(ଏକ କ୍ଷୁଦ୍ର ଗଳ୍ପ ଅନୁଶୀର୍ଷକରେ)-
ଜସ୍ମିନ୍ ହାତରେ ଥାଏ ରାଇଫଲ୍ ! ଟ୍ରିଗର୍ ଦବାଇବାକୁ ତା କମ୍ପିତ ଆଙ୍ଗୁଠି ପ୍ରସ୍ତୁତ । ପାହାଡ଼ର ସମସ୍ତ ଗଛଲତା ନିଜ କାନ ଚାପି ଧରିଥିଲେ ବନ୍ଧୁକ ଶବ୍ଦରୁ ନିଜ କର୍ଣ୍ଣପଟ୍ଟଳକୁ ସୁରକ୍ଷା ଦେବା ପାଇଁ । କିନ୍ତୁ ଉତ୍କଣ୍ଠାର ସହ ଚାହିଁ ରହିଥିଲେ ସେ ଅଭିନବ ଦୃଶ୍ୟକୁ ସେହି ନିର୍ଣ୍ଣାୟକ ଘଡ଼ିରେ !
ଆଉ ତାପରେ ........
ପାହାଡ଼ ଉପରେ ଉପସ୍ଥିତ ସମସ୍ତେ ଜୀବିତ ଥିଲେ ! ପାହାଡ଼ କୋଳରେ ଶାୟିତ ଥିଲା ଜସ୍ମିନ୍ ଓରଫ୍ ଜୁଲିର ରକ୍ତାକ୍ତ ଶରୀର !
(ସମ୍ପୂର୍ଣ୍ଣ କାହାଣୀ ଅନୁଶୀର୍ଷକରେ)-
(ଅନୁଶୀର୍ଷକରେ ଏକ କାହାଣୀ ନୁହେଁ ବରଂ କାହାଣୀ ଆଢ଼ୁଆଳରେ ମୋ ଜୀବନର ଏକ ଅଭୁଲା ଅଙ୍ଗେ ଲିଭା ଘଟଣା)-
ବହୁତ ଖୁସି ଲାଗେ ଯେବେ ତୁମେ ଆଜି ବି ଦୁଇ ବର୍ଷ ତଳର ସେ ପୁରୁଣା ଡାଏରୀ ଖୋଲି ପୃଷ୍ଠାଗୁଡ଼ିକୁ ଅଶ୍ରୁସିକ୍ତ ନୟନରେ ପଢ଼ିଚାଲ ଓ ମଝି ଫର୍ଦ୍ଦରେ ସାଇତା ହୋଇ ରହିଥିବା ମୋର ଫଟୋଟିକୁ ତୁମ ବକ୍ଷରେ ଚାପିଧର। ମୁଁ ସେତେବେଳ ତୁମେ ବସିଥିବା ଚେୟାର୍ ସଂଲଗ୍ନ ଟେବୁଲ୍ ଉପରେ ବସି ସ୍ମିତହାସ୍ୟ ଦେଇ ତୁମକୁ ଅପଲକ ନୟନରେ ଦେଖେ। କିନ୍ତୁ ତୁମେ ମୋ ଉପସ୍ଥିତିକୁ ଅନୁଭବ କରିପାରନି। ତୁମ ଗାଲ ଉପର ଦେଇ ବୋହିଆସୁଥିବା ଲୁହକୁ ମୋ ପାପୁଲିରେ ପୋଛିଦେବାକୁ ଚେଷ୍ଟା କରିବା ସମୟରେ ତୁମେ ହଠାତ୍ ଡାଏରୀ ବନ୍ଦ କରି ଉଠିଯାଇ ଦ୍ୱାର ପାଖରେ ଠିଆ ହୋଇଥିବା ତୁମର ବର୍ଷକର ପୁଅକୁ କୋଳେଇ ନିଅ। ବହୁତ ଖୁସି ଲାଗେ। ତୁମେ ଥରେ କହିଥିଲ ନା ମୋର ଓଢ଼ଣୀ ସ୍ପର୍ଶ ତୁମକୁ ଏକ ଅପୂର୍ବ ଶାନ୍ତି ଦିଏ ! ସେଥିପାଇଁ ତ ସବୁଦିନ ତୁମେ ଶୋଇଲା ବେଳେ ମୋର ଲାଲ୍ ଓଢ଼ଣୀରେ ତୁମ ମୁହଁକୁ ଢାଙ୍କି ଦିଏ। ତୁମ ବ୍ୟସ୍ତବହୁଳ ଦିବସରେ ରାତିର ସେହି ଘଣ୍ଟାଟେ ହିଁ ତ ସମୟ ଯେତେବେଳେ ତୁମ ଆଲିଙ୍ଗନରେ ମୋ ନିଜକୁ ସମର୍ପି ଦିଏ। କିନ୍ତୁ ଠିକ୍ ଘଣ୍ଟାଏ ପରେ ମୁଁ ତୁମ ବେଡ୍ ଉପରୁ ଉଠିଯାଏ ଯେତେବେଳେ ତୁମ ଧର୍ମପତ୍ନୀ ଆସି ତାଙ୍କ ଭାଗ୍ଯବାନ ଅଧରରେ ତୁମ ମଥାରେ ଚୁମ୍ବନଟିଏ ଆଙ୍କି ଦିଅନ୍ତି। ମୁଁ ସେଠି ବସି ରହି ପାରନ୍ତି କିନ୍ତୁ ମୁଁ ଉଠି ଚାଲିଯାଏ କାରଣ ତାଙ୍କ ଅଧିକାରରୁ ତାଙ୍କୁ ବଞ୍ଚିତ କରିବାର ମୋର ଅଧିକାର ନାହିଁ। ମୁଁ ତ ସବୁ ଅଧିକାରରୁ ଉର୍ଦ୍ଧ୍ବରେ ! ମୁଁ ଏବେ ବି ତୁମ ଅପେକ୍ଷାରେ ଅଛି ସମ୍ବିତ୍ ! ମୁଁ ତୁମକୁ ମୋ ପାଖକୁ ଆଣିବାର ପ୍ରୟାସ କରୁନାହିଁ। ତୁମର ସମୟ ଆସିଲେ ତୁମେ ବନ୍ଧା ହୋଇଥିବା ଜୀବନ ଜଞ୍ଜିରରୁ ମୁକ୍ତ ହୋଇ ମୋ ପାଖକୁ ଚାଲିଆସିବ !
ତୁମ ପ୍ରତୀକ୍ଷିତ ଅଶରୀରୀ ପ୍ରିୟା, ସ୍ୱପ୍ନା !-