तेरी एक झलक से रौशन है सबेरा
तेरी आने से महके घर-आँगन सारा-
ହେଲେ ପ୍ରେମ ଏମିତିକା ପବିତ୍ର ପାପ
ଯାହାର ପ୍ରାୟଶ୍ଚିତ ନାହିଁ ଯମା
ଭୁଲ ହେଉ ଅବା ଅଜାଣତେ
ପାଦ ଥାପେ ଯିଏ ଥରେ
ବିରହ ଜ୍ୱାଳାରେ ଜଳିବା ହୁଏ ସାର
ହଜାଏ ସେ ବଞ୍ଚିବାର ଠିକଣା
ସବୁ ଥାଇ ଜୀବନ ଅଲୋଡ଼ା
ମନ ଚରିଯାଏ ମରୁଭୂମି
ଅଣନିଶ୍ଵାସୀ କରେ ହୃଦୟ ଭାର
ଚାହିଁ ବି କେହି ମୁକୁଳି ପାରେନା-
ତୁମେ ଆସକ୍ତି,
ମୁଁ ଆସକ୍ତ
ତୁମେ ବୃତ୍ତର କେନ୍ଦ୍ରବିନ୍ଦୁ,
ତା' ପରିଧିରେ ମୁଁ କେନ୍ଦ୍ରୀଭୁତ-
ତୋ ସହ ବିତା କେଇଟା "ମୁହୂର୍ତ୍ତ "
ମୋ ସ୍ମୃତି ସିନ୍ଦୁକରେ ସାଇତା
ସବୁଠୁ ଦାମୀ "ଅଳଙ୍କାର"
-
ଚାଲୁ ଚାଲୁ ଚଲା ପଥେ
କେତେ ମୋଡ କେତେ ବାଙ୍କ
କେବେ ସରଳ କେବେ ଜଟିଳ
ସାପ-ସିଡ଼ି ଏ ଜୀବନ ମାନସଙ୍କ
ପାଶେ ଥାଇ କିଏ କୋଶେ ଦୂର
ଦୂରେ ଥାଇ ନିଜଠୁ ନିଜର
କିଏ ପୁଣି ଛାଡି ଯାଏ ଅଧା ବାଟେ
ରହିଯାଏ ସ୍ମୃତି ବୋଳା କିଛି ମହକ
କେବେ ଚିହ୍ନା ହୁଏ ଅଚିହ୍ନା
ପୁଣି ଅଚିହ୍ନା ହୁଏ ଚିହ୍ନା
ହସ ଲୁହ ଫେଣ୍ଟା ଫେଣ୍ଟି
ଖରା ଛାଇର ଏ ସମ୍ପର୍କ-
କଳ କଳ ବହେ ଝର ନିର୍ଝରିଣୀ, ପ୍ଲାବିତ କରି ଯେଉଁ ମାଟି
ଶ୍ରୀକ୍ଷେତ୍ର ଧାମେ ଜଗତେ ଚର୍ଚ୍ଚିତ, ଅବା କି କହିବି ତା' ନାଆଁଟି
ତା' ଶସ୍ୟ ଶ୍ୟାମଳା ସୁଶୋଭିତ ଧରା, ସିଞ୍ଚିତ କରଇ ପ୍ରାଣ
ତା' ପାଣି ପବନ ଗିରି କାନନ, ଶରୀରେ ଫୁଙ୍କଇ ଜୀବନ
ଭଗ୍ନ କୋଣାର୍କ ବଖାଣେ ଯା'ର, ସାରା ବିଶ୍ବେ ଯଶ କୀର୍ତ୍ତି
ଶାନ୍ତି ଦୟା କ୍ଷମା ସ୍ମାରକ ସାଜି, ଧଉଳି କରେ ତା'ର ସ୍ତୁତି
ରଣ ରଣାଙ୍ଗନେ ସହସ୍ର ପାଇକର, ରକ୍ତ ରଞ୍ଜିତ ବୀର ଗୀତି
ବାରବାଟୀ କାନ୍ଥେ ଖୋଦା ଇତିହାସ, ଚାରଣ କରାଏ ସବୁ ସ୍ମୃତି
ସେ ମାଟି ମା'ର ସନ୍ତାନ ଆମେ, ଗୌରବେ ପ୍ରଶସ୍ତ ଛାତି
ପୁଣ୍ୟାତ୍ମା ସିଏ ଜନମିଛି ଏଠି, ବୀରତ୍ୱ ଯାହାର କୃତି
ତ୍ୟାଗ ସମର୍ପଣ ମହାନତା ପୁଣି, ଆତ୍ମ ବଳିଦାନର ଗାଥା
ପୂର୍ବ ପୁରୁଷଙ୍କ ମହିମା ଶୁଣି, ଆପେ ନତ ହୁଏ ମଥା
ତାଙ୍କରି ଉଷ୍ମ ଶାଣିତ ରକ୍ତ, ପ୍ରବାହିତ ଯଦି ଧମନୀରେ ??
ମାଟି ମା'ର ଉନ୍ନତ୍ତି ପାଇଁକି, କିମ୍ପା ପାଦ ପଛେ ଫେରେ!
ଓଡ଼ିଆ ଅସ୍ମିତା ହେଜିଣ ମନେ, ଆପଣାକୁ ନିଅ ପରଖି
ନିଜ ସ୍ୱାର୍ଥ ସାଧି କି କେବେ ପାରିଛି, ଜାତିର ମହତ ରଖି
ଅନ୍ୟ ଭାଷା ସାହିତ୍ୟ ପାଇଁକି, ସମ୍ମାନ ରହିବାଟା ନିଶ୍ଚିତ
କିନ୍ତୁ ଆପଣା ଜାତି ଆପଣା ଭାଷା, ତା ବିନୁ କାହୁଁ ଆମ ଅସ୍ତିତ୍ବ
ଉଠ! ଜାଗ! ସଚେତ ହୁଅ, ହେ ଉତ୍କଳର ସୁଯୋଗ୍ୟ ସନ୍ତାନ ଗଣ
ଦେଖାଅ ତୁମର ମହନୀୟତା, ତଥା ଉତ୍କର୍ଷତାର ପ୍ରମାଣ-
ତୁମେ ସୃଷ୍ଟି, ସ୍ରଷ୍ଟା ତୁମେ
ଜପ ତପ ତୁମେ ହିଁ ଓଁକାର
ତୁମେ ଭାବ, ଭକ୍ତି ତୁମେ
ତୁମେ ମହା ମୃତ୍ୟୁଞ୍ଜୟ ସ୍ତୋତ୍ର
ତୁମେ ଶକ୍ତି, ଶିବ ତୁମେ
ଜୀବ ଜୀବନର ମୂଳାଧାର
ତୁମେ କର୍ମ, ସିଦ୍ଧି ତୁମେ
ସାଧନା ସ୍ରୋତ ତୁମେ ଶଙ୍କର
ତୁମେ ଯୋଗ,ଯୋଗୀ ତୁମେ
ଚିନ୍ତା-ଚେତନା କର ଉଜାଗର
ତୁମେ ମୋହ, ମୁକ୍ତି ତୁମେ
ନାଶ ଅହଂ-ଅଜ୍ଞାନ, ହେ ରୁଦ୍ର🙏-
ସୀମାହୀନ ଯେଉଁଠି ଯନ୍ତ୍ରଣା;
ଛାତିକୁ ପଚାର କୋହର ଭାର କେତେ?
ଆଖିକୁ ପଚାର ଟୋପାଏ ଲୁହର ଓଜନ କେତେ?
ଓଠକୁ ପଚାର ଚେନାଏ ହସର
ପ୍ରତିମୂଲ୍ୟ କେତେ ?-
ଲିଭି ଯାଉ ହୃଦୟରୁ ପୁରୁଣା ରାଗ ଦ୍ୱେଷ
ପ୍ରେମ ମୈତ୍ରୀ ଭାବନାରେ ମହକି ଚତୁଃପାର୍ଶ୍ଵ
ଭରିଯାଉ ଅଧରେ ଆନନ୍ଦ ଉଛ୍ୱାସ॥
ରୋଗ ଶୋକ ବ୍ୟାଧି ହେଉ ଅଚିରେ ଦୂର
ହଟିଯାଇ ମନରୁ ଗର୍ବ ଅହଙ୍କାର
ମଜଭୁତ ହେଉ ଆମ ସମ୍ପର୍କର ଡୋର॥
ଶୁଭ ସକାଳରେ ମନାସୁଛି ସୁମନାସ
କାଳିଆ କୃପାବୃଷ୍ଟି ବରଷି ସାରା ବରଷ
ନୂଆ ବର୍ଷ ଆଣୁ ଢେର ସାରା ଶୁଭ ସନ୍ଦେଶ॥-
ଫେରିଯିବ ଡ଼ିସେମ୍ବର ପୁଣିଥରେ
ପୁରୁଣା ପ୍ରତିଶୃତି ସବୁକୁ ବନ୍ଧା ପକେଇ
ମେଞ୍ଚେ ରଙ୍ଗୀନ ସ୍ବପ୍ନ ତୋଳିବା ଆଶାରେ..
ଘୋଷରା ହୋଇ ଫିକା ପଡିବା ପୂର୍ବରୁ
ଅଳନ୍ଧୁ ଲଗା ସିନ୍ଦୁକରେ ସାଇତା ହେବ
କିଛି ତାଜା ସ୍ମୃତି..
ବତୁରା କିଛି ରାଗ ଅଭିମାନ
ଝରି ଯିବ ଘାସରୁ କାକର ବୁନ୍ଦା ହୋଇ..
ବରଷ ଯାକର ହିସାବ ନିକାଶ
ଛିଣ୍ଡିବା ଆଗରୁ
ବଦଳି ଯିବ କ୍ୟାଲେଣ୍ଡର ଫି ଥର ଭଳି..
ଧୂଆଁଳିଆ କିଛି ସ୍ମୃତି ଉହାଡ଼ରେ ଧୁନ୍ଦି ହୋଇ
ମୁଁ ଅଣନିଶ୍ୱାସୀ ହେଉଥିବି
ଡିସେମ୍ବର ପୃଷ୍ଠାରେ,
ତୁମେ କିନ୍ତୁ ଛନ୍ଦି ହୋଇ ସାରିଥିବ
ଜାନୁଆରୀ ମୋହରେ...-