କଥା ନବପ୍ରତିଭା ବିଶେଷାଙ୍କ ଅକ୍ଟୋବର ସଂଖ୍ୟା ରେ ପ୍ରକାଶିତ ଗଳ୍ପ
-
ମୁଁ ଏବେ ବି ଏଇ କଥା ଗ୍ରହଣ କରି ପାରୁନି କି ଆଉ କିଛି ଦିନ ଭିତରେ ଏ ପରିବାର ନ ଥିବ ! ହେଲେ ସତ ଆମ ଗ୍ରହଣ କରିବା ନ କରିବା ଉପରେ ନିର୍ଭର କରେନି। ଆଉ ସତ ଆଉ ଶେଷ କଥା ହେଲା ଯେ ମତେ ପରିବାର ହରେଇ ଦେଇ ଅନାଥ ପାଲଟି ଯିବା ଭଳି ଲାଗୁଛି !! ମୁଁ ଯେତେ ଚେଷ୍ଟା କଲେ ବି ପ୍ରକାଶ କରିପାରିବିନି କେମିତି ଲାଗୁଛି ଏବେ। ଆବେଗ ସବୁ ଛଳ ଛଳ। ଏଇଠୁ ପାଇଥିବା ଶ୍ରଦ୍ଧା, ସ୍ନେହ, ଭଲ ପାଇବା,ଆପଣା ପଣ ସବୁ କିଛି ଚିରଦିନ ସ୍ମରଣୀୟ। କାହାକୁ ଧନ୍ୟବାଦ ଦେବି, କେମିତି ଧନ୍ୟବାଦ ଦେବି ଜାଣି ପାରୁନି। ଅନେକ ଗୁଡ଼ାଏ ଦୁର୍ବଳ ମୁହୂର୍ତ୍ତ ରେ କାହା କବିତା ପ୍ରେରଣା ଦେଇଛି ତ ଏକୁଟିଆ ପଣରେ ସାଥି ହେଇ ପାଖରେ ବସିଛି। କାହା କବିତା ରେ ଆଖି ଅଟକି ଯାଇଛି ତ କାହା ଲେଖା ଦୃଷ୍ଟିକୋଣ ବଦଳେଇଛି। ହାତ ଅଟକୁଚି ଲେଖିବାକୁ ଆଉ କିଛି। କେମିତି ଏତେ ଟିକେ ରେ ଲେଖି ପାରିବି ଏତେ ସବୁ କଥା। ଅନେକ କିଛି ବାକି ରହିଗଲା। ଅନେକ କିଛି।
ମୁଁ କେବେ ବି ବିଦାୟ ବେଳାରେ ହୃଦୟ ଖୋଲି ଯାହା ଚାହେଁ କହିବାକୁ କହି ପାରେନି, ନା ସ୍କୁଲ ରେ ନା କଲେଜ୍ ରେ ନା ଏବେ। ତଥାପି ଯଦି କେବେ କୋଉଠି ଜାଣତରେ ହଉ କି ଅଜାଣତରେ ହଉ କହାକୁ କିଛି ବି କଥା କଷ୍ଟ ଦେଇଛି ତେବେ କ୍ଷମା କରିବେ। ଆପଣ ସମସ୍ତେ ସବୁଦିନେ ମନେ ପଡ଼ିବେ, ଖୋଜିବି ନିଶ୍ଚୟ, କିଛି ଙ୍କୁ ପାଇବି ଆଉ କିଛି ହଜିଯିବେ। ସମସ୍ତଙ୍କୁ ପ୍ରଣାମ ଆଉ ଆଗାମୀ ଯାତ୍ରା ପାଇଁ ଶୁଭକାମନା। ଖାଲି ଏତିକି ପ୍ରାର୍ଥନା ଏ ଘର ତ ଛାଡ଼ିବାକୁ ହବ, ହେଲେ ଏ ପରିବାର କୁ ଏକାଠି ରହିବା ପାଇଁ କୌଣସି ଗୋଟେ ସୂତ୍ର, ଉପାୟ, ଚମତ୍କାର କିଛି ବି ମିଳୁ।-
ରାତି ପାଖାପାଖି ୩ ଟା ବାଜିଲାଣି
ମତେ କିଛିଘଣ୍ଟା ପୂର୍ବରୁ ଶୋଇଯିବାର ଥିଲା
ମୁଁ କିନ୍ତୁ ଫ୍ୟାନର ବ୍ଲେଡ଼କୁ ନିରିଖେଇ ଦେଖିବାରେ,
ଏଣୁତେଣୁ ଭାବିବାରେ ବ୍ୟସ୍ତ
ଭାବନା କିଛି ସୁନ୍ଦର କିଛି ବିକୃତ
କିଛି ଭଲ ଅନେକ ଭୟଙ୍କର
ହେଲେ ସବୁ ଭାବନାର ଖିଅ ଯୋଡ଼ି ହେଇଛି ତୁମଠାରେ
ସବୁ ଭାବନାର କେନ୍ଦ୍ରରେ ତୁମେ
ତୁମ ସ୍ମୃତି, ମୋ ମୋବାଇଲ୍ ର
ପ୍ଲେଲିଷ୍ଟ୍ ରେ ଥିବା ଗୋଟେ ସଙ୍ଗୀତ ଭଳି,
ଯାହାକୁ ମୁଁ ବାରମ୍ବାର ଶୁଣିବାର ପ୍ରୟାସକରେ
ମୋ ସ୍ମୃତି, ତୁମପାଇଁ
ତୁମ ବହିଥାକରେ ଥାଇ ଧୂଳି ସାଉଁଟୁଥିବା
ଗୋଟେ ପୁରୁଣା ଅଧାପଢ଼ା ଉପନ୍ୟାସ ଭଳି,
ତୁମେ ଆଉ ପଢ଼ିବାକୁ ଚାହଁନା, କିନ୍ତୁ ଫୋପାଡ଼ି ବି ପାରନା।-
ଝାପ୍ସା ହେଇ ଆସୁଥିବା ଦିନର ଆଲୁଅ ଆଉ ଉଜ୍ଜ୍ୱଳ ହେଇ ଉଠୁଥିବା ଷ୍ଟ୍ରିଟ ଲାଇଟ୍ ମାନଙ୍କ ଚମକରେ, ମୁଁ ନିଜକୁ ଆବିସ୍କାର କଲି, ସବୁଜ ହେଇଥିବା ଟ୍ରାଫିକ ଆଲୁଅ ଆଉ ପଛରୁ ଆସୁଥିବା କାର୍ ର କର୍କଶ ହର୍ଣ୍ଣର ମଝିରେ। ଆକ୍ସିଲେଟର ଉପରେ ହାତ ପକେଇ ଆଗକୁ ବଢିବା ପରେ ମୁଁ ଭାବୁଥିଲି ଜୀବନର ରାସ୍ତାରେ ଟ୍ରାଫିକ ଆଲୁଅ ଭଳି ସଂକେତ ଥାଆନ୍ତା କି !! କେତେ ସହଜ ହୁଅନ୍ତା ରାସ୍ତାରେ ଆଗକୁ ବଢିବା ଆଉ ଅଟକିବା କିମ୍ବା ଭିନ୍ନ ଗୋଟେ ରାସ୍ତା ବାଛିବା। ଜୀବନ ରାସ୍ତାରେ କିନ୍ତୁ ସବୁଜ କି ନାଲି ରଙ୍ଗ ମିଳେନି। ସବୁ ଛକରେ ହଳଦିଆ ରଙ୍ଗ। ଯାହା ଦେଖିଲେ ତୁମେ ନିର୍ଣ୍ଣୟ କରି ପାରନି ବେଗ କମ୍ କରି ଅଟକିବ ନା ଟିକେ ଗତି ବଢ଼େଇ ପାରି ହେଇଯିବ। ଅଟକି ଗଲେ କିଛି ସମୟର ଅପେକ୍ଷା। ଟ୍ରାଫିକରେ ଠିଆ ହେଲେ ସମୟ ହଠାତ୍ ଏତେ ମୂଲ୍ୟବାନ ଲାଗେ କାହିଁକି କେଜାଣି !! ଆଗକୁ ବଢ଼ିଲେ ଚାଲାଣ କଟିବାର ଭୟ, ଅନ୍ୟ କୋଉ ଦିଗରୁ ଆସୁଥିବା ଯାନ ସହ ଧକ୍କାର ଭୟ। ବେଳେବେଳେ ଅଟକିବାକୁ ହୁଏ ଆଉ ବେଳେବେଳେ ଆଗକୁ ଯିବାକୁ। ବାସ୍ ଭାବିବାର ସମୟ ଖୁବ୍ କମ୍। ସେଇ ମୁହୂର୍ତ୍ତରେ ହିଁ ନିଷ୍ପତ୍ତି ନେବାକୁ ପଡ଼େ। ବେଶୀ ଭାବିଲେ କିନ୍ତୁ ଦୁର୍ଘଟଣାର ସମ୍ଭାବନା ଅଧିକ। ବେଳେବେଳେ ଆଗକୁ ବଢ଼ିବାକୁ ହେଲେ ଅନେକ ନ ଭାବି, କିଛି ନିଷ୍ପତ୍ତି ହଠାତ୍ ନେବାକୁ ପଡ଼େ। ଟ୍ରାଫିକ ଆଲୁଅର ବଦଳୁ ଥିବା ରଙ୍ଗ ଭଳି ଜୀବନର ରଙ୍ଗ ବି ବଦଳେ। ବାସ୍ ଖାଲି ଠିକ୍ ସମୟରେ ଠିକ୍ ସଂକେତ ଚିହ୍ନି ଗାଡ଼ି ଆଗକୁ ଗଡ଼େଇ ପାରିଲେ ହେଲା।
-
ଏକନିଷ୍ଠ ପ୍ରେମର
ଅପରାଧରେ
ପାଷାଣ,
ମୁଁ ଅଭିଶପ୍ତ ଗୌତମ !!
ନିର୍ବାସିତା ସୀତା ଙ୍କ
ଚରଣ ରେଣୁର ପ୍ରତୀକ୍ଷାରେ ।-
ସନ୍ଧ୍ୟା ହେବାର କିଛି ସମୟ ପୂର୍ବରୁ ହଠାତ୍ ବର୍ଷା ଟୋପାର ଶବ୍ଦ। ମୁଁ ତରତର ହେଇ ଦଉଡ଼ି ଗଲି ଛାତ ଉପରେ ଶୁଖୁଥିବା କପଡ଼ା ସବୁକୁ ଭିଜିବାରୁ ରକ୍ଷା କରିବା ପାଇଁ। ମତେ ଏମିତି ଅଦିନିଆ ହଠାତ୍ ବର୍ଷା ଭଲ ଲାଗେ। ମୁଁ ବାଲକୋନୀରେ ବସି ବର୍ଷା ଦେଖୁଥିଲି ହଠାତ୍ ଲାଗିଲା ଏଇ ଯେମିତି ପ୍ରଥମଥର ପାଇଁ ଆଜି ବର୍ଷା ଦେଖୁଛି ଜୀବନରେ। ମୋ ସହ ଏମିତି ହୁଏ ଅନେକଥର। କୌଣସି ଗୋଟେ ନୂଆକଥା କଲା ବେଳେ ଲାଗେ ଯେମିତି ଆଗରୁ ଅନେକଥର କରି ସାରିଛି ଆଉ ବେଳେ ବେଳେ ଅନେକଥର କରିଥିବା କାମ ହଠାତ୍ ନୂଆଲାଗେ। ବର୍ଷାର ଛିଟା ମୋ ଦେହରେ ପଡୁଥାଏ। ମୁଁ ଭାବୁଥିଲି ସତରେ ମୁଁ କଣ କେବେ ବର୍ଷା ଦେଖିଛି? ପ୍ରତିଥର ବର୍ଷା ଦେଖିବା ସମୟରେ ମୁଁ କଣ ବର୍ଷା ଦେଖେ? ମୁଁ ତ ମୋ ସ୍ମୃତି ଭିତରେ ବର୍ଷାର ପୁରୁଣା ଅନୁଭବକୁ ଖୋଜେ। ମୋ ଆଖି ଟୋପାଟୋପା ହେଇ ପଡୁଥବା ଜଳବିନ୍ଦୁକୁ ଦେଖିଲେ ବି ମୁଁ ତ ହଜି ଯାଏ ଅତୀତରେ, କୋଉ ଗୋଟେ କବିତାର ବର୍ଣ୍ଣନାରେ କି ଚଳଚ୍ଚିତ୍ରର ଦୃଶ୍ୟରେ। ବର୍ଷାକୁ ଅନୁଭବ କରିବାକୁ ହେଲେ ବର୍ଷାରେ ଭିଜିବା ନିହାତି ଦରକାର। ବର୍ଷାରେ ଓଦା ହେଲେ ହିଁ, ଆକାଶରୁ ନିଗିଡ଼ି ପଡୁଥିବା ଜଳବୁନ୍ଦାଙ୍କ ସହ ତଲ୍ଲୀନ ହେଲେ ହିଁ ତୁମେ ବର୍ଷାକୁ ଅନୁଭବ କରି ପାରିବ। ନହେଲେ ବର୍ଷାକୁ ଅନୁଭବ କରିବା ମିଛ କଳ୍ପନା ମାତ୍ର।
ହଠାତ୍ ପ୍ରକୃତିସ୍ଥ ହେଲି, ମୁଁ ଏବେ ବି ବର୍ଷାକୁ ଦେଖୁଛି ଆଉ କଳ୍ପନା କରୁଛି; ଅନୁଭବ କରୁନି, ଭିଜୁନି,ବଞ୍ଚୁନି।
ମୁଁ କବାଟ ଖୋଲି ଛାତ ଉପରକୁ ଚାଲିଗଲି, ବର୍ଷାକୁ ବଞ୍ଚିବାକୁ।-
କିଛି କଥା ବୁଝିବାକୁ ଟିକେ ସମୟ ଲାଗେ
କିଛି କଥା ବୁଝିବାକୁ ଟିକେ ସମୟ ଲାଗେ
ଅସହାୟତା କାହାକୁ କୁହନ୍ତି ବୁଝିବାକୁ
ନିଜ ଗୋଡ଼ରେ ନିଜେ ଠିଆ ହେବାର ମାନେ ଜାଣିବାକୁ
ମା'ଙ୍କ ପିଠି ଯନ୍ତ୍ରଣାର କାରଣ ଜାଣିବାକୁ
ସମୟର ମୂଲ୍ୟ ବୁଝିବାକୁ
ବେଳେବେଳେ କିଛି କଥା ବୁଝିବାକୁ ଟିକେ ସମୟ ଲାଗେ
କିଏ ନିଜର, କିଏ ପର ଚିହ୍ନିବାକୁ
ସମ୍ପର୍କ ଆଉ ସ୍ବାର୍ଥର ସମ୍ବନ୍ଧ ଜାଣିବାକୁ
ଜିହ୍ୱାସ୍ଵାଦ ଓ ଭୋକର ଫରକ୍ ଚିହ୍ନିବାକୁ
ସଉକ୍ ଓ ଆବଶ୍ୟକତାର ଅନ୍ତର ଜାଣିବାକୁ
ବେଳେବେଳେ କିଛି କଥା ବୁଝିବାକୁ ଟିକେ ସମୟ ଲାଗେ
ହେଲେ ଯେଉଁ ଦିନ ତୁମେ ବୁଝିପାରିବ
ଅସହାୟତା;ସବୁବେଳେ ସାମର୍ଥ୍ୟ ନଥିବା କାରଣରୁ ନୁହେଁ
ରୋଜଗାର କରିବା ଆଉ ବାପାଙ୍କ ଭଳି ଘର ଚଳେଇବା ଏକା କଥା ନୁହେଁ
ମା' ଙ୍କ ଯନ୍ତ୍ରଣା କେବଳ ବୟସ ବଢିବାର ପରିଣାମ ନୁହେଁ
ବିତି ଚାଲିଥିବା ଗୋଟାଏ ମୁହୂର୍ତ୍ତ ବି ଆଉ ଫେରିବାର ନୁହେଁ
ସମୟ ଚିହ୍ନେଇ ଦିଏ ଏଠି କିଏ ନିଜର କିଏ ପର
ବିନା ସ୍ୱାର୍ଥରେ ଏଠି ସମ୍ପର୍କର ଅସ୍ଥିତ୍ଵ ସନ୍ଦେହାତ୍ମକ
ଭୋକ ମରିଯାଇପାରେ ହେଲେ ଜିହ୍ୱା ଲାଳସା ଅମର
ସଉକ ତ ଛାଡ଼ ଏଠି ଆବଶ୍ୟକତା ପୂର୍ତ୍ତି ବି ସଂଘର୍ଷ ପୂର୍ଣ୍ଣ
ସେ ଦିନ ତୁମେ ଉପଲବ୍ଧି କରିବ ପ୍ରକୃତରେ
ବେଳେବେଳେ କିଛି କଥା ବୁଝିବାକୁ ଟିକେ ସମୟ ଲାଗେ।-