ହେ ଲେଖନୀ !
ହୃତସ୍ପନ୍ଦନର ହାହାକାର ମଧ୍ୟେ ହୁଙ୍କାର ରଡି ଦିଅ...
ଅସମ୍ପୂର୍ଣ୍ଣ ଯେତେ ଆର୍ତ୍ତଚିତ୍କାରକୁ ଆକାର ଦେଇଯାଅ,
ବକ୍ଷବିଦାରି ମୋ ଅବରୁଦ୍ଧ ବାଣୀ ବଖାଣ କରିଯାଅ,
‛କାଲ’ସମାଜର କଳା-କାୟାଦେଶେ କମ୍ପନ କରିଦିଅ ।।
ହେ ଲେଖନୀ !
ତୁମେ ମୋ ମାନସ ମହୀରୁହ...
ଅଜ୍ଞାନ-ମୃତ୍ତିକା ଆବରଣ ଭେଦି ଜ୍ଞାନଜଡ଼ ବିସ୍ତାରିରୁହ,
ଲିପିପତ୍ରେ ଶବ୍ଦ-ସୂର୍ଯ୍ୟକିରଣେ ସାହିତ୍ୟଶ୍ଲେଷଣ ସହ,
ଟାଙ୍ଗରା ନିରସ ପ୍ରାଣମାଟିରେ ଭାଷା ସବୁଜଶ୍ରୀ ଭରିଦିଅ ।।
ହେ ଲେଖନୀ !
‛ପ୍ରିୟ-ଅପ୍ରିୟ’ର ପରିସୀମା ଡେଇଁ ପାରିହୋଇଯାଅ..
ସତ୍ୟମୁଖୁଁ ଅସତ୍ୟ ମୁଖାଖୋଲିବାକୁ ତିଳେ ଶଙ୍କିତ ନ ହୁଅ,
ସତ୍ୟୋନ୍ମଚନେ କାଳି ସରିଲେ,ମୋ ଧମନୀରକ୍ତ ଶୋଷିନିଅ;
ଭାଷାସାହିତ୍ୟ ପୁନର୍ଜୀବନ ନିମନ୍ତେ ଅମୃତହୋଇ ବୁହ ।।
ହେ ଲେଖନୀ !
ଧନ-ଧମକ-ଧର୍ମ ଗୋଲାକଧନ୍ଦା ଧରିଭିଡ଼ିଲେ ବି ନ ରୁହ...
ମାନବୀୟ ମୂଲ୍ୟବୋଧ ଓ ସେବାର ମୌଳିକ ମନ୍ତ୍ର ଗାଅ,
ମୁକ୍ତିକୈନ୍ଦ୍ରିକ ପ୍ରେମଗୀତି,ମାଆମାଟିର ଡାକରାଦିଅ,
ଦେଶରଦୁର୍ଦ୍ଦଶା,ମମତାର ଭାଷା ନିଜ ମୁନେ ଅଙ୍କିଯାଅ ।।
ହେ ଲେଖନୀ !
ତୁମେ ଅନନ୍ତକାଳ ଅନାହତ ହୋଇ ରୁହ,ଅବିରାମ ଚାଲୁଥାଅ ।।
-