ମନେ ନାହିଁ କେବେ ଦିନେ ହସିଥିଲି
କୃଷ୍ଣଚୂଡ଼ା ପରି ନାଲି ରଙ୍ଗ ବୁଣି ଓଠ ଧାରେ
ଡହ ଡହ ଖରାରେ ବି ମନ ଖୋଲି ।
ମନେ ନାହିଁ କେବେ ଦିନେ ସ୍ବପ୍ନ ଦେଖିଥିଲି
ନିଶିଗନ୍ଧା ପରି ମହମହ ବାସ୍ନା ଭରି ରାତି ଶେଷେ
ନିଦଭରା ରାତିରେ ବି ଆଖି ଖୋଲି ।
ମନେ ନାହିଁ କେବେ ଦିନେ ଭିଜିଥିଲି
କାଗଜର ଡଙ୍ଗା ପରି କୂଳ ଛାଡ଼ି ସମୁଦ୍ରର ଆଶେ
ଶ୍ରାବଣର ବର୍ଷାରେ ବି ଡର ଭୁଲି ।
ମନେ ନାହିଁ କେବେ ଦିନେ ଜୀଇଁ ଥିଲି
ନୀଡ଼ ଭୁଲା ମୁକ୍ତ ପକ୍ଷୀ ପରି ଆକାଶର ଦେଶେ
ଅଦିନିଆ ଝଡ଼ ରେ ବି ପ୍ରାଣ ଖୋଲି ।
-
ପତ୍ରଝଡ଼ା ଏଇ ଋତୁର ଶେଷରେ
ଭାବେ ପୁଣି ଦିନେ କେବେ ପଲ୍ଲବିବ
ପ୍ରୀତିର କଳିକା
ସେଇ ଆକାଶକୁ ଚାହିଁ
ଲେଖୁଛି ମୁଁ ଶେଷ ବସନ୍ତର ଚିଠି ।-
ଯେତେ ହସ ରଙ୍ଗୋଲି ବୁଣନ୍ତି ଓଠର ଧାରରେ
ସେତେ ଲୁହ ଝରଣା ହୁଅନ୍ତି ଆଖିର ନଈରେ ।-
ଚୁନା ଚୁନା ସ୍ମୃତି ଯେତେ
ଫୁଲ ପରି ସାଉଁଟି
ଦିନେ ଆମେ ଚାଲିଯିବା
ହୃଦୟରେ ଭରିକି
ଖଟା ମିଠା ମୁହୂର୍ତ୍ତ ଏ
ଅଭୁଲା ଏ ସମୟ
ଚିରଦିନ ରହିଥିବ
ସାଥୀ ହୋଇ ଆମର ।-
ସୃଜନୀର ହାତ ଧରି
ପାଠକଙ୍କ ହୃଦୟରେ
ଆନନ୍ଦ ବିଷାଦ ଭରି
ନିଃସଙ୍ଗ ବେଳାରେ ଏକ
ଅନ୍ତରଙ୍ଗ ସାଥୀ ହୋଇ ।-
କେତେ ତାରା ହଜିଯାଏ ପୂର୍ଣ୍ଣିମାର ରାତିରେ
କେତେ ଆଶା ବନ୍ଦୀ ହୁଏ ପ୍ରେମିକର ବାହୁରେ-
ଯେମିତି ଆଖି ପଲକରେ
ସନ୍ଧ୍ୟା ରାତି ହୋଇ ଯାଏ
ସେମିତି ଗୋଟେ ମୁହୂର୍ତ୍ତରେ
ଜୀବନ ଯନ୍ତ୍ରଣା ପାଲଟି ଯାଏ ।-
ଲୁଚିବି ତ ନିଶ୍ଚୟ,
ହେଲେ ସୂର୍ଯ୍ୟ ପରି ନୁହେଁ
ସେ ତ ସକାଳ ହେଲେ
ପୁଣି ଫେରିବ
ହେଲେ ମୁଁ ଲୁଚିଯିବି
ଚିରଦିନ ଅନ୍ଧାର ଭିତରେ ।
-
ଥନ୍ତଲା ପେଟରୁ
ବାହାରୁଥିବା କିଛି
ଶୁଖିଲା ନିଃଶ୍ୱାସ
ବସ୍ ଷ୍ଟାଣ୍ଡ ଠାରୁ
ରେଳଷ୍ଟେସନ ଯାଏଁ
ପହଁରୁଥିବା
କେତେ ହଳ
ସ୍ବପ୍ନ ହୀନ ଆଖି
ଫୁଟ୍ ପାତ୍ ରେ ଶୋଇ
ଆକାଶକୁ ଛାତ କରିଥିବା
କିଛି ଆଶା ହୀନ ମନ
ଭଙ୍ଗା ପ୍ଲାଷ୍ଟିକ ଭିଡ଼ରେ
ଭବିଷ୍ୟତ ଖୋଜୁଥିବା
ନିରୀହ କୈଶୋର
ଏମିତି କିଛି
ଏଠି ଦେଖିବାକୁ ମିଳେ
ଭୋକର ଭୂଗୋଳ ।
-