ସବୁଥର ଏମିତି ହୁଏ,
ନୀରବତା ହିଁ କଥା କହେ......!-
କହନା ଆଉ ଆମେ ପାଖେ ଅଛେ ବୋଲି
ଦେଖୁନୁ ଥରେ,
ଫୁଲ ଆଉ ପ୍ରଜାପତି ର ଡେଣାରେ
ଲଘୁଚାପର କାଲୁଆ ପବନରେ
ଅବିକଳ ବର୍ଷା ପରି ଆମ ଦୂରତା,
ଥମିବାର ନାଁ ହିଁ ଧରୁନି.....!
-
ତୁମେ ମୋତେ ଶୁଣିପାର ବୋଲି
ମୁଁ ମୁଦି ଦିଏ ଇତିହାସ ବହି
ଭୁଲିଯାଏ ଭୌତିକ ବିଜ୍ଞାନ ସୂତ୍ର
ତୁମେ ବୁଝେଇ ଦେଲେ ହିଁ ମୁଁ ବୁଝେ,
ବଢ଼ି ବଢ଼ି ଯାଉଥିବା ପଦ୍ମ ନାଡ ଆଉ
ସିଡ଼ିରେ ଚଢ଼ୁଥିବା ଗେଣ୍ଡା ପିଲା
ଆଉ କିଛି ନୁହେଁ, ଗୋଟେ ଗୋଟେ ଶିଶୁ ଗପ!-
ସେ ହୃଦୟକୁ ପକ୍ଷୀ କରି
ଉଡେଇଦେଲା ମୋ ଆଡେ...
ସେଦିନୁଁ ମୁଁ ଆକାଶ ଗଢିବାରେ ବ୍ୟସ୍ତ!
-
ତା ନକହି ପାରିବା ହିଁ ଭୟଙ୍କର ଭୋଗିବା
ନଲେଖି ପାରିବା ହିଁ ଅଦେଖା ଘା ଟିଏ
ତା ମିଛ ହସ ହିଁ ମୋ ଅସ୍ଥିତ୍ୱର କବର,
ସେ ମୁକୁଳି ନପାରିବା ହିଁ ଅସହ୍ୟ ଯନ୍ତ୍ରଣା ମୋର...!
-
ସେ ମୋତେ ବାର ବାର ପଚାରିଚି
ମୋ ପ୍ରିୟ ରଙ୍ଗ ଆଉ ଋତୁ.....!
.
.
.
.
.
.
.
କହିପାରିଲିନି ଆଜି ଯାଏ
ତା ନିଶ୍ଵାସ ହିଁ ମୋର ଇନ୍ଦ୍ରଧନୁ,ଆଉ
ସବୁଦିନ ତାରି ପାପୁଲିରେ ଅଳସଭାଙ୍ଗେ
ମୋ ଇଛାମୁତାବକ ଋତୁର ମେଘ.....!
-
ସେ ସାଇତି ପାରେ ବୋଲି
ମୁଁ ନ ସରି ବାକି ରହିଗଲି,
ସେ ଖର୍ଚ୍ଚୀ ଦେଲା ଦିନେ
ବିନା ମୂଲ୍ୟରେ ବିକ୍ରି ହେଇଗଲି!
-
ଯେତେ ସବୁ ଶୂନ୍ୟପଣକୁ କୋଳେଇ
ମୁଁ ପରିଚୟ ଅଣ୍ଡାଳିଲି,
ମୋ ନାଁ ଲେଖା କାଗଜସବୁ
ମିଶିଗଲେ ଦିଗନ୍ତ ସେପାଖେ
ପାଣି ଗାର ଭଳି ଅଚାନକ ମୁଁ ଉଭେଇଲି,
ଜାଣ, ଏଥର
ସବୁ ନଥିବାପଣରେ ବି
ମୁଁ ପ୍ରେମିକା ହେଲି....... !
-