ତରୁଣୀର ଉଲ୍ଲାସ ପରି ପାନ୍ଥଶାଳା ପ୍ରେମ
ଚୁମ୍ବି ଚାଲିଥିଲା ନୀଳ ଓ ଗେରୁଆବର୍ଣ୍ଣ
ଯେଉଁଠି ଧକ୍କାଖାଇ
ରଚୁଥିଲେ ସର୍ତ୍ତ ବିହୀନ ରିଲିଫର ଦାନ।
ଝର୍କା ସେପାଖେ ମହମ ଆକାଶର ବିଳାପ
ଏପାଖେ ଦୁଇଟି ଆତ୍ମାର ମିଳନ ଗତାନୁଗତିକ
ପଛରେ ଗୋଟେ କଳ୍ପ ଅତୀତ
ଯେପରି ବୈଧାନିକ ରୂପେ ପୂର୍ବରୁ ଗଢା।
ମୁହଁ ତ ଖଣ୍ଡିଏ ଦର୍ପଣ
ଗରମ କଫିର ସୁ ସୁ ଶବ୍ଦରେ ଉଚ୍ଚାଟ ମାରି
ତୃତୀୟ ବିଶ୍ଵଯୁଦ୍ଧର ଏକ ବିସ୍ଫୋରଣ।
ଇତିହାସରେ ଏକ ଛାପା ପୃଷ୍ଠାମାନ ଭଳି ରହି
ଲଘୁଚାପ ସୃଷ୍ଟି କରିବାକୁ ଯେପରି ତୁମର ନିମନ୍ତ୍ରଣ।
-
ତୁମେ ଥରେ ଚାହିଁଦିଅ
ମୁଁ ନୀରବରେ ବୁଝି ନେବି.....❤️
ସେଇ ଶବ୍ଦ ଭିତରେ... read more
ଏଇ କିଛିଦିନ ହେବ
ଧରିବାକୁ ଚେଷ୍ଟା କରୁଛି ମୁଠାଏ ନୀରବ,
ଆଞ୍ଜୁଳାଏ ଶାନ୍ତି ଆଉ ମେଞ୍ଚାଏ ଆଲିଙ୍ଗନ।
ଅବିରତ ହୃଦୟର ଆବେଗ ସବୁ
ଉଛୁଳି ଆସେ ଏଭଳି ଏକ ତାରାକୁ ଦେଖି।
କଜଳ ରାତି ଓ ଦିଗବଳୟ ସେପାରି ତୁମେ
ମୁଁ ଧିରେ ଧିରେ ଢିଲା କରେ
ସହରର ଧାଁଧପଡ ଭିତରେ ଥିବା
ଅପ୍ରତ୍ୟାଶିତ ଶବ୍ଦ ସହ ବହୁ ଦିନରୁ
ଉତ୍ତେଜିତ ଧୂସର ସ୍ବପ୍ନ ସବୁକୁ.......-
ନିର୍ବାସନ
ତୁମ ପ୍ରେମ ସତେ କି
ଖୋଜେ ନିର୍ବାସନର ଜ୍ୟୋତ୍ସ୍ନାବୋଳା
ଏକ ସ୍ମୃତିର ମେଖଳା।
ମୁଁ କିନ୍ତୁ ନିସ୍ତରଙ୍ଗ ଢେଉ ତୋଳି
ବନ୍ଧା ମୋର କଫି ଟେବୁଲ୍ ରେ ଦୌଡ଼ୁଥିବା
ଘଣ୍ଟାକଣ୍ଟା ମିନିଟ୍ କଣ୍ଟାର
ନାଟକୀୟ ଗତି ସ୍ରୋତରେ।-
ତୁମେ ଥରେ ଆସନ୍ତନି
ସପନି ଅଜାଙ୍କ ସପନ ଦେଖା ଗପ ଭଳି
ଏବେ ଲୁଚି ଯାଇଛ କେଉଁ ଫର୍ଦ୍ଦ ତଳେ,
ଯାହାକୁ ଖୋଲିଲେ ଝରେ କ୍ୟାଲେଣ୍ଡରରୁ
ତାରିଖ ଗୁଡାକ। ଆଉ ମୁଁ
ସାଇତି ରଖେ ତା'କୁ
ଥୋକେ ଅନ୍ଧାରର କଜଳ ଧାରରେ
ଏକ ଲମ୍ବା ପୃଥିବୀ ଉପରେ
ଦେଖେ କେବଳ,
ତୁମେ ମାପିଥିବା ହାତେ ଆକାଶର
ଶୁଖିଲା ହାଡରେ ଠିଆ ଉଷୁମ ଖରାକୁ।
-
ସୂର୍ଯ୍ୟରେ ଆଲୁଅ ନାହିଁ
ରାତିରେ ଅନ୍ଧାର ନାହିଁ
ଶୁଣିଲି ରେବ କୁଆଡେ ଦିନକୁ ଖୋଜୁଛି
ହେଲେ କିଏ କହିବ (?)
ଏଠି ଯେ ବୋଉ ଜରି ପାଲ ତଳେ ସ୍ବପ୍ନ ଦେଖୁଛି
ଛାଇନିଦରେ ଦଶ ଗଣ୍ଡା ହାଇ ମାରି
ଫୁସ୍ ଫୁସ୍ କରି ପୁଣି ଉଡ଼ାଇ ଦେଉଛି
ଜେଜୀ କହୁଛି ସେକାଳ ଯାଇଛି,
ଦିନ ତ ପ୍ରତି ଘରେ ହାଉଳି ମାରୁଛି
ତୁ ଆବିଷ୍କାର କରି ଦେଖ ଥରେ
ଆକାଶର ପୌରାଣିକତା କୁ
ଖାଲି ମେଘର ଶୋକାଗ୍ରସ୍ତ ଦେହ
ସୂର୍ଯ୍ୟର ଗରମ ନିଃଶ୍ୱାସ
ଅସ୍ତବ୍ୟସ୍ତ ବିଜୁଳି ଘଡଘଡି ସବୁ
ଅଭିଶାପ ପାଇ ଦେବୀତ୍ଵର ଆବାହନ କରୁଥିବେ।
-
ମୁଁ ସେଇ ବାଟ ଦେଇ ଆଉ ଫେରିନି....
ଯେବେଠୁ ଦୁଇଟି ପାଦ ଖୋଜିବାକୁ ଯାଇ
ଗୋଟିଏ ଦିନ ଓ ରାତିର ମିଳନ ସହ....
ଭରା ନଈର ଭସାଣି ଦେଖିଥିଲି।
-
ପ୍ରତିଥର•••••••
ଯେବେ ଆସେ ଦେଖେ
ସାଇତି ଥିବା ଆଖି ତଳର ଭାତୁଡ଼ି,
କୁଞ୍ଚୁକୁଞ୍ଚିଆ ମୁହଁର ଟାଇଲ ଥାକରେ
ଅନେକ ଉଦ୍ଭାବନ ଆବିଷ୍କାରର ଅଗଣିତ ଦିନ
ଇତିହାସର ରୋମନ୍ଥନ , ଦର୍ଶନର ଗବେଷଣା
ରାଜନୀତିର ଚକ୍ରାନ୍ତ, ଅର୍ଥନୀତିର ତଉଲାପଣ
ବିଜ୍ଞାନର ପରୀକ୍ଷାଗାର ଅବା ବିସ୍ଫୋରଣ
ଅଥଚ ହାଲିଆର ଲେଶ ମାତ୍ର ଚିହ୍ନ ନାହିଁ।
-