ଖଜୁରୀପଡାର ମଥାରେ ଚମକୁଥିଲା
ଗୋଟି ଗୋଟି ଝରା ମହୁଲର ଫୁଲ।
ପିଠିରେ ଝୁଲୁଥିଲା, ଛଅ ମାସିଆ ଭବିଷ୍ୟତ,
ହାତରେ ଶୁଖିଲା ଆଶାର କେଇ ବିଡ଼ା ଶାଳପତ୍ର।
ମୁହଁରେ ନଥିଲା ଦୋମୁହାଁଙ୍କ ଭଳି ଦୋଦୋପାଞ୍ଚ,
ଥିଲା ଓଳିକ ପାଇଁ ଭୋକର ହାଣ୍ଡିଶାଳରେ
ଦରସିଝା ଚାଉଳର ଖୁସି ଆଉ ଝାଉଁଳା ମହୁଲ।
ପ୍ରତିବାଦ କଣ, ଜାଣିନି ସେ ଯୁଗ ଯୁଗ ଧରି।
ସୂର୍ଯ୍ୟବି ତ ଲୁଟୁଥିଲା ତା ଦେହରୁ ଝଲକ
ଟାଙ୍ଗରା ମାଟିରେ ତାତି ଫୁଟେଇ ,
ଦିକୁ ମାନେ ଯେବେ ତା ଅନ୍ତ ବିଦାରୁ ଥିଲେ
ଧୋବଲା ବାବୁ ମାନେ ହସୁଥିଲେ,
ନିଜ ଭେଜାଲ ଦେହରେ ତା ରକ୍ତକୁ ଅତର କରି।
ତଥାପି ନୀରବ ସେ ଏ କି ମୌନତା ଦେଖ।
ସଂଘର୍ଷ, କପାଳରେ ବନ୍ଧା ଏକ ଶିରିପା ତାର।
ବୁଢା ଡୁଙ୍ଗୁରି ପାହାଡ଼ର କୋଳେ ଲୁଚେଇ ଦିଏ
ଦିନର ତାତିରେ, ଅସୁଖ ରାତିରେ ରନ୍ଧା ଅନାହାର।
ମରଣକୁ କାନ୍ଧରେ ବୋହେ ଘାଟିର ଅରଗଳିରେ
ବଞ୍ଚିଗଲେ ଦୁନିଆ କହେ, ଗାଏ, ଲେଖେ
ଅନେକ ଦର୍ଶନ,ଚିନ୍ତନ ତା କାହାଣୀର।
-