ଆସ ନାହିଁ ଈଶ୍ୱର, ଏ ଅସମୟରେ ..
ଏବେ ଲୁହ ସବୁ ଏକ ଏକ ନାମହୀନ ଉଲ୍କା
ଏକ ଆଦିମ ସନ୍ତ୍ରାସର ଛାତିରେ।
ଏବେ ଲୁହ ସବୁ ହଳେ ହଳେ ରକ୍ତିମ ଅଗ୍ନିଡେଣା
ଏ ଅସମୟର ନାଗଫେଣି ବଣରେ।
ଆସନାହିଁ, ଈଶ୍ୱର..
ଏବେ ତୁମ ପାଦ ପଖାଳିବ କିଏ?
ଲୁହ ନାହିଁ ଆଉ ସଭ୍ୟତାର ଆଖିରେ!
© ବିନେଶ ସାମଲ-
କିଏ ବା କାହିଁକି ମନାସିବ ଯେ
ଦୀପ ଲିଭିବାଟା ଏକ ପ୍ରାରବ୍ଧ!
ଆଷାଢ଼ରେ ଯାହା ଖାଲି ବତୁରି ଯାଏ
ଏକ ନିଥର କବିପ୍ରାଣ,
ଏକ ଖଣ୍ଡୁଆ ପିନ୍ଧା ମାଟିମନ।
ସୁଖ ସବୁ ତ ସଜନା ଗଛର ଛାଇ
ଖୁବ୍ ଭଙ୍ଗୁର କାଳେ ଋତୁଙ୍କ ହିଲ୍ଲୋଳେ!
© ବିନେଶ-
ଜାଣି ହେଲାନି
କେବେ ଗାଁ ସବୁ ସହର ପାଲଟିଗଲେ
ଆଉ ମନ ସବୁ ଏକ ଏକ ମାଇଲ ଖୁଣ୍ଟ!
- ବିନେଶ
-
ଦିନ ଦିନ ଧରି ସର ମା ମାଟି କାନ୍ଥରେ
ଆଉଜି ହୋଇ ବତୁରୁନି ଖରାଦିନ!
ଖରାଦିନ ମାନ ଏବେ ଖୁବ୍ ବ୍ୟସ୍ତ
ସର ମା ଚାଳ ଦେଇ ଉଡ଼ିଯାଆନ୍ତି
ଉତୁରା କ୍ଷୀର'ର ପୋଡ଼ା ବାସ୍ନା ଭଳି
ରହିଯାଏ ତା ବତୁରା ଆହା ପଦ କେଇ ହଳ
ଠଣାରେ, ଉଲୁଗୁଣିରେ ଅବା ସିକାରେ।
© ବିନେଶ ସାମଲ-
ପତ୍ର ଟିଏ..
ଦିନେ ସଞ୍ଜରେ ସେଇ ପତ୍ରଟି ଝଡ଼ିଯିବ
ଦେଖି ପାରିବେନି କେହି
ଉଡ଼ିଯିବ ଦୂରକୁ ବହୁ ଦୂରକୁ..
ମୁଁ ବି ତ ବ୍ୟସ୍ତ ଥିବି ମଧୁମାସର ସହରରେ
କବିଙ୍କ ମେଳରେ,
ଝଡ଼ି ଯାଇଥିବା ପତ୍ର ମାନଙ୍କ ସନ୍ଦର୍ଭରେ
ହେଉଥିବା କବିତା ଆସରରେ।
- ବିନେଶ ସାମଲ-
ମେଘଫୁଲ
°°°
କଥା ସବୁ ରଖିଥାଅ ଶ୍ରାବଣେ କହିବ
ଆଷାଢ଼ରେ ମେଘ ନାହିଁ,
ଲୁଚିଥିବା ଲୁହ କାଳେ କିଏ ଦେଖିଦେଵ।
ଝରକା ଫାଙ୍କରୁ ଦେଖ ସେଇ ପ୍ରଜାପତି
ଉଡ଼ିନାହିଁ ବିଗତ ଋତୁରୁ,
ଆଉ କିଏ କାଳେ ଆସି ରଙ୍ଗ ମାଖିଦେବ।
ଅମାନିଆ ପକ୍ଷୀ ଭଳି ପ୍ରତ୍ୟୁତ୍ତର ଚିଠି
ଉଡାଣ ଭରିଛି ଆଜି,
ତୁମ ଆକାଶ ଠିକଣା ଠିକ୍ ଲେଖିଥିବ।
ଏ ମନର ପ୍ରତୀଚୀରେ ରଙ୍ଗ ଆଉ କାହିଁ
ଆଜି ଅସ୍ତରାଗ ପାଇଁ,
ତୁମ ସ୍କେଚବୁକ୍ ପୃଷ୍ଠା ଖୋଲା ରଖିଥିବ।
କୁହ ତୁମ ନିଦ କେବେ ସାଜିବ ବଇରୀ
ତନ୍ଦ୍ରାହତ ରାତି ପାଇଁ,
ମୋ ଅନ୍ଧାର ଦୀର୍ଘଶ୍ବାସ ଜହ୍ନ ଫୁଙ୍କିଦେବ।
ଚାଲ ଏବେ ଲେଖିଦିଅ ତୁମ ସପ୍ତମ ଋତୁକୁ
ଏ ଦେହ ରିକ୍ତ ମାଟିରେ,
ପ୍ରେମ ଆଶାବରୀ 'ମେଘଫୁଲ' ସାଜି ଫୁଟିଯିବ।
°°°
© ବିନେଶ ସାମଲ-