ପଞ୍ଚଶତାବ୍ଦୀର ଅନ୍ତ ପରେ
ଆସିଛି ଏ ଶୁଭ ମୁହୂର୍ତ୍ତ,
ଆକୁମାରହିମାଚଳେ ଶୁଭେ
ରାମ ଜୟ ଗାନ ଶବଦ।
ଅଯୋଧ୍ୟାର ସରୟୁ ନଦୀରେ
ଭାସିଲା ପୂର୍ଣ୍ଣତାର ତରଙ୍ଗ,
ଗୌରୀକ ବର୍ଣ୍ଣେ ଆଜି
ସାରା ଭାରତ ରଙ୍ଗୀନ।
ସଂଘର୍ଷର ସିଦ୍ଧାନ୍ତ ଦେହରେ
ଆଜି ଏ ଭବ୍ୟ ପାର୍ବଣ,
ତମ୍ବୁର ଧୋର୍ଯ୍ୟ ଶିଖରେ
ଆଜି ଏ ବିଜୟ ଗର୍ଜନ।
ଲକ୍ଷ ଲକ୍ଷ ଜୀବନ ଦେହରେ
ଆଜି ଏ ପ୍ରାଣ ପ୍ରତିଷ୍ଠା,
କୋଟି କୋଟି ହୃଦୟେ ଶୋଭେ
ସଂସ୍କୃତିର ଏ ସ୍ୱାଧୀନତା।
ବିଳମ୍ବ ହେଉ ପଛେ
ସତ୍ୟର ବିଜୟ ହେଲା,
ରାମଲଲାଙ୍କ ଦିବ୍ୟମୂର୍ତ୍ତି
ସାରା ବ୍ରହାଣ୍ଡ ଦେଖିଲା।-
ପଞ୍ଚଶତାବ୍ଦୀର ଅନ୍ତ ପରେ
ଆସିଛି ଏ ଶୁଭ ମୁହୂର୍ତ୍ତ,
ଆକୁମାରହିମାଚଳେ ଶୁଭେ
ରାମ ଜୟ ଗାନ ଶବଦ।
ଅଯୋଧ୍ୟାର ସରୟୁ ନଦୀରେ
ଭାସିଲା ପୂର୍ଣ୍ଣତାର ତରଙ୍ଗ,
ଗୌରୀକ ବର୍ଣ୍ଣେ ଆଜି
ସାରା ଭାରତ ରଙ୍ଗୀନ।
ସଂଘର୍ଷର ସିଦ୍ଧାନ୍ତ ଦେହରେ
ଆଜି ଏ ଭବ୍ୟ ପାର୍ବଣ,
ତମ୍ବୁର ଧୋର୍ଯ୍ୟ ଶିଖରେ
ଆଜି ଏ ବିଜୟ ଗର୍ଜନ।
ଲକ୍ଷ ଲକ୍ଷ ଜୀବନ ଦେହରେ
ଆଜି ଏ ପ୍ରାଣ ପ୍ରତିଷ୍ଠା,
କୋଟି କୋଟି ହୃଦୟେ ଶୋଭେ
ସଂସ୍କୃତିର ଏ ସ୍ୱାଧୀନତା।
ବିଳମ୍ବ ହେଉ ପଛେ
ହେଲା ସତ୍ୟର ଜୟ ଗାଥା,
ସ୍ୱଭୂମେ ପୂଜା ପାଇଲେ
ପୁରୁଷୋତ୍ତମ ରାମଲଲା।-
କାହା ପାଇଁ ହୋଲି ବଡ଼
ତୋ କାହା ପାଇଁ ଦୋଳି,
ଆମେ ହେଲୁ ମୟୂରଭଞ୍ଜିଆ
ଆମ ପାଇଁ ବଡ଼ ମକର ମେଳି।
ଘର ଠୁ ଏବେ ରାସ୍ତା ଯାଏଁ
ଦିଶିବ ହସ ଉଲ୍ଲାସର ଗହଳି,
ନୂତନ ବସ୍ତ୍ରକୁ ନୂତନ ଚାଉଳ
ପିଠା ପଣାର ଚାଲେ ମେଲାଣି।
ମକର ଗୀତକୁ ଗାଁ ଖେଳଖୁଦ
ଘରେ ଘରେ ଟୁସୁ ମୋନି,
କୁମ୍ଭା ଘର ଜାଳି ସକାଳୁ ଗାଧେଇ
ଛଡାଯାଏ ବରଷର ପୁଷ ମଳି।
ଘରଠୁ କେବେ ରହିନି କେହି
ଏହି ପରବେ ଦୂରେଇ,
ମାଟି ମା ଡାକ ନିଶ୍ଚିତ ଶୁଭିବ
ଏ ପରା ଗଣ ପର୍ବର ଭେଳି।
ପରମ୍ପରା ଠୁ ବହୁ ବଡ଼
ଏ ଭାଇ ଚାରା ରଷଣି,
ଏକତା ପାଇଁ ସୃଷ୍ଟି ବୋଧେ
ଭଞ୍ଜଦେଶର ଏ ଅନନ୍ୟ ପର୍ବାଣୀ।-
କହ କୋଣାର୍କ କେଉଁ ପୂର୍ଣ୍ଣତା ପାଇଁ
ବାରବର୍ଷର ପୁତ୍ର ହେଲା ନିହତ?
ମମତାର ଅନିଚ୍ଛା ସତ୍ତ୍ୱେ
ହାରିଗଲା ମାତୃତ୍ୱ।
ଶ୍ରେଷ୍ଠଶିଳାର ଗର୍ବ ଛାତିରେ
ଭଗ୍ନ ଲେଖିଲା ଭବିଷ୍ୟତ,
ସାତ ଘୋଡାର ଚବିଶ ଚକରେ
ପିତୃତ୍ୱ ହେଲା ପ୍ରତିହତ।
କହ କୋଣାର୍କ କେଉଁ ପ୍ରଭୁତ୍ୱ ପାଇଁ
ବାଡ଼ି ବରକୋଳି ସାଜିଲା ଅଭିଶପ୍ତ?
ସାହାଯ୍ୟର ସୂର୍ଣ୍ଣିମ ରେଖା
ସବୁଦିନ ପାଇଁ ହେଲା କଳଙ୍କିତ।
ବୀରତ୍ବର ଏ କୀର୍ତ୍ତିରାଜିରେ
ମୁଖଶାଳା ବି ଆଜି କ୍ରନ୍ଦିତ,
ଚନ୍ଦ୍ରଭାଗା ଅଭାଗା ହୋଇ
ମାପିନେଲା ନିଜ ଦୂରତ୍ୱ।
କହ କୋଣାର୍କ କେଉଁ ଉଦିତ ସୂର୍ଯ୍ୟ ପାଇଁ
ଅନ୍ଧାରର ବଢିଲା ଗୁରୁତ୍ୱ ?
ଦଧିନଉତିର ଯୁଦ୍ଧ ଦେହରେ
ସତ୍ୟ ବି ହେଲା ପରାଜିତ।
ପଦ୍ମକ୍ଷେତ୍ରର ପାଖୁଡା ଦେହରେ
କେମିତି ବା ଆଙ୍କିଲା ପକ୍ଷପାତ,
ସେଦିନ ବୋଧେ ଚୁପ ନଥିଲେ
ସମୁଦ୍ର ବି ଲୁଚାଇ ପାରିନଥାନ୍ତା ଅସ୍ତିତ୍ୱ।-
ହଜିଯାଏ ରାତି ଦେଖିଦେଲେ ଜହ୍ନ,
ସତେକି ବାସ୍ତବତାର ବିସ୍ତୃତ ବହ୍ନିରେ
ଅବାସ୍ତବ ଆଜି ଦେଇଦେଲା ଉପସ୍ଥାନ।
ଆକାଶ ଆଜି ସାକ୍ଷୀ
ମନ ଓ ମୟୂରୀର,
ପବନ ବି ସାକ୍ଷୀ
ରାତି ଓ ଯୋଛନାର।
ଲିଭିଗଲେ ସ୍ଵପ୍ନ ବି ଆଜି
ଏକାକାର,
ବୋଳିଗଲେ ରାତି ବି ଆଜି
ଆପଣାର।
ପ୍ରଣୟ ବେଳାରେ ପ୍ରେମର ମଧୁରେ
ଭିଜିଭିଜି ଆଜି ତନୁ ବି ତୁମର,
କେତେ ଆଉ ସାଜିବି ନିର୍ଲଜ
ଆଖିବି ଆଜି ଅନାୟତରେ
କେବଳ କରୁଛି ତୁମର ଗୁଣଗାନ।-
କିଛି କ୍ଷଣ ଅନ୍ଧାର ବି ଶାନ୍ତିର ମୋହ ଦେଇଯାଏ।
ବେଳେବେଳେ ଆଲୋକରେ ବି ଆଖି ପୋଡି ହୋଇଯାଏ।
ବସନ୍ତ ର ସବୁବାସ ପବନରେ ଭାସିଯାଏ
ପ୍ରତୀକ୍ଷା ର ସବୁପତ୍ର ପର୍ଣ୍ଣଝଡ଼ା ଦେଇ ଝଡିଯାଏ।
ସୂର୍ଯ୍ୟକୁ ଆଙ୍କୁ ଆଙ୍କୁ ଭାଗ୍ୟ ନିଜ ହାତେ ଭାଙ୍ଗିଯାଏ
ବେଳେବେଳେ ଆଖିର ସବୁଆଶା ଲୁହଧାରେ ଶୋଭିଯାଏ।
ଫଗୁଣର ସବୁରଙ୍ଗ ଅପରାହ୍ନରେ ଲୁଚିଯାଏ
କଳଙ୍କର ସବୁଦାଗ କଜଳରେ ଲେଖିଯାଏ।
କାଳିମାକୁ ଚିହ୍ନ୍ନୁ ଚିହ୍ନ୍ନୁ କାଗଜ ଅଲୋଡ଼ା ହୋଇଯାଏ
ବେଳେବେଳେ ଆପଣାର ହାତ ଧରି ଆକାଶ ବି ପର ସାଜିଯାଏ।-
ଆଖିରୁ ତୋ ନିଦ ନେଇଗଲ
ତେବେ ଆଉ ଏ ରାତି କାହା ପାଇଁ,
ସ୍ଵପ୍ନ କୁ ତୋ ହାତରେ ବାନ୍ଧି ଦେଲ
ତେବେ ଆଉ ଏ ମନ କାହା ପାଇଁ।
ଭାବନା ବେଦନା
ଆଜି ସବୁ ଆନମନା
ଏ ଜୀବନ କାହା ପାଇଁ,
ବେଳେ ବେଳେ ନିଜେ ଏକାକୀ ହସୁଛି
ଏ ଓଠ ବି କେଜାଣି କାହା ପାଇଁ ।
ମନ ଅବା କାୟା କିଏ ବଶୀଭୂତ
ଜାଣିନି କାହା ପାଇଁ,
ସବୁ ପ୍ରଶ୍ନର ତୋ
ତୁମେ ହିଁ ଉତ୍ତର
ଖୋଜିବି ଆଉ କଣ ପାଇଁ।-
ଆଇନା ବି ଦିଏ
ନିଆଁ ଆଗେ ଝାସ,
ଯେବେ ଖୋଜା ଯାଏ
କେଉଁଠି ହୋଜିଲା
ଅତୀତର ପାଉଁଶ।
ମୁଖେ ଆଜି ଅନେକ ଆକାଶ
କିଛି ଭଙ୍ଗା କିଛି ଅଲୋଡ଼ା
ଆଉ କିଛି ପୂର୍ଣ୍ଣତା!
ହେଲେ ବି
ନିଜ ପାଇଁ ନିଜେ ବି
ଏକ ବିନ୍ୟାସ।
ଏଠି ଜୀବନ ଏକ ଅବକାଶ
କେବଳ ଫେରିବା ଓ ଫେରେଇବାର
ସମ୍ବନ୍ଧ ଓ ସମ୍ବନୟ ହିଁ
ଏକ ପାର୍ଥକ୍ୟ
ଆଉ କିଛି କ୍ଷଣିକର
ଅଟେ ଅମୃତ ନିଶ୍ୱାସ।-
ଜହ୍ନ ରାତିର ବୟସ କେତେ
ଥରେ କଇଁକୁ ପଚାର,
ପ୍ରତୀକ୍ଷାର ବେଳାରେ
କେତେ ସେ ଘୁଙ୍ଗୁରକୁ ଭାଙ୍ଗିଛି
ସାକ୍ଷୀ ରହିଥିବା ଭଅଁରକୁ ପଚାର।
ଜହ୍ନ ରାତିର ବୟସ କେତେ
ଥରେ ସେ ଉର୍ମିକୁ ପଚାର,
ଆଶାର ଆରାଧନାରେ
କେତେ ସେ କୂଳକୁ ଝୁରିଛୁ
ସାକ୍ଷୀ ରହିଥିବା ବାଲିକୁ ପଚାର।
ଜହ୍ନ ରାତିର ବୟସ କେତେ
ଥରେ ସେ ଆକାଶକୁ ପଚାର,
କୋଳର ପୂର୍ଣ୍ଣତାରେ
କେତେ ସେ ଅନ୍ଧାରକୁ ବୋଳିଛି
ସାକ୍ଷୀ ରହିଥିବା ରାତିକୁ ପଚାର।
ଜହ୍ନ ରାତିର ବୟସ କେତେ
ଥରେ ସେ ପ୍ରେମକୁ ପଚାର
ପ୍ରତିଛବିର ପ୍ରଣୟରେ
କେତେ ସେ ସ୍ୱପ୍ନକୁ ଭାଙ୍ଗିଛି
ସାକ୍ଷୀ ରହିଥିବ ନିଦକୁ ପଚାର।-