ଅଙ୍କାବଙ୍କା ପଥ, ପଥିକ ଅନେକ...
ବାଟବଣା ନ ହୋଇ
କିଏ ଆଗକୁ ବଢିଛି ଦେଖ!
ଠାଏଁ ଠାଏଁ ଏଠି ବିଭ୍ରାନ୍ତିର ଛକ,
ଭ୍ରମିତ ନ ହୋଇ
ଠିକଣା ସ୍ଥାନରେ କିଏ ପହଞ୍ଚିଛି ଦେଖ!
-
ଥୁଣ୍ଟା ଗଛ ମୁଁ, ନାହିଁ ପତର...
ବାଆ ବତାସ କୁ କି ଅବା ଡର!
ଲୁଣ୍ଠିତ ହୋଇଛି ମୋ ସବୁଜିମା ସମ୍ଭାର ,
ଏ ନିସ୍ତେଜ ଗଣ୍ଡି ଛଡ଼ା ଆଉ କିଏ ନିଜର?
ନାହିଁ ସେ ମହକ, ନାହିଁ ସେ କୁହୁକ...
କାଇଁ ମୋ କଥା ଭାବିବ ଯାଯାବର ପଥିକ?
ଶୁଭୁନି ମୋ କରଡରୁ ବାଈ ଚଢ଼େଇ ଡାକ,
ତା ନଜରରେ ତ ମୁଁ ଖଳନାୟକ!
କାଠହଣା କରିଚାଲିଛି ମୋ ହୃଦୟେ କ୍ଷତ,
କାହାକୁ କହିବି, ପାଉଛି ମୁଁ କେତେ ଆଘାତ?
ହଁ,ମୁଁ ଲାଞ୍ଛିତ... ହଁ, ମୁଁ ଦୁଃଖିତ...
କଣ୍ ସବୁଜିମା ବିନା ନାହିଁ ମୋ ଅସ୍ତିତ୍ବ?
-
ଆସିଛି ମକର ନେଇ ଖୁସି ର ଆସର,
ଆରିସା ପିଠା ର ବାସ୍ନା ରେ ଚହଟୁଛି ଆମ ଘର ।
ମାଆ କରିଛି ମଣ୍ଡା ପିଠା ଦେଇ ନଡ଼ିଆ ପୂର,
ମକର ଚାଉଳ ଖାଇବା ପାଇଁ ହଉଛି ମନ ମୋର ।।
ଟୁସୁ ପରବ ଦେଖିବା ପାଇଁ ଚେଇଁ ରହିଛି ଆଖି,
ଉତ୍ସାହିତ ହୁଏ ମନ ଗଞ୍ଜା ଲଢ଼େଇ ଦେଖି ।
ଶିକା ରୁ କାଢ଼ି ଲୁଚି ଲୁଚି ମାଂସ ପିଠା ଦିଏ ମୁଁ ଚାଖି,
ସାଙ୍ଗ ଙ୍କ ଠୁ ଦେଖି ଗୁଡ଼ି ଉଡ଼ା ଯାଏ ମୁଁ ଶିଖି ।।
ଖୁସି ମଜା ରେ ବନ୍ଧୁ ଙ୍କ ମେଳେ କଟି ଯାଏ ଦିନ,
ପେଟ ପୁରି ଯାଏ ଖାଇ ରକମ ରକମ ବ୍ୟଞ୍ଜନ ।
ସ୍ନେହ, ସୌହାର୍ଦ୍ୟ ରେ କରୁ ଆମେ ପରବ ପାଳନ,
ମକର ପରବ ଆମ ପରମ୍ପରା ର ନିଦର୍ଶନ ।।
- ବନ୍ଧନ ପାଇକରାୟ
-
ପାଷାଣ ବୁକୁ ର କାହାଣୀ କଣ୍ ଏ ସବୁଜ ବନାନୀ କୁ ଜଣା?
ନା ନିଜ ସବୁଜିମା ର ଗରିମା ରଖିବା ପାଇଁ ଖାଲି ନେଇଛି ତା ସାହାରା?-
ମାଆ ବିନା ଘର ଆତ୍ମା ବିନା
ଶରୀର ।
ମାଆ ବିନା ଘର ଦିଅଁ ବିନା
ମନ୍ଦିର ।
ମାଆ ବିନା ଘର ଜୁଆର ବିନା
ସାଗର ।
ମାଆ ବିନା ଘର ଜଳ ବିନା
ନିର୍ଝର ।
ମାଆ ବିନା ଘର ବାଦଲ ବିନା
ଅମ୍ବର ।
- ବନ୍ଧନ ପାଇକରାୟ
-
ମନ ମୋର କାଇଁ ଆଜି ହୁଏ ଅଝଟ ?
ତୋ ବିରହ ବହ୍ନି ରେ କାଇଁ ହୁଏ ଛଟପଟ ?
ଖୋଲିଲୁନି କିମ୍ପା ତୁ ତୋ ହୃଦୟ କବାଟ ?
ତୋ ବିନା କେମିତି ଚାଲିବି ଏ କଣ୍ଟକିତ ବାଟ ?
ମନେ କିଆଁ ଭରି ରଖି ଥିଲୁ ଏତେ କପଟ ?
କାହିଁକି ଭାଙ୍ଗି ଦେଲୁ ମୋ କାମନା ଘଟ ?
-
ମନ ପ୍ରଜାପତି ଉଡ଼ିବ କହେ ,
ବାଦଲ ସାଥେ ଭାସିବ କହେ ...
ହେଲେ ସେ ରଜନୀଗନ୍ଧା କୁ ଦେଖି
ତା କୋମଳ କୋଳରେ ଶୁଏ ...
ବାଟବଣା ମନ ଠିକଣା ଭୁଲିଲା ,
ମଧୁ ରସ ପାଇ ଝୁମି ଉଠିଲା ...
ହେଲେ ଅଧା ବାଟେ ହାତ ଛାଡ଼ି
ତା ସପନ ନାଇକା ଦୂରେଇ ଗଲା ...
ବିରହ ବ୍ୟଥାରେ ଛିଡିଲା ତା ଡେଣା ,
ଯିବାକୁ ଚାହିଁଲା ସେ ନିଜ ଅଗଣା ...
ହେଲେ ସାହାଯ୍ୟ ପାଇଁ କେହି ନ ଆସିଲେ
ପ୍ରକୃତି ବି କଲା ତା ସହ ଛଳନା !
- BandhanPaikaray
-