ଉତ୍କଳ ଦିବସ ଉପଲକ୍ଷେ ଆହ୍ବାନ।
Utkala Divasa:
Foundation Day of Odisha
1936,April 1-
//ମା//
ମୋ ମା ମାତ୍ର ପାଞ୍ଚ ଫୁଟ୍ ର,
ହେଲେ ବରଗଛ ସମ ଦମ୍ଭ ତାର।
ତା ଛାଇ ତଳେ ଆମେ ସବୁ ଚାରାଗଛ,
କାହିଁ କେତେ କୋଷ ଯାଏ ତା ମମତାର ଓହଳ
ସଭିଙ୍କୁ ବାନ୍ଧି ରଖିଛି ଗୋଟିଏ ଛାତ ତଳେ।
-
ଛୁଇଁବାକୁ ଦିଅ ମୋତେ
ପଥରର ହୃଦୟକୁ ତୁମର,
କାଳେ ତରଳି ଯିବ ଜମି ଯାଇଥିବା ଅନୁଭବ।
ବାନ୍ଧିବାକୁ ଦିଅ ମୋତେ
ଅସହାୟ ଆଲିଙ୍ଗନକୁ ତୁମର,
କାଳେ ବଉଳି ଯିବ ଝଡ଼ି ଯାଇଥିବା ଅନୁତାପ।
ରଖିବାକୁ ଦିଅ ମୋତେ
ବେଦନାର ଅଭିମାନକୁ ତୁମର,
କାଳେ କଅଁଳି ଯିବ ଶୁଖି ଯାଇଥିବା ଅଭିସାର।
-
//ଅବ୍ୟକ୍ତ-୨//
ବାସ୍ତବତା ପାହାଚକୁ
ଓହ୍ଲେଇ ଆସିବା ପରେ
ଲାଗେ ସଫା ଆକାଶ ଅଛି,
ହେଲେ କୁହୁଡିର ସାମିଆନା
ତଳେ ଲୁଚିଯାଏ ଅନେକ ଭାବନା।
ଲୁଚିଯାଏ ମୋ ଆଖିର ଲୁହ,
ନିଜର ଅତୀତ,ନିଜର କ୍ଷତ।
-
କ'ଣ ପାଇଁ ଏତେ ଅହଙ୍କାର,
ଲୋକ ଦେଖାଣିଆ ତୁମ ଜ୍ଞାନର ଭଣ୍ଡାର!
ଅଜ୍ଞତାରେ ମଜା ଅଛି ପ୍ରୟାସ ପ୍ରେରଣାର,
ଡିଣ୍ଡିମ ପିଟନି ଆଉ ଘର ଖାଲି କର।
ଶୂନ୍ୟତାରେ ଅଣ୍ଡାଳୁଛ ବାଳିଆ ମାଛକୁ,
ରହିବନି ଖାଲି କିଛି ଆଉ ଯେ ପଛକୁ।
ରଖ ହୋ ତୁମ ତର୍ଜମା ତୁମ ହାତ ମୁଠାରେ,
ଭାଉମରା ମତାମତ କିଏ ଯେ ପଚାରେ?
ସାନ୍ଦ୍ରତାକୁ ଝାଙ୍କି ଦେଖ ନିରିଖେଇ ଟିକେ,
ଅଣ୍ଟିରେ ରଖିଛ ପରା ସପ୍ତଫେଣି କଟାକ୍ଷେ।
ହଉ ହେଲା, ଆମେ ମାନିଲୁ ତମେ ବଡ ପଣ୍ଡିତ,
ଆଛା କହିଲ କଣିକାରୁ ସାନ୍ଦ୍ରତାର କେତେ ଯେ ଦୂରତ୍ବ।-
~ସ୍ଥାପତ୍ୟ~
ଦିନ ଆସିବ,
ମୋ ଶରୀର ସହ
ଅସ୍ତିତ୍ଵ ବି ମାଟିରେ ମିଶିଯିବ।
ଗୋଟେ କାମ କରିବ,
ସେ ଜାଗାରେ କିଛି ମଞ୍ଜି ବୁଣିଦବ।
ହୁଏତ ସେ ଗଛ କେବେ
ପତ୍ରଝଡା ଦେବନି,
ହୁଏତ କାନେ କାନେ ମୋ କାହାଣୀ କହିବ।-
//ଋଣ//
ମୁଁ ଯେତେବେଳେ ବି କହିଲି,
ମୋତେ ଡ଼ର ଲାଗୁଛି,
ତୁମେ ସାଙ୍ଗେ ସାଙ୍ଗେ ଖୋଲି ଦେଲ,
ହୃଦୟର ସେଇ ସୁରକ୍ଷିତ କୋଣ।
ମୁଁ ଲୁଚିଗଲି,ହଜେଇ ପାରିଲିନି ନିଜକୁ,
ହାତ ଧରିଲ,ବାଟ କଢେଇ ନେଲ,
ଆଉଥରେ ସ୍ବପ୍ନ ଦେଖେଇଲ।
ଅତିରିକ୍ତ କାଗଜରେ ଛାପିଦେଲ ,
ମୋହର .....
ତୁମ ଅସରନ୍ତି ଭଲପାଇବାର।
-
//ଆବରଣ//
ଅପେକ୍ଷାରେ ଅଛି ରାମ ଆସିବେ,
ଉଇଁବ କୁଆଁ ତାରା,
ମୁଣ୍ଡ ଟେକିବ ସେ ଆୟତ ଚକ୍ଷୁ ଯୁଗଳ,
ଭୁଲିଯିବି ଜୀବନର ବିଚ୍ଛିନ୍ନତା,
ମରୁଝଡରେ ଭାଙ୍ଗିଛି ଯେ ମେରୁଦଣ୍ଡ,
ସୁଗନ୍ଧ ଭରିବ ଏ ନିସ୍ତେଜ ଦେହରେ,
ନିବୃତ ହୋଇବ ସେ ଅନ୍ଧାର ଝଲସା ଫୁଲ।-