ମୁହୂର୍ତ୍ତେ ଅନ୍ଧକାର, ଆତ୍ମାରୁ ଆଚ୍ଛାଦନ ଅପସାରଣ ର
-
ସମୟର ସୁଅରୁ ଟିକିଏ ଓହରିଗଲେ
ଥାଏ ଏକ ଏକାନ୍ତ ଇଲାକା
ଶ୍ରାବଣର ସୁରାକ୍ ନ ଥାଏ ସେଠି
ନା ନିଦାଘର ତିଳେ ପ୍ରଖରତା
ଫଗୁଣ କେବେ ଛୁଏଁନି ତାର ସୀମା
ନା କେବେ ଆସେ ପତ୍ରଝଡ଼ା
ପ୍ରଶାନ୍ତିର ସେଇ ଅନ୍ତହୀନ ବିସ୍ତୃତିରେ
ହଜିଥାଏ ମୁଁ
ଆଉ ମୋ ଓଠତଳେ ସାଇତା ହଜାରେ କବିତା
-
ନିଜକୁ ସମ୍ପୂର୍ଣ୍ଣ ନିଗାଡ଼ି ସାରିଲା ପରେ
ବୁନ୍ଦାଏରେ ଭରି ଉଠିବାର ଆକର୍ଷଣ-
ଏବେ ଆଉ ଭରିଦିଏନି ମୁଁ
ଅସରା ମୋ ନୀରବତାକୁ
ତୁମ କଲମରେ ସ୍ୟାହି କରି
କି ଭାବନା ତୁମର ଆସନ୍ତିନି ଧାଇଁ
ଓଗାଳନ୍ତିନି ମୋ ବାଟ
ସାଦା କାଗଜର ଛାତି ଚିରି-
ଏକାକୀ ଜୀବନର ଝରକା ବାଟେ ଅନେକ ବେଳ ଧରି ଚାହିଁ ରହିଥିଲା ସିଏ ବାହାରକୁ । କହିହେବନି, ଅସ୍ପଷ୍ଟତାକୁ ଆଦରି ନେଉଥିଲା ସିଏ କି ଅସ୍ପଷ୍ଟତା ଆରେଇ ଯାଉଥିଲା ତାକୁ ! ଧିରେ ଧିରେ ମିଳେଇ ଯାଉଥିଲା କପାଳର କୁଞ୍ଚିତ ରେଖାସବୁ। ମନତଳେ ଅଜଣା ଶିତଳତାର ସ୍ପର୍ଶ। ଜଙ୍କଲଗା
ଓଠ ଫାଙ୍କରେ କେତେବେଳେ କେମିତି ଉଙ୍କି ମାରୁଥିଲା ଫିକା ଫିକା ଧାରେ ହସ। ପୁରୁଣା ଚଷମାଟାକୁ କାଢ଼ି ଫିଙ୍ଗି ଦେଲାପରେ ଆଜି ଅନେକ ହାଲକା ଲାଗୁଥିଲା ତାକୁ। ଆପେ ଆପେ ହାଲକା ହୋଇଯାଇଥିଲା ବୟସର ବୋଝ, ଆଉ ଛାତି ତଳର ସାଇତା ଯେତେ ଦରଜ। ଅସ୍ପଷ୍ଟତା ବରଂ ଭଲ, ସ୍ପଷ୍ଟ ଦୁନିଆଟା ଏତେ ବିଭତ୍ସ ଯେ.......— % &-
ସେଇ ପୁରୁଣା କଥା କଟାକଟି
ଅସ୍ପଷ୍ଟ ଅତୀତକୁ ଆଣି
ସେଇ ପୁରୁଣା ଘଣ୍ଟାଚକଟା,
ସେଇ ଅହଂ ସେଇ ଅନ୍ତର୍ଦାହ
ସେଇ ତିକ୍ତତା ସେଇ ରିକ୍ତତା
ସେଇ ସ୍ୱାଭିମାନର ହତ୍ୟା,
ସାବ୍ୟସ୍ତ କରିବାର ସେଇ ପୁରୁଣା ନିଶା
ସେଇ ପୁରୁଣା ରାସ୍ତା
ସେଇ ପୁରୁଣା ପଥଚାରୀ
ଖାଲି ଯାହା ବଢ଼ି ବଢ଼ି ଚାଲିଥିଲା
ଦୁହିଁଙ୍କ ଭିତରର ଦୂରତାଟା ।— % &-
କାକର ଛାତିରେ
ପହିଲି କିରଣର ପାଦଚିହ୍ନ ପରି
ତୁମ କଥା
ଏଇନେ ପାଣି ଏଇନେ ମୁକ୍ତା— % &-
କିଛି କଥାକୁ
ଧରି ରଖିବାର କୌଣସି ମୂଲ୍ୟ ନ ଥାଏ
ତଥାପିବି ଛାଡ଼ିହୁଏନି
ଛାଡ଼ିବାର ଚିନ୍ତାରେ ହିଁ
ଛାଇଯାଏ ଅଦ୍ଭୁତ ଏକ ଅଧୁରାପଣ
କୋହ ଉଠେ
ଜୀବନଟା ଖାଲି ଖାଲି ଲାଗେ
ଅଜଣା ମୋହରେ
ଅଧିର ହୋଇଉଠେ ମନ
ମାନି ଚାଲେ ସର୍ତ୍ତ ପରେ ସର୍ତ୍ତ
କରିଚାଲେ ସନ୍ଧି ପରେ ସନ୍ଧି
କେବେ ନିଜ ସହିତ
ତ କେବେ ନିଜତ୍ବ ସହିତ
ଯେମିତିକି
ଯୋଡ଼ି ହୋଇ ରହିବାଟା ହିଁ
ଆଜି ପାଇଁ ସବୁକିଛି
ତେଣିକି 'କାଲି'କି କିଏ ଦେଖିଛି...!-
ହେଇ ଦେଖ
ସମର୍ପି ଦେଲି... ମୋର ସର୍ବସ୍ବ
ମୋ ସୁଖ ମୋର ଦୁଃଖ
ମୋ ଚିନ୍ତା ମୋ ଦକ
ମୋ ଆବେଗ
ମୋର ସକଳ ଉଦବେଗ,
ଏଥର ତୁମ ପାଳି....
ରଖିପାରୁଛ ତ ରଖ
ତୁମ ପ୍ରଭୁପଣିଆର ଟେକ-