ଆତ୍ମବିଶ୍ୱାସ ଆଉ ଆତ୍ମପ୍ରତ୍ୟୟ
ନିଜ ଅସ୍ତିତ୍ଵ ହରେଇଲେଣି,
ସ୍ବପ୍ନସବୁ ଅନ୍ୟ ଆଖିରେ ବସାବାନ୍ଧିଲେଣି,
କ୍ଷତବିକ୍ଷତ ଇଚ୍ଛାମାନ ମେଲାଣି ମାଗିଲେଣି,
ଛାତିରେ ଜମାଟ ବାନ୍ଧିଲାଣି ଗ୍ଲାନି ଓ ଅବସୋସ
ମନରେ ଲହଡ଼ିଭାଙ୍ଗୁଛି ପ୍ରଶ୍ନର ଜୁଆର
କିନ୍ତୁ କିଏ ଦେବ ତା' ଉତ୍ତର ?
-
ଅନ୍ତରାତ୍ମା ଚିତ୍କାର କରି ପ୍ରଶ୍ନ କରୁଥିଲା,
ପ୍ରଥମେ ନ ଶୁଣିବାର ଅଭିନୟ
ତାପରେ କାନ ବନ୍ଦ କଲି
ତଥାପି ଶୁଭିଲା ଠାଏ ଠାଏ।
କି ପ୍ରଚଣ୍ଡ ଶକ୍ତି ସେ ପ୍ରଶ୍ନର!
ବିଦାରି ଦେଲା ହୃଦୟ
ପୁଣି ଥରାଇଲା ଶରୀରର ପ୍ରତିଟି ତନ୍ତ୍ରୀକୁ।
ଅସହ୍ୟ ସେ କଷ୍ଟ
ବଳ ଜୁଟାଇ ତା' ଗଳାକୁ ଚିପିଲି
ପ୍ରତିବାଦ କଲା ଅସ୍ପଷ୍ଟ ସ୍ଵରରେ
ତା'ପ୍ରତି ହେଉଥିବା ଅତ୍ୟାଚାର ବିରୁଦ୍ଧରେ
ଗୋଡ଼ହାତ ଛାଟି ଚେଷ୍ଟାକଲା ମୁକୁଳିବାକୁ...
ନୀରବିଲେ ଉଭୟ।
ଘାତକ ନୁହେଁ ମାତ୍ର ମୁଁ ଥିଲି ନାଚାର
ତା'ପ୍ରଶ୍ନର ଉତ୍ତର ମୋ ପାଖେ ଥିଲା ସତ
ହେଲେ ଏହାର ପରିଣତି ଥିଲା ଭୟାବହ।
-
କବର ଭିତରେ କଡଲେଉଟେଇଲେଣି
ସ୍ମୃତିମାନେ , ଉଠିବେ ଏଥର।
ମନରୂପୀ ତାନ୍ତ୍ରିକ
କରୁଛି ମନ୍ତ୍ରପାଠ,
ପୁଣି ଐନ୍ଦ୍ରଜାଲିକ ପଦ୍ଧତିରେ
ସେମାନଙ୍କୁ ପ୍ରାଣଦାନ ଦେବ।
ରକ୍ତମୁଖା ହୋଇ ଉଠିବେ
ହାବୁକା ହାବୁକା କରି ପିଇବେ
ଶିରା ଓ ଧମନୀରେ ପ୍ରବାହିତ ରକ୍ତ,
କାଟିବେ ଟିକ୍ ଟିକ୍ ପୋକପରି
ହୃଦୟର ପ୍ରତିଟି ନିଳୟ - ଅଳିନ୍ଦ ।
ଧ୍ଵଂସଲୀଳା ରଚିବାପରେ
ବାହୁଡ଼ିବେ କବର ଭିତରକୁ
ପୁଣି ଏକ ଅମାବାସ୍ୟା କିମ୍ବା ପୂର୍ଣ୍ଣମୀର ଅପେକ୍ଷାରେ।
କେବେ ସରିବ ଏ ଯନ୍ତ୍ରଣା
ନା ଆସ୍ତେ ଆସ୍ତେ ଏ ସବୁ ଦେହସୁହା ହେବ ?
ସିଦ୍ଧି ଲାଭ ପୂର୍ବରୁ
ସାଧକ କଣ ତା ସାଧନା ରୋକିବ !
ଏତିକିରେ ନହେଲେ
ଶେଷରେ ସେ ପ୍ରାଣବଳି ଦେବ
ମୃତ୍ୟୁ ହିଁ ଏହାର ଯବନିକା ଟାଣିବ ।-
ଜୀବନ ବହିରେ ପୁଣି ଏକ
ନୂଆ ଫର୍ଦ୍ଦ ଯୋଡ଼ିହେଲା,
ଏ ଫର୍ଦ୍ଦ ବି କଣ ପୂର୍ବବତ୍ ରିକ୍ତ ରହିବ,
ଅଲେଖା ହୋଇ ....?
ଏ ପ୍ରଶ୍ନ ଆସନ୍ତା ବର୍ଷ ପାଇଁ
ସ୍ଥଗିତ ରହିଲା ।-
ବହୁତ ହୋଇଗଲା ଅତୀତକୁ ଛାତିରେ ଜାବୁଡ଼ିଧରି
ବର୍ତ୍ତମାନକୁ ପାଦରେ ଆଡେଇଦେଇ,
ଭବିଷ୍ୟତର ସୁନେଲୀ ସ୍ବପ୍ନ ଦେଖିବାର।
ମୋତେ ଶିଖିବାକୁ ହେବ -
ବର୍ତ୍ତମାନରେ ଜିଇଁବାକୁ
ସମୟ ସହ ତାଳଦେଇ ଚାଲିବାକୁ।
ନିଜକୁ ହିଁ ଖୋଜିବାକୁ ହେବ -
ନିଜ ପ୍ରଶ୍ନର ଉତ୍ତର, ଆଶାର କିରଣ
ନିଜ ଖୁସିର ଠିକଣା, ହସର ଖିଅ।
ମୋତେ ହିଁ ସଂକଳ୍ପ ନେବାକୁ ହେବ -
ସମସ୍ୟାକୁ ସାମ୍ନାକରି
କର୍ତ୍ତବ୍ୟକୁ ସ୍ବପ୍ନରେ ପରିବର୍ତ୍ତିତ କରି
ଜୀବନକୁ ଜିଇଁବାକୁ।
-
ମୁଁ ବତୀଘର,
ପ୍ରତୀକ ଏକ ଅସରନ୍ତି ପ୍ରତୀକ୍ଷାର
ମୋ ହୃଦୟ,
ଏକ ପରିତ୍ୟକ୍ତ ପୋତାଶ୍ରୟର
ଆଉ ମନ;
ଅସ୍ବାଭାବିକ ଭାବେ ଶାନ୍ତ
ନା ଅଛି ଆଲୋଡନ ନା ଉଠେ ଜୁଆର !
-
ସ୍ବପ୍ନ ଓ ଘୁଙ୍ଗୁଡ଼ି
ସ୍ବପ୍ନରେ
ନିଷ୍ପ୍ରଭ ହେଉଥିବ ସ୍ମୃତିସବୁ
ଉଜ୍ଜ୍ବଳି ଉଠନ୍ତି ,
ପର ହୋଇଥିବା ଆପଣା ଲୋକଟା
ନିଜର ଲାଗେ ।
ମୁଁ ଶୋଇପଡେ ପୁଣିଥରେ
ସେଇ ସ୍ମୃତି ଆଉ ସେଇ ଚିହ୍ନା ମୁହଁକୁ ଦେଖିବା ଆଳରେ।
ବେଳେବେଳେ ନିଦ ବି ବିଶ୍ୱାସଘାତ କରେ
ମଧୁର ସ୍ବପ୍ନ ପରିବର୍ତ୍ତେ ମୋତେ କର୍କଶ ଘୁଙ୍ଗୁଡ଼ି ଭେଟିକରେ।
— % &-
ସ୍ବପ୍ନ
ନିଦ୍ରିତ ଆଖିର ଏକ ଅବାସ୍ତବିକ ମହତ୍ତ୍ୱାକାଂକ୍ଷା
ଯାହା ଅସ୍ଥିର କରେ
ଉତ୍ସାହିତ କରେ
ଆଖିରୁ ନିଦ ବି ଚୋରି କରେ
ଅବାସ୍ତବକୁ ବାସ୍ତବର ରୂପଦେବାରେ।— % &-
ଜାଣିଛି ଅଫେରା ନୁହଁ ତୁମେ
ନିଶ୍ଚୟ ଫେରିବ,
କିନ୍ତୁ କେବେ ?
ୟା ଭିତରେ ଦୁଇବର୍ଷ ବିତିଲାଣି !
ପେଟରେ ଜମିଲାଣି ଅନେକ କଥା,
ମନରେ ବି ଭରିଅଛି ବହୁତ ବ୍ୟଥା,
ଏସବୁ ତମକୁ କହିବାକୁ
ଅତିକମ୍ ରେ ଦୁଇ-ତିନ୍ ଦିନ ଲାଗିବ।
ଏବେ ଫେରିଆସ,
ଏଥର କିନ୍ତୁ ଆସିଲାବେଳେ
ନିଶ୍ଚେ କିଛି ଅଧିକା ସମୟ କଣ୍ଟକରି ଆସିବ ।-
କିଛି ହରାଇବାର ଖୁସି ବନାମ୍ ପାଇବାର ଦୁଃଖ
ବୟସ ଅପରାହ୍ନରେ ଏକା ଏକା ବସି
ଜୀବନର ଅଙ୍କକୁ କଷୁଛି
କଣ ଖୋଜୁଥିଲି କଣ ପାଇଛି
ମୁଁ ଯାହା ଚାହିଁଥିଲି ତା'ତ ପାଇଛି
ତଥାପି ଖୁସି କାହିଁ !!!
ବରଂ କିଛି ହରାଇବାର ଉଦାସୀନତା ଛାଇଛି...
-