି ଧାଇଁ ହୁଏ ମରୀଚିକା ପଛେ ,
କି ସମ୍ମୋହନ ଥାଏ କେଜାଣି ସେ କୁକୁକିନୀ ସ୍ୱନେ
ଗୁନ୍ଥି ହୁଏ ଅୟୁତ କାଗଜ ଫୁଲର ସ୍ଵପ୍ନ
ହେଉ ପଛେ କିଛି ଚିହ୍ନରା ଆଉ କିଛି ଅଚିହ୍ନା।
-
Not only to keep body, mind health well
But to keep self fresh positive throughout the day, month, year
Keep going-
ଅତୀତ ଫେରିବ ନାହିଁ
---------------------
ଚାରିଆଡ ନିସ୍ତବ୍ଧ,
ହତାଶାର କୁଢ଼ କୁଢ଼ ଶବ
ଶବ୍ଦ ମାନଙ୍କର ଗର୍ଜନ
ବର୍ତ୍ତମାନ ଧାଉଁଛି, ଅତୀତ ପଛରେ
ଧରା ଦିଏ ନାହିଁ ଅତୀତ,ମୋ କାନ୍ଧରେ ଆସି ବସେ,
ସେ କଣ ନିରିମାଖି ଚଢ଼େଇ ଯେ ଧରା ଦେବ ସହଜରେ?
ଭାରି ଅଭିମାନୀ, ମନ ମାରି ବସିଛି ଅଗଣାରେ,
ମୁଁ ଟିକେ ଆଉଁସି ଦେଲି ଶରଧା ବୋଳି ପାପୁଲିରେ।
ଗୁରୁଣ୍ଡୁଥାଏ ଅତୀତ, ମୋ ଘରଅଗଣା,ଦାଣ୍ଡ ଦୁଆରେ,
ଓଃ କି ଯନ୍ତ୍ରଣା, ବୟସର ଛାପ ଚାରିଆଡେ
ମାଟି କାନ୍ଥରୁ ମାଟି ସବୁ ଖସି ପଡିଛି
ହାଡ଼ ପଞ୍ଜରା ସବୁ ଲାଜରେ ମୁହଁ ଲୁଚେଇ ବସିଛନ୍ତି
କେହି ଯେମିତି ସଦ୍ୟ ଧର୍ଷଣ କରିଛି।
ସୁଦୀର୍ଘ ଗଛ ମାନେ ଆକାଶ ଛୁଆଁନ୍ତି ନୀରବରେ
ପର୍ଣ୍ଣମୋଚିରେ ପତ୍ର ଝରାନ୍ତି,
ମୋର ଅସ୍ଥି- ମଜ୍ଜା, ଶିରା ପ୍ରଶିରାରେ ଭରିଯାଏ ଅସ୍ତିତ୍ବ ଶୈଶବର
ହାମୁଡେଇ ପଡେ କୈଶର ଆସି ମୋ ଉପରେ
ଠିକ୍ ସେତେବେଳେ ଦୂରେ ଥାଇ ଡାକୁଥାଏ ଯୌବନ
ଲହଲହକା ରଜନୀଗନ୍ଧାର ବାସ ଛୁଟେଇ,
ଭାରି ଅହଙ୍କାରୀ, ଚପଳା, ଚଞ୍ଚଳା
ସାହସ ହୁଏ ନାହିଁ ଫେରିଯାଏ ପାଦ ପଛକୁ ପଛକୁ
ମୋ ଅଜ୍ଞାତରେ।
ମାଡ଼ି ଆସେ ନୀରବତା ମୋ ଆଖିକୁ
ଚେତା ଫେରି ଦେଖେ ମୁଁ ଜାଗିଛି ମସୃଣ ଟେବୁଲ୍ ସଜାଇ
ସେମିତି ଜଳୁଛି ମହମବତୀ
ଥରି ଥରି ଜଳୁଛି ଶିଖା ଥିରି ଥିରି ପବନରେ,
କଥା ଦେଇଛି ସେ ଲିଭିବ ନାହିଁ
ନୀଳ ଡ଼ଟ୍ ପେନ୍ ପ୍ରତୀକ୍ଷା କରୁଛି
ମୋର ଦୁଇ ଧାଡ଼ି କବିତାକୁ
କବିତା ଝରି ଯିବ ସିନା ଅତୀତ ଫେରିବ ନାହିଁ।।-
ଅକ୍ଷର
-------
ଅକ୍ଷର ମାନେ ଧରାଦିଅନ୍ତି ଅନାୟସରେ
ନିଲ୍ଲଜ ଦ୍ୱିପ୍ରହରରେ,
ମୋ ଝରକା ପାଖରେ
ପୁଣି ଉଡି ବୁଲନ୍ତି ପ୍ରଜାପତି ପରି
ମୋ ଅଳନ୍ଦୁଲଗା ଡାଏରୀ
ପଡ଼ିଛି ଟେବୁଲ୍ ଉପରେ
ଆଉ କିଛି କାଳି ଶୁଖିଯାଇଥିବା
ଅସହାୟ ଡ଼ଟ୍ ପେନ୍।
ଏ ପୃଥିବୀଟା ହିଁ ଏମିତି
ମୁଁ ଦେଖିଛି ଆଉ ଏକ ଏମିତି ପୃଥିବୀ
ଆଈ କହେ ନଟୁ ପରି ଘୁରେ
ସାର୍ କହନ୍ତି କମଳା ଲେମ୍ବୁ ପରି ଚେପା
ସେଠି ବି ସୂର୍ଯ୍ୟ ଉଏଁ, ଜହ୍ନ ହସେ
ଦିନ ରାତି, ଆହ୍ନିକ ଗତି ସବୁ ହୁଏ
ସ୍ୱାଭାବିକ ଢଙ୍ଗରେ
ସେଠି ବି ଖେଳ ଖେଳେ ଅକ୍ଷର
ନା, ସେ ଲୁଚକାଳି କି ଡୁ ଡୁ, ବୋହୁଚୋରି ନୁହେଁ
ଅବ୍ୟର୍ଥ ବର୍ଣ୍ଣ ମାଳାର ଖେଳ।
କଥା ଏଇଠି ସରେନି
ନଈପଠାରେ କାଶତଣ୍ଡି ଫୁଟେ
ଶୀତଋତୁ ଓହ୍ଲାଏ
ଆକାଶରେ ଉଡ଼ିଯାନ୍ତି ବିଦେଶୀ ପକ୍ଷୀ
ଗଛବ୍ରୁଛଙ୍କୁ ଆଉଁସି ଦେଇ
ଏଥର ସୂର୍ଯ୍ୟ ଓହ୍ଲାଏ ପାହାଡ କୋଳରୁ
ଗୋଲ୍ କରି ବସନ୍ତି ଅକ୍ଷର ମାନେ
ଖୁବ୍ ଜମେ କବିତାର ଆସର
ପାଠକ ପାଠିକାଙ୍କର ଘୋର ଭର୍ସନା
କବି ବେଳେ ବେଳେ
ଏମାନଙ୍କୁ ନିରାବରଣ କରିଦିଅନ୍ତି
ସ୍ଵର ବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣର ଅଗୋଚରରେ।।-
ଶେଷ ସଞ୍ଜ
------------
ବର୍ଷର ଶେଷ ସଞ୍ଜ
ପ୍ରତ୍ୟାଶାରେ ବୁଲୁଥିଲା
ଗାଆଁ ଠୁ ସହର
ରାତ୍ରିର ପ୍ରଥମ ପ୍ରହର ଯାଏ,
ମୁହଁ ଶୁଖାଇ ଝାସ ଦେଲା
ନିବିଡ଼ ଅନ୍ଧାରରେ
ଦେଖିବାକୁ କେହି ନାହିଁ ସେ ବେଳାରେ,
କେବଳ ମୁକ ସାକ୍ଷୀ ପରି
ବସିଥିଲା ଶୀତଋତୁ
ବିଶାଳ ନଈପଠାରେ
ବାଲୁକା ରାଶିରେ
ମାଳ ମାଳ କଙ୍କଡାଙ୍କ ମେଳରେ,
ଅତଳ ଜଳରାଶି
ବାହି ନେଉଥିଲା
ଅକୁହା କଥା, ଅବ୍ୟକ୍ତ ବ୍ୟଥା,
ଥିରି ଥିରି ପବନ ବୋହୁଥିଲା,
ସଞ୍ଜ ନଇଁ ଯାଇଥିଲା,
ସେତେବେଳେ ପବନରେ
ବିଶ୍ୱାସର ଚିହ୍ନ ବର୍ଣ୍ଣ ନାହିଁ,
ଆଗାମୀ ବର୍ଷ ପାଖେ
ସବୁକିଛି ବନ୍ଧା ପକେଇ
ବିଦାୟ ନେଲା ସଞ୍ଜ
ଆଉ ସେ ଫେରିବ ନାହିଁ
ମନେ ମନେ ଭାବୁଥିଲା
ଶେଷ ସଞ୍ଜ।।-