ସମସ୍ତେ କୁହନ୍ତି ତୋ ନିର୍ଦ୍ଦେଶ ରେ ଆମେ ସବୁ ଏଠି ଅଭିନୟ କରୁଛୁ । ଅଭିନୟ ସରିଗଲେ ତୋ ପାଖକୁ ଫେରି ଯିବୁ। ତୁ କୁଆଡେ ଧୈର୍ଯ୍ୟ ର ପରୀକ୍ଷା ନେଉ। ସେଥିରେ ଜିତିଥିଲେ ସଫଳତା ଦେଉ।
ତେବେ ଏତିକି ବୁଝିବି ଯାହା ହେଉଛି ତା ପଛର ଉଦ୍ଦେଶ୍ୟ ତୋତେ ହିଁ ଜଣା ଓ ସବୁ ତୁ ନିଜେହିଁ ସମ୍ପାଦନ କରୁଛୁ ମୋ ମାଧ୍ୟମରେ। କେବଳ ଏତିକି ମାଗୁଛି ହେ ମହାବାହୁ ଅସୀମ ଧୈର୍ଯ୍ୟ ଦେବାରେ ମୋତେ କରନାହିଁ ଉଣା। ମୋ ଭାବନା, ମନ, ମସ୍ତିଷ୍କ ଓ କଣ୍ଠ ରେ ବିଜେ
ହୋଇ ମୋ ହାତ ଧରି ମୋ ଜୀବନ କୁ ଆଗେଇ
ନିଅ ଏତିକି ପ୍ରାର୍ଥନା।
ମୁଁ ପୂର୍ଣ୍ଣ ମାତ୍ରାରେ ତୁମ ପାଖରେ ସମର୍ପିତ।🙏-
ସମାଜ ରେ ସବୁ ମୁରବି ମାନେ ଆମ କର୍ତ୍ତବ୍ୟ କ'ଣ ତାକୁ ନେଇ ଅନେକ ଜ୍ଞାନ ଦିଅନ୍ତି କିନ୍ତୁ ଆମେ ଯେତେବେଳେ ଆମ ଅଧିକାର ଦାବି କରୁ କିମ୍ବା ଅଧିକାର ବିଷୟରେ ପ୍ରଶ୍ନ ଉଠାଉ ସେତେବେଳେ ଅଜ୍ଞାନୀ ପାଲଟି ଯାଆନ୍ତି।
ସମାଜ ଆମକୁ କିଛି କର୍ତ୍ତବ୍ୟ ଯେମିତି ଦେଇଛି ସେମିତି ଅନେକ ଅଧିକାର ବି ଦେଇଛି। କର୍ତ୍ତବ୍ୟ ର ପାଠ ପଢ଼ାଇବା ଆଗରୁ ଅଧିକାର ବିଷୟରେ ଭାବି ରଖନ୍ତୁ।-
ବେଳେବେଳେ କିଛି କଥା ମନରେ ଉଙ୍କି ମାରେ କିନ୍ତୁ କିଛି କାରଣରୁ ଓଠ ତାକୁ ପରିପ୍ରକାଶ କରିପାରେ ନାହିଁ। ସେ କଥା ସବୁ ମନ ତଳେ ଚାପିହୋଇ ରହିବାକୁ ବାଧ୍ୟ ହୁଏ। ମନ ଭିତରେ ତାହା ଘୁରି ବୁଲେ ଆଉ ଅସ୍ଥିର କରେ ମଣିଷକୁ। ସେହି ସବୁ ଭାବନାର ପରିପ୍ରକାଶ ର ଏକମାତ୍ର ମାଧ୍ୟମ ସାହିତ୍ୟ ପାଲଟିଥାଏ।
-
-୨-
ଖରାଦିନ ତ ଆଜିବି ଆସୁଛି,
କିନ୍ତୁ ମୋ ପିଲାଦିନର ଖରାଦିନ ଛୁଟି ଆଉ ନାହିଁ।
ମାମୁଁ ଘର ଗାଁ ଆଉ ନାହିଁ
ମୋ ମା ତାଙ୍କ ଘରର ଗୋଟେ ଝିଅ ଆଉ ବାବା ତାଙ୍କ ଘରର ଗୋଟେ ପୁଅ।
ଆଜି ଆଉ କେହି ଗାଁ ରେ ନାହାଁନ୍ତି।
ସହରର ଦୁଇ ବେଡ଼ରୁମ ଫ୍ଲାଟରେ ଜୀବନ ବିତୁଛି।
ଗାଁ ଆମ୍ବ ତୋଟା ରେ ଆଜି ବିଅର ଫ୍ୟାକ୍ଟ୍ରି।
ଗାଁ ଶାଳବଣ ଆଜି ହୋଇଛି ବିକ୍ରି।
ଗାଁ ର ପୋଖରୀ ପୋତି ପାର୍କ ହୋଇଛି।
ଗାଁ ନଈ ଆଜି ଶୁଖିଲା ପଡ଼ିଛି।
ମାମା ଆଉ ମାମୁଁ ଘର ଯାଉନି କାହିଁକିନା ସେ ସରକାରୀ ଗୋଲାମ ସାଜିଛି।
ରାତି ଦିନ ଏକ କରି ମୂଲିଆଙ୍କ ପରି ଫାଇଲ ଚସୁଛି।
ଦେଶୀ ଆମ୍ବ ଆଉ ଚୁସୁକି ମାରି ଖାଇବା ହଉନି କାରଣ ଆମ୍ରପଲ୍ଲୀ ତା ଆସ୍ଥାନ ଜମେଇ ଦେଲାଣି।
ସାଙ୍ଗ ମାନଙ୍କ ସହ ଉଦୁଉଦିଆ ଖରାବେଳେ ଆଉ ଖେଳ ଟେ ହଉନି। ଏସି ନହେଲେ ଆମ ଜୀବନ ରହୁନି।
ପିଈସି, ମାଉସୀ, ଭଉଣି ଘର ଆଉ ନାହିଁ
ମାମା ର ପଣତ ଆଉ କାହିଁ?-
ଚାଲ୍ ଆଜି ଫେରିଯିବା ମୋ ପୁରୁଣା ଦିନ କୁ
ଖୋଲି ବସିବା ସେ ସ୍ମୃତି ସିନ୍ଧୁକ କୁ
ମୋ କଳ୍ପନା ରେ ତୁମେ ଖୋଜି ପାଇଯିବ ତୁମ ପିଲା ଦିନକୁ
ନିଇତି କହିବି କିଛି ଅନୁଭୁତି କିଛି ଅଭୁଲା କାହାଣୀ
ନବେ ଦଶକର ଗ୍ରାମୀଣ ଚଳଣି
ନାଁ ଦେବା ତାର ସତ ନୁହେଁ ଗପ ଟିଏ
ଅନୁଭବ କଲେ ଭରିବ ମନରେ ଟିକେ କୋହ ଲୁହରୁ ଟିକିଏ
-୧-
ମୋର ସେ ସାଙ୍ଗ ଟିଏ ଥିଲା। ସବୁ ସାଙ୍ଗ ମାନଙ୍କ ଭିତରୁ ଟିକେ ଅଲଗା ଥିଲା। ତା ସହ ମୋ ସମ୍ପର୍କ ଖିର ନୀର ର ସମ୍ପର୍କ ଥିଲା। ଖରାଦିନ ଖରାବେଳେ ଆମ ଦୁହିଁଙ୍କ ଠିକଣା ଥିଲା ନିଧି ବୁଢ଼ାର ଆମ୍ବ ତୋଟା। ଗୁଲି ଖଟି, ଆମ୍ବ ଖିଆ, ଲୁଡୁଖେଳ, ଡାବଲ ପୁଆ ଆଉ ତାସ ଖେଳରେ କେତେ ଯେ ଖରାବେଳ ବିତିଛି ତାର ଠିକଣା ନାହିଁ। କଞ୍ଚା ଆମ୍ବ, ତେନ୍ତୁଳି ଓ ଆମ୍ବଡା କୁ ଲୁଣ, ଲଙ୍କା ଗୋଳେଇ ଭୋଜି କରିବା ଏକ ଅଭୁଲା ସ୍ମୃତି। ସେ ଖରାଦିନ ର ସକାଳୁଆ ସ୍କୁଲ ପରେ ଏମିତିଆ ଖରାବେଳ ମୋ ପିଲାଦିନ ଜୀବନର ଏକ ସ୍ମୃତି ମଧୁର କ୍ଷଣ, ଯେଉଁ ଆନନ୍ଦ ଆଜିର ଏସି କୋଠରୀ ରେ ମିଳିବା ଏକ ସ୍ୱପ୍ନ।-
ଅବସର ଏକ ଶବ୍ଦ ହୋଇପାରେ,
କିନ୍ତୁ ଏହା ଜୀବନ ର ଏକ ଅଂଶ।
ପ୍ରତ୍ୟେକ ଆରମ୍ଭର ଶେଷ ଅଛି।
ସମସ୍ତ କିମ୍ବଦନ୍ତୀ ଙ୍କ ପାଇଁ ଏ ସମୟ ଆସିଛି।
ଏବେ ମଧ୍ୟ କିଛି ଖେଳ ତୁମ ବାକି ଅଛି-
ତା ମାଟିର ମହକେ ଭରିଯାଏ ପ୍ରାଣ,
ତା ପଖାଳ କଂସାରେ ଥାଏ ମୋ ଜୀବନ,
ଜଗନ୍ନାଥ ଆମ ରକ୍ଷାକର୍ତ୍ତା ପ୍ରଭୁ
ମହାନଦୀ ପାଣି ତା କେଡେ ମଧୁର
ଓଡ଼ିଆ ହେଉ ଅବା ସମ୍ବଲପୁରୀଆ ଭାଷା
ସୁମଧୁର ଲାଗେ ତାର ଲୋକ କଥା
ସମ୍ବଲପୁରୀ ଶାଢ଼ୀ ଆଉ ପିପିଲି ଚାନ୍ଦୁଆ
ରସରକେଲି ର ନାଚ ତା ବଢିଆ
ଗର୍ବରେ କହେ ମୁଁ ଓଡିଆ
ମୋ ପ୍ରତି ରକ୍ତ ବିନ୍ଦୁ ରେ ଓଡ଼ିଆ ଅସ୍ମିତା
ଉତ୍କୃଷ୍ଟ କଳାର ପ୍ରଦେଶ ଉତ୍କଳ ଦିବସର ପ୍ରତି ଓଡ଼ିଆ ଙ୍କୁ ହାର୍ଦ୍ଦିକ ଶୁଭକାମନା।
-
ନିଜକୁ ପ୍ରାଥମିକତା ଦିଅ।
ନିଜକୁ ଭଲ ପାଅ।
ଯଦି ତୁମ ସାଥେ କେହି ନ ଛିଡ଼ା ହୁଅନ୍ତି,
ତେବେ ତୁମେ ଏକଲା ଚଲୋ ରେ......-
ମୁଁ ଏକ ଫୁଟବଲ
ସମୟ ଓ ସମାଜ ଦୁଇ ଦଳର ଖେଳାଳୀ
ପରସ୍ପର ପଦାଘାତେ ମୋ ସ୍ୱାଭିମାନ କୁ ପକାନ୍ତି ଦଳି
ନିଜେ ଟିକେ ସ୍ୱାର୍ଥପର ହୋଇ ପାରେନାହିଁ ବୋଲି
ମୋ ଜୀବନ କୁ ସଭିଏଁ ପକାନ୍ତି ବଳି
ଲୋକ ଲଜ୍ଜା ଏଠି ରେଫରୀ ହୋଇ
ମୋ ସ୍ୱପ୍ନ କୁ ପୁରା ନେଉଛି ଧୋଇ-
ଦିନ ଥିଲା ଏ ଥିଲା ଧୂଳି ଧୂସରିତ
ଏହାରି ଉପରେ କେତେ ଯେ ନଗ୍ନ ପଦର ଚରିତ
ଶୂନ ଗାଡ଼ି ଥିଲା ଏ ରାସ୍ତାର ଚମକ
ମାଗୁଣିର ଶଗଡ଼େ ଥିଲା ସେ ଆତ୍ମିୟତାର ମହକ
ଅନେକ ଖାଲକୁ ଅତିକ୍ରମ କରି ମାମୁଁ ଘର ତାଳବଣ ଯେବେ ଦିଶେ
ମୋ ବୋଉ ଆଖିରେ ଖୁସିର ଲୁହ ଯେ ଏ ମାଟିରେ ଖସି ମିଶେ
ସଂଜ ଉତୁରି ଆକାଶ କୋଳରେ ତାହାଙ୍କ ଗହଣରେ ଯେବେ ଭାସେ
ଏ ନିସ୍ତବ୍ଧ ରାସ୍ତାରେ କୋକିଶିଆଳିଙ୍କ ମଉଛବ ପରା ବସେ
ଏହି ରାସ୍ତାରେ ଗୋଧୂଳି ଲଗ୍ନରେ ଗାଈଆଳ ଡାକ ଶୁଭେ
ହାଟ ପାଳି ଦିନ ହାଟୁଆ ଫେରନ୍ତି ଉଛର ବେଉସା ଲାଭେ
ସେ କାଳ ଧୂଳି କୁ କଂକ୍ରିଟ ଦାନବ ଲୁଚେଇଲା କାଳ ବଳେ
ଗାଁ ରାସ୍ତାକୁ ପାସୋରିଲା ବାବୁ ସୁରଟ ଗଲାର ପରେ
ମାଗୁଣି ଶଗଡ଼ ବସ ଖାଇଲା, ଗାଡ଼ି ଖାଏ ଶୂନ ଗାଡ଼ି
ଗାଁ ଟା ତ ଆଜି ସହର ବାସୁଛି ଗାଁ ରାସ୍ତା କି ପାରିବ ଛାଡି
-