ରାତ୍ରି ଗୋ ତୁମେ ଘନ ପ୍ରହେଳିକା
ଧୂମ କୁହୁଡିର ମାୟା,
ରାତ୍ରି ଗୋ ତୁମେ ଅମା ଅନ୍ଧକାରେ
ଆକାଶ ଗଙ୍ଗାର ଛାୟା...
ରାତ୍ରି ଗୋ ତୁମେ ନୀରବ ନିଶ୍ଚଳ
ରହସ୍ୟ ରୋମାଞ୍ଚ ଭରା,
ରାତ୍ରି ଗୋ ତୁମେ ଝିଙ୍କାରୀ ଶବଦେ
ଥରାଅ ହିୟା କୁ ପରା...
ରାତ୍ରି ଗୋ ତୁମେ ଶ୍ୱାପଦସଙ୍କୁଳ
କୋକିଶିଆଳୀର ସ୍ୱର,
ରାତ୍ରି ଗୋ ତୁମେ ଡାହାଣୀ ଆଲୁଅ
ସିନ୍ଧୁ ତୀରେ ବତୀଘର...
ରାତ୍ରି ଗୋ ତୁମ କରାଳ ଠାଣିରେ
ଭୟଭୀତ ସିନା ମହୀ,
ହେଲେ କବିପ୍ରାଣ ଅତି ପୁଲକିତ
ତୁମ ଆଗମନ ପାଇଁ-
Hometown ... read more
କୁଳୁ କୁଳୁ ନାଦେ ଗିରି ବନ ପାଦେ
ସର୍ପିଳ ନଦୀର ଧାରା,
ପାଚିଲା ଫସଲ ଚହଟାଏ ବାସ
କୁହୁଡି ମିଶ୍ରିତ ଖରା...
ଧାନକଟା ଦୃଶ୍ୟ ବିଲରେ ବିଲରେ
ବିଭୋର କଲା କି ମତେ,
ଥିରି ଥିରି ଆସେ ମାସ ମଗୁଶୁର
ନୂଆ ଧାନମାଣ ସାଥେ...
ଗାଆଁ ଜନ୍ତୁ ଠୁଳ ଗୋଚର ଜମିରେ
ମୁଖରିତ ହୁଏ ପାଟ,
ଚାଷୀ ଭାଇ ପୁଣି ପକାଏ ବେଙ୍ଗଳା
ଜମାରୁ ନକରି ମଠ...
ପ୍ରଭାତ ଦର୍ଶନ ଜଙ୍ଗଲୀ ମୁଲକେ
ମନକୁ ଚୋରେଇ ନିଏ,
କର୍ମକ୍ଷେତ୍ର ଲାଗେ ନନ୍ଦନକାନନ
ପ୍ରାଣ ଯେ ଭାବୁକ ହୁଏ...
ଏଇ ମାଟି ମୋର ଗଢିଛି ଶରୀର
ଦେଖିଚି ଶୈଶବ କଥା,
ସେଇ ପୁଣି ଶେଷେ କୋଳରେ ଶୁଆଇ
ଆଉଁସିବ ମୋର ମଥା-
ସିଂହଧ୍ଵଜ ରଥେ ବିଜୟ ପ୍ରତିମା
ନବରାତ୍ରି ଚଣ୍ଡୀପାଠ,
ଝଲସି ଉଠୁଛି ବିରଜା ମଣ୍ଡଳ
ଯାଜପୁର ଶକ୍ତିପୀଠ....
ତାରକସି ସଜା କଟକ ପାର୍ବଣ
ଷୋଡ଼ଷ ପୂଜନ ଵିଧି,
ଦେବୀ ଗଡ଼ଚଣ୍ଡୀ ଷୋଳ ବେଶ ଦେଖି
ଭକ୍ତ ଲଭେ କୋଟି ନିଧି....
ଶ୍ରୀକ୍ଷେତ୍ର ଧାମରେ ଗୋସାଣୀ ଯାତରା
ଗୁପତ ଗୁଣ୍ଡିଚା ସାର,
ଦୁର୍ଗା ଦେବୀ ସାଥେ ମାଧବ ମୂରତି
ଭ୍ରମନ୍ତି ପଲ୍ଲୀ ରୁ ପୁର....
ଶିବଙ୍କ ଘରଣୀ ଦୁର୍ଗତିନାଶିନୀ
ସର୍ବତ୍ର ପାଆନ୍ତି ପୂଜା,
ପୁରୁଷୋତ୍ତମ ରେ ଭୈରବୀ ବିମଳା
ଉଡ଼ାନ୍ତି ପତିତ ଧ୍ଵଜା....
ବରଷକେ ଥରେ ସୁଖର ପସରା
ମୃଣ୍ମୟୀ ଜନନୀ କୋଳେ,
ଆସ୍ଥା ର ଆଶ୍ୱିନ ହେଉ ମହୀୟାନ
ଶକତି ଆଶିଷ ବଳେ
-
ଅପରୂପା ଧରା ପ୍ରାଚୁର୍ଯ୍ୟ ମଣ୍ଡିତା
ଧୋବ ଫରଫର ହୋଇ,
ଦିଗନ୍ତ ବିସ୍ତାରି ଉଡେ କାଶତଣ୍ଡି
ଆବାହନୀ ଗୀତ ଗାଇ....
ଖଣ୍ଡି ଖଣ୍ଡି ମେଘ ସୁନୀଳ ଅମ୍ବରେ
ତା ସାଥେ ଭାସ୍କର ଆଭା,
ମାଟିକୁ ଛୁଇଁଲା ଝରା ଶେଫାଳି ଲୋ
ଆହା କି ଅଶିଣ ଶୋଭା...
ଚଇତି ମାସରେ ଚଇତି ମଙ୍ଗଳା
ଭାଦ୍ରବେ ଖୁଦୁରୁକୁଣୀ,
ଅଶିଣ ମାସରେ ଜୟଦୁର୍ଗା ମାତା
ଚରଣେ ସଂସାର ଋଣୀ...
ପ୍ରଥମେ ବନ୍ଦିଲି ସର୍ବ ମଙ୍ଗଳା ଲୋ
କାକଟପୁର ତୋ ଗ୍ରାମ,
ସଙ୍କଟ ହାରିଣୀ ଘଟଗାଁ ତାରିଣୀ
ଅଗନା ଅଗନି ଧାମ-
ଏ ସୁନେଲି ଖରା ଆଜି ଏତେ ଚମକପ୍ରଦ କାହିଁ , କିଏ ଭରିଦେଲା ମେଘମୁକ୍ତ ଗଗନରେ ଅଭିନଵ ଔଜ୍ଜଲ୍ୟ... ପୁଣି କାଶତଣ୍ଡି ଆବାହନୀ ଗୀତ ଗାଇ ବର୍ଦ୍ଧିତ କରିଛି ପ୍ରକୃତିର ପ୍ରାଚୁର୍ଯ୍ୟତା , ବୋଧେ ଶରତ ଆସିଗଲା ସେଥିପାଇଁ ଧରଣୀ ବକ୍ଷ ଏତେ ଲୋଭନୀୟ... ପୁଷ୍କରିଣୀ ରେ ପଦ୍ମ, ମଞ୍ଚା ତଳେ କାକୁଡି କଷି, ବାଡ଼ିରେ ଚମ୍ପା କଦଳୀ ପୁଣି ଚାଳରେ ପାଣି କଖାରୁ ସଭିଏଁ ପ୍ରସ୍ତୁତ ମୃଣ୍ମୟୀ ଦେବୀଙ୍କ ସ୍ୱାଗତ ପାଇଁ... ମାଆ କୁ ଦେଖିବାକୁ ସର୍ବଦା ମନ ବ୍ୟାକୁଳ ତେଣୁ ବହୁତ ଦେବୀପୀଠ ବୁଲିଛି , ତଥାପି ରାସ୍ତା ପାର୍ଶ୍ୱରେ ଅବା ଗଛ ମୂଳରେ ସିନ୍ଦୁରବର୍ଣ୍ଣା ପଥର ପ୍ରତିମା ଟିଏ ଦେଖିଲେ ଆଖି ଛଳ ଛଳ ହୋଇଯାଏ... ମଥା ଆପେ ଆପେ ନଇଁ ଯାଏ , ହୃଦୟ ବାରମ୍ବାର ମାଆ ବୋଲି ହିଁ ଡାକେ
-
ଶସ୍ଯ ଶ୍ୟାମଳା ଉର୍ବର ଗର୍ଭା
ଓଦା ମାଟିର କୋଳ,
ସେଇ ମାଟି ଯେ ଜନନୀ ମୋର
ଦେଖିଚି ଧୂଳି ଖେଳ....
ସୁନା ଫସଲ ମହକେ ବାସ
ସବୁଜ କ୍ଷେତ ଯହିଁ,
ନବାନ୍ନ ତିଥି ପଞ୍ଚମୀ ଦିନ
ମାତା ଲକ୍ଷ୍ମୀଙ୍କ ପାଇଁ....
ସେ ଅନ୍ନପୁର୍ଣ୍ଣା ସେ ଶାକମ୍ବରୀ
ଅପାର କୃପାମୟୀ,
ମହାନଦୀର ସୁରମ୍ୟ ତୀରେ
ସେ ପୁଣି ସମଲେଇ....
ସମଲେଶ୍ଵରୀ ମାଣିକେଶ୍ଵରୀ
ପାଟଣେଶ୍ୱରୀ ସିଏ,
ତା ଦୟା ହେଲେ ପଙ୍ଗୁ ବି ଚାଲେ
ପଥର ପାଣି ହୁଏ-
ଗଣନାୟକ ପାର୍ବଣ ରାଜା
ବିଘ୍ନ ବିନାଶ ପାଇଁ,
କଳସୀ ପରେ ନାସି ନଡ଼ିଆ
ସାଦରେ ଦେଲି ଥୋଇ...
କଟି ତ ଯାଏ ଭାଗ୍ୟର ଦୋଷ
ପୂଜିଲେ ଗଣନାଥ,
ଭକତି ଭରେ କଲେ ସ୍ମରଣ
ପୁରଇ ମନୋରଥ...
ଧନ ବିଭବ ନାହିଁ ଅଭାବ
ଯମ କୁ ନାହିଁ ଡର,
ବକ୍ରତୁଣ୍ଡ ଙ୍କୁ କଲେ ଜଣାଣ
ସକଳ ଭୟ ଦୂର...
ହେ ବିନାୟକ ହେ ଅଗ୍ରପୂଜ୍ୟ
ଆଦ୍ୟାଶକ୍ତିଙ୍କ ପ୍ରିୟ,
ଶୁକ୍ଳ ଚତୁର୍ଥୀ ଭୋଦୁଅ ମାସେ
କରୁଣା ଢାଳି ଦିଅ...
ମହା ପାର୍ବଣ ମାସ ଅଶିଣ
ଶୁଭିଲା ଶଙ୍ଖନାଦ,
ଆସିବେ ଯେବେ ଜଗତ ମାତ
ଉଭେଇ ଯିବ ଖେଦ-
ମହାତୀର୍ଥ (ଭାଗ-୮/ଅନ୍ତିମ ଭାଗ)
କିଏ କହେ ଦେବୀ ସତୀଙ୍କ ନାଭିରୁ ଜାତ ପୁଣି କିଏ କହେ ଦେବୀ ବ୍ରହ୍ମାଙ୍କ ଯାଗ ଅଗ୍ନିରୁ ଜାତ। ମାତ୍ର କୌଷିତକୀ ବ୍ରାହ୍ମଣ ଉପନିଷଦରେ ମଧ୍ୟ ବିରଜା ଶବ୍ଦ ରହିଛି। କିନ୍ତୁ ଦେବୀ ଭାବରେ ନୁହଁନ୍ତି, ନଦୀ ଭାବରେ। ମୁକ୍ତି ପାଇବାର ବିଭିନ୍ନ କ୍ରମ ବେଦରେ ବର୍ଣ୍ଣିତ ହୋଇଛି। ଆତ୍ମା ଯେତେବେଳେ କାଳ କବଳରୁ ମୁକ୍ତ ହୁଏ, ସେତେବେଳେ ତାହା ଆଗରେ ଥାଏ ଦେବଲୋକ; କିନ୍ତୁ ଆତ୍ମା ଓ ଦେବଲୋକ ମଝିରେ ବହି ଯାଉଥାଏ -ବିରଜା ନଦୀ। ଏହି ବିରଜା ନଦୀକୁ ପାରି ହେଲେ ଆତ୍ମା ଦେବଲୋକର ବିଭିନ୍ନ ସୋପାନ ଅତିକ୍ରମ କରି ପରମ ଧାମ କୁ ଗତି କରେ, ଯେଉଁଠାରେ ଆତ୍ମା ପରମାତ୍ମା ସହ ଲୀନ ହୁଏ-