ତୁମକୁ ଦେଖିନି କେବେଠୁ! ଜାଣିଥିଲି ତୁମେ ଦିନେ ଅକସ୍ମାତ ହଜିଯିବ, ଠିକ ଯେମିତି ତୁମେ ଦେଖା ହେଇଥିଲ। ତୁମ ପାଇଁ ଲେଖିଥିବା ଚିଠି ସବୁ ବେନାମୀ ଠିକଣାର ହୋଇଯିବେ, ତୁମକୁ ଖୋଜୁଥିବା ଆଖି ଦିଗନ୍ତରେ ମିଶିବେ- ଏ ସବୁ ଜଣା ଥିଲା। କିନ୍ତୁ ଏତେ ଜଲଦି ହେବ ଜଣା ନଥିଲା। ଭାବି ନଥିଲି, ହୁଏତ ଭାବିବାକୁ ଚାହୁଁ ନଥିଲି। ତୁମ ବିନା ଏ ସହରର ଗହଳି ବହୁତ ପତଳା ଲାଗୁଛି, ସବୁ ମୁହଁ ଏକା ଭଳି ଲାଗୁଛି। ଆଉ ବେଳେ ବେଳେ ସେ ଗହଳି, ସେ ଭିଡ଼ ଅଣ ନିଃଶ୍ୱାସୀ କରିଦେଉଛି। ତୁମେ ତ କେବେ ମୋ ପାଇଁ ନିଶ୍ୱାସ ନଥିଲ! ଛ ମାସ ଭିତରେ କେମିତି ଏତେ ଆବଶ୍ୟକୀୟ ହୋଇଗଲ? ତୁମକୁ ଆଉ ମୁଁ ଭିଡ଼ ଭିତରେ ଖୋଜୁନି, କାରଣ ମତେ ଜଣା ଅଛି ଏ ଭିଡରେ ଆଉ ତୁମେ ନାହଁ। ପବନରେ ତୁମ ବାସ୍ନା ନାହିଁ, ଏ ଗହଳି ଚହଳିରେ ତୁମ ଶାନ୍ତ ସ୍ଥିର ଉପସ୍ଥିତି ନାହିଁ। ମୁଁ ଜାଣେ ତୁମେ ନାହଁ। ତୁମେ ବୋଧେ ଚାଲିଗଲଣି ପୁଣି କେଉଁ ଏକ ଦୂର ଦେଶକୁ, ତୁମ କର୍ତ୍ତବ୍ୟ ପଥରେ, ତୁମ ଜୀବନ ସନ୍ଧାନରେ। ମୁଁ କିନ୍ତୁ ତୁମର କିଛି ଅଂଶକୁ ଯିବାକୁ ଦେବିନି। ତୁମେ ଏବେ ବି ଅଛ ଏଇଠି, ଏହି ରାସ୍ତାରେ, ସେ ଗଛ ତଳେ, କ୍ୟାଣ୍ଟିନର ସେ ଟେବୁଲରେ, ବସରେ... ମୁଁ ରଖିଥିବି ସାଇତି କିଛି ପ୍ରତିଛବି ମୋ ମନ ଭିତରେ, ମୋ ଚିଠିର ଠିକଣା ସବୁ ହେଉଛନ୍ତି ସେମାନେ। ହଜିବାକୁ ଦେବିନି ଏତେ ଜଲଦି। ହଁ ଯଦି ଜାଣିଥାଆନ୍ତି ସମୟ ଚକ ଏତେ ଜଲଦି ଗଡି ଯିବ ବୋଲି, ତେବେ ହୁଏତ ସାଉଁଟି ଆଣିଥାଆନ୍ତି ତୁମର ଆଉ କିଛି ସ୍ମୃତି ଚିହ୍ନ, ସାଇତି ରଖିଥାନ୍ତି ଆଉ କିଛି ଚୋରା ମୁହୂର୍ତ୍ତ... ହେଲେ ଲାଭ କଣ!
-