ମୋ ମାଆ
++++++++++
ରାଗ ଅଭିମାନ ତା ପାଇଁ ଚନ୍ଦନ
ତା କଥା ଅମୃତ ଭଳି
ସବୁ ସୁଖ ଦୁଃଖ ପଛକୁ ପକାଇ
ନୀରବରେ ଯାଏ ଝରି......
ଆଖି ତା ଆଇନା କୋଳ ତା ଝୁଲଣା
ହରିନିଏ ସବୁ କ୍ଳେଶ
ତା ପଣତ କାନି ପୋଛି ଦିଏ ଧୁଳି
ଢାଳେ ଅଭୟ ଆଶିଷ.....
ମାଆ କୋଳେ ଥିଲେ, ଲାଗେ ସବୁବେଳ
ନିରାପଦ ସ୍ଥଳ ଟିଏ
ଆପଦେ ବିପଦେ ଜୀବନ କୁ ଯିଏ
ବାଜିରେ ଲଗାଇ ଦିଏ.....
ମାଆ ସିନା ବଡ ସରଗ ରାଇଜୁ
ତା ଋଣ ଅଶୁଝା ସଦା
ତା ସ୍ନେହ ସରାଗ ଅମୂଲ ତା ମୂଲ
ଯଷ୍ଟି ଟିଏ ତାର ହେବା.....।।-
ଏପ୍ରିଲ ୨୨-୪-୨୫ରେ ପହଲ ଗାମ୍ (କାଶ୍ମୀରୀ)
ରେ ଆତଙ୍କ ବାଦୀ ଙ୍କ ହମଲା ରେ ପ୍ରାଣ
ହରାଇଥିବା ନିରୀହ ପର୍ଯ୍ୟଟକ ଙ୍କ ଉପରେ ଆଧାରିତ।।
ସପନର ସୀମା ଡେଇଁ
କିଛିବାଟ ଗଲି ଧାଇଁ
ଧରିବାକୁ ଜହ୍ନ ଆଉ ତାରା ,
ମନେ ଭରି ଆନନ୍ଦ ପସରା ,
କିଏ ଜାଣିଥିଲା ଅବା
ଅଣଚାଶ ଆସିଯିବ
ଧୋଇନେବ ଅଚାନକେ ସବୁ
ନିଶ୍ଵ କରି ଜୀବନ ଟା ସାରା.....
ଆକାଶ ରେ ବତାଶ ରେ
ଅନଳ ରେ ଅନିଳ ରେ
ଲୁହର ଝରଣା ଆଜି
ବାଟ ପାଏ ନାହିଁ
ସମୟଟା ସତେକି ନିର୍ଦ୍ଦୟ
ବୁଝେ ନାହିଁ ଅସମୟ
ଛଡାଇ ନିଅଇ ସବୁ
ଅବଶେଷ କିଛି ଛାଡେ ନାହିଁ......
ମୁହୂର୍ତ୍ତେ ଯାଏ ବଦଳି
ପ୍ରସ୍ପୁଟିତ ସୁଖ କଳି
ଉଡିଯାଏ ସପନ ଟା
କାହିଁ କେତେ ଦୁରେ ,
ଆଶାର ସଊଧ ଟଳେ
କ୍ରୁରତା ଓ ହିଂସା ତଳେ
ସ୍ମୃତି ହୋଇ ରହିଯାଏ
ସବୁ ମନ ତଳେ.....।।
-
ମନର କେଉଁ କୋଣରେ
ଝରାଏ (ଅସରା )ମହକ
ସବୁଠୁ ମଧୁର ,ନିଜର
ସେଇ ବୋଉ ଡାକ ..।
ସକାଳ ରୁ ସଂଜ ହୁଏ
ବୋଉ ର ସ୍ନେହ ରେ
ସଞ୍ଜ ରୁ ସକାଳ ହୁଏ
ବୋଉ ପଣତ ରେ ..।
ବୋଉ ହାତ ପରଶ ରେ
ଝରଇ ଅମୃତ
ବୋଉ ବିନା ଜୀବନ ଟା
ଛନ୍ଦ ହରା ଗୀତ....।
ସବୁ ଋଣ ଶୁଝି ହୁଏ
ବୋଉ ଋଣ ନୁହେଁ
ତା ଗର୍ଭ କଷଣ ର କି
ମୂଲ୍ୟ ଦେଇ ହୁଏ ?
ବୁଝୁ କି ନ ବୁଝୁ କିଏ
ବୋଉର ମହତ୍ତ୍ଵ
ମୋ ପାଇଁ ବୋଉ ଅଟେ
ଗୀତା ଭାଗବତ...।।-
ଜାନକୀ ବଲ୍ଲଭ ଆହେ
ହେ ରଘୁନନ୍ଦନ
କୋଦଣ୍ଡ ଧାରି ଆହେ
କମଳ ଲୋଚନ ।
ମର୍ଯ୍ୟାଦା ରକ୍ଷା କରି
ତୁମେ ମର୍ଯ୍ୟାଦା ପୁରୁଷ
ପିତୃସତ୍ୟ ପାଳି ହେଲ
ସତ୍ୟ ର ବାହକ ।-
ପୂରୁବ ଆକାଶ ର
ସେଇ ଲାଲ୍ ସୁର୍ଯ୍ୟ
ପ୍ରତିଦିନ ଆସେ
ଆଉ ଯାଏ
ଜୀବନ ଟା ଏମିତି
ଗତାନୁଗତିକ ଧାରା
ଆସିବା ଯିବା ଲାଗି ଥାଏ......।
କେବେ ମେଘ ଢାଙ୍କେ
ନାଲି ସୁରୁଜ
ଅଟକେ ନାହିଁ କିଛି
ସୁଖ ସାଙ୍ଗେ ଦୁଃଖ ଆସେ
ଜୀବନ ଟା ତ ଏମିତି.....।
-
କିଛି କହେନାହିଁ ,ସବୁ ଥାଏ ସହି
ଅକାଳ ମରୁଡ଼ ,ବନ୍ୟା ବାତ୍ୟା ଦାଉ ,
ଅଣ୍ଟାକୁ ସଳଖି ଠିଆ ହୁଏ ଉଠି
ପିଇ ଯାଏ କେତେ ,ଲୁହ ନୁହେଁ ଲହୁ .....
ଛାତି ତା ପଥର ,ମନ ତା ଉଦାର
ସୁନ୍ଦର ତା ନଦ ନଦୀ ,ଆଉ ଝର
ପାହାଡ ଜଙ୍ଗଲ ,ଖଣି ଓ ଖାଦାନ
ସୁନାର ଓଡ଼ିଶା ,କିଣିନିଏ ମନ......
ତା କଳା ଭାସ୍କର୍ଯ୍ୟ ,କୋଣାରକ କାର୍ଯ୍ୟ,
ତା ବଡ ଦେଉଳ ,ପୁଣି ବଡ ଦାଣ୍ଡ ,
ତା ମହୋଦଧି ,ତା ମହାପ୍ରସାଦ
ତା ରଥଯାତ୍ରା ,ଜଗତେ ବିଦିତ.....
ବାର ମାସେ , ତେର ପର୍ବ
ଓଡ଼ିଆ ଭାଷା ତା ଗର୍ବ
ସେ ମାଟି ମହକ ଭରା
ତା ସୁର ଅମୃତ ଝରା ,
ପ୍ରସିଦ୍ଧ ତା ବାନ୍ଧ କଳା
ତା ନୃତ୍ୟ ଜଗତ ସାରା......
ସେଇ ମୋ ଓଡ଼ିଶା ଭୁଇଁ
ତାର ତ ତୁଳନା ନାହଁ.....
-
ଚଇତେ ଫୁଟିଲା ମଲ୍ଲି
ଓଠରେ ହସର ଝୁଲି
ପବନରେ ସିଏ କି ବାସ ଭରିଛି
ମନ ତ ଯାଏ ଚହଲି.......
-
କାହା ଛୁଆଁ କାହାର ପରଶ
ପୋଛିଦିଏ ଦେହର ପରାଶ
ବତୁରାଇ ଦିଏ ମାଟିର ଡ଼ହକ
ବିଞ୍ଚି ଦିଏ ମୁଠା ମୁଠା ମହକ ......
ଭିଜି ଯାଏ ତାଳୁରୁ ତଳିପା
ଅଙ୍କୁରିତ ସପନ କଳିକା
ଚଇତାଳି ପବନ ରେ ଉଡେ
ବତୁରା ମାଟି ର କଥା......
ନିଦାଘର କିଛି ତୃଷ୍ଣା
ମେଣ୍ଟାଏ ମାଟିର ବାସ୍ନା
ଲିଭା ଦିପାଳିରେ ପୁଣି
ଭରିଯାଏ ପ୍ରାଣ ସତ୍ତା.......।।
-
ଜୟ ଓଡ଼ିଶା,
ଜୟ ପଖାଳ....।।
ଓଡ଼ିଆ ଘର ର ହାଣ୍ଡିଶାଳ ଡେଇଁ
ଦେଶ ବିଦେଶ କୁ ଗଲାଣି ଛୁଇଁ
ସବୁଠି ଆଦର ସବୁଠି ମହକ
ସବୁରି ଦୁଆର ଖୋଲା ତା ପାଇଁ......।
ଦି ମୁଠା ପଖାଳ ମୁନ୍ଦାଏ ତୋରାଣି
ତା ସଙ୍ଗେ ଟିକିଏ ଆଳୁ ଚଟଣୀ
ତାକତ ବଢାଏ ତୃପ୍ତି ଭରେ ପୁଣି
ସବୁ ଓଡ଼ିଆଙ୍କ ପ୍ରିୟ ସାରଣୀ......।
ଆସିଗଲେ ଖରା ବଢେ ଦିନ ତାତି
ପଖାଳ କଂସା କୁ ଖୋଜେ ମନ ନିତି
ଶାଗ ବଡ଼ିଚୁରା ଆଚାର ଓ ଭଜା
ସଭିଏ ନିଅନ୍ତି ପଖାଳ ର ମଜା.....।
ପଖାଳ ନୁହଁଇ ଗରୀବର ଖାଦ୍ୟ
ବଡ଼ ଘରେ ଆଜି ପଖାଳ ର ପାଦ
ପଖାଳ ନିଜର ସବୁ ହ୍ରୁଦୟ ର
ପଞ୍ଚ ତାରକାରେ ବି ଶୁଭେ
ଆଜି ଧ୍ଵନି ପଖାଳର .......।।
-